ଦାନର ବିଶେଷତ୍ବ

0

ବୈଶାଳୀର ଦଣ୍ଡନାୟକ (ବିଚାରକ) ଭଗବାନ ବୁଦ୍ଧଙ୍କୁ ନିଜ ଘରକୁ ଆମନ୍ତ୍ରଣ କଲେ ଭୋଜନ ନିମନ୍ତେ। ଦଣ୍ଡନାୟକ ଆର୍ଥିକ ଦୃଷ୍ଟିରୁ ବେଶ୍‌ ସଂପନ୍ନ ଥିଲେ, ହେଲେ କେବଳ ଧନସଂଚୟ ଥିଲା ଏକମାତ୍ର ଲକ୍ଷ୍ୟ। ତାଙ୍କର କୃପଣ ଭାବ ସମ୍ପର୍କରେ ତଥାଗତ ଜାଣିଥିବାରୁ କହିଥିଲେ, ଭଦ୍ରେ! କୌଣସି କୃପଣ ବ୍ୟକ୍ତିଙ୍କ ଘରେ ମୁଁ ଭୋଜନ କରିବାକୁ ସ୍ବୀକାର କରେନାହିଁ।
ଦଣ୍ଡନାୟକ ଏହା ଶୁଣି ଲଜ୍ଜିତ ହୋଇଥିଲେ। ମନେମନେ ଭାବିଲେ ମୁଁ ତ ଧନଶାଳୀ, ହେଲେ ତଥାଗତ ମୋତେ ଏପରି କାହିଁକି କହିଲେ। ନିଜ ସମ୍ପର୍କରେ ଅନୁଶୀଳନ କରିବାରୁ ମନକୁ ଆସିଲା, ମୁଁ କଦାପି କାହାରିକୁ ଦାନ କରିନଥାଏ। ସେହି କାରଣରୁ ତଥାଗତ ମୋତେ ‘କୃପଣ’ ବୋଲି ଅଭିହିତ କଲେ। ଏହାଭାବି ନିଜର ସଞ୍ଚିତ ଧନରାଶିକୁ ଅକାତରରେ ଦାନ କରିବାକୁ ଲାଗିଲେ। ତଥାଗତ ଏହା ଜାଣିବାକୁ ପାଇଥିଲେ। ପରବର୍ତ୍ତୀ ସମୟରେ ଦଣ୍ଡନାୟକଙ୍କୁ ଦେଖିବା ମାତ୍ରେ ତଥାଗତ ହସିହସି କହିଥିଲେ- ସଂପଦକୁ ମନଇଚ୍ଛା ବ୍ୟୟ କରିବା ଦାନ ନୁହେଁ। ପାତ୍ର-ଅପାତ୍ର ବିଚାର ନକରି ସଞ୍ଚିତ ଧନକୁ ଭାବାବେଗରେ ମନଇଚ୍ଛା ଦାନ କରିବା ସେହି ସଂପଦକୁ କୂପରେ ଫିଙ୍ଗିଦେବା ସଦୃଶ।
ଅନ୍ୟ ସମୟରେ ଦଣ୍ଡନାୟକ ଯେତେବେଳେ ତଥାଗତଙ୍କୁ ଆମନ୍ତ୍ରଣ କଲେ ତଥାଗତ ତାଙ୍କୁ କହିଥିଲେ- ଭଦ୍ରେ! ତୁମେ ସାର୍ଥକ ଦାନ ଦେବାର ସାହସ ନିଜ ଭିତରେ ସଞ୍ଚୟ କର। ପରେ ତୁମ ଘରେ ଭୋଜନ କଥା ବିଚାର କରିବା।
ଦଣ୍ଡନାୟକ ବହୁତ ଚିନ୍ତିତ ହୋଇପଡ଼ିଲେ- ସାର୍ଥକ ଦାନ କ’ଣ ହୋଇପାରେ? ଅନେକ ଭାବିବା ପରେ ଶେଷରେ ନିଜ ମନକୁ ଆସିଲା- ହଁ, ମୁଁ ଯେଉଁ ଦାନ ଦେଉଛି ତାହା ନିଜକୁ ଧନୀ, ଦାତା ଭାବି ମନରେ ଅହଂକାର ପୋଷଣ କରି ଖ୍ୟାତି ପାଇବା ଆଶାରେ ହିଁ ଦେଉଛି। ଏହା ପଛରେ ରହିଛି ଯଶଲାଭଜନିତ ଅଭୀପ୍‌ସା। ଏହି ଭାବ ମନରୁ ଦୂର କରିବାକୁ ପଡ଼ିବ। ଏହା ବୋଧହୁଏ ତଥାଗତଙ୍କ ସେଇ ସାର୍ଥକ ଦାନ। ଏବେ ଅନୁଭବ କଲେ ଧନସମ୍ପଦ, ଗୌରବ, ଏସବୁ କେବେ ଚିରସ୍ଥାୟୀ ନୁହେଁ। ଏଥିରେ ମୋର କ’ଣ ବା ଅଧିକାର ଅଛି। ମୁଁ ତ ନିମିତ୍ତ ମାତ୍ର। ମୁଁ ଏହାର ପ୍ରଭୁ ନୁହେଁ। ସାମୟିକ ଭାବରେ ଏହା ମୋ ଅକ୍ତିଆରରେ ଅଛି। କାଲି ହୁଏତ ମୋ ଅକ୍ତିଆରରେ ନଥିବ କି ମୁଁ ନଥିବି। ତେଣୁ ‘ମୁଁ ଦେଉଛି, ମୁଁ ଦାନୀ’ ବୋଲି ଭାବନା ମନକୁ କାହିଁକି ବା ଆଣିବି? ଏହିଭଳି ଅନେକ ଭାବିବା ପରେ ଶେଷରେ ଏଇ ନିଷ୍କର୍ଷରେ ପହଞ୍ଚିଥିଲେ ସ୍ବାମିତ୍ବ (ପ୍ରଭୁପଣିଆ) ହିଁ ସକଳ ସମସ୍ୟାର ମୂଳ ଉତ୍ସ। ଏହାକୁ ତ୍ୟାଗକରି ଦାନ ଦିଆଯାଇ ପାରିଲେ ତାହା ହିଁ ହେବ ଦାନ ଏବଂ ତଥାଗତଙ୍କ କହିବା ମୁତାବକ ଦାନର ଆଭିମୁଖ୍ୟ। ଏହା ଭାବି ଆପଣାର ଅହଂକାର ତ୍ୟାଗ କରି ଦାନ ଦେଇଥିଲେ। ପରବର୍ତ୍ତୀ ସମୟରେ ତଥାଗତଙ୍କୁ ତାଙ୍କ ଗୃହରେ ଉପସ୍ଥିତ ହୋଇ ଭୋଜନ କରିବାକୁ ପ୍ରାର୍ଥନା କରିଥିଲେ ଓ ତଥାଗତ ତାଙ୍କର ଆମନ୍ତ୍ରଣ ସ୍ବୀକାର କରିଥିଲେ।

Leave A Reply