ଅବୈଧ ନାଗରିକତା

0

ସମଗ୍ର ବିଶ୍ବରେ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ନାଗରିକତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଭାରତକୁ ବି ସେଭଳି ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ସୋମବାର ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ନେସନାଲ ରେଜିଷ୍ଟର ଅଫ୍ ସିଟିଜେନସିପ୍ ବା ଏନ୍‌ଆର୍‌ସି)ର ଚୂଡ଼ାନ୍ତ ଚିଠା ତାଲିକା ପ୍ରକାଶ ପାଇବା ପରେ ସମ୍ପ୍ରତି ଏଭଳି ଏକ ଆଶଙ୍କା ଦେଖାଦେଇଛି। ଏହି ତାଲିକା ଅନୁସାରେ ସେହି ରାଜ୍ୟରେ ବସବାସ କରୁଥିବା ୩ କୋଟି ୨୯ ଲକ୍ଷ ନାଗରିକଙ୍କ ମଧ୍ୟରୁ ୨ କୋଟି ୮୯ ଲକ୍ଷଙ୍କ ନାଗରିକତାକୁ ବୈଧ ବୋଲି କୁହାଯାଇଥିବାବେଳେ ୩୭.୫୯ ଲକ୍ଷ ଲୋକଙ୍କ ନାଗରିକତା ଅବୈଧ ଏବଂ ୨.୪୮ ଲକ୍ଷଙ୍କ ନାଗରିକତା ବର୍ତ୍ତମାନ ସୁଦ୍ଧା ଅନିର୍ଣ୍ଣୀତ ବୋଲି ଦର୍ଶାଯାଇଛି। ଦେଶ ଭିତରେ ଦୀର୍ଘବର୍ଷ ଧରି ରହି ସରକାରୀ ସୁବିଧାସୁଯୋଗ ପାଇଆସୁଥିବା ଲୋକଙ୍କୁ ହଠାତ୍ ଯଦି ଦେଶର ନାଗରିକତାରୁ ବଞ୍ଚିତ ବୋଲି କୁହାଯାଏ, ତେବେ ତାହା ଅପ୍ରୀତିକର ସ୍ଥିତି, ଏପରିକି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ବୋଧହୁଏ ଏହାକୁ ହୃଦୟଙ୍ଗମ କରି ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଯେ ସରକାରୀ କର୍ତ୍ତୃପକ୍ଷ ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିଥିବା ୪୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ନ୍ୟାୟାଳୟ ଯଥାର୍ଥତଃ କହିଛନ୍ତି ଯେ ଲୋକଙ୍କ ଦାବି ଓ ଅଭିଯୋଗର ଉଚିତ ଶୁଣାଣି ପାଇଁ ସରକାର ଏକ ଆଦର୍ଶ ବା ସର୍ବସ୍ବୀକୃତ ପରିଚାଳନା ପଦ୍ଧତି ତିଆରି କରନ୍ତୁ। ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗୋଇ ଓ ଆର୍ ଏଫ୍ ନରିମାନ ଏହି ପଦ୍ଧତି ସମ୍ପର୍କରେ ଅଗଷ୍ଟ ୧୬ ସୁଦ୍ଧା ଅଦାଲତରେ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ନାଗରିକ ପଞ୍ଜିକାରୁ ବାଦ୍ ପଡ଼ିଥିବା ଲୋକଙ୍କର ଦାବି ଓ ଅଭିଯୋଗଗୁଡ଼ିକୁ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨୮ ଭିତରେ ଶୁଣାଯିବାର ବ୍ୟବସ୍ଥା ରହିଛି ବୋଲି ସରକାର ସ୍ପଷ୍ଟ କରିସାରିଛନ୍ତି।
ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଯେଉଁମାନଙ୍କ ନାମ ପଞ୍ଜିକାର ଅନ୍ତର୍ଭୁକ୍ତ ହୋଇପାରିନାହିଁ, ସେମାନଙ୍କ ଭବିଷ୍ୟତ କ’ଣ ହେବ? ପ୍ରଶାସନ ସେମାନଙ୍କ ସହିତ କିଭଳି ବ୍ୟବହାର କରିବ? ସେମାନେ ହିଂସା କବଳିତ ହେବେ ନାହିଁ ତ ଅଥବା ନିଜେ କାହାର ପ୍ରରୋଚନାରେ ପଡ଼ି କିଛି ଭୁଲ୍ ପଦକ୍ଷେପ ନେବେନି ତ? ପୁଣି ସେମାନଙ୍କୁ ବର୍ତ୍ତମାନ ମିଳୁଥିବା ସରକାରୀ ସୁବିଧାସୁଯୋଗରୁ ବଞ୍ଚିତ କରାଯିବନି ତ? ଏନ୍‌ଆରସିରେ ଅବଶ୍ୟ କୁହାଯାଇଛି ଯେ ଅବୈଧ ନାଗରିକମାନଙ୍କୁ ମଧ୍ୟ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ଅନ୍ତତଃ ଅନ୍ତିମ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ଭାରତର ନାଗରିକ ଭାବେ ଗଣନା କରିବା ଉଚିତ ହେବ। ବାସ୍ତବତା ହେଉଛି ୪୦ ଲକ୍ଷଙ୍କ ଭିତରୁ ଏଭଳି ବହୁ ଲୋକ ମଧ୍ୟ ଥିବେ ଯେଉଁମାନେ କେବଳ ଜରୁରୀ ଦସ୍ତାବିଜ୍ ଦେଖାଇ ନପାରି ନାଗରିକ ପଞ୍ଜିକାରୁ ବାଦ୍‌ ପଡ଼ିଥିବେ। ଅନେକ ସଂଗଠନ ଏନଆରସିକୁ ନୂତନ ତଥ୍ୟସମୃଦ୍ଧ (ଅପଡେଟ୍) କରିବାର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୧୯୮୫ ମସିହା ଅଗଷ୍ଟ ୧୫ରେ ଭାରତ ସରକାର ଓ ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ ୟୁନିଅନ (ଏଏଏସ୍‌ୟୁ) ସମେତ ଅନ୍ୟ କେତେକ ସଂଗଠନ ମଧ୍ୟରେ ‘ଆସାମ ଚୁକ୍ତି’ ସ୍ବାକ୍ଷରିତ ହୋଇଥିଲା, ଯେଉଁଥିରେ ସ୍ଥିର ହେଲା ଯେ ୨୫ ମାର୍ଚ ୧୯୭୧ ପୂର୍ବରୁ ଆସାମ ଭିତରେ ଅେବୖଧ ଭାବେ ପ୍ରବେଶ କରିଥିବା ଲୋକଙ୍କର ନାମ ମଧ୍ୟ ଏନ୍‌ଆର୍‌ସିରେ ଯୋଡ଼ାଯିବ। ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହେଲା ଓ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଲା। ଏହାପରେ ନ୍ୟାୟାଳୟଙ୍କ ତତ୍ତ୍ବାବଧାନରେ ଏନ୍‌ଆର୍‌ସି ଅପଡେଟ୍ ହେବାର କାମ ଆରମ୍ଭ ହୋଇଥିଲା। ରେଜିଷ୍ଟ୍ରାର୍ ଜେନେରାଲ ଅଫ୍ ଇଣ୍ଡିଆ ଚଳିତବର୍ଷ ଜାନୁଆରୀ ୧ରେ ପ୍ରାୟ ଦୁଇ କୋଟି ଆସାମବାସୀଙ୍କର ତାଲିକା ପ୍ରକାଶ କରିଥିଲେ। ଦ୍ବିତୀୟ ତଥା ଚୂଡ଼ାନ୍ତ ଚିଠା ତାଲିକା ଏବେ ପ୍ରକାଶ ପାଇଛି।
ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ଆଶ୍ବାସନା ଦେଇଛନ୍ତି ଯେ କେହି ଚିନ୍ତିତ ହେବା ଅନାବଶ୍ୟକ ଏବଂ କାହା ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ତେବେ ମଙ୍ଗଳବାର ତାଙ୍କ ଦଳ ବିଜେପିର ଜଣେ ନେତା ତଥା ହାଇଦରାବାଦର ବିଧାୟକ ରାଜା ସିଂହ ଯେଉଁ ଧମକପୂର୍ଣ୍ଣ ଭାଷାରେ ବିବୃତି ଦେଇଛନ୍ତି, ତାହା ଭୟର ବାତାବରଣ ସୃଷ୍ଟି କରିବା ଅସ୍ବାଭାବିକ ନୁହେଁ। ସେ କହିଛନ୍ତି ଯେ ଯେଉଁ ବାଂଲାଦେଶୀମାନେ ଅବୈଧ ଭାବେ ଭାରତରେ ରହୁଛନ୍ତି, ସେମାନେ ଯଦି ଖୁସିରେ ନିଜ ଦେଶକୁ ଚାଲିନଯାଆନ୍ତି, ତେବେ ତାଙ୍କୁ ଗୁଳି କରିଦିଆଯାଉ। ବିଜେପି ଅଧ୍ୟକ୍ଷ ଅମିତ ଶାହା ରାଜ୍ୟସଭାରେ ଏନ୍‌ଆର୍‌ସି ତାଲିକା ପ୍ରକାଶ କରିବାକୁ ତାଙ୍କ ଦଳର ଏକ ସାହସୀ କାର୍ଯ୍ୟ ବୋଲି କହି ବାହାଦୁରୀ ଦେଖାଇବାକୁ ଉଦ୍ୟମ କରିଛନ୍ତି। ସେପଟେ ବିଜେପି ଜାଣିଶୁଣି ଧ୍ରୁବୀକରଣର ରାଜନୀତି ଖେଳୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ତ କହିଛନ୍ତି ଯେ ବଙ୍ଗାଳୀ ଓ ବିହାରୀଙ୍କୁ ତଡ଼ିବା ପାଇଁ ଏହା ବିଜେପିର ଚକ୍ରାନ୍ତ ଏବଂ ଯେଉଁମାନେ ଆସାମରୁ ପଶ୍ଚିମବଙ୍ଗକୁ ଆସିବେ, ସେମାନଙ୍କୁ ଆଶ୍ରୟ ଦେବାକୁ ତାଙ୍କ ସରକାର ବିଚାର କରିବ। ଏସବୁରୁ ମନେହେଉଛି ଯେ ଆମ ନେତୃବୃନ୍ଦ ଏପରି ସ୍ପର୍ଶକାତର ପ୍ରସଙ୍ଗକୁ ବି ସ୍ବାର୍ଥପର ରାଜନୀତିର ମସଲା କରିବାକୁ ବେଶ୍ ତତ୍ପର! ସେ ଯାହାହେଉ, ଆଗକୁ ଯେଭଳି ଏହା ଦେଶ ପାଇଁ ସଙ୍କଟ ନପାଲଟେ, ସେଥିପାଇଁ ସରକାରଙ୍କୁ ବହୁତ ଧୈର୍ଯ୍ୟର ସହ ବୁଝିବିଚାରି ପଦକ୍ଷେପ ନେବାକୁ ହେବ। ସର୍ବୋପରି ମାନବୀୟ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବାକୁ ହେବ। ଆମର ଆଶା ଯେ ସରକାର ଶାନ୍ତିପୂର୍ଣ୍ଣ ଭାବେ ଏହି ସମସ୍ୟାର ସମାଧାନ କରିବେ।

Leave A Reply