ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋର୍‌ଦାର

0

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକ୍ରିୟା ଜୋରଦାର କରିଛନ୍ତି। ନିର୍ବାଚନ ପାଇଁ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ ସମେତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଭାରତର ନିର୍ବାଚନ କମିଶନ ରାଜ୍ୟ ପାଇଁ ଆବଶ୍ୟକ ପଡୁଥିବା ଇଭିଏମ ଏବଂ ଭିଭିପାଟ ମେସିନ ଯୋଗାଇବେ। ବୁଥ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନାକୁ ନଜରରେ ରଖି ଓଡ଼ିଶା ପାଇଁ୯୮ ହଜାର ଇଭିଏମ ମେସିନ ଏବଂ ଏଥିପାଇଁ ଆବଶ୍ୟକ ଭିଭିପାଟ ଦେବାକୁ କମିଶନ ଆକଳନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ୧୨,୨୦୦ ଭିଭିପାଟ ପହଞ୍ଚିଛି।
୨୦୧୪ ନିର୍ବାଚନରେ ବେଙ୍ଗାଲୁରସ୍ଥିତ ଭାରତ ଇଲେକଟ୍ରୋନିକ୍ସରୁ ଇଭିଏମ ଗୁଡ଼ିକ ଆସିଥିବା ବେଳେ ଏଥର ହାଇଦ୍ରାବାଦସ୍ଥିତ ଇଲେକଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆରୁ ଇଭିଏମ ଏବଂ ଭିଭିପାଟ ଆସିବ। ଓଡ଼ିଶାରେ ମହଜୁଦ ଥିବା ଇଭିଏମ ବିହାରକୁ ପଠାଇବା ପାଇଁ ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟ ପାଇଁ ଇଭିଏମ ଏବଂ ଭିଭିପାଟ ଆଣିବାକୁ ଜିଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
କେଉଁ ରାଜ୍ୟରୁ କେତେ ମେସିନ ଆସିବ ସେ ସଂକ୍ରାନ୍ତରେ ନିର୍ବାଚନ କମିଶନ ଚୂଡ଼ାନ୍ତ ମଞ୍ଜୁରୀ ଦେଲେ ସଂପୃକ୍ତ ଜିଲାପାଳମାନେ ଏହାକୁ ସଂଗ୍ରହ କରିବେ। ଅଗଷ୍ଟ ମାସ ସୁଦ୍ଧା ପ୍ରାୟ ୯୦% ଇଭିଏମ ଏବଂ ଭିଭିପାଟ ଓଡ଼ିଶାରେ ପହଞ୍ଚିବ। ଇଭିଏମ ଏବଂ ଭିଭିପାଟ ପହଞ୍ଚିଲେ ଏହାର ପରିଚାଳନା ନେଇ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ବୁଥ ସଂଖ୍ୟା ବଢ଼ିଲେ ପରବର୍ତ୍ତୀ ସମୟରେ ଅଧିକ ମେସିନ ଯୋଗାଇ ଦେବାକୁ ଅନୁରୋଧ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗ୍ରାମାଞ୍ଚଳରେ ଗୋଟିଏ ବୁଥ ଅଧୀନରେ ୧୨୦୦ ଏବଂ ସହରାଞ୍ଚଳରେ ୧୪୦୦ ଭୋଟରରୁ ଅଧିକ ମତଦାତା ରହିବେ ନାହିଁ। ଏବେ ରାଜ୍ୟରେ ବୁଥ ସଂଖ୍ୟା ୩୫.୮୯୬ ଥିବା ବେଳେ ଏହା ୪୦ ହଜାରକୁ ବଢ଼ିବା ସମ୍ଭାବନା ରହିଛି।
ରାଜ୍ୟର ୫୮ ଜଣ ଉପ ଜିଲାପାଳ, ୭୦୦ ତହସିଲଦାର, ବିଡିଓ ଏବଂ ସହକାରୀ ବିଡିଓ ପ୍ରଶିକ୍ଷଣ ନେଇ ସାରିଛନ୍ତି। ବିଭିନ୍ନ ଜିଲାର ଅଧିକାରୀଙ୍କୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିୟମିତ ବୈଠକ କରାଯାଉଛି।

Leave A Reply