ଗାନ୍ଧିଜୀ ଓ ନୋବେଲ ପୁରସ୍କାର­

0

ସରଳ କୁମାର ଦାସ

ନୋବେଲ ପୁରସ୍କାର ପ୍ରବର୍ତ୍ତନ ହେବାଠାରୁ ୧୯୦୧ରୁ ୨୦୧୭ ମଧ୍ୟରେ ୧୩୧ ଜଣ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ମାର୍ଟିନ ଲୁଥର କିଙ୍ଗ (ଜୁନିଅର), ନେଲସନ ମାଣ୍ଡେଲା, ମଦର ଟେରେସା, ଦଲାଇଲାମା, ସାଇମନ ପେରେଜ, ଥିଓଡୋର ରୁଜଭେଲ୍ଟଙ୍କ ଭଳି ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ବ ଅଛନ୍ତି । ହେଲେ ବିଂଶ ଶତାବ୍ଦୀରେ ଶାନ୍ତି ଓ ଅହିଂସାର ସର୍ବଶ୍ରେଷ୍ଠ ପୂଜାରୀ ମହାତ୍ମା ଗାନ୍ଧୀଙ୍କୁ ନୋବେଲ ପୁରସ୍କାର ନ ମିଳିବା ବାସ୍ତବିକ ଆଶ୍ଚର୍ଯ୍ୟର ବିଷୟ ।
ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଉଇଲ ଅନୁସାରେ ଯେଉଁ ୫ଟି ବିଭାଗରେ ପ୍ରତିବର୍ଷ ନୋବେଲ ପୁରସ୍କାର ଦିଆଯାଇଥାଏ ସେଥି ମଧ୍ୟରୁ ଶାନ୍ତି ବିଭାଗ ଅନ୍ୟତମ। କୁହାଯାଏ, ସାରା ଜୀବନ ଅସ୍ତ୍ରଶସ୍ତ୍ର କାରବାର ସହ ଜଡିତ ନୋବେଲଙ୍କୁ ବିଶ୍ବ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟର ସ୍ବୀକୃତି ପାଇଁ ଏକ ପୁରସ୍କାର ସ୍ଥାପନ କରିବାକୁ ପ୍ରବର୍ତ୍ତାଇବାରେ ତାଙ୍କ ପ୍ରାକ୍ତନ ପ୍ରେୟସୀ ବର୍ଥା ସଟନର୍ ସକ୍ଷମ ହୋଇଥିଲେ । ଅନ୍ୟ ପୁରସ୍କାରଗୁଡିକର ମନୋନୟନ ସ୍ବିଡେନର ନୋବେଲ କମିଟି କରୁଥିବା ବେଳେ ଶାନ୍ତି ପୁରସ୍କାର ମନୋନୟନ ନର​‌େ​‌ୱର ସ୍ଟର୍ଟିଙ୍ଗ(ସଂସଦ)ଦ୍ବାରା ମନୋନୀତ ଏକ ୫ ଜଣିଆ ନୋବେଲ କମିଟି କରିଥା’ନ୍ତି ।
ନୋବେଲ ଶାନ୍ତି ପୁରସ୍କାର ପାଇଁ ଗାନ୍ଧିଜୀଙ୍କ ନାମ ସମୁଦାୟ ୫ ଥର ମନୋନୀତ ହୋଇଥିଲା। ପ୍ରଥମ ଥର ୧୯୩୭ରେ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ ନର​‌େ​‌ୱ ସ୍ଟର୍ଟିଙ୍ଗର ଶ୍ରମିକ ଦଳର ସଦସ୍ୟ ଓଲେ କଲ ଜର୍ଣ୍ଣସନ ଓ ତାହା ୧୩ ଜଣିଆ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲା। ନୋବେଲ କମିଟିର ଉପଦେଷ୍ଟା ଜାକବ ୱର୍ମ ମ୍ୟୁଲର ତାଙ୍କ ରିପୋର୍ଟରେ ଗାନ୍ଧିଜୀଙ୍କୁ ଜଣେ ଭଲ ମଣିଷ ଓ ତାଙ୍କୁ ଭାରତର ସାଧାରଣ ଜନତା ଭଲ ପାଉଥିଲେ ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଜଣେ ରାଜନୈତିକ ନେତା ଭାବେ ତାଙ୍କ ନୀତିରେ ସ୍ଥିରତା ନଥିଲା ବୋଲି ଦର୍ଶାଇଥିଲେ। ସେ ତାଙ୍କ ରିପୋର୍ଟରେ ଲେଖିଥିଲେ, ସେ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ଏକଛତ୍ରବାଦୀ, ଆଦର୍ଶବାଦୀ ଓ ଜାତୀୟତାବାଦୀ ଥିଲେ। ସେ ଅନେକ ସମୟରେ ଯୀଶୁଖ୍ରୀଷ୍ଟଙ୍କ ପରି ଆଚରଣ କରୁଥିଲେ ମଧ୍ୟ ହଠାତ୍ ଜଣେ ସାଧାରଣ ରାଜନେତା ପାଲଟି ଯାଉଥିଲେ। ଚୌରୀଚୌରାଠାରେ ଥାନା ଆକ୍ରମଣରେ ପୁଲିସଙ୍କ ହତ୍ୟା, ନିଆଁ ଲଗାଇବା ଆଦି ଘଟଣାରେ ଆନ୍ଦୋଳନ ବେଳେବେଳେ ଉଗ୍ର ଓ ହିଂସ୍ର ରୂପ ନେଉଥିବାରୁ ଆନ୍ତର୍ଜାତିକ ଶାନ୍ତି ଆନ୍ଦୋଳନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ଓ ସଂଗଠନମାନଙ୍କ ମଧ୍ୟରୁ କିଛି ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରି ପାରୁ ନଥିଲେ। ଆଉ କେତେକ ଅଣ ଭାରତୀୟ ଗାନ୍ଧିଜୀଙ୍କୁ ଅତିମାତ୍ରାରେ ଭାରତୀୟ ଜାତୀୟତାବାଦୀ ବୋଲି ଅଭିହିତ କରୁଥିଲେ। ସମ୍ଭବତଃ, ପ୍ରଫେସର ମ୍ୟୁଲର ଏ ସମସ୍ତ ଆଲୋଚକଙ୍କ ଦ୍ବାରା ପ୍ରଭାବିତ ହୋଇଥିବାରୁ ଗାନ୍ଧିଜୀଙ୍କ ଆଦର୍ଶର ସାର୍ବଜନୀନତା ନେଇ ଆଶଙ୍କା ପ୍ରକାଶ କରିବା ସହ ସେ ମୂଳତଃ ଭାରତୀୟଙ୍କ ସ୍ବାର୍ଥ ପାଇଁ ଲଢୁଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ଦକ୍ଷିଣ ଆଫ୍ରିକା ରହଣି କାଳରେ ଗାନ୍ଧିଜୀ ଭାରତୀୟଙ୍କ ସ୍ବାର୍ଥରକ୍ଷା ପାଇଁ ପଦକ୍ଷେପ ନେଇଥିବା ବେଳେ ସେଠାକାର କୃଷ୍ଣକାୟଙ୍କ ଅବସ୍ଥା ଆହୁରି ଖରାପ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଆଦୌ ସ୍ବର ଉଠାଇ ନଥିଲେ ବୋଲି ସେ ଲେଖିଥିଲେ। ଏଭଳି ଏକ ଦୋଷଦର୍ଶୀ ରିପୋର୍ଟ ପାଇବା ପରେ କମିଟି ତାଙ୍କ ନାମକୁ ଆଉ ଗୁରୁତ୍ବ ଦେଇ ନଥିଲେ ଓ ସେହି ବର୍ଷ ଚେଲଉଡର ଲର୍ଡ ସିସିଲଙ୍କୁ ଶାନ୍ତି ପୁରସ୍କାର ମିଳିଥିଲା। ୧୯୩୮ ଓ ୧୯୩୯ରେ ମଧ୍ୟ ସାଂସଦ କଲ ଜର୍ଣ୍ଣସନ ଗାନ୍ଧିଜୀଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମାତ୍ର ସେତେବେଳର ନିୟମାନୁସାରେ ଥରେ କେହି ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ ଆଗାମୀ ୧୦ ବର୍ଷ ଯାଏଁ ତାଙ୍କୁ ଆଉ ବିଚାରକୁ ନିଆଯାଉ ନଥିବାରୁ ତାଙ୍କ ନାମ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ କଟିଯାଇଥିଲା।
୧୯୪୭ରେ ବମ୍ବେ ପ୍ରଦେଶର ପ୍ରଧାନମନ୍ତ୍ରୀ ବି.ଜି.ଖେର, ସଂଯୁକ୍ତ ପ୍ରଦେଶର ପ୍ରଧାନମନ୍ତ୍ରୀ ଜି.ବି.ପନ୍ତ ଓ କେନ୍ଦ୍ରୀୟ ବିଧାନ ପରିଷଦର ସଭାପତି ଜି.ଭି.ମାଭଲଙ୍କର ଟେଲିଗ୍ରାମ ଯୋଗେ ଶାନ୍ତି ପୁରସ୍କାର ପାଇଁ ଗାନ୍ଧିଜୀଙ୍କ ନାମ ପ୍ରସ୍ତାବ ଦେଇଥିଲେ। ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଥିବା ୬ ଜଣଙ୍କ ମଧ୍ୟରେ ଥିଲା ଗାନ୍ଧିଜୀଙ୍କ ନାମ। ନୋବେଲ କମିଟିର ପରାମର୍ଶଦାତା ନର​‌େ​‌ୱର ବିଶିଷ୍ଟ ଐତିହାସିକ ଜେନ୍ସ ଅରୂପ ସେଇପ୍ ଉପସ୍ଥାପନ କରିଥିବା ରିପୋର୍ଟରେ ବିଗତ ୧୦ବର୍ଷ (୧୯୩୭ରୁ ୧୯୪୭)ର ଭାରତୀୟ ରାଜନୈତିକ ଇତିହାସରେ ଗାନ୍ଧିଜୀଙ୍କ ଭୂମିକାର ବର୍ଣ୍ଣନା ଥିଲା। ସେଇପଙ୍କ ରିପୋର୍ଟରେ ଗାନ୍ଧିଜୀଙ୍କ ପ୍ରଶଂସା ଥିଲେ ମଧ୍ୟ ତାଙ୍କୁ ନୋବେଲ ପୁରସ୍କାର ଦିଆଯିବା ସପକ୍ଷରେ କୌଣସି ମତ ନଥିଲା। ଅନ୍ୟ ପକ୍ଷରେ ଭାରତ-ପାକିସ୍ତାନ ବିଭାଜନ ପରବର୍ତ୍ତୀ ଭୟାବହ ହିଂସା ଓ ରକ୍ତପାତ ଯୋଗୁଁ ଉଭୟ ଦେଶ ମଧ୍ୟରେ ସୃଷ୍ଟ ତିକ୍ତ ସମ୍ପର୍କ ବିଷୟରେ ସେ ସୂଚନା ଦେଇଥିଲେ। ସେ ପର୍ଯ୍ୟନ୍ତ ଅହିଂସ ସ୍ବାଧୀନତା ସଂଗ୍ରାମ ଭିତ୍ତିରେ କାହାକୁ ନୋବେଲ ପୁରସ୍କାର ଦିଆଯାଇ ନଥାଏ। ତା’ଛଡା ପୁରସ୍କାର ପ୍ରଦାନ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ଆହୁରି ତିକ୍ତ କରିବାର ସମ୍ଭାବନା ସମ୍ପର୍କରେ କମିଟିର ସଦସ୍ୟମାନେ ସ‌େମ୍ବଦନଶୀଳ ଥିଲେ। ଠିକ ସେତିକିବେଳେ ସେପ୍ଟେମ୍ବର ୨୫ରେ ‘ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧକୁ ଗାନ୍ଧିଜୀଙ୍କ ସମର୍ଥନ’ ଶୀର୍ଷକ ଏକ ଖବର ଲଣ୍ଡନର ‘ଦି ଟାଇମସ’ ସମ୍ବାଦପତ୍ରରେ ପ୍ରକାଶିତ ହେଲା, ଯାହା ସମ୍ପୂର୍ଣ୍ଣ ସତ ନହେଲେ ମଧ୍ୟ ଗାନ୍ଧିଜୀଙ୍କ ଶାନ୍ତି ଓ ଅହିଂସାର ପୂଜାରୀ ରୂପେ ଥିବା ଖ୍ୟାତିରେ ସାମୟିକ ଭାବେ ଆଞ୍ଚ ଆଣିଥିଲା। ଆଉ ଅକ୍ଟୋବର ୩୦ତାରିଖରେ ହେବାକୁ ଥିବା ପୁରସ୍କାର ଘୋଷଣା ଉପରେ ତା’ର ପ୍ରଭାବ ପଡିବା ଥିଲା ସ୍ବାଭାବିକ । ୫ଜଣିଆ କମିଟିର ୩ଜଣ ସଦସ୍ୟଙ୍କ ବିରୋଧ ଯୋଗୁଁ ଗାନ୍ଧିଜୀ ପୁରସ୍କାର ପାଇବାରୁ ବଞ୍ଚିତ ହେଲେ, ଆଉ ପୁରସ୍କାର ପ୍ରଦାନ କରାଗଲା ‘କ୍ବାକର୍ସ’ ସଂସ୍ଥାକୁ।
୧୯୪୮ରେ ନୋବେଲ ପୁରସ୍କାର ପାଇଁ ଗାନ୍ଧିଜୀଙ୍କ ସପକ୍ଷରେ ଆସିଥିବା ୬ଟି ପ୍ରସ୍ତାବର ପ୍ରସ୍ତାବକଙ୍କ ମଧ୍ୟରେ ଥିଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା କ୍ବାକର୍ସ ସଂସ୍ଥା, ଏମିଲି ଗ୍ରୀନ ବେଲଚ। ମନୋନୟନ ଦାଖଲର ଶେଷ ତାରିଖର ଠିକ ୨ ଦିନ ପୂର୍ବରୁ ଗାନ୍ଧିଜୀଙ୍କର ହତ୍ୟା ହୋଇ ସାରିଥିଲା। ତୃତୀୟ ଥର ପାଇଁ ଗାନ୍ଧିଜୀଙ୍କ ନାମ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲା। ନୋବେଲ କମିଟିର ପରାମର୍ଶଦାତା ସେଇପ୍ ଗାନ୍ଧିଜୀଙ୍କ ସମ୍ପର୍କରେ ଦେଇଥିବା ରିପୋର୍ଟରେ ‘ସେ ଜଣେ ଧର୍ମ ପ୍ରବର୍ତ୍ତକଙ୍କ ସହ ତୁଳନୀୟ’ ବୋଲି ଉଲ୍ଲେଖ କରିଥିଲେ। ସେ ପର୍ଯ୍ୟନ୍ତ ମରଣୋତ୍ତର ଭାବେ କାହାରିକୁ ନୋବେଲ ଶାନ୍ତି ପୁରସ୍କାର ଦିଆ ଯାଇନଥିଲା, ହେଲେ ସେତେବେଳର ପୁରସ୍କାର ନିୟମାନୁସାରେ ଗାନ୍ଧିଜୀ ଯଦି କୌଣସି ସଂସ୍ଥା ସହ ଜଡିତ ଥା’ନ୍ତେ, ସମ୍ପତ୍ତି ବା ଉଇଲ ଛାଡି ଯାଇଥା’ନ୍ତେ ତେବେ ହୁଏତ ତାଙ୍କୁ ପୁରସ୍କାର ଦିଆଯାଇ ପାରିଥା’ନ୍ତା । କାରଣ ପ୍ରଶ୍ନ ଉଠିଥିଲା, ପୁରସ୍କାର ଓ ପୁରସ୍କାର ରାଶିକୁ ଗ୍ରହଣ କରିବ କିଏ ? ମରଣୋତ୍ତର ଭାବେ ପୁରସ୍କାର ଦିଆଯାଇ ପାରିବ କି ନାହିଁ, ସେ ସମ୍ପର୍କରେ ଅନେକ ବିଚାରବିମର୍ଶ ହେବା ପରେ ମତ ପ୍ରକାଶ ପାଇଲା ଯେ କମିଟିର ଘୋଷଣା ପରେ ପୁରସ୍କୃତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲେ ମରଣୋତ୍ତର ପୁରସ୍କାର ଦେଇ ହେବ, କିନ୍ତୁ ପୂର୍ବରୁ ହୋଇଥିଲେ ନୁହେଁ। ଶେଷରେ ନୋବେଲ କମିଟି ସେ ବର୍ଷ କାହାକୁ ନୋବେଲ ଶାନ୍ତି ପୁରସ୍କାର ନ ଦେଇ ‘ଏ ବର୍ଷ ପୁରସ୍କାର ପାଇବା ପାଇଁ କୌଣସି ଯୋଗ୍ୟ ଜୀବିତ ବ୍ୟକ୍ତି ନଥିଲେ’ ବୋଲି ଉଲ୍ଲେଖ କରିଥିଲେ। ପ୍ରକାଶ୍ୟରେ ଗାନ୍ଧିଜୀଙ୍କ ନାମ ଉଲ୍ଲେଖ ହୋଇ ନଥିଲେ ମଧ୍ୟ ଏ ବାକ୍ୟ ଯେ ତାଙ୍କ ପ୍ରତି ଅଭିପ୍ରେତ ଥିଲା ଓ ତାଙ୍କ ଅବର୍ତ୍ତମାନରେ କମିଟି ଅନ୍ୟ କାହାକୁ ପୁରସ୍କାର ଦେବାକୁ ଉଚିତ ମନେ କରି ନଥିଲେ, ତାହା ସହଜରେ ଅନୁମେୟ।
୧୯୬୦ ମସିହା ପର୍ଯ୍ୟନ୍ତ ଇଉରୋପ ଓ ଆମେରିକା ବାହାରେ କାହାକୁ ନୋବେଲ ଶାନ୍ତି ପୁରସ୍କାର ମିଳି ନଥିଲା, ଆଉ ପୁରସ୍କାର ପାଇଥିବା ସମସ୍ତଙ୍କର ଅବଦାନଠାରୁ ଗାନ୍ଧିଜୀଙ୍କ କାମ ଥିଲା ଭିନ୍ନ। ଏ ଧରଣର କାମ ପାଇଁ ଯେ ପୁରସ୍କାର ଦିଆଯାଇପାରେ, ହୁଏତ ସେତେବେଳର ନୋବେଲ କମିଟି ତାହା ଗ୍ରହଣ କରିବାକୁ ଅସମର୍ଥ ଥିଲେ। କେତେକଙ୍କ ମତରେ ଗାନ୍ଧିଜୀଙ୍କୁ ପୁରସ୍କାର ଦେଇ ନର​‌େ​‌ୱ-ବ୍ରିଟେନ ସମ୍ପର୍କରେ ତିକ୍ତତା ଆଣିବାକୁ ହୁଏତ କମିଟି ଚାହିଁ ନଥିଲେ ।
୧୯୩୪ରେ ‘ଖ୍ରୀଷ୍ଟିଆନ ସେଞ୍ଚୁରି’ ନାମକ ଏକ ପତ୍ରିକାର ସମ୍ପାଦକୀୟରେ ଗାନ୍ଧିଜୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବା ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପିତ ହୋଇଥିଲା। ଆଗାଥା ହାରିସନ ନାମକ ଗାନ୍ଧିଜୀଙ୍କ ଜଣେ ବ୍ରିଟିଶ ଅନୁଗାମୀ ଏ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରନ୍ତେ ସେ ସାପ୍ତାହିକ ମୌନବ୍ରତ ଧାରଣ କରିଥିବାରୁ ଖଣ୍ଡେ କାଗଜରେ କେବଳ ଧାଡିଏ ଲେଖିଦେଲେ, ‘’ତମେ ଏମିତି କୌଣସି ସ୍ବପ୍ନଦ୍ରଷ୍ଟାଙ୍କୁ ଜାଣ କି ‘ଆକସ୍ମିକ’ ସହାୟତା ଦ୍ବାରା ଯାହାଙ୍କ ପ୍ରତି ଦୃଷ୍ଟି ଆକର୍ଷିତ ହୋଇଛି ।’’
ସାଧାରଣତଃ ପୁରସ୍କାର ସଂକ୍ରାନ୍ତ ଭୁଲ ନିଷ୍ପତ୍ତିକୁ ସ୍ବୀକାର କରୁ ନଥିବା ନୋବେଲ କମିଟି ଗାନ୍ଧିଜୀଙ୍କ ମୃତ୍ୟୁର ୪୧ ବର୍ଷ ପରେ ଦଲାଇଲାମାଙ୍କୁ ନୋବେଲ ପୁରସ୍କାର ପ୍ରଦାନ ଅବସରରେ ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେ ନୋବେଲ ପୁରସ୍କାର ତାଲିକାରୁ ବାଦ୍ ପଡିବା ଏକ ବ୍ୟତିକ୍ରମ ବୋଲି ସ୍ବୀକାର କରିଥିଲେ । ତାଙ୍କୁ ପୁରସ୍କାର ମିଳିଥିଲେ ହୁଏତ ନୋବେଲ ପୁରସ୍କାରର ମହନୀୟତା ଆହୁରି ବଢିଥା’ନ୍ତା। ଅନ୍ୟ ପକ୍ଷରେ ରିକ୍ତ ହୋଇ ସଂସାର ପରିତ୍ୟାଗ କରିଥିବା ଓ ଫୁଙ୍ଗୁଳା ଭାବେ ଜୀବନଯାପନକୁ ଏକ ନୈତିକ ଚରମ ଉତ୍କର୍ଷରେ ପହଞ୍ଚାଇଥିବା ଗାନ୍ଧିଜୀଙ୍କୁ କେଉଁ ଉପାଧି, ସମ୍ମାନ ଅବା ଅଧିକ ସୁଶୋଭିତ କରି ପାରିଥା’ନ୍ତା।
ଭୁବନେଶ୍ବର
saral_das@yahoo.co.in

Leave A Reply