ସେବା ଆଳରେ ଶୋଷଣ

0

ସାମାଜିକ ସ୍ତରରେ ଯେତେବେଳେ ନୈତିକ ସ୍ଖଳନ ଦେଖାଦିଏ, ସେତେବେଳେ ତା’ର ବ୍ୟାପକ ପ୍ରଭାବ ପଡ଼ିଥାଏ; ସମାଜଟା ଉପରକୁ ଭାରି ସୁନ୍ଦର ଦେଖାଯାଉଥିଲେ ବି ଭିତରଟା ରୋଗିଣା ହୋଇସାରିଥାଏ। ଆମ ଦେଶରେ ଯୌନଶୋଷଣର ଘଟନାଗୁଡ଼ିକୁ ଦେଖିଲେ ଠିକ୍ ସେହିଭଳି ଏକ ରୋଗିଣା ସମାଜର ଭୟାନକ କୁରୂପକୁ ଦେଖିବାକୁ ମିଳୁଛି। ନିରାଶ୍ରୟଙ୍କୁ ଆଶ୍ରୟ ଦେବା ନାଁରେ ବି ବର୍ବର ଶ୍ରେଣୀର ଲୋକେ ଯୌନଶୋଷଣ କରିବାକୁ ପଛାଉନାହାନ୍ତି। ନିକଟରେ ବିହାରର ମୁଜାଫରପୁର ଓ ଉତ୍ତରପ୍ରଦେଶର ଦେଓରିଆଠାରେ ଥିବା ବାଳିକା ଆଶ୍ରୟ ଗୃହମାନଙ୍କରେ ଚାଲିଥିବା ଏଭଳି ଅପକର୍ମ ଆଖି ଖୋଲିଦେଲା ଭଳି। ତେବେ ଅତି ଅଲାଜୁକ, ନିର୍ମମ ଓ ମାନସିକ ରୋଗଗ୍ରସ୍ତ ହୋଇସାରିଥିବା ସମାଜରେ ଏହାର କେତେ ପ୍ରଭାବ ପଡ଼ିବ, ତାହା କହିବା ସହଜ ନୁହେଁ। ଏଭଳି କହିବାର କାରଣ, ବିଗତ କେଇବର୍ଷ ଧରି ଯୌନଶୋଷଣ ଓ ବଳାତ୍କାରକୁ ନେଇ ବିଭିନ୍ନ ସ୍ତରରେ ଯେତେ ସଚେତନ କରାଗଲେ ବି ତା’ର କାଣିଚାଏ ବି ସୁଫଳ ମିଳିଥିବା ଦେଖାଯାଉନାହିଁ; ବରଂ ଦିନକୁଦିନ ଅଧିକ ବର୍ବର ଘଟନାମାନ ଲୋକଲୋଚନକୁ ଆସୁଛି।
ମୁଜାଫରପୁର ଓ ଦେଓରିଆ ଘଟନାର ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଗୁଡ଼ିକ ସରକାରୀ ପାଣ୍ଠିରେ ସ୍ବେଚ୍ଛାସେବୀ ସଂଗଠନ (ଏନଜିଓ) ଦ୍ବାରା ଚାଲୁଥିବା ଆଶ୍ରୟ ଗୃହ, ଯେଉଁଠି କିଶୋରୀ ଓ ଯୁବତୀମାନଙ୍କୁ ବିଭିନ୍ନ ଉପାୟରେ ଯୌନଶୋଷଣ କରାଯିବା ସହ କ୍ରୀତଦାସ ଭଳି ବ୍ୟବହାର କରାଯାଉଥିଲା। କେବଳ ସେତିକି ନୁହେଁ, ଦେଓରିଆ ଆଶ୍ରୟ ଗୃହର ଅନ୍ତେବାସିନୀ କିଶୋରୀ ଓ ଯୁବତୀମାନଙ୍କୁ ଦେହବ୍ୟବସାୟରେ ନିୟୋଜିତ କରାଯାଉଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ସେମାନଙ୍କୁ ବାହାରକୁ କାର୍‌ଯୋଗେ ବଡ଼ବଡ଼ିଆଙ୍କ ଘରକୁ ପଠାଯାଉଥିବା କୁହାଯାଇଛି। ତେଣୁ ଏହି ଘଟନା ମଧ୍ୟ ସମାଜର ଧୋବଧାଉଳିଆ ଲୋକଙ୍କ କୁତ୍ସିତ ମାନସିକତାର ଏକ କୁପରିଣାମ, ତାହା କହିବା ବାହୁଲ୍ୟ।
ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ମୁଜାଫରପୁର ମାମଲାକୁ ଆପେ ବିଚାରକୁ ନେଇ ବିହାର ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ରାଜ୍ୟ ସରକାର ୨୦୦୪ରୁ ସମସ୍ତ ଆଶ୍ରୟ ଗୃହକୁ ଅନୁଦାନ ପ୍ରଦାନ କରୁଛନ୍ତି, କିନ୍ତୁ ସେଗୁଡ଼ିକ କିଭଳି ଚାଲୁଛି ଓ ସେଠାରେ କିକି କାର୍ଯ୍ୟ ହେଉଛି, ତା’ର ନିରୀକ୍ଷଣ କରିବାକୁ ଉଚିତ ମନେ କରିନାହାନ୍ତି। ଏଭଳି ଗତିବିଧି ରାଜ୍ୟପ୍ରାୟୋଜିତ ମନେହେଉଛି; ଯାହା ଚିନ୍ତାର ବିଷୟ ବୋଲି ନ୍ୟାୟାଳୟ କହିଛନ୍ତି। ସୋମବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଥିଲେ ଓ ଏଥିପାଇଁ ବିରୋଧୀ ଦଳଙ୍କ କଥାରେ ସେ ତାଙ୍କର ସାମାଜିକ କଲ୍ୟାଣ ମନ୍ତ୍ରୀଙ୍କୁ ପଦଚ୍ୟୁତ କରିପାରିବେ ନାହିଁ ବୋଲି ରୋକ୍‌ଠୋକ୍ ଜଣାଇଥିଲେ। ତେବେ ଆମ ନେତୃତ୍ବ ଯଦି ମୂଳରୁ ହିଁ ଅନୈତିକ, ଏଭଳି ଘଟନା ପାଇଁ ‘ନୈତିକତା’ ଦୃଷ୍ଟିରୁ ଇସ୍ତଫା ଦେବାର ପ୍ରଶ୍ନ ଅବାନ୍ତର ମନେହୁଏ। ଲାଗୁଛି, ନୈତିକତା ଏବେ ଆମ ନେତାଙ୍କ ପାଇଁ ଅନାବଶ୍ୟକ ହୋଇସାରିଛି।
ସେ ଯାହାହେଉ, ନ୍ୟାୟାଳୟ ଏହି ଅବସରରେ ସମଗ୍ର ଦେଶରେ ହେଉଥିବା ବଳାତ୍କାର ପାଇଁ ମଧ୍ୟ ଘୋର ଚିନ୍ତା ପ୍ରକଟ କରିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟକୁ ଆଧାର କରି କହିଛନ୍ତି ଯେ ଦେଶରେ ପ୍ରତି ଛଅ ଘଣ୍ଟାରେ ଜଣକୁ ବଳାତ୍କାର କରାଯାଉଛି। କେବଳ ୨୦୧୬ ମସିହା‌େ​‌ର ୩୮,୯୪୭ ଜଣ ମହିଳାଙ୍କୁ ବଳାତ୍କାର କରାଯାଇଛି। ‘ବାମ, ଦକ୍ଷିଣ, କେନ୍ଦ୍ର ସବୁଠି ବଳାତ୍କାର’ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଏ କ୍ଷେତ୍ରରେ ସବୁଠୁ ବଡ଼ ସମସ୍ୟା ହେଲା ଘଟନା ଜଣାପଡ଼ିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଚରମ ଉଦାସୀନତା। ଗତ ଏପ୍ରିଲ ମାସଠାରୁ ମୁମ୍ବଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ ପକ୍ଷରୁ ଏକ ସର୍ବେକ୍ଷଣବେଳେ ଏହି ଯୌନଶୋଷଣ ଓ ବଳାତ୍କାର ଅଭିଯୋଗ ବିଷୟରେ ରିପୋର୍ଟ ଦିଆଯାଇଥିଲା; କିନ୍ତୁ ସରକାରୀ ସ୍ତରରେ ତାକୁ ଆଦୌ ଗୁରୁତ୍ବ ଦିଆଯାଇନଥିଲା। ଉକ୍ତ ଆଶ୍ରୟ ଗୃହର ମାଲିକ ଓ ପରିଚାଳକର ରାଜନେତାଙ୍କ ସହ ସୁସମ୍ବନ୍ଧ ଥିବାରୁ ଘଟନାକୁ ଚାପିଦିଆଯାଇଥିବା ଏବେ ଜଣାପଡ଼ୁଛି। ତେଣୁ ସମାଜରେ ଅନୈତିକତାକୁ ବ୍ୟାପକ କରିବାରେ ରାଜନୀତି ଯେ ଅନେକ ପରିମାଣରେ ଦାୟୀ, ତାହା ଅନସ୍ବୀକାର୍ଯ୍ୟ।
କେବଳ ବିହାର କି ଉତ୍ତରପ୍ରଦେଶ ନୁହେଁ, ଦେଶର ପ୍ରତ୍ୟେକ ରାଜ୍ୟରେ ଶିଶୁ, ବାଳିକା ଓ ମହିଳାଙ୍କ ପାଇଁ ଖୋଲାଯାଇଥିବା ଆଶ୍ରୟ ଓ ସୁଧାର ଗୃହଗୁଡ଼ିକର ନିୟମିତ ଯାଞ୍ଚ କରାଯିବା ଜରୁରୀ। ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଅପକର୍ମରେ ସଂପୃକ୍ତ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅନାଥଙ୍କୁ ସେବା ଯୋଗାଇଦେବା ନାଁରେ ଏଭଳି ଶୋଷଣ ସମଗ୍ର ମାନବଜାତି ପାଇଁ କଳଙ୍କ।

Comments
Loading...