ଆଉ କେତେ ସାମ୍ମୁଖ୍ୟ

0

ରାଜନୀତିର ଗତି ବଡ଼ କୁଟିଳ। ଜଣକର ଚିନ୍ତା ବା କଳ୍ପନା ଅନୁସାରେ ଏହା ରୂପାୟିତ ହୋଇନଥାଏ ଓ କ୍ଷଣକ୍ଷଣ ବଦଳୁଥାଏ। ସେଇଥିପାଇଁ କୁହାଯାଏ ରାଜନୀତିରେ ନିଶ୍ଚିତ ବା ଅସମ୍ଭବ କିଛି ନଥାଏ। ନିକଟ ଅତୀତ ପର୍ଯ୍ୟନ୍ତ ଯେଉଁଠି ମନେହେଉଥିଲା ଯେ ୨୦୧୯ ଲୋକସଭା ନିର୍ବାଚନରେ ଦୁଇଟି ବୃହତ୍ ଓ ପ୍ରମୁଖ ରାଜନୈତିକ ମୋର୍ଚା ବା ସାମ୍ମୁଖ୍ୟ ଏନଡିଏ ଓ ୟୁପିଏ ମଧ୍ୟରେ ସମ୍ମୁଖ ସମର ହେବ; ମାତ୍ର ଏବେ ପରିଦୃଶ୍ୟ ଅନେକଟା ବଦଳିଯାଇଛି ଏବଂ ଏହି ଦୁଇଟି ଛଡ଼ା ତୃତୀୟ, ଚତୁର୍ଥ ସାମ୍ମୁଖ୍ୟର ଉଦ୍ଭବ ସମ୍ଭାବନା ଦେଖାଦେଇଛି। ଅତୀତରେ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ସମୟରେ ଏକତ୍ର ହୋଇ ବିଜେପି-ବିରୋଧୀ ମହାମେଣ୍ଟ ଗଢ଼ି ମୋଦୀ ସରକାରକୁ କ୍ଷମତାଚ୍ୟୁତ କରିବେ ବୋଲି ଚିନ୍ତା କରୁଥିଲେ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ସମସ୍ତ ବିରୋଧୀ ଦଳଙ୍କ ଚିନ୍ତା ଏକାପ୍ରକାର, ତାହା ଆଉ ମନେହେଉ ନାହିଁ। ଏହାର କାରଣ ଏବେ କେବଳ ବିଜେପି-ବିରୋଧୀ ନୁହେଁ, କଂଗ୍ରେସ-ବିରୋଧୀ ମେଣ୍ଟ ପାଇଁ ବି ଉଦ୍ୟମ ଆରମ୍ଭ ହୋଇଯାଇଛି। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍)ର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ତୃତୀୟ ସାମ୍ମୁଖ୍ୟ ଗଠନ ଉଦ୍ୟମକୁ ଏହି ପରିପ୍ରେକ୍ଷୀରେ ଦେଖାଯାଇପାରେ।
କେସିଆର୍ ଏଭଳି ଜଣେ ନେତା, ଯିଏ ନିକଟରେ ସବୁ କଳ୍ପନାଜଳ୍ପନାକୁ ଭୁଲ୍ ପ୍ରମାଣିତ କରି ତେଲଙ୍ଗାନାରେ ନିଜ ଦଳକୁ ପୁନର୍ବାର ଏକ ବୃହତ୍ ବିଜୟ ଦେବାରେ ସଫଳ ହୋଇଛନ୍ତି। ନିକଟରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ସାମ୍ମୁଖ୍ୟ ଗଠନ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ତୃଣମୂଳ କଂଗ୍ରେସ ଓ ବିଜୁ ଜନତା ଦଳର ଆଭିମୁଖ୍ୟ କ’ଣ ହେବ, ତାହା ଭବିଷ୍ୟତରେ ଜଣାପଡ଼ିବ। ସେହିପରି କେସିଆର୍ ମଙ୍ଗଳବାର ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନେତ୍ରୀ ମାୟାବତୀ ଓ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ଅଲଗାଅଲଗା ଆଲୋଚନା କରିଛନ୍ତି। ତେବେ ଉତ୍ତରପ୍ରଦେଶର ଏହି ଦୁଇ ନେତାଙ୍କ ମତିଗତିକୁ ଠଉରାଇବା ଆଦୌ ସହଜ ନୁହେଁ। କୁହାଯାଉଛି ଯେ ସେଠାରେ ବିଏସ୍‌ପି, ଏସ୍‌ପି ଓ ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି) କଂଗ୍ରେସକୁ ଉପେକ୍ଷା କରି ପରସ୍ପର ଭିତରେ ବୁଝାମଣା କରିସାରିଛନ୍ତି। ଅଖିଳେଶ ରାହୁଳଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବ ବିରୋଧରେ ଖୋଲାଖୋଲି ନିଜର ମତ ରଖିଛନ୍ତି। ଗତ ସାଧାରଣ ନିର୍ବାଚନରେ ଏସ୍‌ପି ତୃଣମୂଳ କଂଗ୍ରେସ ସହ ଓ ବିଏସ୍‌ପି ବାମ ଦଳ ସହ ମିଶି ନିର୍ବାଚନ ପ୍ରଚାର କରିଥିଲେ। ଏଥର ଉତ୍ତରପ୍ରଦେଶରେ ମେଣ୍ଟ ଗଠନ କରୁଥିବା ତିନି ବିରୋଧୀ ଦଳ ଜାତୀୟ ସ୍ତରରେ ଯେଉଁ ସାମ୍ମୁଖ୍ୟରେ ମିଶିବେ, ତା’ର ଓଜନ ନିଶ୍ଚିତଭାବେ ବଢ଼ିଯିବ ସେଥିରେ ସନ୍ଦେହ ନାହିଁ।
ଯଦି ସେମାନେ ନିଜେ ଆଉ ଏକ ସାମ୍ମୁଖ୍ୟ କଥା ଚିନ୍ତା କରୁଥାନ୍ତି, ତେବେ ଚତୁର୍ଥ ସାମ୍ମୁଖ୍ୟ ସୃଷ୍ଟିର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇହେବ ନାହିଁ! ସେ ଯାହାହେଉ, କେସିଆର୍ ଅଣକଂଗ୍ରେସ-ଅଣବିଜେପି ସାମ୍ମୁଖ୍ୟ ନିର୍ମାଣ ଯୋଜନା ପାଇଁ ଆଞ୍ଚଳିକ ଦଳ ଏକଜୁଟ ହେବା ଆବଶ୍ୟକ ବୋଲି କହିଛନ୍ତି, ଯାହା ବିଜେପି-ବିରୋଧୀ ମହାମେଣ୍ଟ ଗଠନ ପ୍ରୟାସକୁ ବଡ଼ ଧକ୍କା ଦେଇପାରେ। ସୂଚନାଯୋଗ୍ୟ, ନିକଟ ଅତୀତରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ତୃଣମୂଳ ମୁଖ୍ୟ ମମତା ବାନାର୍ଜୀଙ୍କ ସମେତ ଅନ୍ୟ ଦଳର ନେତୃବୃନ୍ଦଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସେତେବେଳେ ସେ ତୃତୀୟ ସାମ୍ମୁଖ୍ୟ ଗଠନ କରୁଥିବା ଗୁଞ୍ଜରଣ ହୋଇଥିଲା; କିନ୍ତୁ ଏବେ ସେ କେସିଆର୍‌ଙ୍କ ଉଦ୍ୟମ ବିଫଳ ହେବ ଏବଂ ଏହା ବିଜେପିକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି। ତାଙ୍କର ଏହି ଅନୁମାନ କେତେକାଂଶରେ ଠିକ୍‌ ପ୍ରମାଣିତ ହୋଇପାରେ।
ଅପରପକ୍ଷେ ଗତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ୦-୫ରେ ପରାଜୟ ଅପରାଜେୟ ମଣୁଥିବା ବିଜେପିକୁ ନିଜ ରଣନୀତି ବଦଳାଇବାକୁ ବାଧ୍ୟ କରିଛି ଏବଂ ଏନଡିଏକୁ ଶକ୍ତିଶାଳୀ କରିବାରେ ଏହା ଲାଗିପଡ଼ିଛି। ଏହାର ସ୍ପଷ୍ଟ ଉଦାହରଣ ବିହାରରେ ଲୋକସଭା ଆସନ ବଣ୍ଟନ। ଆର୍‌ଏଲ୍‌ଏସ୍‌ପି ଏନଡିଏର ହାତ ଛାଡ଼ି ୟୁପିଏରେ ଯୋଗଦେବାପରେ ବିଜେପି ସତର୍କ ହୋଇପଡ଼ିଛି। ଏହି କାରଣରୁ ଲୋକ ଜନଶକ୍ତି ପାର୍ଟି (ଏଲଜେପି)କୁ ବାଧ୍ୟହେଇ ଗୁରୁତ୍ବ ଦେବାକୁ ପଡ଼ିଛି। ବିହାରରେ ଜେଡି(ୟୁ) ୧୭ଟି ଆସନ ଓ ଏଲ୍‌ଜେପି ୬ଟି ଆସନରେ ଲଢ଼ିବା ପାଇଁ ବିଜେପି ରାଜି ହେବା ସହ ରାମବିଳାସ ପାଶୱାନଙ୍କୁ ରାଜ୍ୟସଭାକୁ ପଠାଇବାକୁ ମଧ୍ୟ ସମ୍ମତି ପ୍ରଦାନ କରିଥିବା ଜଣାପଡ଼ିଛି। ୨୦୧୪ରେ ୩୦ ଆସନରେ ପ୍ରାର୍ଥୀ ଦେଇ ୨୨ଟିରେ ବିଜୟଲାଭ କରିଥିଲେ ହେଁ ଏଥର ୧୭ଟିରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ରାଜି ହେବା ବିଜେପିର ବାଧ୍ୟବାଧକତାକୁ ହିଁ ସୂଚାଇଥାଏ।
ଅନ୍ୟପକ୍ଷରେ ଯେତିକି ଅଧିକ ମେଣ୍ଟ ବା ସାମ୍ମୁଖ୍ୟ ଗଠନ ହେବ ବା ସେଥିପାଇଁ ଉଦ୍ୟମ ଚାଲିବ, କଂଗ୍ରେସ ଓ ୟୁପିଏ ପାଇଁ ତାହା ସେତିକି ବିପଦର କାରଣ ହେବ। ସେଥିପାଇଁ କଂଗ୍ରେସକୁ ସତର୍କ ରହିବାକୁ ପଡ଼ିବ ଏବଂ ନିଜର ରଣନୀତିକୁ ମଧ୍ୟ ବଦଳାଇବାକୁ ପଡ଼ିବ। ଯଦି ଆଗାମୀ ସାଧାରଣ ନିର୍ବାଚନରେ ଝୁଲା ସଂସଦ ଗଠନର ବାଧ୍ୟବାଧକତା ଦେଖାଦିଏ, ତେବେ ଆଞ୍ଚଳିକ ଦଳଗୁଡ଼ିକ ଯେ ପ୍ରମୁଖ ଭୂମିକା ତୁଲାଇବେ, ତାହା ନିଶ୍ଚିତ।

Leave A Reply