ଶ୍ରୀମନ୍ଦିରରେ ସାର୍ବଜନୀନ ପ୍ରବେଶ ପ୍ରସଙ୍ଗ

0

ଅରୁଣ କୁମାର ପଣ୍ଡା

ଶ୍ରୀମନ୍ଦିରରେ ସାର୍ବଜନୀନ ପ୍ରବେଶ ନେଇ ଜୁଲାଇ ୫ରେ ସୁପ୍ରିମକୋର୍ଟଙ୍କ ପରାମର୍ଶପରେ ଚର୍ଚ୍ଚା ସରଗରମ ହୋଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ମତ ଥିଲା ଯେ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଓ ମନ୍ଦିର ସହିତ ସଂପୃକ୍ତ ସେବାୟତ, ପୂଜକ, ଅର୍ଚ୍ଚକ ଏବଂ ଅନ୍ୟ ଅଧିକାରୀମାନେ ଏ ବିଷୟରେ ବିଚାରବିମର୍ଶ କରିବାର ଆବଶ୍ୟକତା ରହିଛି। ଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କିତ ଏକ ମାମଲାର ଶୁଣାଣିବେଳେ ଅନ୍ୟଧର୍ମର ଲୋକେ ମନ୍ଦିର ଭିତରେ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଡ୍ରେସକୋଡ୍‌ ପିନ୍ଧିଲେ ଓ ଏକ ସ୍ବୀକାରୋକ୍ତି (ଅଣ୍ଡରଟେକିଙ୍ଗ୍) ଦ୍ବାରା ସବୁ ନୀତିନିୟମ ପାଳନ କରିବାପାଇଁ ରାଜି ହେଲେ ସେମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ କି ବୋଲି ମାମଲା ଶୁଣାଣିବେଳେ ସର୍ବୋଚ୍ଚ ଅଦାଲତ ବରିଷ୍ଠ ଆଡ଼ଭୋକେଟ ଗୋପାଳ ସୁବ୍ରମଣ୍ୟମଙ୍କୁ ପ୍ରଶ୍ନ କରିଥିଲେ ।
ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଏବଂ ଜଷ୍ଟିସ ଏସ.ଏ. ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠର ମତ ଥିଲା ଯେ ଦେଶବିଦେଶରୁ ଆସୁଥିବା ଅନ୍ୟ ଧର୍ମାବଲମ୍ବୀ ବ୍ୟକ୍ତିବିଶେଷ, ଭକ୍ତ, ପର୍ଯ୍ୟଟକମାନେ ଶ୍ରୀମନ୍ଦିରର କାରୁକାର୍ଯ୍ୟ ଶିଳ୍ପକଳା, ରୀତିନୀତି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବାକୁ ସୁବିଧା ପାଇପାରିବେ। ଏହି ମତ ଦେଲାବେଳେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ହୋଇଥିବା ଅନ୍ୟ ଏକ ମକଦ୍ଦମାର ରାୟ ଉଦ୍ଧାର କରି କହିଥିଲେ ଯେ ନିର୍ଦିଷ୍ଟ କେତେକ ଲୋକଙ୍କ ବିଶ୍ବାସ ଆଧାରରେ ଧର୍ମ ସୃ​ଷ୍ଟି ହୁଏ। ପରନ୍ତୁ ହିନ୍ଦୁତ୍ବ ଏକ ଧର୍ମ ଭାବରେ ସବୁ ପ୍ରକାରର ବିଶ୍ବାସକୁ ଗ୍ରହଣ କରିଛି। ହିନ୍ଦୁଧର୍ମର କୌଣସି ନିର୍ଦିଷ୍ଟ ସଂସ୍ଥାପକ ନାହାନ୍ତି। କୌଣସି ନିର୍ଦିଷ୍ଟ ଧର୍ମଗ୍ରନ୍ଥ ନାହିଁ। ତେଣୁ ଏହାକୁ ସନାତନ ଧର୍ମ କୁହାଯାଏ, ଯାହାର ଅର୍ଥ ହେଲା ଚିରନ୍ତନ ଆସ୍ଥା। ବିଭିନ୍ନ ଦେଶମାନଙ୍କ ପାଇଁଏହାର ସମ୍ମିଳିତ ଜ୍ଞାନ ଏବଂ ପ୍ରେରଣା ଶହଶହ ବର୍ଷ ଧରି ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର କରିଆସୁଛି।
ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପି.ବି.ରାଜେନ୍ଦ୍ର ଗଡ଼କରିଙ୍କ ରଚିତ ପୁସ୍ତକ ‘ଟୁ ଦି ବେଷ୍ଟ୍‌ ଅଫ୍‌ ମାଇଁ ମେମୋରି’ ରେ ସ୍ଥାନିତ ଭଗବତ୍‌ ଗୀତାର ନବମ ଅଧ୍ୟାୟ ୨୩ ନମ୍ବର ଶ୍ଳୋକକୁ ଉଦ୍ଧୃତ କରି କରିଥିଲେ- ଧାର୍ମିକ ଜ୍ଞାନ ଉପରେ କୌଣସି ଏକ ଧର୍ମର ଆଧିପତ୍ୟ ନରହିବା ହିଁ ଧର୍ମନିରପେକ୍ଷତା। ଆମର ​‌େ​‌ସକୁଲାରିଜିମ୍‌ ଗୀତା ଗ୍ରନ୍ଥ ଉପରେ ହିଁ ଆଧାରିତ। ଉକ୍ତ ଶ୍ଳୋକର ଅର୍ଥ ହେଲା- ଅନ୍ୟ ଭଗବାନଙ୍କୁ ବିଶ୍ବାସ କରୁଥିବା ଅନୁଯାୟୀ କିମ୍ବା ଭକ୍ତ ପୂର୍ଣ୍ଣ ଆସ୍ଥାର ସହ ଉପାସନା କଲେ, ତାହାକୁ ମୁଁ ମୋର ଉପାସନା ବୋଲି ବିଚାର କରେ। ହେ, କୁନ୍ତୀ ନନ୍ଦନ! ଯଦିଓ ଏହା ପ୍ରାଚୀନ ପରମ୍ପରାର ବିରୁଦ୍ଧାଚରଣ କରୁଥାଇପାରେ।
ଏକଥା ସ୍ପଷ୍ଟ ଯେ ସୁପ୍ରିମକୋର୍ଟଙ୍କ ଏହା ନିର୍ଦେଶ ନଥିଲା, ଥିଲା କେବଳ ପରାମର୍ଶ। ସମଗ୍ର ବିଶ୍ବର ହିନ୍ଦୁମାନଙ୍କ ତାଙ୍କ ଧର୍ମ ପ୍ରତି ଥିବା ଗଭୀର ଆସ୍ଥା କାରଣରୁ ଅନ୍ୟ ଧର୍ମାବଲମ୍ବୀଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଶାସ୍ତ୍ରରେ ଭ୍ରାନ୍ତ ବ୍ୟାଖ୍ୟା ଓ ଭ୍ରାନ୍ତଧାରଣା ପ୍ରତି ଧ୍ୟାନ ଦେବାକୁ ହେବ। କାରଣ ଏହାରି ଉପରେ ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତ୍ତା ସହିତ ପ୍ରାଚୀନ ସଂସ୍କୃତିର ସଂରକ୍ଷଣ ନିର୍ଭର କରେ।
ଏହା ସତ୍ୟ ଯେ ହିନ୍ଦୁ ବା ସନାତନ ଧର୍ମର କୌଣସି ଜଣେ ପ୍ରତିଷ୍ଠାତା ନାହାନ୍ତି କିମ୍ବା ଏକମାତ୍ର ତତ୍ତ୍ବ ନାହିଁ। ଏହାର ଅର୍ଥ ନୁହେଁଯେ ହିନ୍ଦୁ ଧର୍ମ ଅନାଥ କିମ୍ବା ଅନାଶ୍ରିତ । ସନାତନ ଧର୍ମ ଏକ ଚିରନ୍ତନ ପ୍ରବହମାନ ଧାରା ଅନାଦି ଅନନ୍ତକାଳରୁ। ସନାତନ ଧର୍ମର କେବଳ ଜଣେ ମାତ୍ର ପ୍ରତିଷ୍ଠାତା, ଏଭଳି କୁହାଯାଇନାହିଁ। ଯୁଗଯୁଗରୁ ମନ୍ତ୍ରଦ୍ରଷ୍ଟା ଋଷି ପରମ୍ପରା, ଆଧ୍ୟାତ୍ମିକ ବିଭୂତି, ମହାନ ଆଚାର୍ଯ୍ୟ ଏବଂ ବିଦ୍ବାନମାନଙ୍କ ଦ୍ବାରା ଏହି ଶାଶ୍ବତ, ଚିରନ୍ତନ ଧର୍ମ ପରିପୁଷ୍ଟ। ସ୍ବୟଂ ପରମ୍‌ଶକ୍ତିମାନ ପରମାତ୍ମାଙ୍କଠାରୁ ହିଁ ଏହା ଉଦ୍ଭବ। ଧର୍ମ କହିଲେ କେବଳ ସନାତନ ପରମ୍ପରା ଉପରେ ଆସ୍ଥାକୁ ହିଁ ବୁଝାଏ ନାହିଁ। ଏହା ସଭିଙ୍କୁ ଏବଂ ସବୁ ପ୍ରକାର (ଜଡ଼ ଓ ଚେତନା) ବସ୍ତୁକୁ ପୋଷଣ କରିଥାଏ। ସଂସ୍କୃତର ‘ଧୃ’ ଧାତୁରୁ ଧର୍ମ ଶବ୍ଦର ସୃଷ୍ଟି। ତେଣୁ ଶାସ୍ତ୍ରରେ କୁହାଯାଇଛି- ‘ଧାରଣାତ୍‌ ଧର୍ମ ମିତ୍ୟାହୁ ଧର୍ମୋ ଧାରୟ‌େ‌ତ ପ୍ରଜାଃ।’
ବୈଦିକ ମତ ଅନୁସାରେ ଅହିଂସା ପରମୋଧର୍ମଃ, ଅର୍ଥାତ୍‌ ଅହିଂସା ହେଉଛି ସର୍ବଶ୍ରେଷ୍ଠ ଧର୍ମ ଆଚରଣ। ପୁଣି କୁହାଯାଇଛି- ‘ଧର୍ମ ହିଂସା ତଥୈବଚ’ ପାପୀ ଏବଂ ଅପରାଧୀଙ୍କୁ ଆଇନ ଅନୁମୋଦିତ ପନ୍ଥାରେ ଦଣ୍ଡିତ କରାଯାଇପାରେ। ସ୍ଥୂଳ ଅର୍ଥରେ ଏହାକୁ ହିଂସା କୁହାଯାଇପାରେ। ଯେଉଁ ଗୀତାକୁ ସର୍ବୋଚ୍ଚ ଅଦାଲତ ଉଦ୍ଧୃତ କରିଛନ୍ତି ସେଥିରେ, ଅର୍ଥାତ ଦ୍ବିତୀୟ ଅଧ୍ୟାୟ ୩୭ ନମ୍ବର ଶ୍ଳୋକରେ ନିଜେ ଭଗବାନ ଯୁଦ୍ଧ ବିମୁଖ ଅର୍ଜୁନଙ୍କୁ କହିଛନ୍ତି-
ହତୋ ବା ପ୍ରାପ୍‌ସ୍ୟସି ସ୍ବର୍ଗଂ/ ଜିତ୍ବା ବା ଭୋକ୍ଷ୍ୟସେ ମହୀମ୍‌ / ତସ୍ମାଦୁତ୍ତିଷ୍ଠ କୌନ୍ତେୟ, ଯୁଦ୍ଧାୟ କୃତନିଶ୍ଚୟଃ।
ଅର୍ଥାତ୍‌ ଜ୍ଞାତି ପରିଜନଙ୍କୁ ହତ୍ୟା ପାଇଁ ଅନିଚ୍ଛୁକ ଅର୍ଜୁନଙ୍କୁ ସ୍ବୟଂ ଭଗବାନ ଯୁଦ୍ଧପାଇଁ ପ୍ରେରିତ କରୁଛନ୍ତି। କାରଣ ଏହାଦ୍ବାରା ମାନବ ସମାଜର କଲ୍ୟାଣ ସାଧିତ ହେବ ଓ ଶାନ୍ତି ପ୍ରତିଷ୍ଠିତ ହେବ। ପୁଣି ଭଗବାନ ଅର୍ଜୁନଙ୍କୁ କହିଛନ୍ତି-
ପତ୍ରଂପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରଯଚ୍ଛତି।
ତଦହଂ ଭକ୍ତ୍ୟୁପହୃତମଶ୍ନାମି ପ୍ରଯତାତ୍ମନଃ।। (ଅ,୯,ଶ୍ଳୋ.୨୬)
ତାଙ୍କ ପ୍ରତି ଆସ୍ଥା, ଭକ୍ତି, ପ୍ରେମ ଏବଂ ଆସକ୍ତି ବିନା ଆମ ଜଗନ୍ନାଥ (ଭଗବାନ) କାହାଠାରୁ କୌଣସି ନୈ​‌େ​‌ବଦ୍ୟ ଗ୍ରହଣ କରନ୍ତି ନାହିଁ। ତେଣୁ କେବଳ ଅର୍ଥ କିମ୍ବା ଧନ ଆହରଣ ପାଇଁ ମନ୍ଦିର କର୍ତ୍ତୃପକ୍ଷ କ’ଣ ସାର୍ବଜନୀନ ମନ୍ଦିର ପ୍ରବେଶ ଅନୁମତି ଦେଇପାରିବ? ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ସମ୍ମାନ, ଶ୍ରୀଜଗନ୍ନାଥ ଧର୍ମଚେତନା ଓ ସଂସ୍କୃତ ବ୍ୟତିରେକ କିଭଳି ସମ୍ଭବ ହୋଇପାରିବ? ସନାତନ ଧର୍ମ, ସଂସ୍କୃତ, ଆଚାରବିଚାର ତଥା ବୈଦିକ ଦେବୀଦେବତାଙ୍କ ପ୍ରତି ଆସ୍ଥା ରଖୁନଥିବା କୌଣସି ଅନ୍ୟ ଧର୍ମାବଲମ୍ବୀଙ୍କୁ ମନ୍ଦିର ଭିତରକୁ ଯାଇ ଦିଅଁ ଦର୍ଶନର ସୁଯୋଗ ଦେବା ଅବାନ୍ତର ମନେହୁଏ। ଶ୍ରୀମନ୍ଦିରର ଆଧ୍ୟାତ୍ମିକ ମୁଖ୍ୟ ପରାମର୍ଶଦାତା ଏବଂ ଆମର ପ୍ରିୟ ଠାକୁର ରାଜା ଗଜପତି ମହାରାଜ ଅଣହିନ୍ଦୁଙ୍କ ମନ୍ଦିର ପ୍ରବେଶ ନେଇ ଉଠାଯାଇଥିବା ପ୍ରସଙ୍ଗକୁ ଯଥାର୍ଥରେ ଅହେତୁକ ଏବଂ ଅନାବଶ୍ୟକ ବୋଲି ମତ ଦେଇଛନ୍ତି।
ବରିଷ୍ଠ ସାମ୍ବାଦିକ, ସେକ୍ଟର-୬, ସିଡିଏ, କଟକ-୧୪

Leave A Reply