ମହାନ ମେରି

0

କ୍ରୀଡ଼ା ଇତିହାସରେ ଏପରି କେତେକ ଖେଳାଳି ନିଜର ଛାପ ଛାଡ଼ିଯାଆନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇଉଠେ। ଭାରତର ମହିଳା ବକ୍ସର ଏମ୍‌ସି ମେରି କମ୍ ଠିକ୍ ସେହିଭଳି ଜଣେ କ୍ରୀଡ଼ା ବ୍ୟକ୍ତିତ୍ବ, ଯିଏ କେବଳ ଭାରତୀୟ ନୁହନ୍ତି, ସମଗ୍ର ବିଶ୍ବ ପାଇଁ ଉଦାହରଣ ପାଲଟିସାରିଛନ୍ତି। ତାଙ୍କ ପାଇଁ ‘ମହାନ’ ଶବ୍ଦ ବୋଧହୁଏ ଆଉ ଅତିରଞ୍ଜିତ ମନେହେଉ ନାହିଁ। ଭାରତର ଏହି ଅପ୍ରତିଦ୍ବନ୍ଦ୍ବୀ ଖେଳାଳି ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ଷଷ୍ଠ ଥର ପାଇଁ ସ୍ବର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏପରି କୀର୍ତ୍ତି ସ୍ଥାପନ କରିବାରେ ସେ ବିଶ୍ବର ପ୍ରଥମ ମହିଳା ବକ୍ସର। ମେରି ୨୦୦୧ର ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ତାଙ୍କର ପ୍ରଥମ ରୌପ୍ୟପଦକ ଜିଣିଥିଲେ। ତା’ ପ​‌େ​‌ର ଆୟୋଜିତ ୨୦୦୨, ୨୦୦୫, ୨୦୦୬, ୨୦୦୮ ଓ ୨୦୧୦ ମସିହାର ଚାମ୍ପିଅନସିପ୍‌ରେ ସେ ସ୍ବର୍ଣ୍ଣପଦକ ଜିଣି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏଥର ୩୫ ବର୍ଷୀୟ ଏହି ବକ୍ସର୍ ତାଙ୍କର ପ୍ରତିଦ୍ବନ୍ଦ୍ବୀ ୨୨ ବର୍ଷୀୟ ୟୁକ୍ରେନୀୟ ବକ୍ସର ହାନ୍ନା ଓଖୋଟାଙ୍କୁ ଯେଭଳି ପରାସ୍ତ କରିଛନ୍ତି, ତାହା ମଧ୍ୟ ବେଶ୍ ଦର୍ଶନୀୟ। ବୟସ ବଢ଼ିବା ସହ ଅନେକ କ୍ରୀଡ଼ାବିତ୍‌ ପୂର୍ବର ଦକ୍ଷତା ଦେଖାଇ ପାରୁନଥିବାବେଳେ ମେରିଙ୍କ କ୍ଷେତ୍ରରେ ତାହା ଓଲଟା ଦେଖିବାକୁ ମିଳୁଛି। ସେ ପୂର୍ବାପେକ୍ଷା ଅଧିକ କ୍ଷମତାଶାଳୀ ଓ ଉତ୍ସାହୀ ମନେହେଉଛନ୍ତି। ୨୦୨୦ ଅଲିମ୍ପିକ୍‌ ପାଇଁ ସେ ଜୋର୍‌ଦାର ପ୍ରସ୍ତୁତି କରୁଥିବା ଘୋଷଣାରୁ ଏହା ସ୍ପଷ୍ଟ ହେଉଛି। ଆମର ଆଶା ଯେ ସେ ଏଥିପାଇଁ ଯୋଗ୍ୟତା ଅର୍ଜନ କରନ୍ତୁ ଏବଂ ଆଉ ଏକ ସ୍ବର୍ଣ୍ଣପଦକ ଜିତି ଦେଶକୁ ଗୌରବାନ୍ବିତ କରନ୍ତୁ। ସୂଚନାଯୋଗ୍ୟ, ୨୦୧୨ ଅଲିମ୍ପିକ୍‌ରେ ମେରି ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ।
ମେରି ଯେଉଁ ପୃଷ୍ଠଭୂମିରୁ ଆସି ଏତେବଡ଼ କ୍ରୀଡ଼ାବିତ୍ ହୋଇପାରିଛନ୍ତି, ତାହା ମଧ୍ୟ କମ୍ ପ୍ରେରଣାଦାୟୀ ନୁହେଁ। ୨୮ ଲକ୍ଷ ଜନସଂଖ୍ୟାବିଶିଷ୍ଟ ମଣିପୁର ରାଜ୍ୟରେ କମ୍‌ରେମ୍ ନାମକ କ୍ଷୁଦ୍ର ଜନଜାତି ସଂପ୍ରଦାୟ ରହନ୍ତି, ଯାହାଙ୍କ ସଂଖ୍ୟା ମାତ୍ର ୪୦ ହଜାର। ମେରି କମ୍ ସେହି ସଂପ୍ରଦାୟରୁ ଆସିଛନ୍ତି। ବର୍ତ୍ତମାନ ସେହି ରାଜ୍ୟରେ ଦଶଦିନିଆ ‘ସାଙ୍ଗାଇ’ ଉତ୍ସବ ଚାଲିଥିବାବେଳେ ମେରିଙ୍କ ଅପୂର୍ବ ସଫଳତା ରାଜ୍ୟବାସୀଙ୍କ ଖୁସିକୁ ନିଶ୍ଚୟ ଦ୍ବିଗୁଣିତ କରିବ। ମେରି ଆଗକୁ ଆହୁରି ସଫଳତା ଅର୍ଜନ କରନ୍ତୁ।

Leave A Reply