‘ପରୀ ରଥ’ ପରିଭ୍ରମଣର ପରେ ପରେ

0

ବଳରାମ ସାହୁ

କିଛି ଦିନ ପୂର୍ବେ ଆମ ରାଜ୍ୟ ସରକାର ଓଡ଼ିଶା ପୁଲିସର ଉଦ୍ୟମରେ ରାଜ୍ୟରେ ଘଟୁଥିବା ନାବାଳିକା, ଶିଶୁ ଓ କିଶୋରୀମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ, ହତ୍ୟା ଓ ଅତ୍ୟାଚାରକୁ ପ୍ରଶମିତ କରିବାପାଇଁ ଏହି ଘୃଣ୍ୟ କାର୍ଯ୍ୟ ବିରୋଧରେ ଜନଚେତନା ଜାଗ୍ରତ ନିମିତ୍ତ ‘ପରୀ’ ରଥ ବିଭିନ୍ନ ପ୍ରାନ୍ତରେ ଭ୍ରମଣ କରାଇଲେ; ମାତ୍ର ସେପରି ଆଖିଦୃଶିଆ ପରିଣାମ ବୋଧହୁଏ ମିଳିଲା ନାହିଁ। କାରଣ ଏହି ଅଭିଯାନର ଉଦ୍‌ଘାଟନ ତଥା ଉଦ୍‌ଯାପନ ପରେପରେ ନାନା ଦୁଷ୍କର୍ମର ଖବର ପୁଣି ସମ୍ବାଦପତ୍ରଗୁଡ଼ିକର ପୃଷ୍ଠା ମଣ୍ଡନ କଲା। ତନ୍ମଧ୍ୟରୁ ବାରିପଦାରେ ଆଠବର୍ଷର ଝିଅକୁ ଦୁଷ୍କର୍ମ ପରେ ଜଙ୍ଗଲରେ ହତ୍ୟା, କୋରେଇରେ ୧୪ ବର୍ଷର ବାଳକ ୧୭ ବର୍ଷର ବାଳିକାକୁ ଓଢ଼ଣିରେ ଟାଣି ହତ୍ୟା, ଅନୁଗୋଳ, କଳାହାଣ୍ଡି ଓ କନ୍ଧମାଳରେ ଅନେକ ଦୁଃସମ୍ବାଦ ଗଣମାଧ୍ୟମରେ ପ୍ରକାଶିତ ହେଲା।
ଏହି ଘୃଣ୍ୟ କାର୍ଯ୍ୟ ଯେ କେବଳ ଆମ ରାଜ୍ୟରେ ସୀମିତ, ତାହା ନୁହେଁ। ଏବେ ଦେଶର ବିଭିନ୍ନ ରାଜ୍ୟରେ ଏହିପରି ଲଜ୍ଜାକର ଘଟଣାମାନ ଘଟି ଚାଲିଛି ଯାହା ଶୁଣିଶୁଣି ଦେଶର ଜ୍ଞାନୀ-ଗୁଣୀ ଲୋକେ ତାଜୁବ! ନିକଟରେ ମଧ୍ୟପ୍ରଦେଶର ସତନା ଅଞ୍ଚଳରେ ୪ବର୍ଷର ଛୋଟ ଝିଅଟିକୁ ୨୫ ବର୍ଷର ଯୁବକ ଏପରି ଦଶା କଲା ଯେ, ତାକୁ ବାୟୁସେନା ହେଲିକପ୍ଟର ଯୋଗେ ଦିଲ୍ଲୀର ଏମସ୍‌ ହସ୍ପିଟାଲରେ ପ୍ରାଣ ବଞ୍ଚାଇବାପାଇଁ ଭର୍ତ୍ତି କରିବାକୁ ପଡ଼ିଲା। ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ଦେଶରେ ୨୦୧୦ ମସିହାରେ ୫୪୮୪ଟି ବଳାତ୍କାର ମାମଲା ପଞ୍ଜିକୃତ ହୋଇଥିଲା; ମାତ୍ର ୨୦୧୪ରେ ଏହି ମାମଲା ୧୩,୭୬୬ରେ ପହଞ୍ଚିଛି। ସେହିପରି ୨୦୧୭ରେ ପାଖାପାଖି ୧୯,୦୦୦ ମାମଲା ଦେଶରେ ଘଟିଛି। ବିଭିନ୍ନ କଟକଣା ସତ୍ତ୍ବେ ଏହି କୁକାର୍ଯ୍ୟ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ସେଇଥିପାଇଁ ବୋଧହୁଏ କିଛିଦିନ ତଳେ ‘ଗ୍ଲୋବାଲ୍‌ ଏକସ୍‌ପର୍ଟସ’ ପ୍ରକାଶ କରିଛି ଯେ ‘ମହିଳାମାନଙ୍କ ପାଇଁ ଆମ ଦେଶ ଭାରତ ପୃଥିବୀର ସବୁଠାରୁ ଅସୁରକ୍ଷିତ। ଏପରିକି ଯୁଦ୍ଧରତ ଆଫଗାନିସ୍ତାନ ଓ ସିରିଆଠାରୁ ମଧ୍ୟ ଭୟଙ୍କର, କାରଣ ଏହି ସଂସ୍ଥା, ମହିଳାମାନଙ୍କ କ୍ଷେତ୍ରରେ ହେଉଥିବା ଅତ୍ୟାଚାର ଓ ବ୍ୟଭିଚାର କ୍ଷେତ୍ରରେ ଆଫଗାନିସ୍ତାନକୁ ଦ୍ବିତୀୟ ଓ ସିରିଆକୁ ତୃତୀୟ ସ୍ଥାନରେ ରଖି ଭାରତକୁ ୧ ନମ୍ବର ସ୍ଥାନରେ ରଖିଛି। ଏହି ପରିସଂଖ୍ୟାନକୁ ଆମ ଦେଶ ସ୍ବୀକାର କରୁ ବା ନକରୁ, ମାତ୍ର ଏହା ଯେ ଆମ ଦେଶ ପାଇଁ ଲଜ୍ଜାକର ବାର୍ତ୍ତା ବହନ କରିଅଛି ତାହା ଆମେ ନିଶ୍ଚିତ ସ୍ବୀକାର କରିବୁ।
ମନେପଡ଼େ ଅାଜିକୁ ଛ’ବର୍ଷ ପୂର୍ବେ ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ହୃଦୟ ବିଦାରକ ‘ନିର୍ଭୟା କାଣ୍ଡ’ ଘଟିଥିଲା। ସାରା ଦେଶରେ ଏହି ଗଣବଳାତ୍କାର ବିରୋଧରେ ତୀବ୍ର ପ୍ରତିକ୍ରିୟା ସଷ୍ଟି ହୋଇଥିଲା। ଏହି ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ ସରକାର ଦେଶର ସମସ୍ତ ପୀଡ଼ିତାଙ୍କର ଚିକିତ୍ସା ଓ ଥଇଥାନ ନିମିତ୍ତ ଏକ ‘ନିର୍ଭୟା ପାଣ୍ଠି’ ଗଠନ କରିବାପାଇଁ ବାଧ୍ୟ ହୋଇଥିଲେ। ଉକ୍ତ ପାଣ୍ଠିକୁ କେନ୍ଦ୍ର ସରକାର ପ୍ରଥମ ଦଫାରେ ୧୦୦୦​‌େ​‌କାଟି ଟଙ୍କା ପ୍ରଦାନ କରିଥିଲେ। ତା’ପରେ ସରକାର ୧୩-୧୪ ଓ ୧୪-୧୫ ଆର୍ଥିକ ବର୍ଷରେ ପୁଣି ଦୁଇ ହଜାର କୋଟି ପ୍ରଦାନ କରିଥିଲେ। ମାତ୍ର ଦୁଃଖର କଥା ଏହି ପାଣ୍ଠିର ଉପଯୁକ୍ତ କାର୍ଯ୍ୟକାରିତା ଦିଗରେ ସଫଳ ପ୍ରୟାସ ଓ ବିଧିବ୍ୟବସ୍ଥା ନହେବାରୁ ସରକାର ୨୦୧୫-୨୦୧୬ ଆର୍ଥିକ ବର୍ଷରେ କୌଣସି ଅନୁଦାନ ଦେଇନଥିଲେ। ମାତ୍ର ସର୍ବସାଧାରଣଙ୍କ ଚାପରେ ୨୦୧୫-୧୬ ଆର୍ଥିକ ବର୍ଷରେ ବଜେଟ୍‌ରେ ପୁଣି ୫୫୦ କୋଟିଟଙ୍କା ବ୍ୟବସ୍ଥା କରିଛନ୍ତି। ସୂଚନା ଅଧିକାର ବଳରେ ଜାଣିବାକୁ ମିଳିଛି ଯେ ସରକାର ଏ ବାବଦରେ ମାତ୍ର ୧୯୬ କୋଟି ଅଦ୍ୟାବଧି ଖର୍ଚ୍ଚ କରିଥିବାବେଳେ ୩୪୦୯ କୋଟିଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ସାରା ଦେଶରେ ପୀଡ଼ିତାମାନଙ୍କ ପାଇଁ ୬୬୦ଟି ‘ୱାନ ଷ୍ଟପ୍‌ ସେଣ୍ଟର’ ଖୋଲିବା, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବା, ପୀଡ଼ିତାଙ୍କ ଥଇଥାନ ନିମିତ୍ତ ଖର୍ଚ୍ଚ କରିବା ପାଇଁ ପ୍ରସ୍ତାବମାନ ଗୃହୀତ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସରକାରଙ୍କର ଉଦାସୀନତା ପାଇଁ ଖର୍ଚ୍ଚ ନହୋଇ ପଡ଼ିରହିଛି।
ସେହିପରି ୧୨ବର୍ଷରୁ କମ୍‌ ନାବାଳିକାଙ୍କ ଉପରେ ହେଉଥିବା ଦୁଷ୍କର୍ମକୁ ରୋକିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ଏହି ବର୍ଷ ଏପ୍ରିଲ ୨୧ରେ ଅଭିଯୁକ୍ତକୁ ଫାଶୀଦଣ୍ଡ ଦିଆଯିବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଉକ୍ତ ଆଇନକୁ କାର୍ଯ୍ୟକାରୀ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେଇ ନାହାନ୍ତି। ଦେଶରେ ଏପ୍ରକାର କୁତ୍ସିତ କାର୍ଯ୍ୟ ବେଧଡ଼କ୍‌ ହେଉଥିବାବେଳେ କେତେକ ଲୋକେ କେବଳ ‘ନିଶାସକ୍ତ’ ବ୍ୟକ୍ତିଙ୍କୁ ହିଁ ଦାୟୀ କରୁଛନ୍ତି। ମାତ୍ର ଏହା ଭୁଲ୍‌ ଧାରଣା କାରଣ ‘ନିଶାସକ୍ତ’ମାନେ ସିନା ମୋହରା ହୁଅନ୍ତି, ମାତ୍ର ‘ପେସାସକ୍ତ’ ମାନେହିଁ ଏହାର ଭିତ୍ତିଭୂମି ପ୍ରସ୍ତୁତ କରିଥାନ୍ତି।
ତେବେ ‘ପେସାସକ୍ତ’ କିଏ? ଯେଉଁ ମୁଖାପିନ୍ଧା ଭଦ୍ରବ୍ୟକ୍ତିିମାନେ ହାଟବଜାରରେ ବିଭିନ୍ନ ଚଳଚ୍ଚିତ୍ର, ଅପେରା, ଟେଲିଭିଜନରେ, ବିଜ୍ଞାପନ ମାଧ୍ୟମରେ ନଗ୍ନତା ପ୍ରଦର୍ଶନ କରି ପେଟ ପୋଷୁଛନ୍ତି ସେହି ପେସାଦାର ତଥାକଥିତ ବୁଦ୍ଧିଜୀବୀମାନେ ହିଁ ଦାୟୀ। ସେମାନେ ନଗ୍ନ ଓ ନଗ୍ନ ଭ୍ରମ ସୃଷ୍ଟିକାରୀ ପୋଷାକ ପିନ୍ଧାଇ ଆଜି ଯୁବସମାଜକୁ ପଥଭ୍ରଷ୍ଟ କରୁଛନ୍ତି। ତେଣୁ ଏହି ସମୟରେ, ‘ପରୀ’ ରଥ କରି ପରିଭ୍ରମଣ କରାଇଲେ କି କଠୋର ଆଇନ ପ୍ରଣୟନ କରିଦେଲେ ଏହାକୁ ​‌େ‌ରାକି ହେବନାହିଁ। ଏବେଠାରୁ ଏଗୁଡ଼ିକ ଉପରେ ଲଗାମ ଲଗାଇଲେ ହୁଏତ ପାଞ୍ଚ, ଦଶ ବର୍ଷ ପରେ ସମାଜରେ ପରିବର୍ତ୍ତନ ଆସିପାରେ।
କନ୍ୟାଟିଏ ଜନ୍ମ ହେବା ପୂର୍ବରୁ ଗର୍ଭ ପରୀକ୍ଷା କରାଇ ଭ୍ରୂଣ ହତ୍ୟା କରିବା, ଟିକେ ବଡ଼ହେଲେ ବଳାତ୍କାର ଓ ହତ୍ୟାଭଳି ଜଘନ୍ୟ ଘଟଣା ଘଟାଇବା, ଯୌତୁକ ଯୁଇରେ ଜାଳିଦେବା ପ୍ରକ୍ରିୟା ଦ୍ବାରା ସତରେ ଆମେ ନାରୀଜାତିକୁ ନିଶ୍ଚିହ୍ନ କରିଦେବା ନାହିଁ ତ? ଏଇ କିଛି ଦିନ ତଳେ ସୁଦୂର ଆମେରିକାରୁ ଆସି ଏକ ବିଜ୍ଞ ଦମ୍ପତି ଭଦ୍ରକ ଜିଲାପାଳଙ୍କ ଉପସ୍ଥିତିରେ ଏକ ଅନାଥାଶ୍ରମରୁ ‘ଅପରାଜିତା’ ନାମ୍ନୀ ପରିତ୍ୟକ୍ତା ଛଅ ବର୍ଷର କନ୍ୟାରତ୍ନଟିକୁ ନିଜର କରିନେଲେ। ପୋଷ୍ୟ କନ୍ୟାର ମର୍ଯ୍ୟାଦା ଦେଇ ଉକ୍ତ ଦମ୍ପତି ଯେଉଁ ଅଲୌକିକ ଉଦାହରଣ ସୃଷ୍ଟି କଲେ, ତାହା ଆମ ଦେଶର ସମସ୍ତ ଯୁବସମାଜ ପାଇଁ ଶିକ୍ଷଣୀୟ ବିଷୟ ନୁହେଁ କି?

Leave A Reply