ମାଓ ଛଳ

0

ଛତିଶଗଡ଼ର ଦଂତେୱାଡ଼ାକୁ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ତଥା ଆମ ରାଜ୍ୟର ବଲାଙ୍ଗିର ଜିଲାନିବାସୀ ଅଚ୍ୟୁତାନନ୍ଦ ସାହୁଙ୍କ ସମେତ ଦୁଇଜଣ ଯବାନଙ୍କୁ ମାଓବାଦୀ ଚାରିପଟୁ ଆକ୍ରମଣ କରି ହତ୍ୟା କରିବା ଯେତିକି ମର୍ମାନ୍ତିକ, ସେତିକି ନିନ୍ଦନୀୟ। ଦୀର୍ଘ ୪୫ ମିନିଟ୍ ଧରି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଦୁଇ ଜଣ ସାମ୍ବାଦିକ ତ ବର୍ତ୍ତିଯାଇଥିଲେ; କିନ୍ତୁ ଏବେ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ଭିତରୁ ଜଣକର ଯେଉଁ ଭୟାକୁଳ ଭିଡିଓ ପ୍ରସାରିତ ହୋଇଛି, ତାହା ଖୁବ୍ ମର୍ମଭେଦୀ ଓ ସେତେବେଳର ଆତଙ୍କର ମୁହୂର୍ତ୍ତକୁ ବୟାନ କରୁଛି। ଏହି ଘଟନାରୁ ଜଣାପଡ଼ୁଛି ଯେ ମାଓବାଦୀମାନେ କେତେ ହିଂସ୍ର ହୋଇପଡ଼ିଛନ୍ତି।
ଆମ ଦେଶରେ ଦାୟିତ୍ବ ନିର୍ବାହ କଲାବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିଚାଲିବା ନିଶ୍ଚିତ ଭାବେ ଚିନ୍ତାଜନକ। ପ୍ରତିଦିନ କେଉଁଠି ନା କେଉଁଠି ସେମାନଙ୍କୁ ହତ୍ୟା ବା ଆକ୍ରମଣ ସୂଚାଇ ଦେଉଛି ଯେ ସାମ୍ବାଦିକତା ଓ ସତ୍ୟ ଖବର ସଂଗ୍ରହ ବିପଜ୍ଜନକ କାମ ପାଲଟିଲାଣି। ନିକଟରେ ହିଁ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସାମ୍ବାଦିକଙ୍କ ହତ୍ୟାକାଣ୍ଡର ଦୋଷୀମାନଙ୍କୁ ଦଣ୍ଡ ଦେବାରେ ସାରା ବିଶ୍ବରେ ଭାରତର ସ୍ଥାନ ବହୁପଛରେ। ସରକାରଙ୍କ ପକ୍ଷରୁ ବାରମ୍ବାର ଆଶ୍ବାସନା ଦିଆଯାଏ ଯେ ସେମାନଙ୍କ ସୁରକ୍ଷା ପାଇଁ ଅଧିକ ବ୍ୟବସ୍ଥା କରାଯିବ; କିନ୍ତୁ ତାହା କେବେ ହୁଏ ନାହିଁ। ଏବେ କେବଳ ଯୁଦ୍ଧ ବା ସଂଘର୍ଷ ନୁହେଁ, ବରଂ କୌଣସି ଦୁର୍ନୀତି ଖବର ସଂଗ୍ରହ କରିବାକୁ ଯାଇଥିବା ସମ୍ବାଦଦାତାଟିର ଜୀବନ ପ୍ରତି ମଧ୍ୟ ବିପଦ ଦେଖାଦେଲାଣି। ଦଂତେୱାଡ଼ାରେ ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିବା କ୍ୟାମେରାମ୍ୟାନ, ଯାହାଙ୍କ କାମ ନିରପେକ୍ଷ ଭାବେ କେବଳ ଦୃଶ୍ୟ ଉତ୍ତୋଳନ କରିବା, ତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିବା ମାଓବାଦୀଙ୍କ ତଥାକଥିତ ନୀତିଆଦର୍ଶ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। ଏହାର କାରଣ, ନିକଟରେ ହିଁ ମାଓବାଦୀଙ୍କ ପକ୍ଷରୁ ଏକ ଚିଠି ଜାରି କରି କୁହାଯାଇଥିଲା ଯେ ବସ୍ତରର ଯେ କୌଣସି ଅଞ୍ଚଳକୁ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଆସିପାରିବେ ଓ ସେମାନଙ୍କ ଯାତାୟାତରେ କେହି ବାଧା ଦେବେନାହିଁ। ଏହାସତ୍ତ୍ବେ ସେମାନେ ସାମ୍ବାଦିକ ଦଳକୁ ନିଶାଣ କଲେ। ଏହା ଅତି ଦୁର୍ଭାଗ୍ୟଜନକ ଯେ ଦୁନିଆ ସମ୍ମୁଖରେ ସେମାନଙ୍କ ପକ୍ଷ ରଖିଆସୁଥିବା ସାମ୍ବାଦିକଙ୍କୁ ମଧ୍ୟ ସେମାନେ ହତ୍ୟା କରିବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି। କହିବା ବାହୁଲ୍ୟ, ଏପରି ଛଳନା ଅକ୍ଷମଣୀୟ।
ପ୍ରତିବର୍ଷ ଛତିଶଗଡ଼ର ମାଓବାଦପ୍ରବଣ ଅଞ୍ଚଳ ନିର୍ବାଚନ ସମୟରେ ବିପଜ୍ଜନକ ହୋଇପଡ଼େ। ଗତକେଇ ବର୍ଷ ଧରି ସେଠାରେ ମାଓବାଦୀ ଆକ୍ରମଣ ଘଟନା କ୍ରମାଗତ ଦେଖିବାକୁ ମିଳୁଛି। ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଘଟନା ସାଧାରଣ ହୋଇଥିବାବେଳେ ନିର୍ବାଚନ ସମୟରେ ମାଓବାଦୀ ଅଧିକ ଉଗ୍ର ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଏ। ଏହାର କାରଣ ଅବଶ୍ୟ ଅଛପା ନୁହେଁ। ସେମାନେ ପ୍ରତିବର୍ଷ ନିର୍ବାଚନ ବର୍ଜନ କରିବାକୁ ଡକରା ଦେଉଥିବାବେଳେ ସ୍ଥାନୀୟ ଜନତା ସେମାନଙ୍କ କଥାକୁ ଶୁଣନ୍ତି ନାହିଁ ଓ ଭୋଟ ଦେଇଥା’ନ୍ତି। ବିଗତ କେତେକ ନିର୍ବାଚନର ଭୋଟ ପ୍ରତିଶତ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ। ଲୋକେ ଯେମିତି ଭୋଟଦାନ ନକରିବେ, ସେଥିପାଇଁ ସେମାନେ ଆତଙ୍କ ସୃଷ୍ଟି କରିବାକୁ ବଡ଼ ଧରଣର ହତ୍ୟାକାଣ୍ଡ ଯୋଜନା ମଧ୍ୟ କରନ୍ତି। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେପରି ଘଟନା ଦେଖିବାକୁ ମିଳିଥିଲା। ମାଓବାଦୀମାନେ କଂଗ୍ରେସର ପ୍ରମୁଖ ନେତାଙ୍କ ଦଳ ଯାଉଥିବାବେଳେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏଥର କିନ୍ତୁ ସେମାନେ ସାମ୍ବାଦିକ, ଅର୍ଥାତ ଗଣମାଧ୍ୟମ ଉପରେ ଆକ୍ରମଣ କରିଛନ୍ତି। ଦାନ୍ତେୱାଡ଼ାରେ ବି ନିର୍ବାଚନ ପ୍ରକ୍ରିୟା ଠିକ୍ ଅନ୍ୟ ଅଞ୍ଚଳ ପରି ସ୍ବାଭାବିକ ଭାବେ ଚାଲିଛି, ଏହି ଖବର ପ୍ରକାଶ ପାଉ ବୋଲି ବୋଧହୁଏ ମାଓବାଦୀ ଚାହାନ୍ତି ନାହିଁ। କିନ୍ତୁ ଭୁଲିଯିବା ଅନୁଚିତ ଯେ ସେମାନେ ବା ଅନ୍ୟକେହି ଏପରି ଭୀରୁତାପୂର୍ଣ୍ଣ ଆକ୍ରମଣ ଦ୍ବାରା ଗଣମାଧ୍ୟମର ମୁହଁ କେବେ ବନ୍ଦ କରିପାରିବେ ନାହିଁ।
ଗତ କିଛି ବର୍ଷ ଧରି ମାଓବାଦୀମାନେ ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ତୀବ୍ର କରିଥିବା ଦେଖିବାକୁ ମିଳୁଛି। ଏହାର କାରଣ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସେମାନଙ୍କୁ ଦମନ କରିବା ପାଇଁ କ୍ରମାଗତ ବିଭିନ୍ନ ପ୍ରକାର ବ୍ୟବସ୍ଥା ଆପଣାଉଛନ୍ତି। କେନ୍ଦ୍ର ଓ ରାଜ୍ୟରେ ଯେଉଁ ରାଜନୈତିକ ଦଳ ସରକାର ଗଢ଼ିଲେ ମଧ୍ୟ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଳବତ୍ତର ରହୁଛି। ଇତିମଧ୍ୟରେ ଅନେକ ମାଓବାଦୀ ନେତାଙ୍କୁ ଗିରଫ କରାଯାଇଛି କିମ୍ବା ସୁରକ୍ଷା କର୍ମୀଙ୍କ ଗୁଳିରେ ସେମାନଙ୍କ ମୃତ୍ୟୁ ହୋଇଛି। ଏହା ମାଓବାଦୀମାନଙ୍କ ରାସ୍ତାରେ କଣ୍ଟା ହୋଇଛି ଓ ସେମାନେ ବେଳେବେଳେ ରକ୍ତମୁଖା ହେଉଛନ୍ତି। ତେବେ ମାଓବାଦ ଦମନ ଦିଗରେ ଆହୁରି ପ୍ରଚେଷ୍ଟା ଆବଶ୍ୟକ। ବର୍ତ୍ତମାନ ମଧ୍ୟ ସେମାନଙ୍କ ପାଖରେ ଅବୈଧ ଅସ୍ତ୍ରଶସ୍ତ୍ର ପହଞ୍ଚୁଛି। ଏହା ବନ୍ଦ ହେବା ଜରୁରୀ। ନିକଟରେ ଖବର ପ୍ରକାଶ ପାଇଥିଲା ଯେ ମାଓବାଦୀମାନେ ଯୁବକଯୁବତୀଙ୍କୁ ନୂଆ କରି ନିଯୁକ୍ତି ଦେଉଛନ୍ତି। ସରକାର ଏହା ଉପରେ ଦୃଷ୍ଟି ଦେବା ଦରକାର। ଛତିଶଗଡ଼ ଭଳି ମାଓପ୍ରବଣ ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ଯେପରି ବାଧାପ୍ରାପ୍ତ ନହେବ ଏବଂ ଲୋକେ ନିର୍ଭୟରେ ମତଦାନ କରିପାରିବେ, ତାହା ନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ। ଯଦି ତାହା ସଫଳ ଭାବେ କରାଯାଇପାରିବ, ତେବେ ମାଓବାଦୀଙ୍କ ଶକ୍ତି ପ୍ରତିହତ ହେବା ସୁନିଶ୍ଚିତ।

Leave A Reply