ସରକାରୀ ବିଦ୍ୟାଳୟରେ ଆସ୍ଥା

0

ଘାସିରାମ ପଣ୍ଡା

ପ୍ରତି ବର୍ଷ ମେଟ୍ରିକ ବୋର୍ଡ ପରୀକ୍ଷା ପରେ ସରକାରୀ ବିଦ୍ୟାଳୟ ମାନଙ୍କର ଫଳାଫଳକୁ ନେଇ ଆଲୋଚନା, ସମାଲୋଚନା ହୁଏ। ବେସରକାରୀ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟ କାହିଁକି ଭଲ ଫଳ କରିପାରିଲା ନାହିଁ ତା’ର ସପକ୍ଷ ଓ ବିପକ୍ଷ ମତାମତରେ ପରିବେଶ କିଛି ଦିନ ଉଷ୍ମ ରହେ। ଭଲ ଫଳ କରିନଥିବା ବିଦ୍ୟାଳୟମାନଙ୍କୁ ବିଭାଗୀୟ କାରଣ ଦର୍ଶାଅ ନୋଟିସ ଯାଏ, କାହାରକାହାର ଦରମା ବି ବନ୍ଦ ହୁଏ। ପରେ ସବୁ ଶିଥିଳ ହୋଇଯାଏ ଓ ପର ବର୍ଷକୁ ପୁଣି ଯେପରିକୁ ସେପରି ହୋଇଯାଏ। ଅସଲ କଥା ହେଉଛି ଆମେ କେବଳ ସାମୟିକ ପ୍ରତିକୂଳ ପରିସ୍ଥିତିକୁ ଏଡାଇବା ପାଇଁ କିଛି ପଦକ୍ଷେପ ନେଉଛୁ। ସମସ୍ୟାର ମୁକାବିଲା ପାଇଁ ବ୍ୟବସ୍ଥାକୁ ସାମଗ୍ରିକ ଭାବେ କ୍ରିୟାଶୀଳ କରିପାରୁ ନାହୁଁ । ଫଳ ପ୍ରକାଶନ ପରବର୍ତ୍ତୀ ଗୋଟେ ଦୁଇଟା କାରଣ ଦର୍ଶାଅ ନୋଟିସ ଜାରି କରି ଏହାକୁ ସମ୍ଭବ କରାଯାଇ ପାରିବ ନାହିଁ। ସରକାରୀ ବିଦ୍ୟାଳୟମାନଙ୍କର ଏହି ସ୍ଥିତି ଯୋଗୁଁ ଲୋକଙ୍କର ଆସ୍ଥା ଏଥିପ୍ରତି କମୁଛି। ଫଳସ୍ୱରୂପ କ୍ରମବର୍ଦ୍ଧିଷ୍ନୁ ବେସରକାରୀ ବିଦ୍ୟାଳୟର ମାୟାଜାଲରେ ଅନେକେ ଛନ୍ଦି ହେଉଛନ୍ତି। କେହିକେହି ଯୁକ୍ତି କରନ୍ତି ଯେ ସରକାରୀ କର୍ମଚାରୀ, ନେତା, ମନ୍ତ୍ରୀ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢାଇଲେ ଏହାର ଅବସ୍ଥାରେ ସୁଧାର ଆସିବ। ଏନେଇ ଏଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ମଧ୍ୟ ବେଶ ଚର୍ଚ୍ଚାରେ ଥିଲା। ସରକାରୀ ବିଦ୍ୟାଳୟର ଗୁଣାତ୍ମକତା ପ୍ରତି ଅସ୍ଥା ନଥିବାରୁ ସରକାରୀ ଶିକ୍ଷକ ବି ନିଜ ଛୁଆକୁ ସେହି ବିଦ୍ୟାଳୟରେ ପଢାଉ ନାହାନ୍ତି ଏକଥା ସତ। ଅପର ପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ପ୍ରଭୃତି ବି ତ ସରକାରୀ ବିଦ୍ୟାଳୟ । ଏସବୁରେ ନାମ ଲେଖାଇବାର ସୁଯୋଗ ପାଇବା ପାଇଁ ଧାଁ ଦଉଡ ହେଉଛି। ଆମକୁ ପ୍ରକୃତରେ ପ୍ରତ୍ୟେକ ସରକାରୀ ବିଦ୍ୟାଳୟମାନଙ୍କୁ ଏହି ସ୍ତରକୁ ଆଣିବାକୁ ପଡିବ ନାହିଁ କି? ଅନେକ ରାଜ୍ୟ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ଚଳିତ ବର୍ଷ ଦିଲ୍ଲୀରେ ସରକାରୀ ବିଦ୍ୟାଳୟମାନଙ୍କର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ, ବେସରକାରୀ ବିଦ୍ୟାଳୟମାନଙ୍କ ତୁଳନାରେ ବେଶ ଆଗରେ ଥିଲା। ଦିଲ୍ଲୀରେ ପ୍ରାୟ ୧୧୦୦ ସରକାରୀ ଓ ୧୭୦୦ ଘରୋଇ ବିଦ୍ୟାଳୟ ରହିଛି । ଗତ କୋଡିଏ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏହି ବର୍ଷ ସରକାରୀ ବିଦ୍ୟାଳୟର ପାସ୍‌ ହାର ଘରୋଇ ଠୁ ଅଧିକ ରହିଛି । ସରକାରୀ ବିଦ୍ୟାଳୟରେ ଏହା ୯୦.୬୮ ଥିଲା ବେଳେ ଘରୋଇ କ୍ଷେତ୍ରରେ ୮୮.୩୫ ଶତକଡା ରହିଛି। ଏହା ଗୋଟିଏ ଦିନରେ ସମ୍ଭବ ହୋଇ ନାହିଁ। ସରକାରଙ୍କ ଆଗ୍ରହ, ଦୃଢ ରାଜନୈତିକ ଇଚ୍ଛା ଶକ୍ତି ଓ ଶିକ୍ଷକମାନଙ୍କ କଠିନ ପରିଶ୍ରମରେ ଏହା ସମ୍ଭବ ହୋଇ ପାରିଛି। ମୋଟ ୫୦୦ ରୁ ୪୮୫ ମାର୍କ ଆଣି ପ୍ରଥମ ହୋଇଥିବା ପ୍ରିନ୍ସ ଜଣେ ବସ୍‌ କଣ୍ଡକ୍ଟରଙ୍କ ପୁଅ। ସେ କୁହନ୍ତି ଯେ ଗତ କିଛି ବର୍ଷ ହେଲା ସରକାରୀ ବିଦ୍ୟାଳୟର ସ୍ଥିତିରେ ସୁଧାର ଆସିବା କାରଣରୁ ଏହା ସମ୍ଭବ ହୋଇ ପାରିଛି। କେରଳରେ ୨୦୧୬ ମସିହା ସୁଦ୍ଧା ୫୭୧୫ଟି ବିଦ୍ୟାଳୟରେ ୧୫ରୁ କମ ଛାତ୍ରୀ ଛାତ୍ର ଥିଲେ। ଫଳରେ ଏହା ବନ୍ଦ ହେବା ସ୍ଥିତିକୁ ଆସିଯାଇଥିଲା। ହେଲେ ସରକାର ଏହାକୁ ବନ୍ଦ ନକରି ଅବସ୍ଥାରେ ସୁଧାର ଅଣିବା ପାଇଁ ୨୦୧୭ ଜାନୁୟାରୀ ଠାରୁ “ସର୍ବସାଧାରଣଙ୍କ ପାଇଁ ଶିକ୍ଷା ସୁରକ୍ଷା ଅଭିଯାନ” ଆରମ୍ଭ କଲେ। ଏଥିରେ ସରକାର ଭିତ୍ତିଭୂମି ତିଆରି କଲେ, ବିଧାୟକମାନେ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ବିଦ୍ୟାଳୟ ବିକାଶ ପାଇଁ ଖର୍ଚ୍ଚ କଲେ ଓ ସ୍ଥାନୀୟ ଲୋକେ ନିଜ ଅଞ୍ଚଳର ସରକାରୀ ବିଦ୍ୟାଳୟକୁ ବଞ୍ଚେଇ ରଖିବା ପାଇଁ ଶପଥ ନେଲେ। ପରିଣାମ ସ୍ୱରୂପ ଗତ ବର୍ଷ ତୁଳନାରେ ଏବର୍ଷ ୪୦ ହଜାର ଅଧିକ ପିଲା ନାମ ଲେଖାଇଲେ ଓ ଏହି ସବୁ ବିଦ୍ୟାଳୟ ବନ୍ଦ ହେବାରୁ ବଞ୍ଚିଗଲା। ୨୦୧୬ ବେଳକୁ ଉତ୍ତରପ୍ରଦେଶର ବଦାଉଁ, ବଳରାମପୁର, ମିର୍ଜାପୁର, ସୋନେଭଦ୍ରା ପ୍ରଭୃତି ଜିଲାରେ ଶିକ୍ଷକ, ଶ୍ରେଣୀଗୃହ ଓ ଅନ୍ୟାନ୍ୟ ଅସୁବିଧା କାରଣରୁ ପିଲାମାନେ ସରକାରୀ ବିଦ୍ୟାଳୟ ଛାଡି ଘରୋଇ ବିଦ୍ୟାଳୟ ଅଭିମୁଖୀ ହେବା ଆରମ୍ଭ କରିଦେଇଥିଲେ । ଏହାକୁ ମୁକାବିଲା କରିବା ପାଇଁ ଏକ୍ସନ ଏଡ, ୟୁନିସେଫ ଓ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରଜେକ୍ଟ ମୁସ୍କାନ ଆରମ୍ଭ କରାଗଲା। ଗ୍ରାମପଞ୍ଚାୟତ ଓ ବିଦ୍ୟାଳୟ ପରିଚାଳନା କମିଟିର ପ୍ରୟାସରେ ଗୋଟିଏ ବର୍ଷରେ ସ୍ଥିତିରେ ପରିବର୍ତ୍ତନ ଅଣାଯାଇ ପାରିଲା । ସେହିବର୍ଷ ଏହି ଜିଲାମାନଙ୍କରେ ମୋଟ ୫୩୩ ଜଣ ଝିଅ ଓ ୫୪୨ ଜଣ ପୁଅ ଘରୋଇ ବିଦ୍ୟାଳୟରୁ ସରକାରୀ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କଲେ। ଏହି ସଫଳତା ହେତୁ ​‌େପ୍ରାଜେକ୍ଟ ମୁସ୍କାନକୁ ଉତ୍ତରପ୍ରଦେଶ ସରକାର ଏବେ ୭୫ଟି ଜିଲାରେ କାର୍ଯ୍ୟକାରୀ କରେଇବା ଯୋଜନା କରୁଛନ୍ତି। ଓଡିଶାରେ ଯେ ସବୁ ସରକାରୀ ବିଦ୍ୟାଳୟର ଅବସ୍ଥା ଦୁର୍ବିସହ, ତାହା ନୁହେଁ। ଏବେବି ଅନେକ ସ୍ଥାନରେ ଶିକ୍ଷକମାନଙ୍କ ଅକ୍ଲାନ୍ତ ପରିଶ୍ରମ, ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗ ହେତୁ ଆକର୍ଷକ ପରିବେଶରେ ବିଦ୍ୟାଳୟ ପରିଚାଳିତ ହେଉଛି। ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକସ୍ଥିତ କଇରାଝୁଲି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଗଲେ ଏକଥା କେହିବି ଦେଖିପାରିବ। ଗ୍ରାମବାସୀମାନେ ସ୍ୱତଃ ବିଦ୍ୟାଳୟ ପରିସରକୁ ଜବରଦଖଲ ମୁକ୍ତ କରିଛନ୍ତି। ଶିକ୍ଷକମାନେ ବିଦ୍ୟାଳୟର ପ୍ରତିଟି କୋଣ, କାନ୍ଥ ବାଡକୁ ଚିତ୍ରକଳା ସାହାଯ୍ୟରେ ଆନନ୍ଦମୟ ଶିକ୍ଷଣ ସ୍ଥଳରେ ପରିବର୍ତ୍ତନ କରିପାରିଛନ୍ତି। ଭିନ୍ନକ୍ଷମଙ୍କ ପାଇଁ ଶୌଚାଳୟ ହେଉ ଅବା ପିଲାଙ୍କ ମଧ୍ୟାହ୍ନ ଭୋଜନ ସ୍ଥଳ, ସବୁକିଛି ଅନ୍ୟମାନଙ୍କ ପାଇଁ ଉଦାହରଣ ହେଲାଭଳି ହୋଇଛି। ଶିକ୍ଷକମାନଙ୍କ ପ୍ରଚେଷ୍ଟାରେ ପିଲାଙ୍କ ସର୍ବନିମ୍ନ ଶିକ୍ଷଣ ସ୍ତରରେ ଯଥେଷ୍ଟ ଉନ୍ନତି ପରଲକ୍ଷିତ ହୋଇଛି। ବିଦ୍ୟାଳୟ ପରିସରକୁ ପ୍ରବେଶ କଲେ ବାଳିକା ଶିକ୍ଷା, ଭେଦଭାବମୁକ୍ତ ପରିବେଶ ପ୍ରଭୃତି ପ୍ରତ୍ୟେକ କଥାକୁ ଯେ ଗୁରୁତ୍ୱ ଦିଆଯାଇଛି, ଏକଥା ପ୍ରତ୍ୟୟ ହେବ। ଘରୋଇ ବିଦ୍ୟାଳୟକୁ ଯାଉଥିବା ଅନେକ ପିଲା ଏବେ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପଢିବା ପାଇଁ ଆସୁଛନ୍ତି। କଇରାଝୁଲିର ଏହି ବିଦ୍ୟାଳୟ ସମେତ ରାଜ୍ୟରେ ଏମିତି ଅନେକ ବିଦ୍ୟାଳୟ ଅଛି ଯାହାକୁ ନେଇ ଗର୍ବ କରାଯାଇ ପାରିବ। ଗ୍ରାମବାସୀ ଓ ଶିକ୍ଷକମାନଙ୍କ ଏହି ଆନ୍ତରିକ ପ୍ରୟାସକୁ ସରକାର ଚିହ୍ନଟ କରି ପିଠି ଥାପୁଡେଇଲେ ଆହୁରି ଅନେକେ ପ୍ରୋତ୍ସାହିତ ହେବେ। ସମସ୍ତ ଅସୁବିଧା ସତ୍ତ୍ୱେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆଜି ମଧ୍ୟ ସରକାରୀ ବିଦ୍ୟାଳୟ ଅଧିକାଂଶଙ୍କ ସାହା ଭରସା। ମେଟ୍ରିକ ପରୀକ୍ଷାରେ ସରକାରୀ ବିଦ୍ୟାଳୟକୁ ଆଗରେ ଦେଖିବାକୁ ହେଲେ ପ୍ରାଥମିକ ବିଦ୍ୟାଳୟର ସ୍ତରରୁ ସ୍ଥିତିରେ ସୁଧାର ଆଣିବାକୁ ପଡିବ। ଘରୋଇ ତୁଳନାରେ ସରକାରୀ ବିଦ୍ୟାଳୟମାନଙ୍କରେ ହିଁ ପ୍ରଶିକ୍ଷିତ ଓ ଅଧିକ ଯୋଗ୍ୟ ଶିକ୍ଷକ ଅଛନ୍ତି। ସେମାନଙ୍କୁ ସମ୍ମାନ ଓ ପ୍ରୋତ୍ସାହନ ସହିତ ଆନୁଷଙ୍ଗିକ ସୁବିଧା ଯୋଗେଇ ଦିଆଯିବା ସହିତ ତଦାରଖକୁ ଦୃଢ କରାଯାଇ ପାରିଲେ ସ୍ଥିତିରେ ନିଶ୍ଚୟ ଉନ୍ନତି ଆସିବ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ହେଉଥିବା ବ୍ୟୟ କୁ ସରକାର ବୋଝ ମନେ ନକରି କିଛି ବର୍ଷ ନିରନ୍ତର ପ୍ରୟାସ କଲେ ଏହା ପୁନଶ୍ଚ ଆସ୍ଥା ଭାଜନ ହୋଇ ପାରିବ।
ghasirampanda@gmail.com

Leave A Reply