ସାମ୍ପ୍ରତିକ ସମାଜସେବା ଓ ‘ନବବୋଧ’

0

ଶୈଳଜ ରବି

ନବକୃଷ୍ଣ ଚୌଧୁରୀ ବହୁ ପରସ୍ପର ବିରୋଧୀ ବ୍ୟକ୍ତି ଓ ସଂଗଠନଙ୍କୁ ଗୋଟିଏ ଘାଟରେ ପାଣି ପିଆଇ ପାରୁଥିଲେ। ୧୯୩୩ ମସିହାରେ ସେ କଂଗ୍ରେସ ସାମ୍ୟବାଦ କର୍ମୀ ସଂଘ ଗଢ଼ିଲେ। ଅବଶ୍ୟ ପରବର୍ଷ ତାହା ସର୍ବଭାରତୀୟ ସ୍ତରରେ ଗଠିତ କଂଗ୍ରେସ ସମାଜବାଦୀ ଦଳରେ ମିଶିଗଲା। ଏ ଦଳର ସଭ୍ୟ ଥିଲେ ମଧ୍ୟମପନ୍ଥୀ ଓ ବାମପନ୍ଥୀ ଗାନ୍ଧିବାଦୀ, ଗଣତାନ୍ତ୍ରିକ ସମାଜବାଦରେ ବିଶ୍ବାସୀ କର୍ମୀ ଏବଂ ଶୁଦ୍ଧ ମାର୍କ୍ସବାଦୀ। ସମାଜବାଦୀ ଓ ମାର୍କ୍ସବାଦୀଙ୍କ ମଧ୍ୟରେ ଛକାପଞ୍ଝା ଏବଂ ୧୯୪୮ରେ ଅନେକ ସଭ୍ୟଙ୍କର (ନେହେରୁ) କଂଗ୍ରେସରେ ଯୋଗଦାନ ହେତୁ ଏ ଦଳର ତାଟିକବାଟ ସବୁଦିନ ପାଇଁ ପଡ଼ିଗଲା।
ଭାବାଦର୍ଶ ଓ ଦଳମତ ନିର୍ବିଶେଷରେ ବିଭିନ୍ନ କଂଗ୍ରେସ ବିରୋଧୀ ଦଳଙ୍କୁ ଏକତାବଦ୍ଧ କରି ସେ ତାଙ୍କର ପରମବନ୍ଧୁ ରାମମନୋହର ଲୋହିଆଙ୍କ ସହିତ ମିଶି ୧୯୬୭ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ‘କଂଗ୍ରେସ ହଟାଓ’ ଆନ୍ଦୋଳନ ଆରମ୍ଭ କଲେ। ରବି ରାୟ ତାଙ୍କ ଆତ୍ମ-ଜୀବନୀରେ ଲେଖିଛନ୍ତି, ଆମେ ଯଦିଓ କଂଗ୍ରେସ ବିରୋଧରେ ସଂଗ୍ରାମ କରୁଥିଲୁ। କଂଗ୍ରେସ ଯେ ନିକଟ ଭବିଷ୍ୟତରେ କେବେବି କ୍ଷମତାରୁ ହଟିପାରିବ, ସେ ବିଶ୍ବାସ ଆମର ଅଥବା ଦେଶବାସୀଙ୍କର ନଥିଲା। ଅସମ୍ଭବ ସମ୍ଭବ ହେଲା। କଂଗ୍ରେସର ସମସ୍ତ ଅପକର୍ମ ପଦାରେ ପକାଇଲେ ନବକୃଷ୍ଣ। ନିଜକୁ ‘ରାଜସାକ୍ଷୀ’ ବୋଲି ନିଃସଙ୍କୋଚ ଘୋଷଣା କରି କଂଗ୍ରେସକୃତ ପାପରେ ସେ ମଧ୍ୟ ଭାଗୀଦାର ବୋଲି ଜନସାଧାରଣଙ୍କ ନିକଟରେ ସ୍ବୀକାର କଲେ।
ବାଘ-ମିରିଗକୁ ଏକା ଘାଟରେ ପାଣି ପେଇବାର ଶେଷ ପରୀକ୍ଷା ତାଙ୍କର ଥିଲା ୧୯୭୪-୭୫ ମସିହାରେ ଇନ୍ଦିରାଗାନ୍ଧୀଙ୍କ ଏକଚ୍ଛତ୍ରବାଦୀ ଶାସନ ବିରୋଧରେ ଆନ୍ଦୋଳନ ସମୟରେ। ଏକ ପକ୍ଷରେ ଏହି ଇନ୍ଦିରା ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଉଥିଲେ ସିପିଆଇ ବ୍ୟତୀତ ଅନ୍ୟ ବାମପନ୍ଥୀ ସାମ୍ୟବାଦୀ ଦଳ ଓ ସମାଜବାଦୀ ଦଳ। ଅପର ପକ୍ଷରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଏବଂ ସେମାନଙ୍କ ଛାମୁଆ ଦଳ ଜନସଂଘ ଏ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲା। ତେବେ ୧୯୭୦ ଓ ୮୦ ଦଶକରେ ନକ୍ସଲପନ୍ଥୀ ଏବଂ ଏସ୍‌ୟୁସିଆଇ ପରି ବାମପନ୍ଥୀଙ୍କଠାରୁ ଆରମ୍ଭକରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଏବଂ ଆନନ୍ଦମାର୍ଗୀଙ୍କ ପର୍ଯ୍ୟନ୍ତ ଦକ୍ଷିଣ ପନ୍ଥୀଙ୍କର ସେ ସମପରିମାଣରେ ବିଶ୍ବାସଭାଜନ ହୋଇପାରିଥିଲେ।
ଏଭଳି ରାଜନେତାଙ୍କୁ ସାଧାରଣତଃ ସୁୁବିଧାବାଦୀ କୁହାଯାଇଥାଏ। ମାତ୍ର ନବବାବୁଙ୍କର ସାତଶତ୍ରୁ ମଧ୍ୟ ତାଙ୍କୁ ଏଯାବତ୍‌ ସେପରି ବିଶ୍ଳେଷଣ ଦେଇନାହିଁ। କେହିକେହି ଏଭଳି ରାଜନେତାଙ୍କୁ ଭାବାଦର୍ଶବିହୀନ, ଅପରିପକ୍ବ ଓ ନିର୍ବୋଧ ରାଜନେତା କହିଥାଆନ୍ତି। ମାତ୍ର ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଭଗୀରଥ, ନିଜ ପାଣ୍ଡିତ୍ୟ ପାଇଁ ସୁବିଖ୍ୟାତ ନବବାବୁଙ୍କୁ ନି​‌େ​‌ର୍ବାଧ, ଅପରିପକ୍ବ ରାଜନେତା ବୋଲି ମଧ୍ୟ କେହି କେବେ ଅଭିଯୋଗ କରିପାରିନାହିଁ। ଅବଶ୍ୟ ତାଙ୍କର ବହୁ ପ୍ରଶଂସକ ବନ୍ଧୁ ଅଭିମାନରେ ଅଭିଯୋଗ କରିଛନ୍ତି, ‘ନବବାବୁ ହତାଶ, ବିଭ୍ରାନ୍ତ ଓ ଅବାସ୍ତବ ସ୍ବପ୍ନଚାରୀ ଇତ୍ୟାଦି।’ ନବବାବୁ ଏସବୁ ଅଭିଯୋଗ ଶୁଣିଲେ କହନ୍ତି, ଆଜି ଦେଶର ଅବସ୍ଥା ଦେଖି ଜଣେ ଯଦି ହତାଶ ନୁହେଁ, ଆଜି ସାରା ଦୁନିଆରେ ରାଜନୀତି, ଅର୍ଥନୀତି ଓ ସଂସ୍କୃତି କ୍ଷେତ୍ରରେ ଯେଉଁ ଜଟିଳ ଉଦ୍‌ବେଳନ ଚାଲିଛି ତାକୁ ଅନୁଧ୍ୟାନ କରି ଯଦି ଜଣେ କନ୍‌ଫ୍ୟୁଜ୍‌ଡ ନୁହେଁ ବୋଧହୁଏ ସେ ସ୍ପଷ୍ଟଭାବେ ଚିନ୍ତା କରିପାରୁନାହିଁ। ତାଙ୍କ ଚିନ୍ତାର ଅସ୍ପଷ୍ଟତା ସମ୍ପର୍କରେ ଏହାହିଁ ଥିଲା ତାଙ୍କର ସ୍ପଷ୍ଟମତ। ଆଉ ରହିଲା ତାଙ୍କ ଅବାସ୍ତବ ଚିନ୍ତାଧାରା ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ଅଭିଯୋଗ। ୧୯୯୬ରେ ନବବାବୁଙ୍କ ଅନ୍ୟତମ ଜୀବନୀକାର ପଦ୍ମଚରଣ ନାୟକ ଭବିଷ୍ୟତବାଣୀ କରିଥିଲେ, ‘ଏପରି ଏକ ସଂକଟମୟ ସମୟ ଆସିବ, ଯେତେବେଳେ ଲୋକେ ନବକୃଷ୍ଣ ଚୌଧୁରୀଙ୍କ ଆଦର୍ଶ ଆଡ଼କୁ ଆଖି ଫେରାଇବେ।’ ଆଜି ଓଡ଼ିଶାରେ ତିନିଟି ମୁଖ୍ୟ ସମସ୍ୟାକୁ ନେଇ ଆନ୍ଦୋଳନ ଚାଲିଛି। ଚାଷ, ନିଶା ଓ ଭାଷାକୁ ନେଇ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେ ସମସ୍ତେ କେବଳ ନବକୃଷ୍ଣଙ୍କୁ ହିଁ ଝୁରି ହେଉଛନ୍ତି। ଏହ​‌ି କ୍ରାନ୍ତଦର୍ଶୀ ୫୦ ଦଶକରୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦରେ ଥାଇ ଚଷା, ନିଶା, ଭାଷା କ୍ଷେତ୍ରରେ ଯେଉଁସବୁ ବୈପ୍ଳବିକ ପଦକ୍ଷେପ ନେଇଥିଲେ ତାହା ଆନ୍ଦୋଳନକାରୀମାନେ ଏବେବି ଆମକୁ ତୁହାକୁତୁହା ମନେ ପକାଇ ଦେଉଛନ୍ତି। ପରବର୍ତ୍ତୀ ସରକାରମାନେ ତାଙ୍କ ପ୍ରଣୀତ ବୈପ୍ଳବିକ ଆଇନ୍‌ଗୁଡ଼ିକୁ ଶୀତଳଭଣ୍ଡାରରେ ରଖିଦେଲେ ଏବଂ ପରବର୍ତ୍ତୀ ସମାଜସେବୀମାନେ ‘ନବବୋଧ’ ଅର୍ଥାତ୍‌ ନବକୃଷ୍ଣଙ୍କ ସ୍ପିରିଟ୍‌କୁ ଶୀତଳ ଭଣ୍ଡାରରେ ରଖିଦେଲେ।
ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସଙ୍କ ଜୀବନୀ ରଚୟିତା ଦିବାକର ଦାସ ‘ନବବୋଧ’ର ଗୁପ୍ତ ରହସ୍ୟକୁ ସଂକ୍ଷେପରେ ଅଥଚ ସୁନ୍ଦରଭାବେ ଫୁଟାଇ ପାରିଛନ୍ତି,:
‘‘ସକଳ ବୈଷ୍ଣବ ପୂଜିବ। ଆପଣା ସୂତ୍ର ନ ତେଜିବ ାା ସମସ୍ତ ସଙ୍ଗେ ପ୍ରୀତି ହେବ। ନିଜ ଭାବରେ ଦୃଢ଼ ଥିବ ାା’’
ବହୁ ପରସ୍ପର ବିରୋଧୀ ତତ୍ତ୍ବ ଓ ସଂଗଠନ ମଧ୍ୟରେ ମହାସମନ୍ବୟର ସ୍ବପ୍ନ ଦେଖୁଥିବା ନବକୃଷ୍ଣଙ୍କୁ କେହି ‘ସୁବିଧାବାଦୀ’ ବିଶେଷଣ ଦେଇପାରି ନାହାନ୍ତି, କାରଣ ସେ ବହୁ ବିରୋଧୀ ଶକ୍ତିକୁ ଏକତ୍ର ବସାଇଥିଲେ ମଧ୍ୟ ନିଜର ଆଦର୍ଶ ଅଥବା ମୂଲ୍ୟବୋଧକୁ କେବେବି ଜଳାଞ୍ଜଳି ଦେଇନାହାନ୍ତି। ନିଜର ବ୍ୟକ୍ତିଗତ ସ୍ବାର୍ଥ ପୂରଣ ପାଇଁ କିଛି ବି କରିନାହାନ୍ତି। ଶେଷ ଜୀବନରେ ନବକୃଷ୍ଣ ରାଜନୈତିକ ଦଳଙ୍କୁ ଆଉ ଗୁରୁତ୍ବ ଦେଉନଥିଲେ। ବିଭିନ୍ନ ସାମାଜିକ ଆନ୍ଦୋଳନ ଭିତରେ ସମ୍ମତିର ଭୂମି ଅନ୍ବେଷଣ କରୁଥିଲେ। ଲୋକବିରୋଧୀ ଶକ୍ତିମାନଙ୍କର ପ୍ରବଳ ସୁନାମି ମାଡ଼ି ଆସୁଥିବାବେଳେ ସବୁ ରାଜନୈତିକ ଦଳଙ୍କଠାରୁ ସମାନ ଦୂରତ୍ବ ରକ୍ଷା କରି ସାମାଜିକ ଆନ୍ଦୋଳନ କରୁଥିବା ସଂଗଠନସବୁ ମିଳିତ ମଞ୍ଚ ଗଢ଼ିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଆପଣା ସୂତ୍ର ନ ତେଜି, ନିଜ ଭାବରେ ଦୃଢ଼ରହି ଏ ସ୍ବପ୍ନ ପୂରଣ କରିପାରିବା ପାଇଁ ସମାଜସେବୀମାନଙ୍କୁ ମହାନ୍‌ ସର୍ଜନଶୀଳ ଚିନ୍ତାନାୟକ ନବକୃଷ୍ଣଙ୍କ ସ୍ପିରିଟ୍‌ ବା ‘ନବବୋଧ’କୁ ଆତ୍ମସ୍ଥ କରିବାକୁ ପଡ଼ିବ।
ବନମାଳୀ ଭବନ, କଟକ-୧୨

Leave A Reply