ରିଜର୍ଭ ବ୍ୟାଙ୍କର କ୍ଷମତା ସୁରକ୍ଷିତ ରହୁ

0

କୌଣସି ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନର ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ଯଦି ସ୍ବାଧୀନଭାବେ କାମ କରିବାକୁ ଦିଆନ’ଯାଏ ଏବଂ ସରକାର ତାଙ୍କ କାମରେ ବାରମ୍ବାର ହସ୍ତକ୍ଷେପ ଓ ଚାପ ସୃଷ୍ଟି କରନ୍ତି, ସେତେବେଳେ ସେ ବ୍ୟକ୍ତି ସରକାରଙ୍କର ଯେତେ ପ୍ରିୟ ହୋଇଥାଆନ୍ତୁ ନା କାହିଁକି ଯଦି ବିବେକୀ ହୋଇଥା’ନ୍ତି ତେବେ ନିଜ ପଦ ଓ ଅନୁଷ୍ଠାନର ମର୍ଯ୍ୟାଦା ପାଇଁ ସ୍ବର ଉଠାଇବା ନିଶ୍ଚିତ। ସେତେବେଳେ ସେ ଚାପ ଆଗରେ ମୁଣ୍ଡ ନୁଆଁଇ ନିଜ ବିବେକକୁ ବଳିଦେବା ଅପେକ୍ଷା ବିଦ୍ରୋହୀ ହେବାକୁ ଉଚିତ ମଣନ୍ତି। ଏବେ ଏଇ କଥାଟି ଭାରତୀୟ ରିଜର୍ଭ ବ୍ୟାଙ୍କରେ ଦେଖିବାକୁ ମିଳିଛି। ଫଳରେ ସରକାର ଓ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଉର୍ଜିତ ପଟେଲଙ୍କ ମଧ୍ୟରେ ସୃଷ୍ଟ ବିବାଦ ଚରମ ସୀମାରେ ପହଞ୍ଚିଛି। ଦେଶର ମୁଦ୍ରାନୀତି ନିର୍ଦ୍ଧାରଣ ସହ ଗୁରୁତ୍ବପୂର୍ଣ୍ଣ ବିତ୍ତୀୟ ଭୂମିକା ନିର୍ବାହ କରୁଥିବା ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଏଭଳି ଲଢ଼େଇ କେବଳ ଅର୍ଥନୀତି ପାଇଁ ବିପଜ୍ଜନକ ନୁହେଁ; ଏହା ଦେଶର ସ୍ବାଧୀନ ଅନୁଷ୍ଠାନଗୁଡ଼ିକ ଉପରେ ଗୋଟିଏପରେ ଗୋଟିଏ ସରକାରୀ ହସ୍ତକ୍ଷେପର କୁତ୍ସିତ ଅଭିପ୍ରାୟ ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦେଶ କରୁଛି। ସିବିଆଇ ଘଟଣାପରେ ଏବେ ଆରବିଆଇ (ଭାରତୀୟ ରିଜର୍ଭବ୍ୟାଙ୍କ) ସରକାରଙ୍କ ନିଶାଣରେ ରହିଛି। ଏବେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ବିବାଦ ଏତେ ତୀବ୍ର ଯେ କେହି କାହାରି ସହିତ କଥାବାର୍ତ୍ତା କରିବା ଅବସ୍ଥାରେ ନାହାନ୍ତି। ଅତଏବ ଏହା ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି।
ସରକାରଙ୍କ କଥା ନ ଶୁଣିବାରୁ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ସେ ମହାଶୟ ନିଜର ଦାୟିତ୍ବ ଓ ରିଜର୍ଭ ବ୍ୟାଙ୍କର କ୍ଷମତାରେ ସରକାରୀ ହସ୍ତକ୍ଷେପ ଓ ଚାପକୁ ବିରୋଧକରି ଶେଷରେ ନିଜ ପଦରୁ ହଟିଗଲେ। ତାଙ୍କ ସ୍ଥାନରେ ମୋଦୀ ଅନୁଗତ ଉର୍ଜିତ ପଟେଲଙ୍କୁ ନିଯୁକ୍ତି ଦେଇ ସରକାର ଭାବିଥିଲେ ଯେ ଆପଣା ନିର୍ଦେଶରେ ରିଜର୍ଭ ବ୍ୟାଙ୍କକୁ ଚଳାଇବେ। ଅର୍ଥ ମନ୍ତ୍ରଣାଳୟର ଏହି ପ୍ରୟାସ ମଧ୍ୟ ସମୟକ୍ରମେ ବିଫଳ ହୋଇଛି। ରିଜର୍ଭ ବ୍ୟାଙ୍କର କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ତିନିଜଣ ମନୋନୀତ ବି​‌େ​‌ଶଷଜ୍ଞଙ୍କୁ ନେଇ ଏକ ଛ’ଜଣିଆ ପରିଚାଳନା ମଣ୍ଡଳୀ ଗଠନ କରିଥିଲେ ମଧ୍ୟ ବ୍ୟାଙ୍କର ମୁଖ୍ୟ କେତେକ ମୌଳିକ ପ୍ରସଙ୍ଗରେ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ ନ’କରିବାରୁ ବିବାଦ ସୂତ୍ରପାତ ହୋଇଛି। ସୁଧହାର ନିର୍ଦ୍ଧାରଣ, ଅଚଳ ପୁଞ୍ଜି, ନିରବ ମୋଦୀ ବ୍ୟାଙ୍କ ଠକେଇ, ରାଷ୍ଟ୍ରାୟତ୍ତ ବ୍ୟାଙ୍କସମୂହର ନିୟନ୍ତ୍ରଣ, ଦୁର୍ବଳ ବ୍ୟାଙ୍କଙ୍କ ପାଇଁ କୋହଳ ନିୟମ, ତେଲ କମ୍ପାନୀଗୁଡ଼ିକ ପାଇଁ ସ୍ବତନ୍ତ୍ର ଡଲାର ବାତାୟନ ଖୋଲିବା ଏବଂ ଏସ.ଗୁରୁମୂର୍ତ୍ତି ଏବଂ ଏସ.ମରାଠେଙ୍କ ଭଳି ସ୍ବଦେଶୀ ଜାଗରଣ ମଞ୍ଚର ନେତାଙ୍କୁ ରିଜର୍ଭ ବ୍ୟାଙ୍କର ପରିଚାଳନା ମଣ୍ଡଳୀରେ ସାମିଲ କରିବାନେଇ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ମତଭେଦ ରହିଥିଲା। ଉର୍ଜିତ ପଟେଲ ବ୍ୟାଙ୍କର ମୁଖ୍ୟ ହିସାବରେ ସରକାରୀ ଚାପରେ କେତେକ ପ୍ରସ୍ତାବକୁ ଗ୍ରହଣ କରିଥିଲେ ମଧ୍ୟ ଅନେକକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅତଏବ, ତାଙ୍କ କାର୍ଯ୍ୟକଳାପରେ ଅସୁଖୀ ସରକାର ତାଙ୍କୁ ଏବେ ରାଜନଙ୍କଠାରୁ ଅଧିକ ଖରାପ ବୋଲି ପ୍ରକାଶ୍ୟରେ କହିବାକୁ ଲାଗିଲେଣି। ଜଣେ ଅନୁଗତ ଯେତେବେଳେ ବିଦ୍ରୋହୀ ପାଲଟେ ସେତେବେଳେ ବୁଝିବାକୁ ହେବ ଯେ ଏଥିରେ କିଛି ନିର୍ଦିଷ୍ଟ କାରଣ ରହିଛି ଯାହା ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନର ପ୍ରତିଷ୍ଠା ଓ ଗରିମାରେ ଆଞ୍ଚ ଆଣୁଛି। ରିଜର୍ଭ ବ୍ୟାଙ୍କର ମୌଳିକତା ଅତୁଟ ହେଉ ଓ ଏହା ରାଜନୈତିକ ଥଇଥାନ କେନ୍ଦ୍ର ନ’ ପାଲଟୁ। ଏହାର ମୁଖ୍ୟଙ୍କୁ ବିଦ୍ରୋହୀ, ଅସହଯୋଗୀ କହି ବଦନାମ କରିବା ଅପେକ୍ଷା ତାଙ୍କ କଥା ଶୁଣିବା ଆବଶ୍ୟକ। ଆମ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସେ କଥା ଶୁଣିବା ସ୍ଥିତିରେ ଅଛନ୍ତି ତ?
ରିଜର୍ଭବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ମଧ୍ୟ ଉର୍ଜିତଙ୍କୁ ସମର୍ଥନ କରି ସରକାରୀ ହସ୍ତକ୍ଷେପ ବିରୋଧରେ ଖୋଲା ବିଦ୍ରୋହ କରିଛନ୍ତି। ଆମ ବ୍ୟବସ୍ଥା ଯାହା ଏହି ଦୁଇ ଅଧିକାରୀ ସରକାରଙ୍କ ସହ ଲଢ଼େଇ କରି ବେଶୀଦିନ ତିଷ୍ଠି ପାରିବେ ନାହିଁ ଓ ସେମାନଙ୍କୁ ବିଦା ହେବାକୁ ପଡ଼ିବ। ସେ ସ୍ଥାନ ପୂରଣ କରିବାକୁ ଦେଶରେ ସରକାରଙ୍କ ବଚସ୍କରଙ୍କ ଅଭାବ ନାହିଁ। ତେବେ ଏହି ଘଟଣା ସ୍ପଷ୍ଟ କରିଦେଉଛି ଯେ ରାଜନୀତିସର୍ବସ୍ବ ଅର୍ଥ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ସରକାର ରିଜର୍ଭ ବ୍ୟାଙ୍କ ଭଳି ସ୍ବାଧୀନ ଅନୁଷ୍ଠାନକୁ ନିଜର କ୍ରୀଡ଼ନକ ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି ଓ ଅର୍ଥନୀତିର ବାସ୍ତବତା ପ୍ରତି ଆଖିବୁଜି ଦେଉଛନ୍ତି। ଏହା ଏକ ମନ୍ଦ ପରମ୍ପରା ସୃଷ୍ଟି କରୁଛି ଏବଂ ଏଥିପାଇଁ ଦେଶକୁ ବହୁତ ମୂଲ୍ୟ ଦେବାକୁ ପଡ଼ିପାରେ। ଆର୍ଥିକ ବ୍ୟାପାର ନିର୍ଦ୍ଧାରଣ ସଂକ୍ରାନ୍ତ ଦେଶର ଏହି ସର୍ବୋଚ୍ଚ ଅନୁଷ୍ଠାନକୁ ସ୍ବାଧୀନଭାବେ କାମ କରିବାକୁ ଦିଆଯାଉ ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଯେଉଁ ଭୁଲ ବୁଝାମଣା ବା ବିବାଦ ସୃଷ୍ଟି ହେଉଛି ତାହାର ଆପୋସ ସମାଧାନ ପାଇଁ ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରି ତା’ର ସମାଧାନ କରନ୍ତୁ। କହିବା ବାହୁଲ୍ୟ ଯେ ଅର୍ଥନୀତି ଓ ରାଜନୀତି ଦୁଇଟି ଭିନ୍ନ କଥା ଏବଂ ଏହାର ସୁସମନ୍ବୟରେ ଦେଶର ପ୍ରଗତି ନିହିତ। ଏକଥାର ଗୁରୁତ୍ବ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇବା ଅନାବଶ୍ୟକ। ଜଣେ ସଚ୍ଚା ରାଷ୍ଟ୍ରନୀତିଜ୍ଞଭାବେ ସେ ଏହି ବ୍ୟାପାରରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନର ରାସ୍ତା ବାହାର କରନ୍ତୁ।

Leave A Reply