କୃଷିଋଣ ଛାଡ଼ ପ୍ରକୃତ ସମାଧାନ ନୁହେଁ

0

ଅଜୟ କୁମାର ପଣ୍ଡା

କୃଷିପ୍ରଧାନ ଦେଶ ଭାରତର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ଦେଶ ସ୍ବାଧୀନ ହୋଇ ତା’ର ୭୫ ବର୍ଷ ପାଳନ କରିବାକୁ ଯାଉଥିବାବେଳେ ଦେଶରେ କୃଷକଙ୍କ ଆତ୍ମହତ୍ୟା ଜାରି ରହିଛି। ଏକ ସର୍ବେକ୍ଷଣରୁ ଜଣାଯାଏ ବିଗତ ତିନିବର୍ଷ ମଧ୍ୟରେ ୩୬ ହଜାର କୃଷକ ଏବଂ କୃଷି ସମ୍ପର୍କିତ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଦେଖିବାକୁ ଗଲେ ହାରହାରି ବର୍ଷକୁ ୧୨୦୦ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ଏତେ ସଂଖ୍ୟାରେ କୃଷକ ଆତ୍ମହତ୍ୟା କରୁଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସରକାର କାହଁକି ତା’ର କାରଣ ଖୋଜି ପାଇନାହାନ୍ତି ତାହା ବିଚାର୍ଯ୍ୟ ବିଷୟ। ସାରା ଭାରତରେ ଅନେକଥର କୃଷକଙ୍କ ଆନ୍ଦୋଳନ ହୋଇଛି। କେତେବେଳେ ଦିଲ୍ଲୀର ଜନପଥ ତ ଆଉ କେତେବେଳେ ରାଜ୍ୟ ରାଜଧାନୀରେ। ଅନେକ ଲାଠିମାଡ଼, ଗୁଳିଗୋଳା ଖାଇଛନ୍ତି ଓ ସହିଛନ୍ତି ମଧ୍ୟ। ମଧ୍ୟପ୍ରଦେଶର ମନ୍ଦସୌର ଘଟଣା ସମସ୍ତଙ୍କୁ ଜଣା। ଓଡ଼ିଶାରେ ମଧ୍ୟ କୃଷକମାନଙ୍କ ପାଇଁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଏବଂ ପେନସନ ଦାବି ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଲାଗି ରହିଛି, କିନ୍ତୁ କୃଷକର ଉନ୍ନତି ପାଇଁ କିଛି ଠୋସ ଫଳ ମିଳିପାରୁନାହିଁ।
ସତରେ କ’ଣ କୃଷକ ଆଜି ରାଜନୀତିର ଚକ ତଳେ ପେଷି ହୋଇଯାଇଛି। କୃଷକର ଉନ୍ନତି ବିନା ରାଷ୍ଟ୍ରର ଉନ୍ନତି ସମ୍ଭବ ନୁହେଁ କାଲି ସ୍ବର୍ଗତ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଯେଉଁ ନାରା ଦେଇଥିଲେ ‘ଜୟ ଯବାନ ଜୟ କିଷାନ’, ତାହା ଆଜି କେବଳ ସ୍ଲୋଗାନରେ ରହିଯାଇଛି। କୃଷିଋଣ ଛାଡ଼ ହେବା ଆଜି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ସରକାର କୃଷିଋଣ ଏବଂ ଜଳକର ଛାଡ଼ କରିଛନ୍ତି। ତେବେ ଋଣଛାଡ଼ କରିବା ବ୍ୟତୀତ କୃଷକଙ୍କର କିପରି ଉନ୍ନତି ହେବ, ସେଥିପାଇଁ ଏକ ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁୁତ କରିପାରି ନାହାନ୍ତି।
୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ କୃଷି ଋଣ ଛାଡ଼ କରିବାପାଇଁ ଯେଭଳି ପ୍ରତିଦ୍ବନ୍ଦ୍ବିତା ଲାଗିଛି ରାଜନୈତିକ ଦଳମାନଙ୍କ ନିକଟରେ, ତାହା ଆଗରୁ ପରିଲକ୍ଷିତ ହେଉ ନଥିଲା। ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଋଣଛାଡ଼ ପଦାଙ୍କ ଅନୁସରଣ କରିଥିଲା କର୍ଣ୍ଣାଟକ। ଏହା ପରେପରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ କଂଗ୍ରେସର ଋଣଛାଡ଼ ଘୋଷଣା ହିଁ ଦଳକୁ ବିଜୟୀ କରାଇବାରେ ସଫଳ ହୋଇଥିଲା। ଏହି ସଫଳତାରେ ଉତ୍ସାହିତ ହୋଇ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ଘୋଷଣା କଲେଣି ଯେପର୍ଯ୍ୟନ୍ତ ସାରା ଭାରତବର୍ଷରୁ କୃଷକର ଋଣ ଛାଡ଼ କରାନଯାଏ ସେଯାଏ ସେ ପ୍ରଧାନମନ୍ତ୍ରୀଙ୍କୁ ଶାନ୍ତିରେ ଶୋଇବାକୁ ଦେବେ ନାହିଁ। ଏଇଠି ପ୍ରଶ୍ନ ଉଠେ କୃଷିଋଣ ଛାଡ଼ କରିଦେଲେ କ’ଣ କୃଷକର ଉନ୍ନତି ହୋଇପାରିବ? କୃଷିଋଣ ଛାଡ଼ କଲେ କୃଷକ ଆଉ ଆତ୍ମହତ୍ୟା କରିବ ନାହିଁ କାଲି ସରକାର କହିପାରିବେ କି? କୃଷିଋଣ ଛାଡ଼ କଲେ କୃଷକର ପିଲା ଉଚ୍ଚଶିକ୍ଷା ଲାଭ କରିପାରିବ କି? କୃଷିଋଣ ଛାଡ଼ କରାଗଲେ କୃଷକ ପରିବାର ତା’ର ରୋଗବ୍ୟାଧିର ଖର୍ଚ୍ଚ ତୁଲାଇ ପାରିବ କି?
ସାଧାରଣତଃ ଏକ ହିସାବକଲେ ଏକ ଏକର ଜମିରେ ଧାନ ଚାଷ କଲେ ଖର୍ଚ୍ଚ ହୁଏ ପାଖାପାଖି ୨୦ହଜାର ଏବଂ ସେଥିରୁ ଅମଳ ଧାନର ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ କିଣିଲେ ମୂଲ୍ୟ ମିଳେ ୩୦୦୦/-। ଏଥିରେ ଜଣେ କୃଷକ ତା’ର ପରିବାର ଚଳାଇବା ସମ୍ଭବ ହୋଇନପାରେ। ସେଥିପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରଣୟନ କରିବାକୁ ସରକାର ନିଷ୍ଠାବାନ ହେବା ଦରକାର। ଏକ ନିର୍ବାଚିତ ସରକାର ସମଗ୍ର ରାଜ୍ୟର ଜନସାଧାରଣଙ୍କଠାରୁ ଆଦାୟ କରୁଥିବା କରକୁ ସମୂହ ଉଦ୍ଦେଶ୍ୟରେ ବିନିଯୋଗ ନକରି ଏକ ସୁଚିନ୍ତିତ ଉପାୟରେ ଶାସନ ଗାଦି ଦଖଲ କରିବା ପାଇଁ ରାଜ୍ୟ ରାଜକୋଷକୁ ଏଭଳି ଖର୍ଚ୍ଚ କରିବା କେତେଦୂର ଯୁକ୍ତିଯୁକ୍ତ? ଗୋଟିଏ ରାଜ୍ୟରେ କେବଳ କୃଷକ ନୁହନ୍ତି, ଅନେକ କ୍ଷୁଦ୍ର, ମଧ୍ୟମ ଓ ନାମମାତ୍ର ବ୍ୟବସାୟୀ ଅଛନ୍ତି ଯେଉଁମାନେ କି ଋଣଭାରରେ ବୁଡ଼ିରହିଛନ୍ତି ଓ ଆର୍ଥିକ ଅନଟନରେ ପଡ଼ି ମୃତ୍ୟୁବରଣ କରୁଛନ୍ତି। ସରକାର ସେମାନଙ୍କ ଋଣଛାଡ଼ କରିପାରିବେ କି ?
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସମ୍ବିଧାନର ନିୟମ ଅନୁଯାୟୀ ଲାଞ୍ଚଦେବା ଓ ନେବା ଉଭୟ ଅପରାଧ। ହଜାରହଜାର କୋଟି ଟଙ୍କା କୃଷିଋଣ ଛାଡ଼ କରିବା ଅର୍ଥ ଲାଞ୍ଚ ଦେବାସହ ସମାନ ନୁହେଁ କି? ଯଦି ପ୍ରଲୋଭନ ଦେଖାଇ ଭୋଟ ନିଆଯାଏ ତା’ହେଲେ ନିର୍ବାଚନ ବୈଧ ହେବ କିପରି ? ନିର୍ବାଚନ ଆୟୋଗ ଏ ବିଷୟରେ ଗୁରୁତ୍ବରସହ ବିଚାର କରିବା ଉଚିତ। କୃଷକର ଉନ୍ନତି ପାଇଁ ହଜାରହଜାର କୋଟିଟଙ୍କା ଋଣଛାଡ଼ ନକରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ବହୁତଳ ବିଶିଷ୍ଟ ଘର ନିର୍ମାଣ କରି କୃଷିଜାତ ସାମଗ୍ରୀ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟର ସୁବିଧା କରିବାସହ ଗ୍ରାମାଞ୍ଚଳରୁ କୃଷକର ସାମଗ୍ରୀକୁ ସଂଗ୍ରହ କଲେ ଅଧିକ ଉପକାର ମିଳନ୍ତା। ଯଦି ଏହି ଯୋଜନା କରାଯାଏ ତା’ହେଲେ ଭାରତବର୍ଷରେ ୫ଲକ୍ଷ ନିଯୁକ୍ତି ସୃଷ୍ଟି ହେବାସହ କୃଷକ ତା’ର ସାମଗ୍ରୀର ମୂଲ୍ୟ ପାଇପାରିବ।
meetajaya13@gmail.com

Leave A Reply