ଇମ୍ରାନଙ୍କ ପାଇଁ ଆହ୍ବାନ

0

ଭାରତ ସମେତ ବିଭିନ୍ନ ଦେଶରେ ରାଜନେତାମାନେ ନିର୍ବାଚନ ପ୍ରଚାରବେଳେ ଯେମିତି ବଡ଼ବଡ଼ ପ୍ରତିଶ୍ରୁତି ଦିଅନ୍ତି, ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ଠିକ୍ ସେଇଆ କରିଥିଲେ। ଦେଶରେ ଏକ କୋଟି ରୋଜଗାର ସୃଷ୍ଟି, ଏକ ଇସ୍‌ଲାମୀୟ କଲ୍ୟାଣକାରୀ ଦେଶ ଗଠନ ଏବଂ ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ପାକିସ୍ତାନର ଭାବମୂର୍ତ୍ତିକୁ ସୁଧାରିବା ଭଳି ତାଙ୍କର ପ୍ରତିଶ୍ରୁତି ସେ କେତେ ପାଳନ କରିପାରିବେ, ତାହା ତାଙ୍କ ପାଇଁ ବଡ଼ ଆହ୍ବାନ। ଆହୁରି ମଧ୍ୟ ତାରକା କ୍ରିକେଟରରୁ ରାଷ୍ଟ୍ରବାଦୀ ନେତାଭାବେ ପ୍ରସିଦ୍ଧିଲାଭ କରିଥିବା ଇମ୍ରାନ ଦେଶରୁ ଦୁର୍ନୀତି ଓ ଦାରିଦ୍ର୍ୟର ମୂଳୋତ୍ପାଟନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷେ, ତାଙ୍କୁ କେତେକ ସମସ୍ୟା ଉତ୍ତରାଧିକାର ସୂତ୍ରରେ ମିଳିଛି, ଯାହାକୁ ସମାଧାନ କରିବା ତାଙ୍କ ପାଇଁ କାଠିକର ପାଠ ହେବ। ବିଶେଷତଃ ଆର୍ଥିକ ସଙ୍କଟ ଓ ଆତଙ୍କବାଦ ପ୍ରସଙ୍ଗରେ ସହଯୋଗୀ ଥିବା ଆମେରିକା ସହ ତିକ୍ତ ସମ୍ବନ୍ଧ। ଆଫଗାନିସ୍ତାନ ଓ ଭାରତ ଭଳି ପଡ଼ୋଶୀ ଦେଶ ସହ ସମ୍ପର୍କ ସୁଧାରିବା ମଧ୍ୟ ତାଙ୍କ ପାଇଁ ବଡ଼ ଆହ୍ବାନ। ଏବେ ପାକିସ୍ତାନର ଆର୍ଥିକ ଅଭିବୃଦ୍ଧି ହାର ୬ ଶତାଂଶ ପାଖାପାଖି ଅଛି, କିନ୍ତୁ ରାଜକୋଷୀୟ ନିଅଣ୍ଟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬.୮ ଶତାଂଶରେ ପହଞ୍ଚିସାରିଛି। ଏ ଆର୍ଥିକ ଅସ୍ଥିରତାର ସମ୍ମୁଖୀନ ହେବା ତାଙ୍କ ପାଇଁ ସହଜ ହେବନାହିଁ ନିଶ୍ଚୟ।
ସେହିପରି ରାଜନୈତିକ କ୍ଷେତ୍ରରେ ମଧ୍ୟ ତାଙ୍କ ସ୍ଥିତି ଅସ୍ଥିର ହେବାର ଆଶଙ୍କା ବେଶି; କାରଣ ସେ ବହୁମତ ପାଇଁ ଛୋଟଦଳ ଉପରେ ନିର୍ଭର କରିଥିବାବେଳେ ସିନେଟ୍‌ରେ ବିରୋଧୀଙ୍କ ନିୟନ୍ତ୍ରଣ ରହିଛି। ତେଣୁ କଠୋର ରାଜନୈତିକ ନିଷ୍ପତ୍ତି ନେବା ତାଙ୍କ ସରକାର ପାଇଁ କଠିନ ହେବା ନିଶ୍ଚିତ। ବିରୋଧୀ ଦଳଗୁଡ଼ିକ ଇମ୍ରାନଙ୍କୁ ସେନାର କଣ୍ଢେଇ କହିବା ସହ ତାଙ୍କ ବିଜୟ ପଛରେ ସେନାର ହାତ ଥିବା କହି ଏକ ମହାମେଣ୍ଟ କରିବାର ଯୋଜନାରେ ଅଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ସବୁ ସରକାର ଭଳି ଇମ୍ରାନଙ୍କ ସରକାରର ଭବିଷ୍ୟତ ବି ପ୍ରଭାବଶାଳୀ ସୈନ୍ୟ ଅଧିକାରୀଙ୍କ ସହ ଉତ୍ତମ ସମ୍ପର୍କ ଉପରେ ବେଶି ନିର୍ଭର କରିବ। ତାଙ୍କ ବିଦେଶ ନୀତି ଯଦି ସେନାଠାରୁ ଭିନ୍ନ ହୁଏ, ତେବେ ଅନ୍ୟ ସରକାରଙ୍କ ପରି ଇମ୍ରାନଙ୍କ ସରକାର ମଧ୍ୟ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିନପାରେ।​ ଭାରତ ସହ ସେ କିଭଳି ସମ୍ବନ୍ଧ ରଖିବେ, ତାହା ଖୁବ୍ ଗୁରୁତ୍ବ ରଖେ। ଅବଶ୍ୟ ନିଜ ବିଜୟୀ ଭାଷଣରେ ଇମ୍ରାନ କହିଛନ୍ତି ଯେ ଭାରତ ସହ ତିକ୍ତତାକୁ ସେ ସମାପ୍ତ କରିବାକୁ ଚାହିଁବେ। ଦେଖାଯାଉ, କ୍ରିକେଟ ମଇଦାନର ଏଇ ମହାଖେଳାଳି ରାଜନୀତିର କୁଟିଳ ଖେଳରେ କେତେ ସଫଳ ହେଉଛନ୍ତି।

Leave A Reply