ଆମ ବିଶ୍ବାସକୁ ପୋଲା କରନା!

0

ହରିହର ତ୍ରିପାଠୀ

ପୁଣି ଭକ୍ତ ବିଶ୍ୱାସର ହତ୍ୟା ! କାଳିଆକୁ ନେଇ କୋଟିକୋଟି ଭକ୍ତଙ୍କ ଆବେଗ ସହ ଖେଳ ଖେଳୁଛନ୍ତି ଦଇତା, ସେବକ, ପ୍ରଶାସନ, କୋର୍ଟ, କଚେରି ଆଉ ସରକାର । ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଥିବାବେଳେ ଏବେ ଦେବୀ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଯାହା ପ୍ରକାଶ କରିଛନ୍ତି ତାହା ଶୁଣି ଭକ୍ତର ବିଶ୍ୱାସ ଦୋହଲି ଯାଇଛି । ଦାରୁ ମନୋନୟନରେ କୁଆଡେ ଅର୍ଥ କାରବାର ହୋଇଥିଲା । ସେହିଭଳି ପୋଲା ଦାରୁ ଯୋଗୁଁ ନୂତନ ବିଗ୍ରହ ନିର୍ମାଣରେ ବିଳମ୍ବ ହୋଇଥିଲା। କୃଷ୍ଣଚନ୍ଦ୍ରଙ୍କର ଏଭଳି ବିବୃତି ପରେ ଅଗଣିତ ଶ୍ରୀଜଗନ୍ନାଥପ୍ରେମୀ ଆହତ ହୋଇଛନ୍ତି । ମଣିଷ ତା’ର ସ୍ୱାର୍ଥର ପୂର୍ତ୍ତିଲାଗି ଭଗବାନଙ୍କୁ ବି ନେଇ ଖେଳ ଖେଳିପାରେ- ଏକଥା ଦଇତା, ସେବକ, ପ୍ରଶାସନ ପାଖରେ ସହଜ କଥାଟେ ହୋଇପାରେ, ମାତ୍ର ଭକ୍ତଲାଗି ନୁହେଁ।
ମହାପ୍ରଭୁଙ୍କ ଦାରୁମନୋନୟନ ବେଳେ ଦଇତା ସେବକମାନଙ୍କୁ ସତରେ ସ୍ୱପ୍ନାଦେଶ ହୁଏ କି ନାହିଁ ସେ ନେଇ ଭକ୍ତଟିଏ କେବେ ବି ମୁଣ୍ଡ ଖେଳାଇ ନଥାଏ । ମନୋନୟନକର୍ତ୍ତାମାନେ ଯେଉଁଠି ଦାରୁ ଅଛି ବୋଲି କୁହନ୍ତି ଭକ୍ତ ପାଗଳପ୍ରାୟ ଧାଇଁଯାଏ ସେ ଜାଗାକୁ । ଏ ତା’ର ମହାପ୍ରଭୁଙ୍କ ଦାରୁ । ଏଇଥିରେ ଗଢାହେବେ ତାର ପ୍ରାଣପ୍ରିୟ ଯାହାଙ୍କର ମନମୋହନ ରୂପକୁ ଦେଖି ସେ ତାର ନୟନମନ ସାର୍ଥକ କରିବ । ଦାରୁ ବୋଲି ଘୋଷଣା ହେବା ପରେ ନିମ୍ବଗଛ ପାଲଟିଯାଏ ସାକ୍ଷାତ୍ ଈଶ୍ୱର । ଭକ୍ତ ସେ ଗଛକୁ କେବଳ ଦର୍ଶନ କରି ପାଏ ଅନନ୍ତ ସୁଖ। ସେ ଗଛର ପତ୍ରଟିକୁ ଫରୁଆ ଭିତରେ ସାଇତି ରଖି ସେ ତାର ଠାକୁରଘର ଖଟୁଲିରେ ପୂଜାକରେ । ଆଜିବି ଅନେକ ଭକ୍ତ ୨୦୧୫ର ନବକଳେବର ସମୟରେ ମହାପ୍ରଭୁମାନଙ୍କ ଦାରୁ ନିକଟରୁ ସଂଗ୍ରହ କରିଥିବା ନିମ୍ବପତ୍ର, କାଠ, ଡାଳିକୁ ନିଜ ଘର ଠାକୁର ଖଟୁଲିରେ ରଖି ପ୍ରଗାଢ ବିଶ୍ୱାସର ସହ ଫୁଲ, ଚନ୍ଦନ ଦେଇ ପୂଜା କରୁଛନ୍ତି । ସତରେ କ’ଣ ସେଇ ନିମ୍ବପତ୍ର, କାଠ ବା ଡାଳି ଖଣ୍ଡକରେ କାଳିଆ କେଉଁଠି ଲୁଚି ରହିଛନ୍ତି । ନା କାଳିଆ ଅଛନ୍ତି ତାର ବିଶ୍ୱାସରେ । ସେଇ ବିଶ୍ୱାସ ସୃଷ୍ଟିର କ୍ଷୁଦ୍ରାଦପି ଦ୍ରବ୍ୟକୁ ପରିବର୍ତ୍ତିତ କରେ ଅନନ୍ତ ଈଶ୍ୱରରେ । ଦୁର୍ଭାଗ୍ୟ, ଭକ୍ତି ଓ ଭକ୍ତଙ୍କୁ ନେଇ ବ୍ୟବସାୟ କରୁଥିବା କିଛି ଲୋକେ ଏହାକୁ ଏବେ ବି ବୁଝି ପାରୁ ନାହାନ୍ତି ।
ସେମାନେ ଏବେ ବି ବୁଝିବାକୁ ନାରାଜ ଶ୍ରୀଜଗନ୍ନାଥ ଓଡ଼ିଆ ଭକ୍ତର ଠାକୁର ନୁହଁନ୍ତି, ତା’ର ପରିବାରର ସଦସ୍ୟ। ତା’ ଘରର ମୂରବି । ଘରର ସବୁ ନିଷ୍ପତ୍ତି ସେ କାଳିଆକୁ ପଚାରି କରେ । ଘରେ ବିବାହ, ବ୍ରତ ହେଲେ ପ୍ରଥମେ ନିମନ୍ତ୍ରଣ କାର୍ଡ ଯାଏ କାଳିଆ ପାଖକୁ । କାଳିଆର ନାମ ସ୍ମରଣ କରି ଘରୁ ଯାତ୍ରା ଆରମ୍ଭ କରେ ଓଡ଼ିଆ, ଆଉ ବନ୍ଧୁଙ୍କୁ ପାଖରେ ପାଇଲେ ଜୟ ଜଗନ୍ନାଥ ଧ୍ୱନିରେ ହିଁ ଶଙ୍ଖୋଳି ବସେ। ତେଣୁ ଶ୍ରୀଜଗନ୍ନାଥଙ୍କ ସହ କୋଟିକୋଟି ଭକ୍ତଙ୍କର ଆ​‌େ​‌ବଗ ଜଡିତ । ସେଇଥିଲାଗି ବୋଧହୁଏ ନବକଳେବରର ସବୁପ୍ରକାର ବିଭ୍ରାଟକୁ ସହି ନେଇଛି ଭକ୍ତ। ଏବେ ଏହି ବିବାଦର ତୁରନ୍ତ ସମାଧାନ କରିବା ପ୍ରଶାସନ ଓ ସରକାରଙ୍କ ଦାୟିତ୍ୱ । ତାହା ନକରି ମଝିରେମଝିରେ ମହାପ୍ରଭୁଙ୍କୁ ନେଇ ଯେଉଁପ୍ରକାର ଚାଞ୍ଚଲ୍ୟକର କଥାମାନ ପଦାକୁ ଆସୁଛି ତାହା ଭକ୍ତପ୍ରାଣକୁ କେତେ ଯେ ଆଘାତ ଦେଉଛି ତାକୁ କ’ଣ ଏ ରାଜ୍ୟର ପ୍ରଶାସନ ଅନୁଭବ କରିବାକୁ ସମର୍ଥ ହେଉନି ?
ମହାପ୍ରଭୁ ଜଗନ୍ନାଥ କେବଳ ପୁରୀରେ ନାହାନ୍ତି କି ଶ୍ରୀମନ୍ଦିର ଭିତର ବିଗ୍ରହରେ ନାହାନ୍ତି । ମହାପ୍ରଭୁ ଅଛନ୍ତି ଭକ୍ତର ହୃଦୟରେ । ସେଇଥିଲାଗି ଓଡ଼ିଶାର ପୁରପଲ୍ଲୀରେ ଗଢି ଉଠିଛି ଶହଶହ ଜଗନ୍ନାଥ ମନ୍ଦିର। ଶ୍ରୀମନ୍ଦିରରେ ରହିଥିବା ମହାପ୍ରଭୁଙ୍କ ମୂର୍ତ୍ତି ଓ ନିପଟ ମଫସଲରେ ଏକ ଚାଳଘରେ ପୂଜା ପାଉଥିବା ମହାପ୍ରଭୁଙ୍କ ମୂର୍ତ୍ତି ଭିତରେ ଭକ୍ତଟିଏ ସାମାନ୍ୟତମ ଫରକ ବାରିପାରେନା । କାରଣ ହେଲା କାଳିଆର ମୂର୍ତ୍ତି ତା ଲାଗି କେବଳ ପ୍ରତୀକ । ଅସଲ କାଳିଆ ବିରାଜମାନ କରିଛି ତାର ମନମନ୍ଦିରରେ। ସେ ତାକୁ ବୁଝି ବି ବୁଝେନା, ଜାଣି ବି ଅଜଣା ରହେ । ବେଦ ଉପନିଷଦ୍ କହେ ମନରେ ଯାହାକୁ ବୁଝି ହୁଏ ନାହିଁ, ଅଥଚ ମନ ଯାହାଦ୍ୱାରା ବୁଝେ, ଆଖିରେ ଯାହାକୁ ଦେଖି ହୁଏ ନାହିଁ ଅଥଚ ଆଖି ଯାହାଦ୍ୱାରା ଦେଖେ, କାନରେ ଯାହାକୁ ଶୁଣି ହୁଏ ନାହିଁ କାନ ଯାହାଦ୍ୱାରା ଶୁଣେ, କଥାରେ ଯାହାକୁ ବର୍ଣ୍ଣନା କରି ହୁଏ ନାହିଁ, କଥା ଯାହାଦ୍ୱାରା ବର୍ଣ୍ଣିତ ହୁଏ, ପ୍ରାଣରେ ଯାହାକୁ ଜୀବନ୍ତ କରିହୁଏ ନାହିଁ, ଅଥଚ ପ୍ରାଣ ଯାହା ଦ୍ୱାରା ଜୀବନ୍ତ ହୁଏ ତାକୁହିଁ ବ୍ରହ୍ମ ବୋଲି କୁହାଯାଏ । ମୁଣ୍ଡକ ଉପନିଷଦରେ ଅଛି ଋଗ୍‌ ପ୍ରଭୃତି ବେଦଠାରୁ ଗିରି, ନଦୀ, ସମୁଦ୍ର ପର୍ଯ୍ୟନ୍ତ ସବୁ ସେଇ ବ୍ରହ୍ମଠାରୁ ହୋଇଛି। ଏହା ସବୁର ଅନ୍ତରାତ୍ମାରୂପେ ସମସ୍ତଙ୍କୁ ଶକ୍ତିମାନ୍ କରି ରଖିଅଛି । ସେ ପୁଣି ବାୟୁପରି ବା ସୂର୍ଯ୍ୟ ପରି ସର୍ବଭୂତ ଅନ୍ତରରେ ରହିଛନ୍ତି । ମାତ୍ର କାହାରି ସୁଖ, ଦୁଃଖ ବିକାରାଦିରେ ଲିପ୍ତ ନୁହନ୍ତି । ସେ ପୁଣି ମନୁଷ୍ୟ ଭିତରେ ମଧ୍ୟ ବିଦ୍ୟମାନ । ତୈତ୍ତରୀୟ ଉପନିଷଦରେ ଅଛି ବ୍ରହ୍ମ ନିଜେ ନିଜକୁ ଜଗତରୂପରେ ପରିଣତ କରିଛନ୍ତି। ଏ ଯୁଗର ବୈଜ୍ଞାନିକମାନେ କହନ୍ତି ବିଶ୍ୱ ସୃଷ୍ଟିର ହୋଇଛି ଶୂନ୍ୟମୁହୂର୍ତ୍ତରେ ଏକ ବିରାଟ ବିସ୍ଫୋରଣ ଦ୍ୱାରା । ଏହି ବିସ୍ଫୋରଣ ହୋଇଥିଲା ଏକ ଶକ୍ତିପିଣ୍ଡର। ଏଥିରେ ଥିବା ଶକ୍ତି ଓ ଏହାର ସ୍ୱରୁପକୁ ଶବ୍ଦରେ ବ୍ୟାଖ୍ୟା କରିହେବ ନାହିଁ। ହେଲେ ଜଗନ୍ନାଥ ଭକ୍ତ ଲାଗି ଏ ସମସ୍ତ ଅମୂଲ୍ୟ ତତ୍ତ୍ୱର ପରିସମାପ୍ତି ଦୁଇଟା ବଡ ବଡ଼ କଳାଆଖିରେ । ସେଇ ଆଖି ଦିଇଟା ହିଁ ଜଗତ, ଆଉ ସେଇ ଆଖି ଦିଓଟିରେ ହିଁ ତା’ର ଆରମ୍ଭ ଓ ଶେଷ । ଭକ୍ତ ଆଖିବନ୍ଦ କଲେ ତାକୁ ଦେଖାଯାଏ ସେ ଆଖି ଆଉ ଆଖି ଖୋଲିଲେ ବି ଦେଖାଯାଏ ସେ ଆଖି। କାରଣ କେବଳ ଚକାଆଖିରେ ହିଁ ତାର ଅନନ୍ତ ବିଶ୍ୱାସ।
ଏଇ ବିଶ୍ୱାସକୁ ନେଇ ଆଉ କେହି ବି ଖେଳ ଖେଳିବା ଉଚିତ ନୁହେଁ । ମନ୍ଦିରରେ ଏବେ ବସିଥିବା ଦାରୁମୂର୍ତ୍ତି ହିଁ ଏବେ ଭକ୍ତର ଆଦରର ସମ୍ପତ୍ତି । ସେ ଦାରୁ ଯେବେ ଆସିଥିଲା ସେତେବେଳେ ପୋଲା ଥିଲା କି ନିଦା, ତାକୁ କିଏ କେଉଁଠୁ ପଇସା ଦେଇ ଆଣିଥିଲା ଏଭଳି ପ୍ରସଙ୍ଗର ସମାଧାନ ସରକାର କରିବା ଉଚିତ। ଏହାକୁ ନେଇ ଗଣମାଧ୍ୟମରେ ବୟାନବାଜି ନହେଉ । କାରଣ ଏପ୍ରକାର ବୟାନବାଜି ଭକ୍ତର ବିଶ୍ୱାସକୁ ଆଘାତ ପହଞ୍ଚାଉଛି । ଭକ୍ତ ନିଶ୍ଚିତ ଚାହେଁ ମହାପ୍ରଭୁଙ୍କ ଏ ଦିବ୍ୟଲୀଳାରେ ଯିଏ ବି ବିଭ୍ରାଟ କରିଛି ସେ ଦଣ୍ଡ ପାଉ । ସରକାର ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କାରଣ ଭକ୍ତର ବିଶ୍ୱାସକୁ ଆଧାର କରି ଦୋଷୀ ବି ଚାହୁଁଛି ଖସି ଯିବାକୁ, ମହାପ୍ରଭୁଙ୍କ ନାଁ ନେଇ ନିଜର ଦୋଷ ଲୁଚାଇବାକୁ। ଏହା ହେବା ଅନୁଚିତ । କେହି ଭକ୍ତର ଅଟଳ ବିଶ୍ୱାସକୁ ପୋଲା କରିବା ଉଚିତ ନୁହେଁ ।
ବଡବେତରା, କୁଦାନଗରୀ, କେନ୍ଦ୍ରାପଡା

Leave A Reply