ବିଦ୍ୟୁତ ତାର ଛିଣ୍ଡି ୧୦ ଆହତ

0

ଗଞ୍ଜାମ: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖୁଡ଼ିଆଳୀ ଗ୍ରାମରେ ଥିବା ପୋଖରୀରେ ଗାଧୁଆ ତୁଠ ଉପର ଦେଇ ଯାଇଥିବା ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ୯ ଜଣ ମହିଳା ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ କବିସୂର୍ୟ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଆସିକା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆହତ ବୁଦ୍ଧି ନାୟକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। କବିସୂର୍ୟ୍ୟନଗର ଏସ୍ଡିପିଓ ରାଜକିଶୋର ବଲ୍ଲଭ କହିଛନ୍ତି, ପୋଖରୀଠାରୁ ଅନତି ଦୂରରେ ଥିବା ଏକ ଟ୍ରାନ୍ସଫର୍ମରରୁ ଏହି ୪୪୦ ଏଲ୍.ଟି ଲାଇନ୍ଟି ଗ୍ରାମରେ ଘରୋଇ ବିଦ୍ୟୁତ ସଂଯୋଗ ଲାଗି ଯାଇଥିଲା। ତାହା ଉପରେ ମାଙ୍କଡ଼ ଡେଇଁ ପଡ଼ିବାରୁ ତାରଟି ଛିଡ଼ି ଯାଇଛି। ଅପରପକ୍ଷରେ ଗୁଡ଼ିଆଳୀ ଗ୍ରାମରେ ଖୋଲା ତାର ବଦଳାଇ କେବୁଲ ଟଣାଯିବା ସମୟରେ ଏହି ତାରକୁ ବଦଳାଇ କେବୁଲ ଲଗାଇବା ଲାଗି ବହୁବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପାଇଁ ଧ୍ୟାନ ଦିଆଯାଇ ନ ଥିବା ଆହତଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Leave A Reply