ଚକଡ଼ା ଲେଉଟିଲା କାହିଁକି?

0

ବାସୁଦେବ ମିଶ୍ର

ଗତବର୍ଷ ପ୍ରାୟ ଏହି ସମୟରେ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଶେଷକରି ପଶ୍ଚିମାଞ୍ଚଳରେ “ଚକଡାପୋକ” (ମାଟିଆଗୁଣ୍ଡି ପୋକ ବା ବି.ପି.ଏଚ) ଆକ୍ରମଣରେ ଧାନ ଫସଲ ସମ୍ପୂର୍ଣ୍ଣଭାବରେ ନଷ୍ଟ ହେବା ଦ୍ୱାରା ଅନେକ ଚାଷୀ ଆତ୍ମହତ୍ୟା କରିଥିଲେ। ରାଜ୍ୟ ସରକାର ଓ କୃଷି ବିଭାଗ ମଧ୍ୟ ବହୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ।
ଚକଡା ପୋକ ଦ୍ୱାରା ହେଉଥିବା କ୍ଷତି ଓ ପ୍ରତିକାର ଶିରୋନାମାରେ ମୋର ଗୋଟିଏ ଲେଖା ଏହି ଖବରକାଗଜରେ ଗତବର୍ଷ ପ୍ରକାଶିତ ହୋଇଥିଲା; ମାତ୍ର ନିକଟରେ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ତଥ୍ୟ ଓ ଦୃଶ୍ୟରୁ ଏ ପୋକ ପୂନର୍ବାର ଧାନ ଫସଲରେ ଲାଗି ଅନେକ କ୍ଷତି କରୁଥିବାର ଜଣାପଡିଛି। ତେଣୁ ଏହି ପୋକ ଆକ୍ରମଣରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ମୋ ଲେଖାରେ ଦିଆଯାଇଥିବା ସତର୍କତା କିମ୍ବା କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ବିଭାଗ ଦ୍ୱାରା ଦିଆଯାଉଥିବା ପରାମର୍ଶ ସବୁ ଠିକ୍‌ଭାବରେ କାର୍ଯ୍ୟକାରୀ ହେଉ ନ ଥିବା ଜଣାଯାଉଛି।
ଟେଲିଭିଜନ ମାଧ୍ୟମରେ ପ୍ରକାଶିତ ଚିତ୍ରରେ କେତେକ ଅଞ୍ଚଳର ଧାନ ଫସଲରେ ପୋକମାନଙ୍କର ଯେଉଁଭଳି ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଯାଉଛି ସେ ଫସଲକୁ ଔଷଧ ପ୍ରୟୋଗ ଦ୍ୱାରା ମଧ୍ୟ ରକ୍ଷା କରାଯିବାର ଆଶା ଦେଖାଯାଉନାହିିଁ। ଆଶ୍ଚର୍ଯ୍ୟର କଥା ଯେ ଏତେ ସଂଖ୍ୟାରେ ପୋକ ବଂଶ ବୃଦ୍ଧି ସମ୍ଭବ ହେଲା କିପରି? ଯାହା ମନେହୁଏ, ଏ ପୋକ ବିଷୟରେ ଚାଷୀମାନଙ୍କର ଅଜ୍ଞତା ଓ ଅବହେଳା ଯେତିକି ଦାୟୀ, ବିଭାଗୀୟ ଅଧିକାରୀମାନଙ୍କର ସମୟୋଚିତ ସର୍ବେକ୍ଷଣ ଓ ବିହିତ ପ୍ରତିକାର ବ୍ୟବସ୍ଥା ନ କରିବା ମଧ୍ୟ ସମ ପରିମାଣରେ ଦାୟୀ।
ଚଳିତବର୍ଷ ବର୍ଷାଋତୁରେ ଯେଉଁ ଅଞ୍ଚଳରେ ଅତ୍ୟଧିକ ବର୍ଷା ହେବାସାଙ୍ଗକୁ ବାୟୁମଣ୍ଡଳର ଅଧିକ ଉତ୍ତାପ ସହିତ ଆର୍ଦ୍ରତା ବୃଦ୍ଧି ପାଇଥିଲା, ସେସବୁ ଅଞ୍ଚଳରେ ଧାନ ଫସଲରେ ଏ ପୋକର ବଂଶ ଦ୍ରୁତଗତିରେ ବୃଦ୍ଧି ପାଇଥିବାର ଅନୁମାନ କରାଯାଉଛି। ଆର୍ଦ୍ରତାବୃଦ୍ଧି ଏ ପୋକର ବଂଶବୃଦ୍ଧିରେ ସହାୟକ ହୋଇଥାଏ। ବିଲରେ ଅଧିକ ଜଳ ରହିଲେ ଓ ଏହାକୁ ନିୟନ୍ତ୍ରଣ ବା ନିଷ୍କାସନର ସୁବିଧା ନ ଥିଲେ, କେବଳ ‘ଚକଡା’ ପୋକ ନୁହେଁ, ଧାନ ଫସଲର ଅନ୍ୟାନ୍ୟ ଅନିଷ୍ଟକାରୀ ପୋକ ଯଥା: ନୋଳୀପୋକ ଓ ପତ୍ରମୋଡା ପୋକଙ୍କ ସଂଖ୍ୟା ବୃଦ୍ଧି ସହିତ କ୍ଷତି କରୁଥିବା ରୋଗ ମଧ୍ୟ ଅଧିକ ବ୍ୟାପିଥାଏ। ସେହିପରି ‘ଚକଡା’ ପୋକଙ୍କୁ ଦମନ କରିବା ପାଇଁ ପକାଯାଉଥିବା ଔଷଧକୁ ପତ୍ର ଉପରେ ସିଞ୍ଚନ କଲେ ଏହି ପୋକ ଫସଲର ପାଣି ଉପରେ ଥିବା କାଣ୍ଡଅଂଶରେ ରହୁଥିବାରୁ ସେମାନଙ୍କର କିଛି କ୍ଷତି ହୋଇନଥାଏ। ପରନ୍ତୁ ଏ ପୋକମାନଙ୍କୁ ଖାଉଥିବା ବୁଢ଼ିଆଣୀ ଓ ଅନ୍ୟାନ୍ୟ ପରାଙ୍ଗଭୋଜୀ ଉପକାରୀ କୀଟମାନେ ଔଷଧ ପ୍ରଭାବରେ ମରିଯାଆନ୍ତି, ଯଦ୍ୱାରା ଏ ପୋକଙ୍କ ସଂଖ୍ୟା ଅତିଶୀଘ୍ର ବୃଦ୍ଧି ପାଏ। ଏହାଛଡା ଏହି ଔଷଧ ପ୍ରତି ପୋକଙ୍କ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଉପରୋକ୍ତ ବିଷୟଗୁଡିକ ଧ୍ୟାନରେ ରଖି, ବର୍ତ୍ତମାନ ‘ଚକଡା’ ପୋକ ଲାଗିଥିବା ଅଞ୍ଚଳରେ ନିମ୍ନ ପ୍ରଦତ୍ତ ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ।
୧) ଯେଉଁ ଜମିର ଫସଲ ପାଚିବା ଅବସ୍ଥାରେ ଅଛି ସେଥିରେ ଔଷଧ ନ ପକାଇ ଶୀଘ୍ର ଅମଳ କରନ୍ତୁ।
୨) ଫସଲରେ କେଣ୍ଡା ବାହାରି ନ ଥିଲେ, ଗଛର ନିମ୍ନ ଅଂଶକୁ (ଜଳ ଉପରେ ଥିବା କାଣ୍ଡକୁ) ନିରୀକ୍ଷଣ କରି ବୁଦା ପ୍ରତି ୧୦-୧୫ଟି ମା’ପୋକ କିମ୍ବା ସଂଖ୍ୟାଧିକ ଅପ୍ରାପ୍ତ ବା ଅପୂର୍ଣ୍ଣାଙ୍ଗ ପୋକ ଥିବାର ଦେଖିଲେ ସଙ୍ଗେସଙ୍ଗେ ବିଲରୁ ଜଳ ନିଷ୍କାସନ କରି ଆକ୍ରାନ୍ତ ବୁଦାଗୁଡିକୁ ବାମ ଓ ଡାହାଣ ଦିଗକୁ ନୁଆଁଇ ଦେଇ ନିମ୍ନ ଅଂଶର କାଣ୍ଡଉପରେ କୀଟ ରହୁଥିବା ସ୍ଥାନରେ ଏହିକୀଟମାନଙ୍କୁ ଭଲଭାବରେ ଦମନ କରୁଥିବା ନୁଭାନ, ଫ୍ଲୋନିକାମାଇଡ୍, ପାଇମେଟ୍ରୋଜିନ, ଫିପ୍ରୋନିଲବାବୁପ୍ରୋଫେଜିନ ଇତ୍ୟାଦି କୀଟନାଶକ ଔଷଧ ମଧ୍ୟରୁ ଯେ ​‌େକୗଣସିକୁ ବିଶେଷଜ୍ଞମାନଙ୍କଠାରୁ ବୁଝି ଠିକମାତ୍ରାରେ ଭଲ ଭାବରେ ସ୍ପ୍ରେ କରନ୍ତୁ। ଆବଶ୍ୟକ ଥିଲେ ୭-୮ଦିନ ଅନ୍ତରରେ ଔଷଧ ବଦଳାଇ ସିଞ୍ଚନ କରନ୍ତୁ।
୩) ଏହି ପୋକ ଲାଗିଥିବା ଜମିରେ ପୋକ ପ୍ରଥମେ ଚକଡା ଆକାରରେ ଫସଲକୁ ଶୁଖାଇ କ୍ଷତି କରନ୍ତି ଓ ବିଲର ଭିନ୍ନଭିନ୍ନ ସ୍ଥାନର ଗଛଗୁଡିକରେ ଲାଗି ଚକଡା ଆକାରରେ ଶୁଖାଇ ଦିଅନ୍ତି। ତେଣୁ ପ୍ରଥମେ ଦେଖାଦେଉଥିବା ଚକଡାରେ ସାମାନ୍ୟ ଅଧିକ ମାତ୍ରାରେ ଔଷଧ ପ୍ରୟୋଗକରି କୀଟମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରନ୍ତୁ। ମାତ୍ର ଥରେ ଚକଡା ଦ୍ୱାରା ଫସଲଶୁଖା ବା ‘ହପରବର୍ଣ୍ଣ’ ଆକ୍ରାନ୍ତ ଗଛକୁ ଆଉ ଔଷଧ ପ୍ରୟୋଗକରି ରକ୍ଷା କରାଯାଇ ପାରିବ ନାହିଁ।
୪) ଉକ୍ତ ଜମିରେ ବା ନିକଟରେ ଥିବା ବିଲରେ ସୁସ୍ଥ ଗଛଗୁଡିକୁ ନିୟମିତ ବ୍ୟବଧାନରେ ନିରୀକ୍ଷଣ କରି ୧୦-୧୫ଟି ମା’ପୋକ ଓ ଅଧିକ ସଂଖ୍ୟାର ଅର୍ଦ୍ଧଡେଣାଯୁକ୍ତ ବା ଅପୂର୍ଣ୍ଣାଙ୍ଗ କୀଟ ଦେଖାଦେଲେ ଏହା କ୍ଷତିକାରକ ଅବସ୍ଥାକୁ ଆସିଯାଇଥିବାର ଜଣାପଡେ, ତେଣୁ ତୁରନ୍ତ ଔଷଧ ପ୍ରୟୋଗ କରି ଏମାନଙ୍କୁ ଦମନ କରନ୍ତୁ।
୫) କୃଷି ବିଶ୍ୱବିଦ୍ୟାଳୟ ଓ କୃଷିବିଭାଗ ଦ୍ୱାରା ଦିଆଯାଉଥିବା ସତର୍କ ସୂଚନା ଉପରେ ଧ୍ୟାନ ଦିଅନ୍ତୁ।
୬)ଏହି କୀଟ ଉପଦ୍ରବ ସର୍ବଦା ଦେଖା ଦେଉଥିବା ଅଞ୍ଚଳରେ ଚାଷୀମାନଙ୍କୁ ଓ ନିକଟରେ ଥିବା କୀଟନାଶକ ଔଷଧ ବିକ୍ରୟ କରୁଥିବା ଦୋକାନୀ ଏବଂ ଚାଷୀମାନଙ୍କୁ ସହାୟତା କରୁଥିବା ବେସରକାରୀ କର୍ମକର୍ତ୍ତାଙ୍କୁ ଏହି ପୋକକୁ ଚିହ୍ନିବା ଓ ସେମାନଙ୍କ ନିରାକରଣ ବ୍ୟବସ୍ଥା, ସର୍ବେକ୍ଷଣ ପଦ୍ଧତି, କ୍ଷତିକାରକ ସଂଖ୍ୟା ଇତ୍ୟାଦି ବିଷୟରେ ବାରମ୍ବାର ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ଓ ପରାମର୍ଶ କାର୍ଯ୍ୟକ୍ରମ କରାଯିବା ଆବଶ୍ୟକ।
୭) ଏହି ପୋକ ଉପଦ୍ରୁତ ଅଞ୍ଚଳରେ ଜମିର ଜଳ ନିୟନ୍ତ୍ରଣ ସହିତ ମାତ୍ରାଧିକ ଯବକ୍ଷାରଜାନ ସାର ପ୍ରୟୋଗ ନ କରିବା ଉଚିତ। ଆକ୍ରାନ୍ତ ଫସଲ ଅମଳ ପରେ ଆଖପାଖ ଅଞ୍ଚଳରେ ଓ ହିଡ଼ରେ ବଢୁଥିବା ଘାସ ଓ ଅନାବନା ଗଛସବୁ ନଷ୍ଟ କରିଦେଲେ ଏମାନଙ୍କ ସଂଖ୍ୟା ପରବର୍ତ୍ତୀ ଫସଲକୁ ବ୍ୟାପିବାରୁ ରକ୍ଷା କରାଯାଇପାରେ। ବାରମ୍ବାର ଦେଖାଯାଇଥିବା ଅଞ୍ଚଳରେ ଏହି କୀଟ ସହନଶକ୍ତି ଥିବା ‘ହସନ୍ତ’ ଓ ‘ଉଦୟ’ କିସମର ଧାନ ଚାଷ କରାଯିବା ଆବଶ୍ୟକ।
ପ୍ରାକ୍ତନ ପ୍ରଫେସର, କୀଟତତ୍ତ୍ୱବିଭାଗ,
କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
basudevmishra3c@gmail.com

Leave A Reply