ଗପିବାକୁ ମହାରାଜାଙ୍କ ନିମନ୍ତ୍ରଣ

0

ନିଖିଳାନନ୍ଦ ପାଣିଗ୍ରାହୀ

ଦିନ ଥିଲା ରାଜାଙ୍କ ଡାକରା ଦୂତ ଆସି ଜଣାଇଲେ ପ୍ରଜାଟିର ମନରେ ନାନା ପ୍ରକାର ଆଶା, ଆଶଙ୍କା ଭରି ହୋଇଯାଉଥିଲା। ରାଜା ଧନଦୌଲତ ଦେବେ ନା ବଧ କରିବାକୁ ଶୂଳିରେ ଚଢ଼ାଇଦେବେ, ସେଇ ଭାବନା ଜଣକୁ ଅଥୟ କରୁଥିଲା। ଏବେ ଅବଶ୍ୟ ରାଜାରାଜୁଡ଼ା ଲୋପ ହୋଇଗଲେଣି। ତଥାପି ମହାରାଜା ସ୍ବୟଂବର ସଭାକୁ ଯିବାପରି ରାଜକୀୟ ଠାଣିରେ ନବକଳେବର ନେଇ ସର୍ବସାଧାରଣଙ୍କ ସପକ୍ଷରେ ସଗର୍ବେ ଉଭା। ପୁଣି ଆମକୁ ଅବାଧରେ ଗପିବାକୁ ନିମନ୍ତ୍ରଣ ଦିଆଯାଉଛି। ଏଇ ଗପରେ କୌଣସି ବାଡ଼ବତା ରହୁନାହିଁ। ପାଟିକୁ ଯାହା ଆସିଲା, କହି ଚାଲ। ଏମିତି ଏକ ସୁଯୋଗ କୌଣସି ମହାରାଜା ମଧ୍ୟ ଅତୀତରେ ଶାସନ କରୁଥିବାବେଳେ କାହାରିକୁ ଦେଇ ନଥିବେ ବୋଲି ଆମେ ମୋଟାମୋଟି ନିଶ୍ଚିତ। ମହାରାଜାଙ୍କ ଦରବାରରେ ସିଧା ହୋଇ ଠିଆ ହେବାକୁ ରାଜତନ୍ତ୍ରରେ କେହି ସ୍ବପ୍ନରେ ମଧ୍ୟ ଭାବି ନଥିବେ। ତେବେ ଆମ ସମୟର ଏହି ମହାରାଜା ଗତିଶୀଳ। ଆଜି ଏଠାରେ, ତ କାଲିକି ସେଠାରେ। ଏଠାରେ, ସେଠାରେ ଅର୍ଥାତ୍‌ ଦେଶ ଭିତରେ ଏବଂ ଦେଶ ବାହାରେ। ଏହା ପାଦରେ ଚାଲେ ନାହିଁ। ଉଡ଼ୁଥାଏ ଆକାଶରେ। ଅଧିକ ବେଗରେ; ଅତି ଉଚ୍ଚରେ। ସେତେବେଳେ ତାକୁ ଠାବ କରିବାକୁ ଆଖିପାଏ ନାହିଁ, ଭୂପୃଷ୍ଠରୁ।
ଏହି ‘ମହାରାଜା’ ହେଉଛି ଆମ ଦେଶର ଇଣ୍ଡିଆନ୍‌ ଏୟାରଲାଇନ୍ସ ବିମାନର ନାମ। ରାଜ୍ୟ ହରାଇବା ପରେ ମହାରାଜାଙ୍କ ବିଲୋପ ଭାରତରେ ହେଲେ ସୁଦ୍ଧା ଏହି ଚର୍ଚ୍ଚିତ ମହାରାଜା କମ୍ ଗୌରବ ମଣ୍ଡିତ ନୁହେଁ। ପୁଣି ଏହାର ବହୁ ସଂଖ୍ୟକ ସାଙ୍ଗସାଥି ମଧ୍ୟ ଆମ ଦେଶରେ ଆବିର୍ଭାବ ହେଲେଣି ଏବଂ ସେମାନେ ପୂର୍ବଜର ସେଇ ଆଚରଣ ଅନୁସରଣ କରିବାରେ ସଫଳ ହୋଇଛନ୍ତି। ନିମ୍ନରେ ଆମର ବିଭିନ୍ନ ଯାତ୍ରୀବାହୀ ବିମାନର ଯାତ୍ରୀମାନଙ୍କ ଉପରେ ଅନୁଧ୍ୟାନ କରାଯାଇଛି।
୨୦୧୮ ମସିହାରେ ‘ଏରୋପ୍ଲେନ୍‌ ଏ ଟିକେଟ ସର୍ଭେ’ ୨୩ଟି ଦେଶର ୧୮,୦୦୦ ବିମାନଯାତ୍ରୀଙ୍କ ଉପରେ ଗୋଟିଏ ସର୍ଭେ କରିଥିଲା। ଜଣାଗଲା ଯେ ଥାଇଲ୍ୟାଣ୍ଡ ଓ ଜାପାନ ପରେ ଭାରତୀୟମାନେ ବହୁବାର ବିମାନ ଯାତ୍ରା କରିଥାନ୍ତି। ହାରାହାରି ଭାବେ ପ୍ରତିବର୍ଷ ଏହାର ପରିମାଣ ହେଉଛି ୭.୬। ତେବେ ଭାରତୀୟ ଯାତ୍ରୀଙ୍କ ଆଚାରବ୍ୟବହାର ଶୋଭନୀୟ ନୁହେଁ। ସେମାନେ ଆଗରେ ବସିଥିବା ସହଯାତ୍ରୀଙ୍କୁ ପଛପଟୁ ଠେଲିଥାନ୍ତି। ନିଜର ଛୁଆମାନେ କାନ୍ଦୁଥିଲେ ସେମାନଙ୍କୁ ତୁନି କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରି ନଥାନ୍ତି, ଯଦିଚ ଏହା ଦ୍ବାରା ଅନ୍ୟ ଯାତ୍ରୀମାନଙ୍କ ଶାନ୍ତିଭଙ୍ଗ ହେବା ନିଶ୍ଚିତ। ଏଥିରେ ଅତିଷ୍ଠହୋଇ ଅନ୍ୟମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବିରକ୍ତି ବ୍ୟକ୍ତ କରିଥାଆନ୍ତି। ସିଟକୁ ତଥାପି ଭାରତୀୟମାନେ ଟଣାଟଣି କରି ଏମିତି ଅବସ୍ଥାରେ ରଖି ବସନ୍ତି ଯେ ଆଖପାଖ ସିଟ୍‌ରେ ବସିଥିବା ସହଯାତ୍ରୀଙ୍କ ବହୁ ଅସୁବିଧା ହୁଏ। ସେମାନଙ୍କ କଦର୍ଯ୍ୟ ମନୋଭାବ ଓ ଅଭଦ୍ରାମି ହେଉଛି ‘ଆମେ ପଇସା ଖର୍ଚ୍ଚ କରି ଟିକଟ କିଣିଛୁ; ତେଣୁ ଯଥାସାଧ୍ୟ ବିମାନରେ ଜାଗା ଓ ସିଟ୍‌ ମାଡ଼ି ବସିବା ପାଇଁ ଆମେ ହକ୍‌ଦାର। ନଚେତ୍‌ ଆମେ ବୋକା ବା ଭୟାଳୁ ବୋଲି ବିବେଚିତ ହେବା।’ କେବଳ ସେତିକି ନୁହେଁ, ସମ୍ମୁଖସ୍ଥ ଯାତ୍ରୀକୁ ସିଧା ବସିବାକୁ ସେମାନେ ଅଲାଜୁକ ପରି ପରାମର୍ଶ ଦେବାକୁ ପଛେଇ ନଥାନ୍ତି। ଶତକଡ଼ା ଆଠଭାଗ ଭାରତୀୟ ଯାତ୍ରୀ ବିମାନରେ ଯୌନ ଅନୁଭୂତି ପ୍ରାପ୍ତ ହୋଇଥାନ୍ତି, ଯାହାକି ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ଆମ ଯାତ୍ରୀମାନେ ପାଖପଡ଼ିଶାରେ ଥିବା ସହଯାତ୍ରୀଙ୍କୁ ସିଟ୍‌ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥାନ୍ତି। ଏଥିପାଇଁ ଯେ ସେମାନେ ନିଜ ସାଙ୍ଗସାଥି ବା ବନ୍ଧୁବାନ୍ଧବଙ୍କୁ (ଯଦି ଥାଆନ୍ତି) ନିଜ ନିକଟରେ ବସାଇବେ।
ଟ୍ରାଭେଲ ଏଜେନ୍ସି ‘ଏକ୍ସପିଡ଼ିଆ’ ପ୍ରକାଶ କରିଛି ଯେ ଶତକଡ଼ା ୫୯ଭାଗ ଭାରତୀୟ ଯାତ୍ରୀ ବିମାନରେ ଥିବାବେଳେ ଗପସପରେ ମାତିଥାଆନ୍ତି। ପାଖରେ ଚିହ୍ନା ପରିଚିତ ବ୍ୟକ୍ତି ବସିଥିଲେ ତ ଭଲ; ସେମିତି ନହୋଇଥିଲେ ମଧ୍ୟ ଯେ କୌଣସି ଅପରିଚିତ ଲୋକସହ କଥାଭାଷା ଆରମ୍ଭ କରିଥାନ୍ତି- ପୁଣି ଖୁବ୍‌ ବଡ଼ ପାଟିରେ; ସତେ ଯେମିତି ପଡ଼ୋଶୀ ଜଣକ କାଲା ! ନାନା ପ୍ରକାର ଅବାନ୍ତର ବିଷୟ ଏହି କଥାଭାଷାରେ ସ୍ଥାନ ପାଇଥାଏ। ନୀରବରେ କିଛି ସମୟ ଅତିବାହିତ କରିବା ସତେ ଯେମିତି ଜନ୍ମ-ଜାତକରେ ନାହିଁ।
ପ୍ରକାଶ ଥାଉ କି ଆମ ଦେଶର ବିମାନଯାତ୍ରୀମାନେ ଉଚ୍ଚ ବା ଉଚ୍ଚମଧ୍ୟମ ବର୍ଗ ଅନ୍ତର୍ଭୁକ୍ତ, ଶିକ୍ଷିତ ଓ ଆର୍ଥିକ ଭାବେ ସ୍ବଚ୍ଛଳ। ତଥାପି ସେମାନଙ୍କ ରୁଚି ମାର୍ଜିତ ନହେବା ଆମ ଦେଶ ପାଇଁ ଗୋଟିଏ କଳଙ୍କ। ଏହି ବଦ୍‌ଗୁଣରୁ ଆମକୁ କେବେ ମୁକ୍ତି ମିଳିବ, ତାହା ଆମ କଳ୍ପନାର ବାହାରେ। ବୋଧହୁଏ ଏହା ଆମ ଦେଶର ଆଧୁନିକ ସମାଜରେ ଏକ ଜନ୍ମଗତ ଲକ୍ଷଣ ହୋଇଗଲାଣି। ତେଣୁ ବିଭିନ୍ନ କମ୍ପାନୀ ଆମ ଚାହିଦାକୁ ପରଖି ଏକାଧିକ ସ୍କିମ୍‌ ବଜାରକୁ ଛାଡ଼ୁଛନ୍ତି ଯାହା ବଳରେ ଫୋନ୍‌ରେ ଜଣେ ଯେତେ ସମୟ କଥା ହେଉ ନା କାହିଁକି, ତାକୁ ଥରେ ନିର୍ଦିଷ୍ଟ ପରିମାଣ ପୈଠ କରିଥିଲେ, ଆଉ ଅଧିକା ଖର୍ଚ୍ଚ କରିବା ଦରକାର ନାହିଁ। ଏହି ‘ଅନଲିମିଟେଡ଼ ଟକ୍‌’ (ଅସରନ୍ତି କଥା) ଏତେ ଲୋକପ୍ରିୟ ହେଲାଣି ଯେ ଏଥିରୁ ନିସ୍ତାର ପାଇବା ଆଶା ନାହିଁ। ଆମେ ତ ଯୋଗ, ଧ୍ୟାନକୁ ଅଳିଆ ଗଦାକୁ ଫୋପାଡ଼ି ଦେଲେଣି ଘୃଣାରେ, ମରହଟ୍ଟିଆ ବୋଲି।
ଦିନେ ମହାରାଜାଙ୍କ ସପକ୍ଷରେ ମୁହଁ ଖୋଲିବାକୁ ଆମର ଜୁ’ ନଥିଲା। ବୋଧହୁଏ ଏହାର ପ୍ରତିଶୋଧ ନେବାକୁ ଆମେ ‘ମହାରାଜା’ ନାକକୁ ଆଙ୍ଗୁଠି ଦେଖାଇ ଏମିତି ବକର୍‌ବକର୍‌ ହେଉଛେ। ଏହି ମହାରାଜା ଶ୍ରେଣୀରେ ଅନ୍ତର୍ଭୁକ୍ତ ସବୁ ବ୍ରାଣ୍ଡର ଭାରତୀୟ ବିମାନ।
ବଡ଼ଖେମୁଣ୍ଡି ବଂଗଳା, ବ୍ରହ୍ମପୁର

Leave A Reply