ଆବଶ୍ୟକ ଓପ୍ରୋଧ ଊଣା

0

ଅବାକ୍‌ ହୋଇଯିବା, ବିସ୍ମୟାଭିଭୂତ ହୋଇଯିବାର କାରଣ ସମ୍ପୃକ୍ତ ଘଟଣା ନୁହଁ, ବିସ୍ମୟ ଓ ଅବାକ୍‌ ହୋଇଯିବା ବ୍ୟକ୍ତିର ମାନସିକ ଶକ୍ତି, ଉପଲବ୍ଧି ଜ୍ଞାନ ବା ବୌଦ୍ଧିକତା ଉପରେ ନିର୍ଭରଶୀଳ। ପ୍ରଥମଥର ପାଇଁ ହାତୀକୁ ଦେଖି ଭୟଭୀତ ବେଙ୍ଗଛୁଆ ଗାତ ଭିତରେ ମା’ ଲେଉଟିଲା ଯାଏ ଛପି ରହିଲେ। ମା’ ଫେରିବା ପରେ ପିଲାମାନଙ୍କୁ ଏ ଭୟର କାରଣ ପଚାରିବାରୁ ସେମାନେ କହିଲେ, ‘‘ମା’! ଏଡ଼େ ପ୍ରକାଣ୍ଡ ଜୀବ ଆମେ କେବେ ବି ଦେଖି ନ ଥିଲୁ, ତା’ର କଳନା, କଳ୍ପନା ଏବେ ମଧ୍ୟ ଆମକୁ ଅସମ୍ଭବ ଲାଗୁଛି।’’ ଏଥିରେ ମା’ ବେଙ୍ଗୁଲୀର ଅହଂ ଆହତ ହେଲା। ପିଲାଙ୍କ ଆଗରେ ତା’ ବଡ଼ପଣିଆ ଲୋପ ପାଇ ଯାଇଥିବା ଅହଂକୁ ସେ ବରଦାସ୍ତ କରି ପାରିଲା ନାହିଁ। ନିଃଶ୍ବାସ ନେଇ ଫୁଲିଗଲା। ପଚାରିଲା ‘‘ଏତିକି ବଡ଼?’’ ପିଲାମାନଙ୍କ ଭୟ ହାସ୍ୟରୋଳରେ ଭାସିଗଲା। ହେଁ ହେଁ ହସିଲେ ସମସ୍ତେ। କହିଲେ, ‘‘ନାଇଁ ଆଉ ବଡ଼।’’ ମା’ ବେଙ୍ଗ ଫୁଲିଫୁଲି ଶେଷକୁ ଢୋ ହୋଇଗଲା। ଛାତି ଫାଟିଗଲା। ଯେତେ ଫୁଲିଲେ ସେ କୋଉ ହାତୀ ହୋଇପାରିବ? ହାତୀକୁ ଦେଖିଲେ ସିଂହ କିଆଁ ଡରନ୍ତା? ବିଲୁଆ ବେଙ୍ଗଙ୍କ ‘ଡର’ ବ୍ୟାପାର ୟେ।

ନିଜକୁ ଦୁନିଆ, କାଳ ସହ କଳି ନ ଥିବା ଲୋକଟେ ପ୍ରତିଦିନ ଦି’ଥର ଚମକେ, ଅବାକ୍‌ ହୁଏ, ବିସ୍ମୟାଭିଭୂତ ହୁଏ। ବିନା ଚାଳକରେ, ପୁଷ୍ପକ ବିମାନ କଥା ଯେଉଁମାନେ ହଜାରହଜାର ବର୍ଷ ତଳେ କଳନା କରିଥିଲେ, ଦେଖିଥିଲେ, ପ୍ରତିଦିନ ଧକ୍‌କା ଖାଇ ଆରୋହୀଙ୍କୁ ମାରିବା, ଧ୍ବଂସ ହେବା ବିମାନ ବା ଯାନ କଥାରେ ବିସ୍ମୟ କିଆଁ ହେବେ? ସ୍ବୀୟ ଜ୍ଞାନ ଓ ବୌଦ୍ଧିକତା ବିଷୟରେ ସଦାବେଳେ ଅତିରଞ୍ଜିତ ଧାରଣା ଥିବା ଲୋକ ଜୀବନରେ ଖାଲି ତୋବା, କାବା ହେଉଥିବ। ମୂଲ ମଜୁରିଆ ଶଳାକୁ ଗୋଟେ ଲଟେରି ଟିକଟ ଟ୫ଙ୍କାରେ ଜବରଦସ୍ତ କିଣେଇ ଦେଲା ଭିଣୋଇ ଗଗନା। ତା’ର ଖିଲିପାନ ଦୋକାନ ଅଛି। ‘ଶଳା’ ସିନା କିଣିଦେଲା, ମାତ୍ର ଭିଣୋଇକୁ ସବୁଦିନ ପଦେ ଲେଖା ଶୋଧେ ଯେ ତା’ର ପାଞ୍ଚଟଙ୍କା ପାଣିରେ ପକାଇଦେଲା। ସତକୁ ସତ ଲଟେରି ଏଜେଣ୍ଟ ଦିନେ ଗଗନା ପାଖେ ପହଞ୍ଚି ତା’ ଶଳାର ଦଶଲକ୍ଷ ଟଙ୍କା ଲଟେରି ଉଠିଛି ଓ ଏକଥା ସେ ତା’ ଶଳାକୁ ଜଣାଇବାକୁ ଯାଉଛି ବୋଲି କହିଲା। ଗଗନା ତାକୁ ରୋକିଦେଲା। କହିଲା, ‘‘ଆରେ ଦଶଲକ୍ଷ ଟଙ୍କା ଲଟେରି ଉଠିଛି ବୋଲି ତାକୁ କହିଲେ, ଏକୁ ସମ୍ଭାଳିବାକୁ ତା’ର କଲିଜା କାଇଁ? ତା’ର ହାର୍ଟ ଫେଲ (ହୃଦ୍‌ଘାତ) ହୋଇଯିବ। ମୁଁ ଯାଉଛି ତାକୁ ବାଗେଇ କହିବି। ଦଶଲକ୍ଷର ମୁଣ୍ଡ ବା ହୃଦୟ ତା’ର କାଇଁ?’’ ଗଗନା ଶଳା ପାଖେ ପହଞ୍ଚି ‘ଆଉ ଲଟେରି କଥା କ’ଣ’ ପଚାରିଲାରୁ, ଶଳା ପାନେ ଦେଲା। ହସିହସି ଗଗନା କହିଲା ଆରେ ପାଞ୍ଚଟଙ୍କା ପାଇଁ ତୁ ଏମିତି ଘାରିସାରି ହଉଛୁ ଯଦି ସତରେ ତୋର ଦଶଲକ୍ଷ ଟଙ୍କା ଲଟେରି ଉଠିଯିବ, ତୁ କ’ଣ କରିବୁ?’’ କହିଲା, ‘‘ଆରେ ବୃଥା ବକ୍‌ବାଜ କିଆଁ କରୁଛୁ? ଯଦି ମତେ ଦଶଲକ୍ଷ ଟଙ୍କାର ଲଟେରି ମିଳିଲା, ମୁଁ ତତେ ଅଧେ ଦେଇଦେବି, ପ୍ରତିଜ୍ଞା କରୁଛି।’’ ଗଗନା ଆଖି ତରାଟି ହୋଇଗଲା, ପାଟିରୁ ଆଉ କଥା ବାହାରିଲା ନାହିଁ। ସେ ପାଞ୍ଚଲକ୍ଷ ଟଙ୍କାର ମାଲିକ ତା’ହେଲେ ବନିଯାଇଛି! ଏଇ ଭାବରେ ତା’ର ହୃଦ୍‌ଘାତ ସେଇଠି ହୋଇଗଲା। ୟେ ଆସିଥିଲା ଶଳାକୁ ଦଶଲକ୍ଷ ଟଙ୍କାର ହୃଦ ମାଗିବାକୁ। ନିଜେ ପାଞ୍ଚଲକ୍ଷ ଟଙ୍କାକୁ ସମ୍ଭାଳି ପାରିଲାନି।

ଆମେ ସଭିଏ ସେମିତି। ଆରେ ‘‘ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତହିଁର ବେଭାର।’’ ଘରଚଟିଆ କି ଝିଣ୍ଟିକା ଇଗଲ୍‌ର ଆକାଶ ଭେଦା ଉଡ଼ାନକୁ କୋଉ କଳନା କରିପାରିବ? ବିଜ୍ଞ, ପ୍ରଜ୍ଞାଶୀଳମାନେ ସେଇଥିପାଇଁ କୋଉ ବିଷୟରେ ଏମିତି ଚମତ୍କୃତ କି ବିସ୍ମିତ ହୁଅନ୍ତି ନାହିଁ।

ଶାସ୍ତ୍ର ପୁରାଣ, ବେଦବେଦାନ୍ତ ଧର୍ମପୁସ୍ତକମାନ ‘ସଂହିତା’ ତିଆରି କରିଛନ୍ତି। ସେ ଗୋଟାଏ ଗୁଳା କି ରାସ୍ତା। ସେପଟେ ଗଲେ ଲକ୍ଷ୍ୟ ନିର୍ଦିଷ୍ଟ ଓ ଯାତ୍ରା ସୁରକ୍ଷିତ। ମାତ୍ର ଯେ ବାଟ ଭାଙ୍ଗିଲା, ସେ କଣ୍ଟା ଫୋଡ଼ା ପାଇବ, ଲକ୍ଷ୍ୟଭ୍ରଷ୍ଟ ହୋଇଯିବ। ତା’ ପାଇଁ ସୁରକ୍ଷା କବଚ କାଇଁ? ଆଉ ବି କୁହାଯାଇଛି ‘‘ଅଧିଗନ୍ତୁଂସତାବତ୍ମ କୁତ୍ସ୍ନଂଯଦିନଶକ୍ୟତେ, ସ୍ବଳ୍ପ‌ମପସ୍ୟ ଗନ୍ତବ୍ୟଂ ମାର୍ଗୋସ୍ଥନାବସୀଦତି।’’ ଯଦି ଲମ୍ବା ବାଟରେ ଯାଇ ନ ପାରୁଛ, ତେବେ ବାଟ ପାଖରେ ବସିଥିଲେ, କେହି ଜଣେ ବାଟୋଇ ତମକୁ ଆଗେଇ ନେବାରେ ସାହାଯ୍ୟ କରିବ। ମାତ୍ର ବାଟଭାଙ୍ଗି ଅପନ୍ତରାରେ ବସିଲେ, କିଏ ତମକୁ ନେଇପାରିବ। ସେମିତି, ସେଇଥିପାଇଁ ବାଟୁଆ, ଅବାଟୁଆଙ୍କ ପାଇଁ ବ୍ୟବସ୍ଥା ଓ ପରିଣତି ‘‘ଅଗ୍ରେ ଧାବତି ଧାବତି।’’ ନାରୀ ପ୍ରଭୁ ସୃଷ୍ଟିର ଆଉ ଏକ ବୈଚିତ୍ର୍ୟ। ସେ ଲହୁଣି ପରି କଅଁଳ ଛନଛନ ତ, ଜଳନ୍ତା ଲୁହା ପରି ଜ୍ବାଳାମୟୀ, ଭୟଙ୍କର। ଆମ ଶାସ୍ତ୍ରରେ ନାରୀକୁ ଦେବୀ, ଶକ୍ତି, ଚଣ୍ଡୀ, ଶାନ୍ତି ଆଦି ଭାବେ ପୂଜା କରାଯାଇଛି। ‘‘ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା, ଶାନ୍ତିରୂପେଣ ସଂସ୍ଥିତା, ଚଣ୍ଡୀ ରୂପେଣ ସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।’’ ନାରୀହତ୍ୟା ବ୍ରହ୍ମହତ୍ୟା ସମତୁଲ ଏକ ଅପରାଧ। ନାରୀର ସୁରକ୍ଷା, ପବିତ୍ରତା ଉପରେ ସମାଜର ପ୍ରଗତି ନିର୍ଭରଶୀଳ।

ଗୀତାରେ ସେଇଥିପାଇଁ ତ ସ୍ବୟଂ କୃଷ୍ଣ କହିଲେ, ‘‘ସ୍ତ୍ରୀଷୁ ଦୁଷ୍ଟାଷୁ ବାଷ୍ଣେୟ ଜାୟତେ ବର୍ଣ୍ଣଶଙ୍କରଃ।’’ ନାରୀଙ୍କୁ ସୁରକ୍ଷା ଦେବାରେ, ସୁରକ୍ଷିତ ରଖିବାରେ ଏ ଦେଶ ସଂସ୍କାର, ସଂସ୍କୃତି ଯେପରି ପ୍ରଗଳ୍‌ଭ ତା’ କାଇଁ ଆଉ କୋଉ ଦେଶରେ ପରିଦୃଷ୍ଟ? ନାରୀ ପାଇଁ ମହାଭାରତ, ନାରୀ ପାଇଁ ରାମାୟଣ ସୃଷ୍ଟି। ତେବେ ସେଇ ନାରୀ କୁଳଲଙ୍ଘା ହେଲେ ତାକୁ ଇତର ପରି ଦଣ୍ଡିତ କରିବାରେ ଏ ଦେଶ ଶାସ୍ତ୍ରରେ କୁଣ୍ଠା ବି ନାହିଁ। କଳ୍ପାନ୍ତଜୀବୀ ପର୍ଶୁରାମ ପିତାଙ୍କ ଆଦେଶରେ ମା’ଙ୍କ ସମେତ ଅନ୍ୟ ଚାରି ଭାଇଙ୍କ ଶିରଛେଦନ କରିଥିଲେ। ବିଶୃଙ୍ଖଳ ଜନନୀ ପାଇଁ ପିତୃଦଣ୍ଡାଦେଶ ସେ ପାଳନ କରି କଳ୍ପାନ୍ତଜୀବୀ ବନିଗଲେ। ଅନ୍ୟ ଭାଇମାନେ ପିତାଙ୍କ ଏ ଆଦେଶରେ ଘୋର ବ୍ୟଥିତ ଓ ବିସ୍ମିତ ହୋଇଥିଲେ। ମା’ଙ୍କୁ ମୃତ୍ୟୁଦଣ୍ଡ ଗ୍ରହଣୀୟ ନୁହଁ। ପିତାଦେଶ ସେମାନେ ଲଙ୍ଘନ କଲେ। ଗ୍ରହଣୀୟତାର ଭାବ ବିଷୟରେ ସେମାନଙ୍କ ମାନସିକତା ମରୁଡ଼ିଗ୍ରସ୍ତ ଥିଲା ବୋଧେ। ମହାସତୀ ଅହଲ୍ୟାଙ୍କୁ ବି ଦଣ୍ଡ ଦେଲେ ଗୌତମମୁନି। ପଥର କରିଦେଲେ ତାଙ୍କୁ। ରାମ ଆସିବା ଯାଏ ଯୁଗେ ସେ ଅପେକ୍ଷା କଲେ ସେମିତି ପଥର ହୋଇ। ତାଙ୍କ ପାଦ ସ୍ପର୍ଶରେ ସେ ମୁକ୍ତିଲଭିଲେ। ମାତ୍ର ନାରୀ ପ୍ରତି ୟେ କ’ଣ ଅନ୍ୟାୟ ଥିଲା? ନା ଆଦୌ ନୁହଁ। ତାଙ୍କ ଚାରି ପୁଅଙ୍କ ପରି ତମେ ଜିଭ କାମୁଡ଼ିଲେ, କାମୁଡ଼ୁଥା’। ପୁତନା ତ ମହିଳାଟେ ନା ନାଇଁ ମ! ମାତ୍ର କି ଅବସ୍ଥା ତା’ର କଲେ ଶ୍ରୀକୃଷ୍ଣ? ‘‘ଖିର ସଙ୍ଗେ ପ୍ରାଣ ଶୋଷିଲେ ନାଶଗଲା ପୁତନା।’’ ନାରୀ ହତ୍ୟା ଦୋଷ ଲାଗିବ କି ନାଇଁ ମ ? ନା, ଆଦୌ ନୁହଁ। ମାତ୍ର ଏପଟେ ଦେଖୁନା, ‘ଶିଖଣ୍ଡୀ’କୁ ଦେଖି ଭୀଷ୍ମ ଯୁଦ୍ଧ ଛାଡ଼ିଦେଲେ। ଏମିତି ଗୋଟେ ମାଈ ନୁହଁ କି ଗାଈ ନୁହଁ ସହ ଯୁଦ୍ଧ ସେ କେମିତି କରିବେ? କଲେନି। ତାଙ୍କ ଅସ୍ତ୍ର ତ୍ୟାଗର ଫାଇଦା ଅନ୍ୟାୟ ଭାବେ ଅର୍ଜୁନ ନେଲେ ଓ ତାଙ୍କୁ ଶର ବିନ୍ଧିବିନ୍ଧି ଶରଶଯ୍ୟାରେ ପକେଇ ଦେଲେ। ଇୟେ ବି ଘଟଣାଟେ। କେତେ ଜିଭ କାମୁଡ଼ନ୍ତି, କେତେ ଚୁ ଚୁ କରନ୍ତି, କେତେ ତୀବ୍ର ସମାଲୋଚନା କରନ୍ତି ଅର୍ଜୁନଙ୍କୁ।

ଯାହା ହେଲେ ବି ନାରୀ ଏ ସମାଜରେ ସବୁବେଳେ ଏକ ସ୍ପର୍ଶକାତର ଭୂମିକାରେ ଅବତୀର୍ଣ୍ଣ। ନିରୋ, ତାଙ୍କ ମା’ଙ୍କୁ ହତ୍ୟା କରିବା, ଷୋଡ଼ଶବର୍ଷୀ ମ୍ୟାରି କୁଇନ ଅଫ୍‌ ସ୍କଟ୍‌ସଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଓ ଯୁଦ୍ଧ ପଡ଼ିଆରେ ଅବତୀର୍ଣ୍ଣା ନାରୀ ଲକ୍ଷ୍ମୀବାଈ ନିହତ ହେବା ଇତିହାସର କଥା। ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଥିଲେ ଜଣେ ‘ନାରୀ’। କୋଉଠି ‘ମମତାମୟିତା’ ତାଙ୍କର ଖୋସା ଯାଇଥିଲା? ସେ ଜିଅଲ ଗଲେ। ଫାଶୀଦଣ୍ଡାଦେଶ ପାଇଲେ। ଜେଲଖାନା ଭିତରେ ସେ ପିଲା ପ୍ରସବ କଲେ। ଇୟେ ବି ଏ ଦେଶର ଏବର ଆଇନକାନୁନ ଅବସ୍ଥା।

ଏବେ ବେପାରପତ୍ର ଭାଇମାନେ ଗୋଟାଏ ପୁରୁଣା ସମ୍ବାଦକୁ ଛାପୁଛନ୍ତି ହଟଚମଟିଆ ଭାବେ। ସବନମ ଜଣେ ମୁସଲମାନ ଯୁବତୀ। ସେ ପୁଣି ଶିକ୍ଷୟିତ୍ରୀ ଥିଲେ, ଉଚ୍ଚଶିକ୍ଷିତା। ତାଙ୍କର କେମିତି କେଜାଣି ପ୍ରେମ ହେଲା ଗୋଟେ ନିତାନ୍ତ ଅଳ୍ପଶିକ୍ଷିତ ଯୁବକ ସହ। ପରିବାର ଏକୁ ବିରୋଧ କଲେ। ଏଥିରେ ଏ ଦୁଇ କାମାତୁରା ପରିବାରର ସମସ୍ତଙ୍କୁ ମାରି ଖତମ କରିଦେଲେ। ତା’ ଆଗରୁ ନିଶା ପେଇଥିଲେ। ଆରେ ୟେ କ’ଣ ନାରୀ? ତମେ ପଳେଇଲନି କୁଆଡ଼େ? ବାପା ମା’ ସମେତ ଏତେ ଜଣଙ୍କୁ ମାରିବାକୁ ହାତ କେମିତି ଗଲା? ୟେ କାମ ନିଶା! ଶାସ୍ତ୍ର ତ କହିଲା, ‘‘ତୃଷାତୁରାଣାଂ ନ ଚ ପାତ୍ର ଶୁଦ୍ଧି କ୍ଷୁଧାତୁରାଣାଂ ନ ଚ ଶୁଦ୍ଧ ବୁଦ୍ଧି, ନିଦ୍ରାତୁରାଣାଂ ନ ଚ ଭୂମି ଶଯ୍ୟା, କାମାତୁରାଣାଂ ନହି ଲୋକଲଜ୍ଜା।’’ ତାଙ୍କର ଜିଅଲଖାନାରେ ସନ୍ତାନ ଜନ୍ମିଲା। ଦଶବର୍ଷର ଏଇ ବାଳକ ତା’ ମା’ର ଜୀବନ ଭିକ୍ଷା ପାଇଁ ରାଷ୍ଟ୍ରପତିଙ୍କ ପାଖୁ ଦରଖାସ୍ତ କରୁଛି। ମାତ୍ର ଏତେଦିନ ଯାଏ ଏ ଦୁହିଁଙ୍କୁ କାହିଁକି ପୋଷାଯାଇଅଛି? ‘ରାଷ୍ଟ୍ରପତି’ ତାଙ୍କ ରାଜକ୍ଷମା ଦରଖାସ୍ତ ନାକଚ କରିଦେଇଛନ୍ତି। ପୁଅ କରୁଛି ତ କରୁ। ମାତ୍ର ମଇଳା ଆଉ ଘଣ୍ଟା ନ ଯାଉ। ଅରିହୀନା ନାରୀ ଅରିମୟ ହୋଇଗଲେ ଲୁଟିଯିବ, ଫିଟିଯିବ ହିଁ ଯିବ। ଏଥିରେ ଓପ୍ରୋଧ ରହିଲେ, ସମାଜ ଭ୍ରଷ୍ଟ ଓ ନାରୀସମାଜ ଆକଟ, ଅର୍ଗଳହୀନ ବୋଧ କରିବେ। ଯାହା ଏବେ ଘଟୁଛି। ଅଧିକ ବୟାନ ନିଷ୍ପ୍ରୟୋଜନ।

କଥା ତ ଅଛି ‘‘ଆଲୋ ସଖି ଆପଣା ମହତ ଆପେ ରଖି।’’ ଲକ୍ଷ୍ମଣରେଖା ଡେଉଁଚ ତ ଡିଅଁ। କିଏ ମନା କରୁଛି? ସୀତା ତ ନିଜେ ଡେଇଁଲେ। ଫଳ ପାଇଲେ କି ନାଇଁମ ! ଆଖି ଲୁହରେ ଜୀବନ ବିତିଗଲା। ଏକୁ ହେଜିଲେ ସିନା ହେବ।

A person may also take it from 30 minutes to 4 hours beforehand. viagra for sale A doctor may prescribe a starting dose of 25 mg for individuals over 65 years and for those with reduced liver or kidney function.

Leave A Reply