ବିଧାନ ପରିଷଦ: ଏକ ଅଲୋଡ଼ା ଅନୁଷ୍ଠାନ

0

ସନ୍ତୋଷ ଦାସ

ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇ ଯେତେବେଳେ ପ୍ରଶାସନକୁ ସଂକୁଚିତ କରାଯାଉଛି, ସେତେବେଳେ ବିଧାନ ପରିଷଦ ଗଠନ କରାଯାଇ ଆଇନ ପ୍ରଣୟନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି। ନିଯୁକ୍ତି ବନ୍ଦ, ପଦ ଉଚ୍ଛେଦ, ସ୍ଥାୟୀ ସ୍ଥାନରେ ଠିକା ନିଯୁକ୍ତି ଆଦି ପ୍ରାଶାସନିକ ସଂକୋଚନର ମାଧ୍ୟମ ପାଲଟି ଥିବାବେଳେ ବିଧାୟକମାନଙ୍କର ସମଧରଣର ସୁବିଧାସୁଯୋଗଭୋଗୀ ୪୯ ଜଣ ବିଧାନ ପରିଷଦ ସଦସ୍ୟ ସୃଷ୍ଟି ହେବାକୁ ଯାଉଛନ୍ତି। ଆକଳନ କରାଯାଇଛି ଯେ ପ୍ରାଥମିକ ପର୍ଯ୍ୟାୟରେ ଏହି ବିଧାନ ପରିଷଦ ପାଇଁ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ବିଧାନ ପରିଷଦ ସଦସ୍ୟମାନଙ୍କ ସମସ୍ତ ସୁବିଧା ସୁଯୋଗ ଓ ଏହି ଅନୁଷ୍ଠାନର କାର୍ଯ୍ୟକାରିତା ବାବଦ ସମ୍ଭାବ୍ୟ ବ୍ୟୟକୁ ଠିକ୍ ଭାବେ ଆକଳନ କରାଗଲେ ଏହି ପରିମାଣ ବାସ୍ତବରେ ଆହୁରି ଅଧିକ ହେବ। ଓଡିଶାର ଟିକସଦାତାମାନେ ହିଁ ଏହି ଅତିରିକ୍ତ ବୋଝ ବହନ କରିବେ।
ପରିବହନ ମନ୍ତ୍ରୀ ନୃସିଂହଚରଣ ସାହୁଙ୍କ ଅଧ୍ୟକ୍ଷତାରେ ବିଧାୟକମାନଙ୍କୁ ନେଇ ଗଠିତ ପର୍ଯ୍ୟବେକ୍ଷକ କମିଟି ଚାରୋଟି ରାଜ୍ୟ (ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲଙ୍ଗାନା)ଗସ୍ତକରି ୨୦୧୮ ଅଗଷ୍ଟ ୩ରେ ସେମାନଙ୍କ ସୁପାରିସଭିତ୍ତିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏହି କମିଟିର ସଦସ୍ୟଥିବା କଂଗ୍ରେସ ସଭ୍ୟ ଭୁଜବଳ ମାଝି ଓ ବି.ଜେ.ପି. ସଭ୍ୟ ନୀତୀଶ ଗଙ୍ଗଦେବ କମିଟିରୁ ଓହରି ଯିବାପରେ କମିଟି ଯେଉଁ ତିନିଜଣଙ୍କ ମଧ୍ୟରେ ସଂକୁଚିତ ହୋଇଯାଇଥିଲା ସେମାନେ ହେଲେ ଅଧ୍ୟକ୍ଷ ଶ୍ରୀ ସାହୁ, ପ୍ରମିଳା ମଲ୍ଲିକ ଓ ମନୋହର ଗାନ୍ଧାରୀ। ଏମାନେ ସମସ୍ତେ ହେଲେ ଶାସକ ବିଜୁ ଜନତା ଦଳର ବିଧାୟକ। ସମ୍ବାଦପତ୍ରରେ ପ୍ରକାଶିତ ଖବର ହେଲା, ବିଧାନସଭାର ଆଗାମୀ ବର୍ଷାକାଳୀନ ଅଧିବେଶନରେ ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ପ୍ରସ୍ତାବ ଆଗତ କରାଯିବ। ବିଧାନସଭାରେ ପ୍ରସ୍ତାବ ପାରିତ ହେବାପରେ ସଂସଦରେ ବିଧେୟକ ଆଗତ ହୋଇ ତାହା ଗୃହୀତ ହେବ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ ପରେ ବିଧାନ ପରିଷଦ ଗଠିତ ହେବ।
ଆମ ଦେଶର ମୋଟ ୨୯ଟି ରାଜ୍ୟ ମଧ୍ୟରୁ ସାତୋଟି ରାଜ୍ୟରେ ବିଧାନ ପରିଷଦ ରହିଛି। ଏହି ସାତୋଟି ରାଜ୍ୟ ହେଲା- ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଜାମ୍ମୁ-କାଶ୍ମୀର। ଆସାମରେ ବିଧାନ ପରିଷଦ ଗଠନ ପାଇଁ ୨୦୧୩ରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ସମ୍ବିଧାନର ଧାରା-୧୬୯(୧) ବଳରେ କୌଣସି ଏକ ରାଜ୍ୟର ବିଧାନସଭାରେ ମୋଟ ସଦସ୍ୟଙ୍କ ମଧ୍ୟରୁ ଅନ୍ୟୂନ ଦୁଇ-ତୃତୀୟାଂଶ ସଭ୍ୟ ଉପସ୍ଥିତ ରହି ସଂଖ୍ୟାଗରିଷ୍ଠ ମତରେ ସେହି ରାଜ୍ୟରେ ବିଧାନ ପରିଷଦ ନଥିଲେ ତାହା ଗଠନ କରିବା ପାଇଁ କିମ୍ବା ବିଧାନ ପରିଷଦ ଥିଲେ ତାକୁ ଭାଙ୍ଗିବା ପାଇଁ ପ୍ରସ୍ତାବ ଗ୍ରହଣ କରିବାପରେ ସଂସଦରେ ଏ ସଂକ୍ରାନ୍ତରେ ବିଧେୟକ ଆଗତ କରାଯାଇଥାଏ। ସଂସଦରେ ବିଧେୟକ ଗୃହୀତ ହେବାପରେ ତାହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକଲେ ବିଧାନ ପରିଷଦ ଗଠନ କିମ୍ବା ଭଙ୍ଗ ହୋଇଥାଏ।
ସମ୍ବିଧାନର ୧୭୧(୧) ଧାରାରେ ଏହି ବିଧାନ ପରିଷଦର ସଦସ୍ୟ ସଂଖ୍ୟାର ସର୍ବୋଚ୍ଚ ଓ ସର୍ବନିମ୍ନ ସୀମା ନିର୍ଦ୍ଧାରଣ କରାଯାଇଛି। ଯେଉଁ ରାଜ୍ୟରେ ବିଧାନ ପରିଷଦ ଗଠନ କରାଯିବ, ତା’ର ସଦସ୍ୟ ସଂଖ୍ୟା ବିଧାନସଭା ସଦସ୍ୟ ସଂଖ୍ୟାର ଏକ-ତୃତୀୟାଂଶରୁ ଅଧିକ ହେବନାହିଁ ଓ ସର୍ବନିମ୍ନ ସଦସ୍ୟ ସଂଖ୍ୟା ୪୦ରୁ କମ ହେବନାହିଁ ବୋଲି ଧାର୍ଯ୍ୟ କରାଯାଇଛି। ଏ କ୍ଷେତ୍ରରେ କେବଳ ବ୍ୟତିକ୍ରମ ହେଉଛି ଜାମ୍ମୁ-କାଶ୍ମୀର, ଯାହାର ବିଧାନ ପରିଷଦ ସଦସ୍ୟ ସଂଖ୍ୟା ହେଉଛି ୩୬। ସଂସଦରେ ଆଇନ ପ୍ରଣୟନ ଜରିଆରେ ତାହା କରାଯାଇଛି। ଏହି ସଦସ୍ୟ ସଂଖ୍ୟା କେତେ ହେବ ତାହା ନିର୍ଦିଷ୍ଟଭାବେ ନିର୍ଦ୍ଧାରଣ କରିବାର ଦାୟିତ୍ୱ ସମ୍ବିଧାନର ୧୭୧(୨) ଧାରା ଅନୁଯାୟୀ ସଂସଦ ଉପରେ ନ୍ୟସ୍ତ କରାଯାଇଛି।
ବିଧାନ ପରିଷଦ ହେଉଛି ରାଜ୍ୟସଭା ପରି ଏକ ସ୍ଥାୟୀ ସଦନ ବା ସ୍ଥାୟୀ କକ୍ଷ। ସଦସ୍ୟମାନଙ୍କ ସଦସ୍ୟତାର ମିଆଦ ଛଅବର୍ଷ ପର୍ଯ୍ୟନ୍ତ ପରିବ୍ୟାପ୍ତ, ପ୍ରତି ଦୁଇବର୍ଷରେ ଏକ-ତୃତୀୟାଂଶ ସଦସ୍ୟ ଅବସର ନେବେ ଓ ସେ ସ୍ଥାନରେ ନୂଆ ସଦସ୍ୟ ନିର୍ବାଚିତ ହେବେ। ରାଜ୍ୟସଭା ନିର୍ବାଚନ ପରି ଏହାର ନିର୍ବାଚନ ମଧ୍ୟ “ଏକକ ବିନିମୟ ଭୋଟ ଜରିଆରେ ଆନୁପାତିକ ପ୍ରତିନିଧିତ୍ୱ” (Propertional Representation by Single Transferable Vote) ପଦ୍ଧତିରେ କରାଯାଇଥାଏ।
ଓଡିଶାରେ ବିଧାନ ପରିଷଦ ଗଠିତ ହେଲେ ଏହାର ସଦସ୍ୟ ସଂଖ୍ୟା ସର୍ବାଧିକ ୪୯ରହିବ। ସମ୍ବିଧାନର ୧୭୧(୩) ଧାରା ଅନୁଯାୟୀ ଏହା ମଧ୍ୟରୁ ଛଅ ଭାଗରୁ ପାଞ୍ଚ ଭାଗ ସଦସ୍ୟ ପରୋକ୍ଷଭାବେ ନିର୍ବାଚିତ ହେବେ ଓ ବାକି ଏକ ଭାଗ ସଦସ୍ୟ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବେ। ଯେତିକି ସଂଖ୍ୟକ ସଦସ୍ୟ ନିର୍ବାଚିତ ହେବେ, ସେମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶ ବିଧାନସଭା ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ। ସେହିପରି ଏକ-ତୃତୀୟାଂଶ ପୌର ସଂସ୍ଥା ଓ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ନିର୍ବାଚିତ ହେବେ। ବାର ଭାଗରୁ ଭାଗେ ସଦସ୍ୟ ମାଧ୍ୟମିକ ଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରର ଶିକ୍ଷକମାନଙ୍କ ଦ୍ୱାରା ନିର୍ବାଚିତ ହେବେ। ପୁଣି ବାର ଭାଗରୁ ଭାଗେ ସଦସ୍ୟ ନିର୍ବାଚିତ ହେବେ ଗ୍ରାଜୁଏଟ୍ ନିର୍ବାଚନ ମଣ୍ଡଳୀରୁ।
ଏଠାରେ ପ୍ରଶ୍ନଉଠେ, ଭାରତୀୟ ସମ୍ବିଧାନ ସଂସଦକୁ ଦୁଇସଦନ ବିଶିଷ୍ଟ କରିଥିବାବେଳେ ରାଜ୍ୟ ସ୍ତରରେ ଆଇନ ପ୍ରଣୟନ ସଭା ଏକ ସଦନ ବିଶିଷ୍ଟ କିମ୍ବା ଦୁଇ ସଦନ ବିଶିଷ୍ଟ ହେବ, ତାହା ସ୍ଥିର କରିବାର ଦାୟିତ୍ୱ କାହିଁକି ରାଜ୍ୟ ବିଧାନସଭା ଉପରେ ଛାଡି ଦେଇଛି? ଏହି ପ୍ରସଙ୍ଗ ଉପରେ ମଧ୍ୟ ସମ୍ବିଧାନ ପ୍ରଣୟନ ସଭାରେ ବିତର୍କ ହୋଇଥିଲା। ରାଜ୍ୟଗୁଡିକର ଆର୍ଥିକ ଅବସ୍ଥା, ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଇ ବିଧାନ ପରିଷଦକୁ ଅପରିହାର୍ଯ୍ୟ ବ୍ୟବସ୍ଥାର ମାନ୍ୟତା ଦିଆନଯାଇ ରାଜ୍ୟ ବିଧାନସଭାର ଇଚ୍ଛା ଉପରେ ଛାଡି ଦିଆଯାଇଛି। ସେହି କାରଣରୁ ରାଜ୍ୟସଭାକୁ ସମ୍ବିଧାନରେ ଯେଉଁ କ୍ଷମତା ପ୍ରଦାନ କରାଯାଇଛି, ବିଧାନ ପରିଷଦକୁ ସେହି କ୍ଷମତା ପ୍ରଦାନ କରାଯାଇନାହିଁ। ଯଦି ଲୋକସଭା ଓ ରାଜ୍ୟସଭା ମଧ୍ୟରେ କୌଣସି ବିଧେୟକକୁ ନେଇ ବିବାଦ ସୃଷ୍ଟିହୁଏ ତେବେ ଉଭୟ ସଦନର ମିଳିତ ଅଧିବେଶନ ଡକାଯାଇ ବହୁମତରେ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି। ମାତ୍ର ବିଧାନସଭା ଓ ବିଧାନ ପରିଷଦ ମଧ୍ୟରେ ଯଦି ଏପରି ବିବାଦ ସୃଷ୍ଟି ହୁଏ, ତେବେ ସମ୍ବିଧାନ ଅନୁଯାୟୀ ବିଧାନସଭାର ନିଷ୍ପତ୍ତି ହିଁ ଚୂଡାନ୍ତ। ପୁଣି ସରକାର ବା କାର୍ଯ୍ୟନିର୍ବାହୀ ବିଧାନସଭା ପାଖରେ ଉତ୍ତରଦାୟୀ ଥିଲାବେଳେ ବିଧାନ ପରିଷଦ ପାଖରେ ସେପରି ଉତ୍ତରଦାୟୀ ନୁହନ୍ତି। ବିଧାନ ପରିଷଦର କାମ କେବଳ ତର୍କ, ବିତର୍କ ଓ ପରାମର୍ଶ ପ୍ରଦାନରେ ସୀମିତ। ଏଠାରେ ପ୍ରଶ୍ନଉଠେ, ଏପରି ଏକ ଗୁରୁତ୍ୱହୀନ ସଦନ ପ୍ରତିଷ୍ଠା ପାଇଁ ନବୀନ ପଟ୍ଟନାୟକ ସରକାର ଏତେ ବ୍ୟଗ୍ର କାହିଁକି?
ଅନ୍ୟ ଏକ ପ୍ରଶ୍ନ ହେଲା, ବିଧାନ ପରିଷଦ ଗଠନ ଦ୍ୱାରା ଗଣତନ୍ତ୍ରର ସଂପ୍ରସାରଣ ଘଟିବ କି? ଯେତେବେଳେ ନିୟମ ମୁତାବକ ବିଧାନସଭା ବୈଠକ ବର୍ଷକୁ ୬୦ ଦିନ ବସୁନାହିଁ, ସେତେବେଳେ ବିଧାନ ପରିଷଦ ପରି ଏକ ଗୁରୁତ୍ୱହୀନ ସଦନ ଦ୍ୱାରା ଗଣତନ୍ତ୍ର ଦୃଢ଼ୀଭୂତ କିମ୍ବା ସଂପ୍ରସାରିତ ହେବାର କୌଣସି ସମ୍ଭାବନା ନାହିଁ। ଏହି ଅନୁଷ୍ଠାନଟି କେବଳ ଶାସକ ଦଳର କିଛି ନେତାଙ୍କ ଥଇଥାନ ପାଇଁ ସୃଷ୍ଟି କରାଯାଉଛି ବୋଲି କହିଲେ ଆଦୌ ଭୁଲ ହେବନାହିଁ।
ଓଡିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ସୁୁପାରିସ ପାଇଁ ଯେଉଁ ପର୍ଯ୍ୟବେକ୍ଷକ କମିଟି ଗଠନ କରାଯାଇଥିଲା ସେଥିରୁ ବି.ଜେ.ପି. ଓ କଂଗ୍ରେସର ସଦସ୍ୟମାନେ ଓହରି ଯାଇଥିଲେ। ମାତ୍ର ଏହି ଦୁଇ ଦଳ ନୀତିଗତଭାବେ ବିଧାନ ପରିଷଦର ବିରୋଧୀ ନୁହନ୍ତି। ସେମାନେ ଯଦି ବିରୋଧୀ ହୋଇଥାଆନ୍ତେ ତେବେ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ ବିହାରରେ ବିଧାନ ପରିଷଦ କେବେଠୁ ଅସ୍ତିତ୍ୱ ହରାଇ ସାରନ୍ତାଣି। ଏହି ଦୁଇ ଦଳ ଦ୍ୱାରା ପ୍ରତିିଷ୍ଠିତ ରାଜ୍ୟ ସରକାରମାନେ ତାକୁ ଉଚ୍ଛେଦ କରିପାରିଥାଆନ୍ତେ। ଯାହା ଦେଖିବାକୁ ମିଳିଛି, ୧୯୬୯ରେ ପଶ୍ଚିମବଙ୍ଗରେ ଯୁକ୍ତ ଫ୍ରଣ୍ଟ (ବାମପନ୍ଥୀ ଓ ବାଂଲା କଂଗ୍ରେସ ମେଣ୍ଟ) ସରକାର ଓ ପଂଜାବର ଅକାଳୀ ଦଳ ସରକାର ବିଧାନ ପରିଷଦ ଉଚ୍ଛେଦ କରିଥିଲେ। ୧୯୮୫ରେ ଆନ୍ଧ୍ରପ୍ରଦେଶର ତେଲଗୁ ଦେଶମ ସରକାର ଓ ୧୯୮୬ରେ ତାମିଲନାଡୁର ଆନ୍ନାଡି.ଏମ.କେ. ସରକାର ବିଧାନ ପରିଷଦ ଉଚ୍ଛେଦ କରିଥିଲେ। ପରବର୍ତ୍ତୀ ସମୟରେ ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ଦଳ କ୍ଷମତାସୀନ ହେବାପରେ ପୁନର୍ବାର ୨୦୦୭ରେ ବିଧାନ ପରିଷଦ ଗଠନ କରାଯାଇଛି। ଓଡିଶାରେ ତତ୍କାଳୀନ କଂଗ୍ରେସ ବିଧାୟକ (ପରବର୍ତ୍ତୀ ସମୟରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି) ପ୍ରସାଦ ହରିଚନ୍ଦନ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ଏକ ବେସରକାରୀ ବିଲ୍ ଆଗତ କରିଥିଲେ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୧୯୧୧ ଡିସେମ୍ବର ୧୨ରେ ବିହାର-ଓଡିଶା ପ୍ରଦେଶ ଗଠନ ହେବାପରେ ୧୯୧୨ରେ ୪୩ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦ ଗଠନ କରାଯାଇଥିଲା। ୧୯୧୯ରେ ପ୍ରଣୀତ ଭାରତ ଶାସନ ଆଇନ ଅନୁଯାୟୀ ବିଧାନସଭା ଗଠନ ସହ ବିଧାନ ପରିଷଦକୁ ବଂଚାଇ ରଖାଯାଇ ଆଇନ ପ୍ରଣୟନ ସଭାକୁ ଦୁଇ ସଦନ ବିଶିଷ୍ଟ କରାଯାଇଥିଲା। ୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପରେ ଓଡିଶାରେ ବିଧାନସଭା ଗଠନ କରାଗଲେ ବି ବିଧାନ ପରିଷଦ ଗଠନ କରାଯାଇନଥିଲା। ଓଡିଶା ମୁକ୍ତ ହୋଇଥିଲା ବିଧାନ ପରିଷଦର ବୋଝରୁ। ଦୀର୍ଘ ୮୨ବର୍ଷ ପରେ ଏହି ଅଲୋଡା ଅନୁଷ୍ଠାନର ବୋଝକୁ ପୁଣି ଓଡିଶାବାସୀଙ୍କ ଉପରେ ଲଦି ଦେବାର ବ୍ୟବସ୍ଥା ନିଆଯାଉଛି।

Leave A Reply