ବିଶ୍ୱ ହକି ପ୍ରତିଯୋଗିତା ପରେ

0

ପଦ୍ମଚରଣ ନାୟକ

ହକି ବିଶ୍ୱର ଖୁବ କମ ଦେଶରେ ଖେଳାଯାଏ। ତେବେ ଭାରତବର୍ଷରେ, ବିଶେଷକରି ଓଡିଶାରେ କ୍ରିକେଟ, ଫୁଟବଲ ତଳକୁ ହକିର ଲୋକପ୍ରିୟତା ଅଛି ଯଦିଓ ଏହି ଖେଳର କଳା କୌଶଳର ବିଗତ ପଚାଶବର୍ଷ ମଧ୍ୟରେ ଖୁବ ବଦଳିଛି । ବିଶ୍ୱସ୍ତରୀୟ ହକି ପ୍ରତିଯୋଗିତା ଭୁବନେଶ୍ୱରକୁ ମାସାଧିକ କାଳ ଚଳଚଂଚଳ ଓ ଝଲମଲ କରିଦେଇଥିଲା । ଏହି ପ୍ରତିଯୋଗିତାକୁ ଚମତ୍କାର ଭାବରେ ପରିଚାଳନା କରିଥିବାରୁ ଓଡିଶା ଓ ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୌରବାନ୍ୱିତ ।
ବିଜୟୀ ବେଲଜିୟମ ଓ ରନର ଅପ୍‌ ନେଦରଲାଣ୍ଡ୍ସ ଚୂଡାନ୍ତ ଖେଳ ସମପର୍ଯ୍ୟାୟର ଥିଲା, ଆଉ ସେଥିରେ ନ ଥିଲା ସେମାନେ ପୂର୍ବରୁ ଖେଳିଥିବା ଚମକ । ଉଭୟ ଦଳ କ୍ଳାନ୍ତ ହୋଇପଡିଥିଲେ ବା ପରାଜୟ ଏଡାଇବାକୁ ଅଧିକ ସତର୍କତାର ସହ ଖେଳିଥିଲେ। ବେଲଜିୟମ ଦଳର ଦୁଇଜଣ ଦକ୍ଷ ଖେଳାଳି ଆହତ ହୋଇ ପ୍ରତିଯୋଗିତାର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଂଶଗ୍ରହଣ କରି ନଥାଇ ବି ଦଳର ଏହି ବିଜୟକୁ ଭାଗ୍ୟଦେବୀଙ୍କ ଶୁଭଦୃଷ୍ଟି ବୋଲି କୁହାଯାଇପାରିବ । ତରୁଣ ଖେଳାଳିଙ୍କ ମଧ୍ୟରେ ନେଦରଲାଣ୍ଡ୍ସର ଥିସ୍ ଭାନ୍ ଡାମଙ୍କୁ ସମ୍ମାନିତ କରାଯାଇଥିଲେ ହେଁ ବେଲଜିୟମର ଉଦୀୟମାନ ଖେଳାଳି ଆଲେକଜାଣ୍ଡାର୍ ହେଣ୍ଡ୍ରିକ୍ସ ଅନ୍ୟତମ ସର୍ବୋଚ୍ଚ ଗୋଲ୍ ସ୍କୋରର୍(୬ଟି) ଗୌରବ ଅର୍ଜନ କରିଥିଲେ । ଭାରତ ବିରୋଧରେ ବେଲଜିୟମ ଖେଳରେ ସେ ଯେଉଁ ପ୍ରଥମ ଗୋଲଟି ଦେଇଥିଲେ ତାହା ଭାରତୀୟ ଗୋଲ ରକ୍ଷକଙ୍କ ଦୁଇଗୋଡ ମଧ୍ୟରେ ଚାଲିଯିବା ସବୁ ଦର୍ଶକଙ୍କୁ ଅବାକ୍ କରିଦେଇଥିଲା।
କ୍ଷୁଦ୍ର ବେଲଜିୟମ୍ ଓ ନେଦରଲାଣ୍ଡ୍ସ ପଶ୍ଚିମ ଇଉରୋପର ଦୁଇ କ୍ଷୁଦ୍ର ପଡୋଶୀ ରାଜ୍ୟ। ଏହି ଦୁଇ ରାଜ୍ୟର ଆୟତନ ଓଡିଶା ଆୟତନର ଚାରିଭାଗରୁ ଭାଗେ ହେବ ଏବଂ ଲୋକସଂଖ୍ୟା ଓଡିଶା ଲୋକ ସଂଖ୍ୟାର ପ୍ରାୟ ତିନି ଭାଗରୁ ଭାଗେ ।
ଏହି କ୍ଷୁଦ୍ର ଦେଶଦ୍ୱୟ ଖାଲି ହକିରେ ନୁହେଁ, ଫୁଟବଲ ତଥା ଅନ୍ୟାନ୍ୟ ଖେଳ କସରତରେ ଉଲ୍ଲେଖନୀୟ ଗୌରବ ଅର୍ଜନ କରିଛନ୍ତି। ଚଳିତ ବର୍ଷ ରୁଷରେ ଅନୁଷ୍ଠିତ ହୋଇଥିବା ଫୁଟବଲ ଖେଳରେ ବେଲଜିୟମ ଦଳ ବେଶ ଭଲ ଖେଳ ପ୍ରଦର୍ଶନ କରିଥିଲା। ଅଲମ୍ପିକ କ୍ରୀଡାରେ ବି ଉଭୟ ଦେଶ ଗୌରବମୟ ସାଫଲ୍ୟ ଅର୍ଜନ କରିଛନ୍ତି। ଖେଳ ଛଡା ବୌଦ୍ଧିକ ଓ ସାଂସ୍କୃତିକ ଦିଗରେ ଏହି ଦୁଇ ଦେଶର ଉତ୍କର୍ଷ ଲକ୍ଷ୍ୟକଲେ ଲଜ୍ଜିତ ହେବାକୁ ପଡେ । ବେଲଜିୟମବାସୀ ୧୧ଟି ନୋବେଲ ପୁରସ୍କାର ପାଇଥିବା ବେଳେ କ୍ଷୁଦ୍ର ନେଦରଲାଣ୍ଡ୍ସବାସୀ ୨୧ଟି ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି । ପାଠକମାନେ ପ୍ରାୟ ଜାଣିଥିବେ, ଓଡିଶା କଥା ଛାଡନ୍ତୁ, ବିରାଟ ଭାରତର ଅଧିବାସୀ ଏପର୍ଯ୍ୟନ୍ତ ୬ଟି ନୋବେଲ ପୁରସ୍କାର ଲାଭ କରିଛନ୍ତି । ଶିଳ୍ପ ବିପ୍ଳବ ପରେ ପଶ୍ଚିମ ଇଉରୋପର ଲୋକେ ଦୁଇ ମହାସମରର ଯନ୍ତ୍ରଣା ଅତିକ୍ରମ କରି ବିଭିନ୍ନ ଦିଗରେ ପୁନରୁତ୍‌ଥାନର ସାଧନା ଚଳାଇ ରଖିଥିଲେ । ତାହା ସେସବୁ ଦେଶକୁ ବିଭିନ୍ନ ବିଭାଗରେ ଉତ୍‌କର୍ଷର ଶିଖରରେ ପହଂଚାଇଛି, କିନ୍ତୁ ଓଡିଶା ତଥା ଭାରତବର୍ଷର ନେତାମାନେ (ସବୁ କ୍ଷେତ୍ରର) ନିଜର ଦୁର୍ବଳତା ପ୍ରତି ଆଖିବୁଜି ଦେଇ ସାମାନ୍ୟ ସାଫଲ୍ୟରେ ଆତ୍ମପ୍ରସାଦ ଲାଭ କରନ୍ତି ଏବଂ ତା’କୁ ହିଁ ପ୍ରଚାରକରି ଚାଲନ୍ତି।
ବିଶ୍ୱହକି ପ୍ରତିଯୋଗିତାର ଶେଷଦିନ ଓଡିଆ ଖବରକାଗଜମାନଙ୍କରେ ‘ସେଲଫି ନେଲାବେଳେ ଭାସିଗଲେ ଯୁବକ’ ଶୀର୍ଷକ ଛୋଟ ଖବରଟି କେତେ ଲୋକଙ୍କ ଆଖିରେ ପଡିଥିବ ଜାଣେନା । ନଦୀ, ନାଳ, ଜୋର, ଚୁଅାରେ ବୁଡି ମରିବା ଆମ ରାଜ୍ୟର ଏକ ନିତିଦିନିଆ ଘଟଣା । ମଣିଷ ଜୀବନର ମୂଲ୍ୟ ଅତି ମାମୁଲି ବୋଲି ଏଭଳି ଖବର ଦେହସୁହା ହୋଇଗଲାଣି । କିଛିବର୍ଷ ତଳେ ଜର୍ମାନୀରେ ବର୍ଷାଦିନେ ୪ଟି ପିଲାଙ୍କ ବୁଡିମରିବା ଖବରରେ ବିବ୍ରତ ହୋଇ ଜଣେ ନିଜ ହତା ମଧ୍ୟରେ ‘ସୁଇମିଙ୍ଗ ପୁଲ୍’ ପ୍ରସ୍ତୁତ କରି ପାଞ୍ଚବର୍ଷିଆ ପିଲାଙ୍କୁ ପହଁରା ଶିଖାଇଲେ । ପରେପରେ ଚାରିବର୍ଷିଆ ତିନିବର୍ଷିଆ ଓ ବର୍ଷିକିଆ ପିଲାଙ୍କୁ ବି ପହଁରା ଶିଖାଇଲେ। ପିଲାଟି ମା’ ଗର୍ଭରେ ଶେଷ ବେଳକୁ ଗୋଡହାତ ହଲାଇ ପହଁରୁଥାଏ । ଏଣୁ ବର୍ଷକରୁ କମ ବୟସର ପିଲାଙ୍କୁ ବି ସେ ପହଁରା ଶିଖାଇଲେ । କେବଳ ସେମାନଙ୍କ ନାକ ପାଟିରେ ଯେଭଳି ପାଣି ପଶି ସେମାନେ ଅଣନିଃଶ୍ୱାସୀ ନ ହୁଅନ୍ତି ସେଥିପ୍ରତି ବ୍ୟବସ୍ଥା କରିଥିଲେ । ତାଙ୍କର ଏ ସାଫଲ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜର୍ମାନୀର ବିଭିନ୍ନ ସ୍ଥାନରେ ଏଭଳି ପହଁରା ଶିଖାଗଲା । ଏହାଫଳରେ ଜଣେ ବି ପିଲା ପାଣିରେ ବୁଡି ମଲେନାହିଁ।
ଆମ ରାଜ୍ୟରେ ବର୍ଷକୁ ପ୍ରାୟ ୩୬୫ ଜଣ ନଈ, ନାଳ କ୍ଷୁଦ୍ର ଜଳାଶୟରେ ମରନ୍ତି। ନଈଗୁଡିକରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ନଦୀ ବହୁଳ ଅଂଚଳରେ ବି ପୂର୍ବଭଳି ବନ୍ୟା ହେଉନାହିଁ ଏବଂ ଚତୁର୍ମାସ୍ୟା ଛଡା ଅନ୍ୟଦିନରେ ସେସବୁ ନଈର ଗଣ୍ଡଛଡା ଅନ୍ୟତ୍ର ପ୍ରବାହ ନାହିଁ। ଘର ପାଖରେ କୂଅ ଏବଂ ଟ୍ୟୁବୱେଲ୍‌ ଥିବାରୁ ପିଲାମାନେ ନଈକୁ ଗାଧୋଇବାକୁ ଯାଉନାହାନ୍ତି । ଫଳରେ ନଈକୂଳିଆ ଅଂଚଳରେ ବି ପହଁରା ଅଭ୍ୟାସ ନାହିଁ ।
ଏହି ଲେଖକ ବରୀର ଗୋପବନ୍ଧୁ ରମାଦେବୀ ଆଶ୍ରମରେ ଥିଲାବେଳେ ଖବର ପାଇଥିଲା ଯେ ପାଖ ରାମଚନ୍ଦ୍ରପୁର ବଜାରର ଦଶହରା ଉତ୍ସବ ଦେଖିବାକୁ ନଦୀ ଆରପଟର ଲୋକେ ଫେରୁଥିଲାବେଳେ ଡଙ୍ଗା ବୁଡିଯିବାରୁ ଜଣେ ଯୁବକ ଏକାଧିକ ଲୋକଙ୍କୁ ରକ୍ଷାକରିବା ପରେ ଜଣେ ମହିଳାଙ୍କୁ ରକ୍ଷା କରିବାକୁ ଯାଇ ନିଜେ ମରିଗଲେ। ପରବର୍ଷ ବନ୍ୟାପରେ ଉକ୍ତ ନଦୀ ଘାଟ​‌େ​‌ର ଏକ ସନ୍ତରଣର ଆୟୋଜନ ହୋଇଥିଲା ଯେଉଁଥିରେ ଏଗାରବର୍ଷର ବାଳକଠାରୁ ଆରମ୍ଭକରି ଷାଠିଏ ବର୍ଷ ବୟସର ବୁଢୀ ବି ଅଂଶଗ୍ରହଣ କରିଥିଲେ । ସନ୍ତରଣ ସମୟରେ ସନ୍ତରଣକାରୀଙ୍କ ପାଖେପାଖେ ନୌକା ଥିଲା । ପମ୍ପ ଦିଆଯାଇଥିବା ମଟର ଗାଡିର ଟ୍ୟୁବ ମହଜୁଦ ଥିଲା। ସନ୍ତରଣକାରୀଙ୍କୁ କୁହାଯାଇଥିଲା କ୍ଳାନ୍ତ ହେଲେ ହାତ ଟେକି ଇସାରା ଦେବେ। ଏହି ଗଣସନ୍ତରଣ ପ୍ରତିଯୋଗିତା ବରୀ ଅଂଚଳରେ ବେଶ ଉତ୍ସାହ ସୃଷ୍ଟି କରିଥିଲା । ଏଭଳି ଗଣସନ୍ତରଣ ଓ ସନ୍ତରଣ ପ୍ରତିଯୋଗିତା କରାଇବା ଲାଗି ଏହି ଲେଖକ ଏକାଧିକ ବାର ସମ୍ବାଦପତ୍ରରେ ଅନୁରୋଧ କରିଥିଲା, କିନ୍ତୁ ଜାଣେନା ଓଡିଶା କେଉଁଠି ଏ ଦିଗରେ ପ୍ରଚେଷ୍ଟା ହୋଇଛି । କେବଳ ସମ୍ବଲପୁରରେ ସନ୍ତରଣ ଶିକ୍ଷା ଓ ପ୍ରତିଯୋଗିତାର ଏକ ଐତିହ୍ୟ ରହିଛି, କିନ୍ତୁ ତାହା ସାର୍ବଜନୀନ ନ ହେଲା ଫଳରେ ସହରପାଖ ବୁର୍ଲାରେ କିଛି ଯୁବକ ଜଳଭଣ୍ଡାରକୁ ଗାଧୋଇଯିବା ବେଳେ ଅସାବଧାନତା ଯୋଗୁ ବୁଡିମରିବା ଖବର ଶୁଣାଯାଇଥିଲା । ଭାରତବର୍ଷର କେରଳ ଓ ପଶ୍ଚିମବଙ୍ଗରେ ପ୍ରତିବର୍ଷ ନଦୀରେ ଦୀର୍ଘପଥ ସନ୍ତରଣର ପ୍ରତିଯୋଗିତା ଚାଲେ । ଯୁକ୍ତରାଷ୍ଟ୍ର ଆମେରିକାର ଆଣ୍ଡିଜ୍ ପର୍ବତ ବକ୍ଷଚିରି ପ୍ରଶାନ୍ତ ମହାସାଗରରେ ପଡିଥିବା କଲରାଡୋ ନଦୀର ଏକ ଅନ୍ଧକାରମୟ ଅଂଶକୁ ସନ୍ତରଣ କରିବାକୁ ପ୍ରାୟ ଚବିଶ ଘଣ୍ଟା ଲାଗେ । ଜନ କେନେଡିଙ୍କ ଭାଇ ରବର୍ଟ କେନେଡି ନିଜର ଶୌର୍ଯ୍ୟ ପ୍ରଦର୍ଶନ ପାଇଁ ସେଭଳି ଗର୍ଜ ମଧ୍ୟରେ ସନ୍ତରଣ କରିଥିଲେ ବୋଲି ଖବର ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ପାଶ୍ଚାତ୍ୟ ଦେଶମାନଙ୍କର ଓ ଅଷ୍ଟ୍ରେଲିଆରେ ସମୁଦ୍ରରେ ପହଁରିବା ଏକ ସାଧାରଣ କଥା । ‘ଇଂଲିଶ ଚାନେଲ’ ସନ୍ତରଣ ଏବେ ଆଉ ଏକ ବିଶେଷ ଖବର ନୁହେଁ । ଏହି ଲେଖକର ସହପାଠୀ ମିହିର ସେନ୍ ଇଂଲିଶ ଚାନେଲ ବହୁବାର ପ୍ରଚେଷ୍ଟା ପରେ ଅତିକ୍ରମ କରିବାକୁ ସମର୍ଥ ହୋଇଥିଲେ, କିନ୍ତୁ ତାଙ୍କ ପୂର୍ବରୁ ଏକାଧିକ ମହିଳା ପ୍ରଥମଥର ପ୍ରଚେଷ୍ଟାରେ ଇଂଲିଶ ଚାନେଲକୁ ଡୋଭରଠାରୁ କାଲେ ପର୍ଯ୍ୟନ୍ତ କିଲୋମିଟର ସନ୍ତରଣ କରିଥିଲେ । ଅଷ୍ଟ୍ରେଲିଆର ଉପକୂଳବାସୀଙ୍କର ସମୁଦ୍ରରେ ପହଁରିବା ଏକ ଖେଳ । ସେଠାକାର ଜଣେ ପ୍ରଧାନମନ୍ତ୍ରୀ ସମୁଦ୍ରରେ ପହଁରିଲା ବେଳେ ସାର୍କ (ମଗର) ଆକ୍ରମଣର ଶିକାର ହୋଇ ମୃତ୍ୟୁ ମୁଖରେ ପଡିଥିଲେ । ଏଣୁ ସାର୍କ ବହୁଳ ସମୁଦ୍ରକୂଳରେ ପହଁରିବାର ନିରାପତ୍ତା ଲାଗି ଜାଳି ଦିଆଯାଏ, କିନ୍ତୁ ସମୁଦ୍ରରେ ପହଁରିବାର ମଜା ଛାଡିବାର ନୁହେଁ।
ଦରିଦ୍ର ଓଡିଶାର ରାଜକୋଷରୁ ବିଶ୍ୱହକି ପ୍ରତିଯୋଗିତା ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି, କିନ୍ତୁ ଯେଉଁ ଖେଳ ଶିଖିଲେ ଶହଶହ ଲୋକଙ୍କ ଜୀବନ ରକ୍ଷା ହୋଇପାରନ୍ତା ସେଭଳି ଖେଳ ଶିଖିବା ପାଇଁ ବେଶୀ ଅର୍ଥର ଆବଶ୍ୟକତା ନାହିଁ । ଜଳାଶୟ ଥିବା ପ୍ରତି ପଞ୍ଚାୟତରେ ସନ୍ତରଣ ଶିକ୍ଷା ପାଇଁ ଆଗ୍ରହ ଦେଖାଦିଅନ୍ତା ଏବଂ ସନ୍ତରଣର ପ୍ରତିଯୋଗିତା ହୋଇପାରନ୍ତା । ଏ ଦିଗରେ ଅଧିକ ଆଗ୍ରହ ସୃଷ୍ଟିକରିବା ଲାଗି ସବୁଲୋକ ସନ୍ତରଣ ଜାଣିଥିବା ଗାଁକୁ ପୁରସ୍କୃତ କରାଯାଇପାରନ୍ତା । ଯେଉଁ ରାଜ୍ୟରେ ପୁରୀଠାରୁ ଭୁବନେଶ୍ୱର ଦୌଡୁଥିବା ବୁଦ୍ଧିଆକୁ ‘ନିର୍ବୁଦ୍ଧିଆ’ କରିଦିଆହେଲା ସେ ରାଜ୍ୟରେ ଏହା ଆଶା କରିବା ନିରର୍ଥକ ।
ଓଡିଶାରେ ଏଭଳି ଏକ ନେତୃତ୍ୱ ପାଇଁ ବେଶ କିଛି ଅପେକ୍ଷା କରିବାକୁ ପଡିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ କି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ନାହିଁ। ଖାଲି ସନ୍ତରଣ ନୁହେଁ, ଓଡିଶାରେ କୌଣସି ଖେଳ କସରତର ମାହୋଲ ନାହିଁ । ଯେଉଁ ଜାତି ନୌବାଣିଜ୍ୟ ଲାଗି ସାତ ସମୁଦ୍ର ପାର ହେଉଥିଲା ତା’ର ନାବିକମାନେ ନିଶ୍ଚୟ ଭଲ ସନ୍ତରଣକାରୀ ହୋଇଥିବେ । ଏଣୁ କାର୍ତ୍ତିକପୂର୍ଣ୍ଣମୀ ପୂର୍ବ ରାତି ପାହାନ୍ତାରୁ କାଗଜ ଡଙ୍ଗା ଭସାଇ ସମଗ୍ର ରାଜ୍ୟରେ ସନ୍ତରଣ ପ୍ରତିଯୋଗିତା ହେଉ। ଖାଲି ସନ୍ତରଣ ନୁହେଁ, ୧୦ କିଲୋମିଟର ଦୌଡିବା ଲାଗି ଆମ ଯୁବକଯୁବତୀମାନେ ସକ୍ଷମ ନୁହନ୍ତି । ଶାରୀରିକ ଶୌର୍ଯ୍ୟ ପାଇଁ ଆଗ୍ରହ ଦେଖାଦେଲେ ସେମାନେ ପୁଲିସ ଓ ସାମରିକବାହିନୀରେ ବି ନିଯୁକ୍ତିର ଅଧିକ ସୁଯୋଗ ପାଇବେ।

Leave A Reply