ବିଦ୍ୟୁତ୍‌ ସ୍ପର୍ଶରେ ୭ଟି ହାତୀ ମୃତ୍ୟୁ ଘଟଣା

0

ନୂଆଦିଲ୍ଲୀ : ବିଦ୍ୟୁତ୍‌ ସ୍ପର୍ଶରେ ଆସି ଢେଙ୍କାନାଳ ଜିଲାର କମଳାଙ୍ଗ ଠାରେ ଗତ ୨୭ ଅକ୍‌ଟୋବର ରାତିରେ ୭ଟି ହାତୀଙ୍କ ମୃତ୍ୟୁ ହେବା ମାମଲାରେ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି) ବିଦ୍ୟୁତ୍‌ ବିତରକ ସଂସ୍ଥା ସେସୁକୁ ଅତିରିକ୍ତ ୪ କୋଟି ଟଙ୍କା ଜୋରିମାନା କରିଛନ୍ତି। ଫଳରେ ହାତୀ ମୃତ୍ୟୁ ମାମଲାରେ ସେସୁକୁ ସମୁଦାୟ ଜୋରିମାନା ରାଶି ୫ କୋଟିକୁ ବୃଦ୍ଧି ପାଇଛି। ଅତିରିକ୍ତ ଜୋରିମାନା ରାଶିକୁ ସେସୁ କର୍ତ୍ତୃପକ୍ଷ ତିନି ସପ୍ତାହ ମଧ୍ୟରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ନିକଟରେ ଜମା କରିବେ। ଗୁରୁବାର ମାମଲାର ଶୁଣାଣି ବେଳେ ଏନ୍‌ଜିଟିଙ୍କ ପୂର୍ବ ନିର୍ଦେଶମତେ ବିଦ୍ୟୁତ୍‌ ବିତରକ ସଂସ୍ଥା ସେଣ୍ଟାଲ ଇଲେକଟ୍ରିକ ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା (ସେସୁ) ଜୋରିମାନା ବାବଦକୁ ଏକ କୋଟି ଟଙ୍କା ଜମା କରିଥିବାର ଜଣାପଡ଼ିଥିଲା। ଜୋରିମାନା ଅର୍ଥ ଓଡ଼ିଶା ଜଙ୍ଗଲ ବିଭାଗ ହାତୀଙ୍କ ସୁରକ୍ଷା ଦିଗରେ ଖର୍ଚ୍ଚ କରିବ ବୋଲି ଏନ୍‌ଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଚାରି ଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠଙ୍କ ନିର୍ଦେଶ ଅନୁଯାୟୀ ଏଣିକି ହାତୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ରାଜ୍ୟ ଜଙ୍ଗଲ ବିଭାଗ ନିୟମିତ ଭାବେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଣଳୟକୁ ରିପୋର୍ଟ କରିବ। ଭବିଷ୍ୟତରେ ଯେପରି ବିଦ୍ୟୁତଘାତ ଅଘଟଣ ନଘଟେ ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ଜଙ୍ଗଲ ବିଭାଗ ଏକ ଆକ୍‌ସନ ପ୍ଲାନ ପ୍ରସ୍ତୁତ କରିବେ। ସେହିପରି ଏଭଳି ସମସ୍ୟାର ନିରାକରଣ ପାଇଁ ସେସୁ କର୍ତ୍ତୃପକ୍ଷ ଏକ କମିଟି ଗଠନ କରିବେ ଏବଂ ଅଘଟଣକୁ ଏଡ଼ାଇବା ପାଇଁ କଡ଼ା ପଦକ୍ଷେପ ନେ​‌​‌େ​‌​‌ବ। ଏନ୍‌ଜିଟିଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରି ଚାରି ସପ୍ତାହ ମଧ୍ୟରେ ଅବଗତ କରାଇବାକୁ ବିଚାରପତି ଆଦର୍ଶ କୁମାର ଗୋଏଲ ରାଜ୍ୟ ଜଙ୍ଗଲ ବିଭାଗ ଓ ସେସୁ କର୍ତ୍ତୁପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଦେଶରେ ହାତୀ ସୁରକ୍ଷା ବିଷୟରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଣଳୟ ଗତ ଅକ୍‌ଟୋବର ୨୦୧୭ରେ ଜାରି କରିଥିବା ଗାଇଡ୍‌ଲାଇନ୍‌କୁ ସଂଶୋଧିତ କରି ସମସ୍ତ ରାଜ୍ୟକୁ ପୁନଃ ଜାରି କରିବାକୁ ନିର୍ଦେଶ ଦିଆଯାଇଛି। ଏଣିକି ବିଦ୍ୟୁତ୍‌ ଆଘାତଜନିତ ହାତୀ ମୃତ୍ୟୁ ଭଳି ସମସ୍ୟାକୁ ଏଡ଼ାଇବା ପାଇଁ ରାଜ୍ୟଗୁଡ଼ିକ ନିୟମିତ ଭାବେ ତଦାରଖ କରିବେ।
କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଣଳୟ ଏ ପ୍ରସଙ୍ଗରେ ରାଜ୍ୟଗୁଡ଼ିକୁ ନିର୍ଦେଶନାମା ଜାରି କରିବା ପାଇଁ ଏନଜିଟିଙ୍କ ନିର୍ଦେଶନାମାରେ କୁହାଯାଇଛି। ଏନ୍‌ଜିଟିରେ ଦାଖଲ କରାଯାଇଥିବା ରାଜ୍ୟ ଜଙ୍ଗଲ ବିଭାଗ ରିପୋର୍ଟରେ ସେସୁର ଅବହେଳା ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟିଥିଲା ବୋଲି ଦର୍ଶାଯାଇଛି। ପ୍ରକାଶଯେ ବିଦ୍ୟୁତ୍‌ ବିତରଣକାରୀ କମ୍ପାନୀ ସେସୁର ଅବହେଳାରୁ ସାତଟି ହାତୀଙ୍କ ମୁତ୍ୟୁ ଘଟିଛି ବୋଲି ବିଭିନ୍ନ ଗଣମାଧ୍ୟମର ରିପୋର୍ଟକୁ ଭିତ୍ତି କରି ଏନ୍‌ଜିଟି ଦିଲ୍ଲୀସ୍ଥିତ ପ୍ରଧାନପୀଠ ନିଜଆଡୁ ମାମଲାର ବିଚାର କରି ଏକ କୋଟି ଟଙ୍କା ଜୋରିମାନା ନିର୍ଦେଶ ଦେଇଥିଲେ।

Leave A Reply