ଅନନ୍ୟ ଅଟଳ

0

ଦେବୀଲାଲ ମିଶ୍ର

ଭାରତୀୟ ରାଜନୀତି-ମହାକାଶର ଅଦ୍ବିତୀୟ ଅଟଳ ସୂର୍ଯ୍ୟ ଆଜି ଅସ୍ତମିତ। ‘ଅଟଳ ବିହାରୀ ବାଜପେୟୀ’- ଏ ନାମ ଶ୍ରବଣ କରିବା ମାତ୍ରକେ ମାନସ ଦ୍ବାରରେ ଉଦ୍‌ଭାସିତ ହୁଏ ଅନେକ ସ୍ବତନ୍ତ୍ର ଛବି: ଏକ ମହାନ୍‌ ରାଷ୍ଟ୍ରପୁରୁଷ, ବିଚକ୍ଷଣ ରାଜନୀତିଜ୍ଞ, ଓଜସ୍ବୀ ବକ୍ତା, ପ୍ରଖର ବ୍ୟକ୍ତିତ୍ବ, ନିର୍ଭୀକ ଚିନ୍ତାନାୟକ, ତେଜସ୍ବୀ କବି ଓ ପ୍ରଚଣ୍ଡ ପ୍ରତିଭା। ଭାରତୀୟ ରାଜନୀତିସହ ତାଙ୍କର ସଂପୃକ୍ତି ସୃଷ୍ଟି କରିଥିଲା ଏକ ନୂତନ ଯୁଗ। ବାଜପେୟୀଙ୍କର ବ୍ୟକ୍ତିତ୍ବ ସର୍ବଦା ସାଧାରଣ ରାଜନୈତିକ ପରିସରରୁ ଊର୍ଦ୍ଧ୍ବରେ ଥିଲା। ସାମ୍ବାଦିକତାରୁ ନିଜର ପରିଚୟ ସୃଷ୍ଟି କରିଥିବା ବାଜପେୟୀ ରାଜନୀତିର ପ୍ରତିଟି ଉତ୍କୃଷ୍ଟ ବିଭବକୁ ଛୁଇଁ ପାରିଥିଲେ। ଅଜାତଶତ୍ରୁ ଭାବେ ପରିଚିତ ଥିବା ଅଟଳ ବିହାରୀଙ୍କ ବ୍ୟକ୍ତିତ୍ବ ସର୍ବଦା ଅଟଳ ଓ ଅନନ୍ୟ ଥିଲା। ରାଜନୀତିକୁ ମାନବିକତାର ଦର୍ଶନ ଦ୍ବାରା ପ୍ରଭାବିତ କରିପାରିଥିବା ଏହି ମହାନାୟକଙ୍କ ପ୍ରତି ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନ ରହିଥିଲା। ତାଙ୍କ ଜୀବନର ଦୀର୍ଘ ରାଜନୈତିକ ଅବଧି ଅନେକଙ୍କ ପାଇଁ ଥିଲା ଶିକ୍ଷା ଓ ପ୍ରେରଣାର ଉତ୍ସ। ସକାରାତ୍ମକ ସମାଜ ନିର୍ମାଣ ପାଇଁ ଏକ ସକାରାତ୍ମକ ବ୍ୟକ୍ତିତ୍ବର ପ୍ରୟୋଜନ ଓ ପ୍ରୟୋଗ ତାଙ୍କର ପ୍ରତିଟି ଭାଷଣ ଓ କବିତାରେ ପ୍ରତିଫଳିତ ହେଉଥିଲା। ରାଷ୍ଟ୍ରହିତକୁ ସର୍ବଦା ଅଗ୍ରାଧିକାର ଦେଇଥିବା ବାଜପେୟୀ ତାଙ୍କ ବିରୋଧୀମାନଙ୍କ ପ୍ରଶଂସାର ପାତ୍ରଥିଲେ। ଯେଉଁଠି ରାଷ୍ଟ୍ରହିତ ବା ରାଷ୍ଟ୍ରସ୍ବାର୍ଥର ପ୍ରସଙ୍ଗ ଆସୁଥିଲା, ସେଇଠି ବାଜପେୟୀଙ୍କ ଆଭିମୁଖ୍ୟର ସମ୍ମାନ କରାଯାଉଥିଲା। ସେଥିପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହରାଓ ଜାତିସଂଘର ଜେନେଭା ଅଧିବେଶନରେ କାଶ୍ମୀର ପ୍ରସଙ୍ଗରେ ଭାରତର ପକ୍ଷ ରଖିବାକୁ ବାଜପେୟୀଙ୍କୁ ଅନୁରୋଧ କରିଥିଲେ। ସେଠାରେ ଏକ ବିରୋଧୀ ଦଳର ନେତାଭାବେ ବାଜପେୟୀଙ୍କ ଅଭିଭାଷଣ ଅନେକଙ୍କ ହୃଦୟକୁ ରୋମାଞ୍ଚିତ କରିଥିଲା ଏବଂ ବିଶ୍ବଦରବାରରେ ଭାରତୀୟ ଗଣତନ୍ତ୍ରର ମାନକୁ ବହୁଗୁଣିତ କରିଥିଲା। ଖାଲି ସେତିକି ନୁହେଁ, ବାଜପେୟୀ ପ୍ରଥମକରି ବିଦେଶ ମନ୍ତ୍ରୀ ହେଲାପରେ ତାଙ୍କ କାର୍ଯ୍ୟାଳୟରୁ ପୂର୍ବ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଫଟୋଚିତ୍ରକୁ ହଟାଇ ଦିଆଯାଇଥିଲା। ଏକଥା ଜାଣିବାପରେ ବାଜପେୟୀ କ୍ଷୁବ୍ଧ ହୋଇଥିଲେ ଏବଂ ଅଳ୍ପସମୟ ମଧ୍ୟରେ ପୁନର୍ବାର ସେ ଫଟୋଚିତ୍ରକୁ ସେଠାରେ ଲଗାଇ ଦିଆଯାଇଥିଲା।
ବାଜପେୟୀଙ୍କ ରାଜନୀତି ପ୍ରକୃତରେ ରାଷ୍ଟ୍ରନୀତିର ଆଧାର ଉପରେ ପର୍ଯ୍ୟବସିତ ଥିଲା ଏବଂ ତାଙ୍କର ରାଷ୍ଟ୍ରନୀତି ସର୍ବଦା ଏକ ସକାରାତ୍ମକ ରାଷ୍ଟ୍ରଚରିତ୍ର ଓ ରାଷ୍ଟ୍ରଚେତନାର ନିର୍ମାଣ ଦିଗରେ ପ୍ରଯତ୍ନଶୀଳ ଥିଲା। ଜଣେ ରାଜନେତା ଭାବେ ବାଜପେୟୀ ମାନବପ୍ରେମୀ, ସଂସ୍କୃତିପ୍ରେମୀ ଓ ରାଷ୍ଟ୍ରପ୍ରେମୀ ଥିଲେ। ତାଙ୍କର ରାଜନୀତିରେ କେବେ କ୍ଷୁଦ୍ର ସ୍ବାର୍ଥ ନଥିଲା, କେବେ କ୍ଷମତା ପାଇଁ ପ୍ରଲୋଭନ ନଥିଲା, କେବେ ସତ୍ତାର ଲାଳସା ନଥିଲା; କେବଳ ଥିଲା ଉନ୍ନତ ରାଷ୍ଟ୍ରନିର୍ମାଣ ପାଇଁ ଏକ ଉନ୍ନତ ଚରିତ୍ର ଓ ଦୃଷ୍ଟିଭଙ୍ଗୀ। ସଂସଦରେ ଏକ ଅଭିଭାଷଣରେ ସେ କହିଥିଲେ, ‘ଅସତ୍‌ ଉପାୟରେ ସତ୍ତା ହାସଲ କରିବା ମୋର ପସନ୍ଦ ନୁହେଁ। ରାଜନୈତିକ ଦଳମାନେ ଆସିବେ ଆଉ ଯିବେ। ବିଭିନ୍ନ ସରକାର ଗଠନ ହେବ, ଆଉ ପତନ ବି ହେବ, କିନ୍ତୁ ଏ ଦେଶ ସବୁଠାରୁ ବଡ଼। ଏ ଦେଶ ରହିବା ଦରକାର ଏବଂ ଏ ଦେଶର ସ୍ବାର୍ଥକୁ ସର୍ବଦା ଅଗ୍ରାଧିକାର ଦିଆଯିବା ଦରକାର।’ ବାଜପେୟୀଙ୍କ ପ୍ରଖର କବିତାରୁ ତାଙ୍କ ବ୍ୟକ୍ତିତ୍ବର ଉଚ୍ଚତା ସ୍ପଷ୍ଟ ବାରି ହୋଇପଡ଼େ। କେତେବେଳେ ସେ ହାରିନଯାଇ କାଳର କପାଳରେ ନିଜ କଥା ଲେଖି ଲିଭେଇ ନୂତନ ଗୀତ ଗାଆନ୍ତି, ତ ଆଉ କେତେବେଳେ ବିଜୟ ଓ ପରାଜୟରେ ଭୟଭୀତ ନହୋଇ ବଡ଼ମନ ନେଇ ବଡ଼ ହେବାକୁ ସ୍ବପ୍ନ ଦେଖନ୍ତି। ଏକ ରାଜନେତା ଭିତରେ କବିର ଭାବନା ଓ ସମ୍ବେଦନା ତାଙ୍କୁ କୋଟିହୃଦୟ ସମ୍ରାଟ କରିପାରିଥିଲା। ତାଙ୍କର ପ୍ରତ୍ୟେକ କବିତାରେ ଲୁଚି ରହିଥିଲା ଜୀବନର ମୂଲ୍ୟବୋଧ, ସଂଘର୍ଷର ଦର୍ଶନ ଏବଂ ପ୍ରକୃତ ସଫଳତାର ରହସ୍ୟ। ଜଣେ କବି ହିସାବରେ ସେ ଏକ ଉନ୍ନତ ମାନବୀୟ ଚରିତ୍ରର ନିର୍ମାଣ ପାଇଁ ଆହ୍ବାନ ଦେଇଥିଲେ। କାଳେ କାହାକୁ ନିଜ ହୃଦୟରେ ସ୍ଥାନ ଦେବାକୁ ଅସୁବିଧା ହେବବୋଲି ନିଜର ଉଚ୍ଚତାକୁ ସୀମିତ କରିବା ପାଇଁ ଏକ କବିତାରେ ଭଗବାନଙ୍କୁ ଅନୁରୋଧ କରିଥିଲେ ଏହି କବି। ଏଭଳି ରାଷ୍ଟ୍ରପୁରୁଷ ଆଜି ବିରଳ। ଥରେ ତାଙ୍କର ଏକ ଭାଷଣରେ ସେ କହିଥିଲେ ଯେ ଗଣତନ୍ତ୍ରରେ ବିରୋଧୀ ରହିବା ଆବଶ୍ୟକ, କିନ୍ତୁ ଶତ୍ରୁ ନୁହେଁ। ରାଜନୀତିରେ କେହି କାହାର ଶତ୍ରୁ ନହେବା ଦରକାର। ବିରୋଧ ପ୍ରଦର୍ଶନ ପାଇଁ ଘୃଣାର ଆବଶ୍ୟକତା ନାହିଁ। ଗଣତନ୍ତ୍ରରେ ଘୃଣାର ସ୍ଥାନ ନାହିଁ। ଗଣତାନ୍ତ୍ରିକ ମୂଲ୍ୟବୋଧ ରାଷ୍ଟ୍ରନିର୍ମାଣର କାର୍ଯ୍ୟରେ ଆସିଲେ ତାହା ଗଣତନ୍ତ୍ରର ମହନୀୟତାକୁ ପ୍ରମାଣିତ କରେ। ଜନଚରିତ୍ର ଗଣତାନ୍ତ୍ରିକ ମୂଲ୍ୟବୋଧସମ୍ପନ୍ନ ​‌େ​ହ‌ଲେ ତାହା ରାଷ୍ଟ୍ରହିତ ପାଇଁ ଶୁଭଙ୍କର।
ରାଷ୍ଟ୍ର ସ୍ବାର୍ଥକୁ ନେଇ ସେ ନିର୍ଭୀକ ଥିଲେ। ପରମାଣୁ ପରୀକ୍ଷଣ ପରେ ଆମେରିକାର ଚାପରେ ସେ ତିଳେମାତ୍ର ବିଚଳିତ ହୋଇନଥିଲେ। କାର୍‌ଗିଲ ଯୁଦ୍ଧସମୟରେ ମଧ୍ୟ ତାଙ୍କ ଚରିତ୍ରର ଅଦମ୍ୟତା ଅଟଳ ରହିଥିଲା। ଜଣେ ରାଷ୍ଟ୍ରପ୍ରେମୀ ଦାର୍ଶନିକ ଭାବେ ସେ ହିନ୍ଦୁତ୍ବର ବ୍ୟାଖ୍ୟାକୁ ଏକ ବିଶାଳ ପରିସର ପ୍ରଦାନ କରିଥିଲେ। ତାଙ୍କ ମତରେ ହିନ୍ଦୁ ଏକ ସୀମିତ ଶବ୍ଦ ନୁହେଁ; ହିନ୍ଦୁର ଚରିତ୍ର ଉନ୍ନତ, ଅସୀମ, ଉଦାର, ବ୍ୟାପକ ଓ ବିଶାଳ। ତାଙ୍କ ଶାସନ କାଳରେ ସେ ଗମନାଗମନ ଓ ସଂଚାର କ୍ରାନ୍ତି ଉପରେ ବିଶେଷ ଗୁୁରୁତ୍ବ ଦେଇଥିଲେ। ଜୟ ବିଜ୍ଞାନର ନାରା ଦେଇ ସେ ଭାରତବାସୀଙ୍କ ଚେତନାକୁ ବିଜ୍ଞାନମୁଖୀ କରିବାକୁ ପ୍ରଚେଷ୍ଟା କରିଥିଲେ। ଆଜି ବାଜପେୟୀ ନାହାନ୍ତି ସତ, କିନ୍ତୁ ତାଙ୍କ ଆଦର୍ଶର ଆକର୍ଷଣ ସର୍ବଦା ରହିଛି, ଆଉ ରହିଥିବ ମଧ୍ୟ। ତାଙ୍କ ପରି ଅଟଳ ଚରିତ୍ରର ପୁନଃ ନିର୍ମାଣ ଅସମ୍ଭବ ହେଲେ ମଧ୍ୟ ଭାରତୀୟ ରାଜନୀତିରେ ତାଙ୍କ ଚରିତ୍ରର ପ୍ରଭାବ ସବୁବେଳେ ସମସ୍ତଙ୍କୁ ରାଷ୍ଟ୍ରନିର୍ମାଣ ପାଇଁ ପ୍ରେରିତ କରୁଥିବ।
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ, କଟକ
[email protected]

Comments
Loading...