ରାଜନୀତିରେ ମହିଳା

0

ପ୍ରଭାସ ମିଶ୍ର

ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ତଥା ରାଜନୀତି କ୍ଷେତ୍ରରେ ସୁଦୃଢ କରିବା ପାଇଁ ବିତର୍କ, ପ୍ରତିଶ୍ରୁତି ତଥା ସ୍ୱଳ୍ପ ପ୍ରୟାସ ବହୁ ପୁରୁଣା। ମହିଳାମାନଙ୍କ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଦୃଢତା ପାଇଁ ମୁଖ୍ୟତଃ ଆମର ସାମାଜିକ ବ୍ୟବସ୍ଥା ଓ ବ୍ୟକ୍ତି ଚିନ୍ତାଧାରା ଦାୟୀ ଥିବା ସ୍ଥଳେ ରାଜନୈତିକ କ୍ଷମତା ପାଇଁ ନୀତିଗତ ସ୍ତରରେ ପରିବର୍ତ୍ତନର ଆବଶ୍ୟକତା ରହୁଛି। ପୁରୁଷପ୍ରାଧାନ୍ୟ, ଅର୍ଥ ଓ ବାହୁବଳ କବଳିତ ରାଜନୀତିରେ ମହିଳାମାନେ ନିର୍ବାଚନରେ ଲଢି ଜିତିବା ନିଶ୍ଚିତରୂପେ କଷ୍ଟକର ବ୍ୟାପାର। ଗାଁଠାରୁ ସହର ଯାଏ ଆଜିକାଲିର ରାଜନୈତିକ ପରିସ୍ଥିତି ଓ ପରିବେଶ ଯାହା ଅଛି ସେଥିରେ ଅଭିଳାଷ ଓ ଦକ୍ଷତା ଥିଲେ ମଧ୍ୟ କେବଳ ମହିଳା କାହିଁକି କୌଣସି ସାଧାରଣ ପୁରୁଷ ମଧ୍ୟ ଏହି କ୍ଷେତ୍ରରେ ରହିବା ପାଇଁ ନିରାପଦ ମଣୁନାହାନ୍ତି। ଯେଉଁ କେତେଜଣ ମହିଳା ଜାତୀୟ ଓ ରାଜ୍ୟ ନିର୍ବାଚନରେ ଲଢି ନିଜର ନେତୃତ୍ବ ସଫଳତାର ସହିତ ଜାହିର କରିଛନ୍ତି ସେମାନେ ମଧ୍ୟ ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।
ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ମହିଳାଙ୍କ ପାଇଁ ନେତୃତ୍ବ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୯୩ ମସିହାରେ ୭୩ ଓ ୭୪ତମ ସମ୍ବିଧାନ ସଂଶୋଧନଦ୍ବାରା କେବଳ ପଞ୍ଚାୟତ ସ୍ତରରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହା ମଧ୍ୟରେ ପଚିଶ ବର୍ଷ ପୂରଣ ହୋଇଯାଇଛି। ଦୀର୍ଘ ପଚିଶ ବର୍ଷ ମଧ୍ୟରେ ପଞ୍ଚାୟତ ସ୍ତରରେ କାର୍ଯ୍ୟଶୈଳୀ ବଦଳିଛି। ଦାୟିତ୍ବ ବଢିଛି। ଅଧିକ ଅର୍ଥ ମଧ୍ୟ ଆସୁଛି, କିନ୍ତୁ ମହିଳାଙ୍କର ନେତୃତ୍ବ ଓ ସ୍ଥିତିରେ କିଭଳି ପରିବର୍ତ୍ତନ ହୋଇଛି ତାହା ସମସ୍ତଙ୍କୁ ଜଣାଥିବ। କେତୋଟି ହାତଗଣତି ସ୍ଥାନ ଛାଡି, ଏବେ ମଧ୍ୟ ପ୍ରାୟ ସମସ୍ତ ସ୍ଥାନରେ ମହିଳାମାନେ ସ୍ବାଧୀନ ଭାବରେ ପଞ୍ଚାୟତରେ କାର୍ଯ୍ୟ କରିପାରୁ ନାହାନ୍ତି। ସେମାନଙ୍କୁ ଘର କାମ ସାରି ବ୍ଲକ ଓ ପଞ୍ଚାୟତ ଅଫିସକୁ ବାରମ୍ବାର ଦୌଡି କାମ କରିବା ସମ୍ଭବ ହେଉନାହିଁ। ତେଣୁ ଅନେକ ସମୟରେ ତାଙ୍କୁ ସ୍ବାମୀଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ। ଅନେକ କ୍ଷେତ୍ରରେ ଦେଖାଯାଇଛି ମହିଳା ପ୍ରତିନିଧିଙ୍କ ତରଫରୁ ତାଙ୍କ ସ୍ବାମୀମାନେ ମଧ୍ୟ ନିଷ୍ପତ୍ତି ନେଇଥାନ୍ତି। ଏ ସବୁ ଅସୁବିଧା ସତ୍ତ୍ୱେ ଏହି ଦୀର୍ଘ ବର୍ଷ ମଧ୍ୟରେ ତୃଣମୂଳ ସ୍ତରରେ ସଫଳ ମହିଳା ନେତୃତ୍ବ ସୃଷ୍ଟି ହୋଇପାରିଛି ଏବଂ ଅନେକଗୁଡିଏ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ପାରୁଛନ୍ତି । ଓଡିଶା ଭଳି କେତେକ ରାଜ୍ୟମାନେ ଆଉ ପାଦେ ଅଧିକ ଯାଇ ମହିଳା ପାଇଁ ସଂରକ୍ଷଣକୁ ୩୩ ଭାଗରୁ ୫୦ ଭାଗକୁ ବୃଦ୍ଧି କରିଛନ୍ତି, କିନ୍ତୁ ମହିଳାମାନଙ୍କ ପାଇଁ ବିଧାନସଭା ଓ ସଂସଦରେ ଆସନ ସଂରକ୍ଷଣ କରିବା ପାଇଁ ୨୦୧୦ ରୁ ପ୍ରୟାସ ହେଉଥିଲେ ମଧ୍ୟ କୌଣସି ନା କୌଣସି କାରଣ ପାଇଁ ବିଲ୍‌ଟି ଅଟକି ଯାଇଛି। ମହିଳାମାନଙ୍କୁ ପଞ୍ଚାୟତରୁ ବିଧାନସଭା ଆସନ ସଂରକ୍ଷଣ ବାବଦରେ ନୀତିଗତ ନିଷ୍ପତ୍ତି ପ୍ରୟାସ କରିବା ପାଇଁ ଦୀର୍ଘ ୨୦ ବର୍ଷ ଲାଗିଗଲା। ତେଣୁ ଆଲୋଚ୍ୟର ବିଷୟ ଏହି ଯେ ରାଜନୈତିକ ଦଳମାନଙ୍କର ମହିଳାମାନଙ୍କୁ ଉଚ୍ଚ ସ୍ତରର ନେତୃତ୍ବରେ ଭାଗୀଦାରିତା ପାଇଁ ସଂରକ୍ଷଣ ବାବଦରେ ପ୍ରକୃତରେ ଇଚ୍ଛାଶକ୍ତି ଅଛି କି? କେବଳ ସଂରକ୍ଷଣ କରିଦେଲେ ମହିଳାମାନଙ୍କ ନେତୃତ୍ବ ସୁଦୃଢ଼ ହୋଇପାରିବ କି?
ବିଶ୍ବର ମୋଟ ସାଂସଦଙ୍କ ମଧ୍ୟରେ ୨୩.୩ ଭାଗ ମହିଳା। ଆମ ଦେଶ ଭାରତରେ ବିଶ୍ବ ହାରଠାରୁ ଯଥେଷ୍ଟ କମ ଅଛି। ଏପରିକି ଧନୀ ଇଉରୋପୀୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତରେ ମହିଳାଙ୍କର ପ୍ରତିନିଧିତ୍ବ କମ ରହିଛି। ସ୍ବିଡେନ, ଡେନମାର୍କ ଓ ଫିନଲାଣ୍ଡ ପ୍ରଭୃତି ଦେଶମାନଙ୍କରେ ମୋଟ ପ୍ରତିନିଧିମାନଙ୍କ ମଧ୍ୟରୁ ପାଖାପାଖି ୪୦ ଭାଗ ମହିଳା ଅଛନ୍ତି। ଆମ ଦେଶରେ ଏହା ୧୨.୧୫ ପ୍ରତିଶତ ଆସନରେ ମହିଳା ପ୍ରତିନିଧିତ୍ବ କରୁଛନ୍ତି। ରାଜ୍ୟମାନଙ୍କର ବିଧାନସଭା ସ୍ତରରେ ମାତ୍ର ୯ ଭାଗ। ଦେଖାଯାଇଛି ଯେ ୧୯୫୧ ମସିହାରେ ପାର୍ଲିଆମେଣ୍ଟରେ ମହିଳାମାନଙ୍କ ପ୍ରତିନିଧିତ୍ବ ୪.୫ ପ୍ରତିଶତ ଥିବା ସ୍ଥଳେ ୧୯୬୨ ମସିହାରେ ଏହା ୬.୧୮କୁ ବୃଦ୍ଧି ପାଇଥିଲା। ୨୦୦୪ଠାରୁ ଏ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଏହା ବୃଦ୍ଧି ପାଉଛି। ୨୦୦୪ ମସିହାରେ ଏହା ୮.୨୯ ଥିବାସ୍ଥଳେ ୨୦୦୯ ରେ ଏହା ୧୦.୮୬ ଓ ୨୦୧୪ ମସିହାରେ ଏହା ୧୨.୧୫କୁ ବୃଦ୍ଧି ପାଇଛି। ଅର୍ଥାତ, ଦୀର୍ଘ ପାଖାପାଖି ୭୦ ବର୍ଷ ମଧ୍ୟରେ ମହିଳାଙ୍କ ପ୍ରତିନିଧିତ୍ବ ହାର ମାତ୍ର ତିନି ଗୁଣ ବୃଦ୍ଧି ଘଟିଛି। ଏହିଭଳି ହାରରେ ଗତି କଲେ ମହିଳାଙ୍କ ପ୍ରତିନିଧିତ୍ବ ହାର ୩୩ ପ୍ରତିଶତରେ ପହଞ୍ଚିବା ପାଇଁ ଆହୁରି ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ବ ସମୟ ଅପେକ୍ଷା କରିବାକୁ ପଡିବ। ଆମ ରାଜ୍ୟ ଓଡିଶାରେ ମଧ୍ୟ ସମାନ ସ୍ଥିତି। ୧୯୫୨ ମସିହାରେ ମୋଟ ୧୪୦ ବିଧାନସଭା ଆସନ ମଧ୍ୟରୁ ମାତ୍ର ତିନୋଟି ଆସନରେ ମହିଳା ଥିଲେ। ୧୯୭୧ ମସିହାରେ ଏହା ସର୍ବନିମ୍ନ ଜଣକୁ ପହଞ୍ଚି ଥିଲେ। ୨୦୦୦ ମସିହାରେ ୧୪୭ ବିଧାନସଭା ଆସନରୁ ସର୍ବାଧିକ ୧୪ଜଣ ବିଧାୟିକା ଥିଲେ, କିନ୍ତୁ ୨୦୦୪ରେ ୧୧ ଓ ୨୦୦୯ ରେ ୯କୁ ହ୍ରାସ ପାଇଥିଲା। ୨୦୧୪ ବିଧାନସଭାରେ ମୋଟ ୧୪ ଜଣ ମହିଳା ବିଧାୟିକା ଅଛନ୍ତି। କହିବା ବାହୁଲ୍ୟ ଯେ ମହିଳାମାନଙ୍କ ପ୍ରତିନିଧିତ୍ବରେ ବୃଦ୍ଧି କୌଣସି ନିର୍ଦିଷ୍ଟ ରାଜନୈତିକ ଦଳ ବା ଶାସନକଳର ପ୍ରୟାସ ପାଇଁ ନୁହେଁ। କୌଣସି କାରଣବଶତଃ ସେହି ମହିଳାମାନେ ନିର୍ବାଚନରେ ଜିତିବା ନିଶ୍ଚିତ ଥିଲା ବୋଲି ସେମାନଙ୍କୁ ପ୍ରାର୍ଥୀ ଭାବରେ ରାଜନୈତିକ ଦଳମାନେ ମନୋନୟନ କରିଥିଲେ। ଅତଏବ,ଏହିଭଳି ହାରରେ ଗତି କଲେ ଓଡିଶା ବିଧାନସଭାରେ ଏକ-ତୃତୀୟାଂଶ ମହିଳାଙ୍କ ଉପସ୍ଥିତି ପାଇଁ ଆହୁରି ଯଥେଷ୍ଟ ଅଧିକ ସମୟ ଲାଗିବ। ମହିଳାମାନଙ୍କୁ ସଂସଦ ଓ ବିଧାନସଭାରେ ସଂରକ୍ଷଣ ପାଇଁ ୨୦୧୦ ମସିହା ମାର୍ଚ୍ଚରେ ୧୦୮ ତମ ସମ୍ବିଧାନ ସଂଶୋଧନ ବିଲ ରାଜ୍ୟ ସଭାରେ ପାସ୍‌ ହୋଇଥିଲା ଏବଂ ଲୋକସଭାରେ ଏହି ବିଲ୍‌ଟି ନ ଆସିପାରି ୨୦୧୪ରେ ଲୋକସଭା ଭଙ୍ଗ ହୋଇଥିଲା। ଏହା ପରେ ଏହି ବିଲଟିର ଭାଗ୍ୟ ଅନିଶ୍ଚିତତାକୁ ଠେଲି ହୋଇଯାଇଥିଲା। ଚଳିତ ଲୋକସଭାରେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଅଧିକ ମହିଳା ପ୍ରତିନିଧି କରୁଥିଲେ ମଧ୍ୟ ସେମାନେ ଏହି ବିଲ ପ୍ରତି ଏତେଟା ଧ୍ୟାନ ଦେଇ ନଥିଲେ । ଏପରିକି କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟିର ଏ ନେଇ ନିର୍ବାଚନ ଇସ୍ତାହାର ଥିଲେ ମଧ୍ୟ ଏଥି ପ୍ରତି ଧ୍ୟାନ ଦିଆଯାଇନି। ରାଜ୍ୟ ସରକାର ମଧ୍ୟ ଦୀର୍ଘ ପାଞ୍ଚ ବର୍ଷ ଧରି ନୀରବତା ପରେ ଏହି ବିତର୍କକୁ ଶେଷ ସମୟରେ ଆଗକୁ ନେଉଛନ୍ତି। ପ୍ରୟାସ ପ୍ରଶଂସନୀୟ, କିନ୍ତୁ ଏହାକୁ ପ୍ରକୃତ ପକ୍ଷେ କାର୍ଯ୍ୟକାରୀ କରିବା ପ୍ରକୃଷ୍ଟ ସମୟ ନୁହେଁ। ଯଦି ରାଜନୈତିକ ଦଳମାନେ ପ୍ରକୃତରେ ଚାହୁଁଥାନ୍ତି ତେବେ ସେମାନେ ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନବେଳେ ଏକ-ତୃତୀୟାଂଶ ପ୍ରାର୍ଥୀ ମହିଳାଙ୍କ ପାଇଁ ସଂରକ୍ଷିତ ରଖିପାରିବେ। ଏଥିପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ନାହିଁ। ଏହା ଦ୍ବାରା ରାଜନୈତିକ ଦଳମାନେ ମହିଳାମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରମାଣ କରିପାରିବେ।
କେବଳ ବିଧାନସଭା ଓ ସାଂସଦରେ ଆସନ ସଂରକ୍ଷଣ କରିଦେଲେ ସମସ୍ୟା ସମାଧାନ ହେବ ନାହିଁ। ମହିଳାମାନେ ରାଜନୀତିରେ ଅଂଶଗ୍ରହଣ କରିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ମହିଳା ପ୍ରତିନିଧିମାନେ ମହିଳା ହିଂସାକୁ ରୋକିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିପାରିବେ, କିନ୍ତୁ ବିଗତ ବର୍ଷମାନଙ୍କରେ ବିଧାନସଭାରେ ମହିଳା ପ୍ରତିନିଧିମାନଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ଅପରାଧ ହ୍ରାସ ଘଟୁନି। ଜାତୀୟ ଅପରାଧ ସର୍ବେକ୍ଷଣ ସଂସ୍ଥା ୨୦୧୬ ଅନୁସାରେ ଓଡିଶାର ସ୍ଥାନ ଭାରତରେ ତୃତୀୟ। ରାଜ୍ୟରେ ଘଟୁଥିବା ମହିଳା ତଥା ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯାତନା କାହାକୁ ଅଛପା ନାହିଁ। ଯେଉଁ କେତେଜଣ ନେତ୍ରୀ ଅଛନ୍ତି ସେମାନେ ଦଳମତ ନିର୍ବିଶେଷରେ ଏ ସବୁ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଦେଖାଯାଏ ନାହିଁ। ଯାହାକିଛି ମତାମତ ତଥା ଯୁକ୍ତି ଆସିଥାଏ ତାହା ରାଜନୀତିଭିତ୍ତିକ। କେବଳ ବିରୋଧୀ ରାଜନୈତିକ ଦଳମାନେ ଏହାକୁ ନେଇ କିଛି ଦିନପାଇଁ ବିତର୍କ ଚାଲୁରଖନ୍ତି। ମହିଳା ନେତୃତ୍ବକୁ ବିକାଶ ତଥା ସୁଦୃଢ କରିବା ପାଇଁ ନିରବଚ୍ଛିନ୍ନ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାର ଆବଶ୍ୟକତା ରହିଛି। ଏହି ଭଳି କାର୍ଯ୍ୟକ୍ରମଗୁଡିକ ପାଇଁ ମଧ୍ୟ ଯଥେଷ୍ଟ ବ୍ୟୟବରାଦ ଆବଶ୍ୟକତା ରହିଛି। ଦେଖାଯାଏ ଯେ, ଏଥିପାଇଁ ସମ୍ପୃକ୍ତ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ବ୍ୟୟ ବରାଦ ୨୦୧୪-୧୫ଆର୍ଥିକ ବର୍ଷରେ ବ୍ୟୟ ବରାଦ ୩୫୫୭.୩୦ କୋଟି ଟଙ୍କା ଥିଲା ଯାହାକି ମୋଟ ବଜେଟର ୮.୩୩ ଭାଗ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୩୪୪୮.୩୨ କୋଟି ଟଙ୍କାକୁ ହ୍ରାସ ପାଇଛି। ଦୀର୍ଘ ବର୍ଷ ଧରି ରାଜ୍ୟର ମୋଟ ବଜେଟର ପରିମାଣ ଯଥେଷ୍ଟ ବୃଦ୍ଧି ହେଉଥିଲେ ମଧ୍ୟ ଏହି ବିଭାଗ ପାଇଁ ସେହି ଅନୁପାତରେ ବୃଦ୍ଧି ହେଉନାହିଁ। ଚଳିତ ବର୍ଷର ବ୍ୟୟ ବରାଦ ‘ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଯୋଜନା’ ମାଧ୍ୟମରେ ୫୫୦କୋଟି ଟଙ୍କା ରଖିଛନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ମହିଳା ସ୍ବୟଂ ସହାୟକ ଦଳମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା। ଯେତେବେଳେ ମହିଳାମାନଙ୍କୁ ସଶକ୍ତୀକରଣ କଥା ମନେପଡେ ସେତେବେଳେ ସରକାର ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା କିମ୍ବା ଅଳ୍ପ ସୁଧରେ ଋଣ କଥା ଭାବିଥାନ୍ତି। ଏହିଭଳି କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ଚାଲିଆସୁଥିଲେ ମଧ୍ୟ ମହିଳା ନେତୃତ୍ବରେ ଆଖିଦୃଶିଆ ପରିବର୍ତ୍ତନ ଆସୁନାହିଁ। ଅନ୍ୟ ପକ୍ଷରେ ଏହି ବିଭାଗରେ ଅନେକଗୁଡିଏ କାର୍ଯ୍ୟକ୍ରମ ଯେଉଁଗୁଡିକ ନିର୍ଯାତିତ ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ସେ ବାବଦରେ ଆବଶ୍ୟକ ବ୍ୟୟ ବରାଦ କରାଯାଇ ନାହିଁ। ଉଦାହରଣ ସ୍ୱରୂପ ୱାନ ଷ୍ଟପ କେନ୍ଦ୍ର ପାଇଁ ମାତ୍ର ୪୩ଲକ୍ଷ ଟଙ୍କା, ନିର୍ଯାତିତ ମହିଳାଙ୍କର ଥଇଥାନ ପାଇଁ ମାତ୍ର ୩ ଲକ୍ଷ ଟଙ୍କା। ଏପରିକି ରାଜ୍ୟ ଦ୍ବାରା ପ୍ରଣୀତ ବିଜୁ କନ୍ୟା ରତ୍ନ ଯୋଜନା ପାଇଁ ୨୦୧୬-୧୭ରେ ୨କୋଟିରୁ ହ୍ରାସ ପାଇ ୨୦୧୮-୧୯ ରେ ୫୦ ଲକ୍ଷ ବ୍ୟୟ ବରାଦ କରାଯାଇଛି। ରାଜ୍ୟରେ ମହିଳାଭିତ୍ତିକ ବଜେଟ ପାଇଁ ଏକ ସ୍ବତନ୍ତ୍ର ବଜେଟ ସେଲ ଚଳାଇବା ପାଇଁ ଗତ ତିନି ବର୍ଷ ଧରି ପ୍ରତ୍ୟେକ ବର୍ଷ ମାତ୍ର ୧୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି ଯାହା କି ଏତେ ବଡ ଦାୟିତ୍ବ ତୁଲାଇବା ସମ୍ଭବ ନୁହେଁ। ଏ ସବୁ ଚିରାଚରିତ ବ୍ୟୟ ବରାଦ ସହିତ ମହିଳାମାନଙ୍କର ନେତୃତ୍ବ ବୃଦ୍ଧି ଦିଗରେ ସେ ଭଳି କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ କିମ୍ବା ବ୍ୟୟବରାଦ ଦେଖାଯାଏ ନାହିଁ।
ଅତଏବ, ସିଦ୍ଧାନ୍ତରେ ଏତିକି କୁହାଯାଇପାରେ ଯେ ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ କ୍ଷମତା ଦେବା ପାଇଁ ପ୍ରୟାସ ରାଜନୈତିକ ଇଚ୍ଛାଶକ୍ତି ବିନା ଆଦୌ ସମ୍ଭବ ନୁହେଁ। ଏହି ଭଳି ଗୁରୁତ୍ବପୂର୍ଣ୍ଣ ବିଷୟକୁ କେବଳ ରାଜନୀତିର ପ୍ରକ୍ରିୟା ନ କରି କିଭଳି ନୀତିଗତ ନିଷ୍ପତ୍ତି ନିଆଯାଇପାରିବ ସେ ନେଇ ପ୍ରୟାସ ରହିବା ଆବଶ୍ୟକ। ଏ ନେଇ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଓ ମହିଳା ଅଧିକାରଭିତ୍ତିକ ନାଗରିକ ସଂଗଠନ ତଥା କାର୍ଯ୍ୟକର୍ତ୍ତାମାନେ ଏକୀକୃତ ସ୍ବର ଉତ୍ତୋଳନ କରିବା ଦରକାର।

Comments
Loading...