ଜଟିଆଡିହି ଜଙ୍ଗଲରେ ଘୁରି ବୁଲୁଛି ଆହତ ହାତୀ

0

କଟକ/ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ରେଞ୍ଜ ଅଧିନସ୍ଥ ଜଟିଆଡିହି ଜଙ୍ଗଲରେ କିଛି ଦିନ ହେବ ଏକ ଆହତ ହାତୀ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ଏହି ବୟସ୍କ ହାତୀର ଗୋଟିଏ ପଛ ଗୋଡରେ ଆଘାତ ଲାଗିଛି ଫଳରେ ସେ ଛୋଟେଇ ଛୋଟେଇ ଚାଲୁଛି। ଗତ ୨୧ ତାରିଖରେ ଲୋକେ ତାକୁ ଜଙ୍ଗଲରେ ଦେଖିବାକୁ ପାଇଥିଲେ। ପରେ ପୁଣି ଗତ ୨୭ ତାରିଖରେ ତାକୁ ଦେଖିବାକୁ ମିଳିଛି। ଆଘାତ ଲାଗିଥିବା ଗୋଡକୁ ସେ ଘୋଷାରି ଘୋଷାରି ଚାଲୁଛି।
ଜଙ୍ଗଲ ବିଭାଗ ପକ୍ଷରୁ ହାତୀର ଚିକିତ୍ସା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଜଙ୍ଗଲ ବିଭାଗର ନିୟମ ଅନୁସାରେ ଆହତ ହାତୀକୁ ନିଶା ଇଂଜେକସନ(ଟ୍ରାଂକ୍ୱାଲାଇଜର) ଦେଇ ଚିକିତ୍ସା କରିବା କଥା। କିନ୍ତୁ ଏ ନେଇ ଜଙ୍ଗଲ ବିଭାଗ କିଛି ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


ତେବେ ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୧୯୯୦ ମସିହାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୦୦ ହାତୀଙ୍କର ଅସ୍ୱଭାବିକ ମୃତ୍ୟୁ ଘଟି ଥିବା ଜଣାପଡିଛି। ତେବେ ଗତ ଆଠ ବର୍ଷ ମଧ୍ୟରେ ୫୯୧ ହାତୀଙ୍କର ଅସ୍ୱଭାବିକ ମୃତ୍ୟୁ ଘଟି ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୨୦୭ଟି (୩୫ ପ୍ରତିଶତ)ହାତୀଙ୍କର ଶୀକାର ଯୋଗୁଁ ଅସ୍ୱଭାବିକ ମୃତ୍ୟୁ ଘଟି ଥିବା ବେଳେ(୯୫ ପ୍ରତିଶତ) ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। ବିଗତ ୩ ବର୍ଷ ମଧ୍ୟରେ ୮୦ଟି ହାତୀଙ୍କର ଗଳିତ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି।
୧୯୯୦ରୁ ୨୦୦୦ ମଧ୍ୟରେ ରାଜ୍ୟରେ ବର୍ଷକୁ ହାରାହାରି ୩୩ଟି ହାତୀଙ୍କର ଅସ୍ୱଭାବିକ ମୃତ୍ୟୁ ଘଟିଥିବା ବେଳେ ୨୦୦୦ରୁ ୨୦୧୦ ମଧ୍ୟରେ ଏହି ସଂଖ୍ୟା ୪୬କୁ ବୃଦ୍ଧି ପାଇଥିଲା। ତେବେ ୨୦୧୦-୧୧ରୁ ୨୦୧୭-୧୮ ମଧ୍ୟରେ ଏହି ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇ ୭୩ରେ ପହଞ୍ଚିଛି।

Leave A Reply