ସଂକୁଚିତ ସମ୍ପର୍କ

0

ଗୋକୁଳାନନ୍ଦ ନାୟକ

ଭଜି ମଙ୍ଗରାଜେ (୮୩) ଆଜି ବାତୁଳ ପରି ହେଉଛନ୍ତି। ବୟସ ବଢ଼ିବାନୁସାରେ ଜଣେଜଣେ ଆତ୍ମୀୟସ୍ବଜନ ମାୟା ସଂସାରରୁ ତାଙ୍କଠାରୁ ବିଦାୟ ନେଉଛନ୍ତି। ଏହା ତାଙ୍କ ପାଇଁ ଅସହ୍ୟ ହୋଇଗଲାଣି। ବୟସ ବଢ଼ିଲେ ସମ୍ପର୍କ ସଙ୍କୁଚିତ ହୋଇଯାଏ। ସେମାନଙ୍କ ସହିତ କାଁ ଭାଁ ପାରିବାରିକ ଉତ୍ସବ ବା କାହାର ଶ୍ରାଦ୍ଧ ଇତ୍ୟାଦିରେ ଦେଖା ହେଉଥିଲା। କାହିଁକି ଦେଖା କରୁନଥିଲେ? ନିଜ କର୍ତ୍ତବ୍ୟରେ କିଛି ହେଳା କରିଛନ୍ତି ବୋଲି ଭାବିଭାବି ସେ ଆଜି ଅନୁତପ୍ତ। ତେଣୁ ଆଜି ତାଙ୍କର ଜୀବନ ନିଜ ପାଇଁ ଏକ ବୋଝ ପରି ଲାଗୁଛି। ଏପରିକି ବଞ୍ଚିବାର ସ୍ପୃହା ଟିକକ ମଧ୍ୟ ଶେଷ ହୋଇଯାଇଛି। ଖାଇବାର ଆଗ୍ରହ ନାହିଁ କି ପିନ୍ଧିବାର ଆଗ୍ରହ ନାହିଁ। ମନେମନେ ମୃତ୍ୟୁର ମୋହ ତାଙ୍କୁ ବ୍ୟାକୁଳ କରୁଛି। ନିଜେ କିନ୍ତୁ ଧୃତରାଷ୍ଟ୍ର ପରିବାରର ଜଣେ ଅଗ୍ରଣୀ ସଦସ୍ୟ ହୋଇଥିବାରୁ ଏକମାତ୍ର ପୁତ୍ରକୁ ଛାଡ଼ି ମୃତ୍ୟୁବରଣ କରିବାକୁ ତାଙ୍କ ପ୍ରବଳ ଭୟ। ଏହି ଅକୁହା କଥାଗୁଡ଼ିକୁ କାହା ଆଗରେ କହି ନିଜର ଦୁଃଖକୁ ଲାଘବ କରିବାକୁ ସେ ଅସମର୍ଥ। ଆଗେ ଏକ ବୃହତ୍ତର ପରିବାରର ମୁରବି ବୋଲି ନିଜକୁ ସେ ସମାଜରେ ଦେଖେଇ ହୋଇ ନିଜର ବଡ଼ପଣିଆ ପ୍ରଦର୍ଶନ କରୁଥିଲେ। ଆଜିକାଲି ତ ସମସ୍ତେ ନିଜ ହାତରେ ଚଉଦପା’। ଭଜିବାବୁଙ୍କୁ ପଚାରେ କିଏ? ସେ ଏକପ୍ରକାର ସଂକୁଚିତ ସମ୍ପର୍କରେ ଜର୍ଜରିତ। ହତାଶା ପଣରେ ସେ ସନ୍ତୁଳିତ ହେଉଛନ୍ତି। ଅଜାଗା ଘାଆକୁ ବା କାହାକୁ କହିବେ? ସବୁ କିଛି ଥାଇ ନିଜକୁ ଜଣେ ଦୁଃଖୀ ମଣିଷ ବୋଲି ଭାବୁଛନ୍ତି। ଭଜିବାବୁ ସତକଥାଗୁଡ଼ିଏ ମୋତେ କହିଗଲେ। ମଣିଷ କିନ୍ତୁ କହେ ଗୋଟିଏ କଥା କରେ ଗୋଟିଏ କଥା। କହିବା ଓ କରିବା ଭିତରେ ଅନେକ ତଫାତ୍‌। ମଣିଷ ନିଜେ ଜାଣିପାରେ ନାହିଁ।
ଆହୁରି କହି ଚାଲିଲେ। ଆମ ଦୁନିଆରେ ଚାରିପ୍ରକାରର ଦୁଃଖୀ ଅଛନ୍ତି। କିଏ ତନଦୁଃଖୀ, କିଏ ଧନଦୁଃଖୀ ତ କିଏ ମନଦୁଃଖୀ। ସବୁ ଥାଇ କାହାର ଧନ ଅଛି, ସୁସ୍ଥ ଶରୀର ଅଛି, ଅଥଚ କୋଳରେ ସନ୍ତାନଟିଏ ନାହିଁ ତ ତନ, ମନ, ଧନ ସବୁଥିରେ ପରିପୂର୍ଣ୍ଣ ଥାଇ ମଧ୍ୟ କାହା ମନରେ ଶାନ୍ତି ନାହିଁ। ଏତେପ୍ରକାର ଦୁଃଖକୁ ସୁଖରେ ପରିଣତ କରିବାର ସୂତ୍ର କୌଣସିି ବହିପାଠରେ ନାହିଁ, ବରଂ ତାହା ମନଗ୍ରନ୍ଥ ଭିତରେ ସ୍ଥାନିତ ହୋଇଛି। ମାର୍କିନ୍‌ ସାହିତ୍ୟିକ ଜର୍ଜ ଆର୍‌ନୋଲଡ ଉପଦେଶ ଦିଅନ୍ତି- ‘ସର୍ବଦା ସନ୍ତୁଷ୍ଟ ରହିବା ଶିଖ। ଏହା ଦ୍ବାରା ମନ ଭିତରେ ଲୁଚି ରହିଥିବା ଯାବତୀୟ ଅଳିଆ ଆବର୍ଜନା ସଫା ହୋଇଯିବ। ଶରୀର ସୁସ୍ଥ ରହିବ ଆଉ ଜୀବନର ଲକ୍ଷ୍ୟ ହାସଲ କରିବା ମଧ୍ୟ ସହଜ ହୋଇଯିବ। ଯଦି ସମସ୍ତେ ସନ୍ତୁଷ୍ଟ ରହିପାରିବେ, ତେବେ ସମାଜର ଅପରାଧ ହ୍ରାସ ପାଇବ। ଆଉ ମଧ୍ୟ ଶାନ୍ତି, ସୁଖ, ସୌହାର୍ଦ୍ଦ୍ୟପୂଣ୍ୟ ବାତାବରଣ ବଜାୟ ରହିବ।’
ଆଜିକାଲିର ଯୁଗରେ ବ୍ୟସ୍ତବ୍ୟସ୍ତ କହି ଆମେ ବାସ୍ତବତାରୁ ଦୂରରେ। ରାତି ପାହିବାଠାରୁ ରାତିଅଧ ଯାଏ କାମର ବାହାନା ଦେଖେଇ ଆମେ ବନ୍ଧୁବାନ୍ଧବମାନଙ୍କୁ ଭୁଲିଯାଉଛୁ। ନିକଟରେ ସାନ ଭଉଣୀର ବିୟୋଗରେ ଭଜିବାବୁ ଯେତେ ଦୁଃଖିତ ନୁହନ୍ତି ତା’ଠାରୁ ବଳି ଚିନ୍ତିତ ଆଦରର ଭିଣୋଇ ପାଇଁ। ଭିଣୋଇଟି ସାରା ଜୀବନ ଏଇ ସଂସାରରେ ସୁଖଶାନ୍ତିମୟ ସନ୍ତୁଳିତ ସହାବସ୍ଥାନ ପ୍ରତିଷ୍ଠା କରିଛନ୍ତି। ଆଜିର ସମାଜରେ ସେ ଜଣେ ସମ୍ମାନନୀୟ ଆଗଧାଡ଼ିର ବରିଷ୍ଠ ନାଗରିକ। ଜଣେ ସର୍ବଜନାଦୃତ ବ୍ୟକ୍ତି। ଭଉଣୀର ମୃତ୍ୟୁ ପରେ ଏବେ ସିଏ ତାଙ୍କ ନିଜଭଳି ଏକ ନିର୍ଜନ ଦ୍ବୀପର ରାଜା ରହିବେ। ଏକଥା ଭାବିଭାବି ଭଜିବାବୁଙ୍କ ହୃଦୟ ବିଷାଦରେ ଆଜି ଭରି ଯାଉଛି। ଭାବୁଛନ୍ତି, ସୃଷ୍ଟିର ମହାନାୟକଙ୍କ ହାତରେ ଆମେ ଗୋଟିଏଗୋଟିଏ କାଠ କଣ୍ଢେଇ। ଆମେ ଖାଲି ନାଚୁଛୁ, ନିର୍ଦେଶକ ଆଉ ଜଣେ। ସେ କିଏ, ଆମେ ଜାଣୁନା। ଆତ୍ମବିଶ୍ବାସ ହେଲା ମଣିଷର ଦକ୍ଷତାର ମାପକାଠି। ଯେଉଁଦିନ ମଣିଷ ତା’ର ଆତ୍ମବିଶ୍ବାସକୁ ହଜେଇ ଦେବ ସେଦିନ ବିଶ୍ବର ମଣିଷ ବି ହଜିଯିବ। ସଦ୍‌ବୁଦ୍ଧି ଓ ମାନବିକତା ମାଧ୍ୟମରେ ନୂତନ ବିଶ୍ବର ସର୍ଜନା ହେବା ଜରୁରୀ।
ଆମର ସମାଜରେ ବୃଦ୍ଧବୃଦ୍ଧାମାନେ ମଣିଷମାନଙ୍କର ଭିଡ଼ ଭିତରେ ଥାଇ ନିଃସଙ୍ଗ। ଟେକ୍‌ନୋଲୋଜି ଯେତେ ଯେତେ ଆଗେଇବାରେ ଲାଗିଛି, ତା’ର ଅଭାବିତ ପରିଣାମ ସ୍ବରୂପ ମନୁଷ୍ୟର ନିଃସଙ୍ଗତାବୋଧ ମଧ୍ୟ ସେତେ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି। କମ୍ପ୍ୟୁଟର, ଇଣ୍ଟରନେଟ୍‌, କୃତ୍ରିମ ବୁଦ୍ଧି (ଏଆଇ) ସ୍ମାର୍ଟଫୋନ, ହୋମ ଡେଲିଭରି….; ଏ ସମସ୍ତ କ୍ରମେ ମନୁଷ୍ୟ-ମନୁଷ୍ୟ ଭିତରେ ସମ୍ପର୍କ ଡୋରିକୁ ଗୋଟିଗୋଟି କରିବାରେ ଲାଗିଛନ୍ତି। ପାରମ୍ପରିକ ପରିବାରର ଅବକ୍ଷୟ ମଧ୍ୟ ମଣିଷକୁ ଏକ ଡୋର କଟିଯାଇଥିବା ଗୁଡ଼ିରେ ପରିଣତ କରିଛି। ଏଇ ନିଃସଙ୍ଗତାର ପ୍ରତିକାର ସରକାରଙ୍କ ଦାୟିତ୍ବରେ ପରିଣତ ହେଲାଣି। ଏକ ସର୍ବେକ୍ଷଣ ଅନୁସାରେ ବ୍ରିଟିଶ୍‌ ଡାକ୍ତରଙ୍କ ପାଖକୁ ପ୍ରତିଦିନ ଆସୁଥିବା ରୋଗୀମାନେ ପ୍ରାୟ ଏକରୁ ପାଞ୍ଚଜଣ ଡାକ୍ତରଙ୍କ ସହିତ କେବଳ ପଦେ କଥା ହେବାର ସୁ​‌େ​‌ଯାଗ ବ୍ୟବହାର କରିବା ପାଇଁ ଆସିଥାନ୍ତି। ସତରେ, କି ବିଚିତ୍ର ଏ ସମାଜ ଆଜି? ଯଦିବା ବରିଷ୍ଠ ନାଗରିକମାନେ ନିଃସଙ୍ଗତା ବୋଧ କରନ୍ତି, ଆଜିର ଯୁବପିଢ଼ି ମଧ୍ୟ ଏହାଦ୍ବାରା ବେଶ୍‌ ଆକ୍ରାନ୍ତ। ଏ ବିଷୟରେ ବିଶେଷ ଆଲୋଚନା କରିବାର ଆବଶ୍ୟକତା ନାହିଁ। ଯୁବପିଢ଼ି ନିଜେ ନିଜକୁ ପଚାରନ୍ତୁ।
ପୁରୁଣା ଜଗନ୍ନାଥ ରୋଡ, ଖପୁରିଆ ଶିଳ୍ପାଞ୍ଚଳ, କଟକ

Leave A Reply