ଓଡ଼ିଆ ଭାଷା ବିଲୟମୁଖୀ ହେଉଛି କି?

0

ନୀଳାଦ୍ରିଭୂଷଣ ହରିଚନ୍ଦନ

ଊନବିଂଶ ଶତାବ୍ଦୀ ଦ୍ବିତୀୟାର୍ଦ୍ଧର ପ୍ରଥମ ଭାଗରେ ଓଡ଼ିଆ ଭାଷା ବିଲୋପ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା। ଓଡ଼ିଆ ସ୍କୁଲମାନଙ୍କରେ ବଂଗଳା ମାଧ୍ୟମରେ ପାଠ ପଢ଼ାହେବାର ବ୍ୟବସ୍ଥା କରାଯାଇଥିଲା। ଏହି ଷଡ଼ଯନ୍ତ୍ର ପଛରେ ମୁଖ୍ୟତଃ କେତେଜଣ ବଂଗାଳୀ ଓ ଇଂରେଜ ପଦାଧିକାରୀ ଥିଲେ। ଫକିର ମୋହନ ସେନାପତି ପ୍ରମୁଖ ଓଡ଼ିଆ ଭାଷାପ୍ରେମୀମାନେ ବହୁ ସଂଗ୍ରାମ କରି ଏ ଭାଷାକୁ ନିଶ୍ଚିତ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ। ବଂଗଳା ଭାଷାକୁ ଯଦି ଶିକ୍ଷାର ମାଧ୍ୟମ କରାଯାଇଥାନ୍ତା ପ୍ରାଚୀନ ମଧ୍ୟକାଳୀନ ସାହିତ୍ୟସମୃଦ୍ଧ ଓଡ଼ିଆଭାଷା ଆଜି କେବଳ ଏକ ସଂକୁଚିତ ଭୂମିଖଣ୍ଡର କଥିତ ଭାଷାରୂପେ ବିବେଚିତ ହେଉଥାନ୍ତା।
ମନେହେଉଛି, ଆଜି ସେହିପରି ଏକ ସଂକଟମୟ ସମୟ ଉପସ୍ଥିତ ହେବାକୁ ଯାଉଛି। ଅବଶ୍ୟ ଏ ସଂକଟ କୌଣସି ପ୍ରତିବେଶୀଙ୍କ ଆଡ଼ୁ ସୃଷ୍ଟି ହୋଇନାହିଁ, ସୃଷ୍ଟି ହୋଇଛି ଓଡ଼ିଆ ଭାଷାଭାଷୀ ଲୋକଙ୍କ ମନୋଭାବ ଯୋଗୁଁ। ନିଜ ମାତୃଭାଷା ପ୍ରତି ଓଡ଼ିଆ ଲୋକଙ୍କର ଅନାସ୍ଥାଭାବ ଦିନକୁଦିନ ବୃଦ୍ଧି ପାଇଛି। ମାତୃଭାଷା ଓ ମାତୃଭାଷାର ସାହିତ୍ୟ ପ୍ରତି ଅନାଦର ଓ ଅସମ୍ମାନ ଓଡ଼ିଆ ଜାତି ବ୍ୟତୀତ ଅନ୍ୟ କୌଣସି ସ୍ବାଭିମାନୀ ଜାତିର ନାହିଁ। ସମସ୍ତ ଭାରତୀୟ ନିଜନିଜ ମାତୃଭାଷାକୁ ନେଇ ଗୌରବବୋଧ କରନ୍ତି। ନିଜ ଭାଷାର ସମ୍ବାଦପତ୍ର, ସାହିତ୍ୟ ପତ୍ରିକା ଓ ସାହିତ୍ୟପୁସ୍ତକକୁ ଅବଶ୍ୟ ପଢ଼ନ୍ତି। ନିଜଭାଷାକୁ ଶୁଦ୍ଧ ଭାବେ କହନ୍ତି ଓ ଲେଖନ୍ତି। ଦୁଃଖର କଥା, ଓଡ଼ିଆମାନଙ୍କ କ୍ଷେତ୍ରରେ ଏପରି କାର୍ଯ୍ୟ ବା ମନୋଭାବ ଦେଖାଯାଏ ନାହିଁ।
ଓଡ଼ିଆ ଭାଷାର ପତ୍ରପତ୍ରିକା ଓ ପୁସ୍ତକ ପ୍ରକାଶନ ଏପର୍ଯ୍ୟନ୍ତ ଅବ୍ୟାହତ ରହିଛି, କିନ୍ତୁ ଗତି ମନ୍ଥର। ପ୍ରକୃତ ପ୍ରକାଶନ ବହୁ ପରିମାଣରେ ହ୍ରାସ ପାଇଛି; ବହୁ ନିୟମିତ ସାହିତ୍ୟ ପତ୍ରିକା ବନ୍ଦ ହୋଇଯାଇଛି କିମ୍ବା ବର୍ଷକୁ ଗୋଟିଏ ଦୁଇଟି ସଂଖ୍ୟା ବାହାରି ନିଜର ସ୍ଥିତି ପ୍ରତିପାଦନ କରୁଛି। ଏ ସ୍ଥିତି କିନ୍ତୁ ବଡ଼ ଦୁର୍ବଳ, ପୂର୍ବରୁ ଯେଉଁମାନେ ଓଡ଼ିଆ ସାହିତ୍ୟ ପଢ଼ି ଆସୁଥିଲେ, ଏବେ ବି ସେମାନେ ପଢ଼ୁଛନ୍ତି। ନୂତନ ପାଠକଗୋଷ୍ଠୀ ସୃଷ୍ଟି ହେଉନାହିଁ। ଆଜିକାଲି ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅତି ବେଶି ଭାରାକ୍ରାନ୍ତ ରହୁଥିବାରୁ ପାଠ୍ୟକ୍ରମ ବାହାରେ କୌଣସି ସାହିତ୍ୟ ପୁସ୍ତକ ପଢ଼ିବାକୁ ସମୟ ପାଉନାହାନ୍ତି। ବୈଷୟିକ ଶିକ୍ଷା ପାଇ ଅଧିକାଂଶ ଛାତ୍ରଛାତ୍ରୀ ଓଡ଼ିଶା ଭିତରେ ବା ବାହାରେ ବିଭିନ୍ନ କମ୍ପାନୀରେ ଚାକିରି କରୁଛନ୍ତି। ସେମାନଙ୍କର ସାହିତ୍ୟ ବିଳାସ ପାଇଁ ଇଚ୍ଛା ନାହିଁ କି ସମୟ ନାହିଁ। ବହୁ ଛାତ୍ରଛାତ୍ରୀ ଇଂରେଜୀ ମାଧ୍ୟମ ସ୍କୁଲରେ ପଢ଼ଥିବାରୁ, ସେମାନଙ୍କର ମାତୃଭାଷାର ସାହିତ୍ୟ ପ୍ରତି କୌଣସି ଆଗ୍ରହ ରହୁନାହିଁ କିମ୍ବା ସେ ସମ୍ପର୍କରେ କୌଣସି ଧାରଣା ରହୁନାହିଁ। ଅପରନ୍ତୁ ସେମାନଙ୍କ ଭିତରେ ଓଡ଼ିଆ ଭାଷା ପ୍ରତି ଏକ ହେୟଭାବ ସୃଷ୍ଟି ହେଉଛି। ଯେଉଁମାନଙ୍କର ହାଇସ୍କୁଲ ଓ କଲେଜରେ ପଢ଼ିବା ବେଳୁ ଓଡ଼ିଆ ସାହିତ୍ୟପାଠ ପାଇଁ ଅନୁରକ୍ତି ସୃଷ୍ଟି ହୋଇନଥାଏ ପରବର୍ତ୍ତୀ ଅବସ୍ଥାରେ ଆଉ ତାହା ସମ୍ଭବ ହୁଏ ନାହିଁ। ଯୁବଗୋଷ୍ଠୀର ଆମ ସାହିତ୍ୟ ପ୍ରତି ଆଦର ଓ ଆଗ୍ରହ ନରହିଲେ ସାହିତ୍ୟର ବିକାଶ ବାଧାପ୍ରାପ୍ତ ହେବା ସ୍ବାଭାବିକ। ସାହିତ୍ୟ ସୃଷ୍ଟି ଏବେ ବି ଅବ୍ୟାହତ ରହିଛି। ଉନ୍ନତ ସାହିତ୍ୟ ବି ସୃଷ୍ଟି ହୋଇଛି। ବହୁ ପ୍ରତିଭାବାନ ଲେଖକ ନିରବଚ୍ଛିନ୍ନ ଭାବେ ଲେଖି ଚାଲିଛନ୍ତି, କିନ୍ତୁ ସେ ସବୁକୁ ପଢ଼ିବାକୁ ପାଠକ ନାହାନ୍ତି କି ଛାପିବାକୁ ପ୍ରକାଶକ ନାହାନ୍ତି। ପାଠକ ଓ କ୍ରେତାମାନଙ୍କ ସଂଖ୍ୟା ବହୁ ପରିମାଣରେ କମିଯାଇ ଥିବାରୁ ପ୍ରକାଶକମାନେ ଉନ୍ନତମାନର ଲେଖକମାନଙ୍କ ବହି ଛାପିବାକୁ ବି ଆଗ୍ରହୀ ହେଉନାହାନ୍ତି।
ସାହିତ୍ୟ ପଢ଼ନ୍ତି ସାଧାରଣତଃ ମଧ୍ୟବିତ୍ତ ଗୋଷ୍ଠୀ, ସେମାନଙ୍କର ସାହିତ୍ୟ ବିଳାସ ନରହିଲେ ସାହିତ୍ୟର ବିକାଶ ସମ୍ଭବପର ନୁହେଁ। ଦଶ ବାରବର୍ଷ ତଳେ ମଧ୍ୟବିତ୍ତ ଗୋଷ୍ଠୀର ପାଠକ ସଂଖ୍ୟା ବହୁତ ବେଶି ଥିଲା। କଲେଜ, ବିଶ୍ବବିଦ୍ୟାଳୟର ଛାତ୍ରମାନେ ମଧ୍ୟ ବହି କିଣି ପଢ଼ୁଥିଲେ। ଅନେକ ସ୍ବଚ୍ଛଳ ବ୍ୟକ୍ତିଙ୍କର ବ୍ୟକ୍ତିଗତ ପାଠାଗାର ଥିଲା। ଏହା ଥିଲା ସଂଭ୍ରାନ୍ତ ଭାବର ପରିଚୟ। ଝିଅର ବିବାହବେଳେ ଉପନ୍ୟାସ, ଗଳ୍ପ, ନାଟକ, କବିତା ଆଦି ନାନା ପୁସ୍ତକ ସମ୍ବଳିତ ଗୋଟିଏଦୁଇଟି ଟ୍ରଙ୍କ ସାଥୀରେ ଦିଆଯାଉଥିଲା। ବିବାହ, ବ୍ରତ, ଜନ୍ମଦିନ, ପ୍ରଭୃତି ଆନୁଷ୍ଠାନଗୁଡ଼ିକରେ ପୁସ୍ତକ ଉପହାର ଦିଆଯାଉଥିଲା। ଆଜି ଏହି ପରମ୍ପରା ପ୍ରାୟ ବନ୍ଦ ହୋଇଗଲାଣି।
ବହୁ ​‌େ​‌ଲାକଙ୍କର ବହି ଥିଲା ଅବସର ବିନୋଦନର ଶ୍ରେଷ୍ଠମାଧ୍ୟମ। ଏବେ ଓଡ଼ିଆ ବହି ଖଣ୍ଡିଏ ଧରି ନିବିଷ୍ଟ ଚିତ୍ତରେ ପଢ଼ୁଥିବା ମଣିଷଙ୍କ ସଂଖ୍ୟା ବହୁତ କମ୍‌। ଏହି ଅବସ୍ଥା ସାଧାରଣରେ ଆମ ଭାଷାସାହିତ୍ୟ ପ୍ରତି ସ୍ପୃହାହୀନତା ସୂଚାଉଛି। ଗୃହିଣୀମାନେ ଓଡ଼ିଆ ବହି କିଣିବାରେ ବେଶି ଆଗ୍ରହ ପ୍ରକାଶ କରୁଥିଲେ; କାରଣ ସେମାନଙ୍କର ଏକମାତ୍ର ଅବସର ବିନୋଦନ ଥିଲା, ବହି ପଢ଼ିବା। ଆଜି ସେ ଅବସ୍ଥା ପ୍ରାୟ ନାହିଁ। ଯେଉଁମାନେ ଆର୍ଥିକ ଅବସ୍ଥାସଂପନ୍ନ, ସେମାନେ ବିଳାସ ସାମଗ୍ରୀ ସହିତ ଓଡ଼ିଆ ପୁସ୍ତକ କିଣି ଗୃହ ସଜ୍ଜା କରିପାରନ୍ତେ। ନିର୍ଜୀବ ସାମଗ୍ରୀ କଥା କହେନାହିଁ, ବହି କିନ୍ତୁ କଥା କହେ।
ସରକାର ସ୍କୁଲ, କଲେଜ, ପାଠାଗାର ଏବଂ ସରକାରୀ ପାଠାଗାରଗୁଡ଼ିକୁ ନିୟମିତଭାବେ ଯଥୋଚିତ ଆର୍ଥିକ ଅନୁଦାନ ଯୋଗାଇଦେଲେ ଅବସ୍ଥାର ଉନ୍ନତି ଆସିପାରନ୍ତା। ଏବେବି ଅନେକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଏପରି ପାଠାଗାରଗୁଡ଼ିକ ଉପରେ ନିର୍ଭର କରନ୍ତି। ପଠନବିଳାସ, ପୁସ୍ତକ କ୍ରୟ ଓ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଓଡ଼ିଶା ପଶ୍ଚାତମୁଖୀ ହେବାରେ ଲାଗିଛି। ଆଜି ଓଡ଼ିଆମାନେ ସମସ୍ତ କ୍ଷେତ୍ରରେ ଅଧିକରୁ ଅଧିକ ବିକାଶଲାଭ କରୁଛନ୍ତି, କିନ୍ତୁ ଆଶ୍ଚର୍ଯ୍ୟର କଥା, ଭାଷା ଓ ସାହିତ୍ୟ କ୍ରମାଗତ ଭାବେ ଅବହେଳିତ ହେବାରେ ଲାଗିଛି। ଆମର ପ୍ରତିବେଶୀ ରାଜ୍ୟଗୁଡ଼ିକ ସମେତ ଅନ୍ୟରାଜ୍ୟଗୁଡ଼ିକର ସାଧାରଣ ଲୋକେ ନିଜନିଜର ଭାଷା ସାହିତ୍ୟ ପ୍ରତି ଯେପରି ଅନୁରକ୍ତ, ଓଡ଼ିଆମାନେ ନିଜ ଭାଷାସାହିତ୍ୟ ପ୍ରତି କ’ଣ ଅନୁରୂପ ଭାବେ ଅନୁରକ୍ତ ହୋଇପାରନ୍ତେ ନାହିଁ? ଆମେ ଆଶା କରିବା ସେମାନଙ୍କ ମନରେ ଓଡ଼ିଆ ଜାତୀୟତା ଓ ସ୍ବାଭିମାନ ସୃଷ୍ଟି ହେଉ। ଆମ ସାହିତ୍ୟ ବଞ୍ଚିରହୁ, ତା’ସହିତ ବଞ୍ଚିରହୁ ଆମର ଭାଷା।
ଓଡ଼ିଆ ଭାଷା ଅତ୍ୟନ୍ତ ସମୃଦ୍ଧଭାଷା, କିନ୍ତୁ କେତେକ ଓଡ଼ିଆ ହୀନମନ୍ୟତା ଯୋଗୁଁ ନିଜର ଭାଷାକୁ ଏକ ସଂକର ବା ମିଶ୍ର ଭାଷାରେ ପରିଣତ କରିବାର ଅପଚେଷ୍ଟା କରିଆସୁଛନ୍ତି। ଆମର ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକ ବଦଳରେ ହିନ୍ଦୀଶବ୍ଦର ବ୍ୟବହାର କରୁଛନ୍ତି। ଆମର ଗଣମାଧ୍ୟମଗୁଡ଼ିକ ବ୍ୟାପକଭାବେ ହିନ୍ଦୀ ଶବ୍ଦର ବ୍ୟବହାର କରୁଥିବାରୁ ସେଗୁଡ଼ିକର ପ୍ରଭାବ ଜନଗଣଙ୍କ ଉପରେ ପଡ଼ୁଛି। ଲୋକେ ଯେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରିଆସୁଥିଲେ, ସେଗୁଡ଼ିକୁ ଭୁଲିଗଲେଣି। ସୁନ୍ଦର ଓଡ଼ିଆ ଶବ୍ଦଗୁଡ଼ିକୁ ହିନ୍ଦୀଶବ୍ଦ ଗ୍ରାସ କରି ବସିଲାଣି। ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକର ଘୋଷିକଘୋଷିକା ଓ ଉପସ୍ଥାପକ/ଉପସ୍ଥାପିକାମାନେ ଅସଂଖ୍ୟ ହିନ୍ଦୀଶବ୍ଦ ବ୍ୟବହାର କରୁଛନ୍ତି। ଅବଶ୍ୟ ପୁରୁଷ ଉପସ୍ଥାପକଙ୍କ କ୍ଷେତ୍ରରେ ଓଡ଼ିଆ ଭାଷାକୁ ବିକୃତ କରିବାର ପ୍ରବଣତା ଅପେକ୍ଷାକୃତ କମ୍‌ ମନେ ହୁଏ।
ଖବରକାଗଜ ଭାଷାର ଶୁଦ୍ଧତା ରକ୍ଷା କରେ ଓ ଭାଷାକୁ ବିକଶିତ କରାଏ। ଏହି କାର୍ଯ୍ୟ ଓଡ଼ିଆ ସମ୍ବାଦପତ୍ରମାନେ ବହୁକାଳ ଧରି କରିଆସୁଥିଲେ, କିନ୍ତୁ ଆଜି ସଂପାଦକୀୟ ଓ ସଂପାଦକୀୟ ପୃଷ୍ଠାର ଲେଖାଗୁଡ଼ିକୁ ଛାଡ଼ିଦେଲେ ଏହି ପ୍ରୟାସ ସମ୍ବାଦପତ୍ରର ସମ୍ବାଦ ଅଂଶଗୁଡ଼ିକରେ ଲକ୍ଷିତ ​‌େ​‌ହଉନାହିଁ। ବହୁ ଶ୍ରୁତିକଟୁ ହିନ୍ଦୀଶବ୍ଦ ଓଡ଼ିଆଶବ୍ଦର ସ୍ଥାନ ଅଧିକାର କରିବସିଛି। ଓଡ଼ିଆ ଭାଷାର ବିକାଶ ପରିବର୍ତ୍ତେ ବିନାଶ ଘଟାଇବାରେ ସହାୟତା କରୁଛି। ଖବରକାଗଜ ପୃଷ୍ଠାରେ ଆଖିପଡ଼ିବା ମାତ୍ରେ ଦେଖାଯାଉଛି, ‘ନୃତ୍ୟଗୀତରେ ଦର୍ଶକମାନେ ଝୁମିଲେ, ପୁଲିସ, ଛାନ୍‌ବିନ୍‌ କରୁଛି, ଛିନ୍‌ତାଇ ହୋଇଗଲା, ହଡ଼ପ ହୋଇଯାଇଛି, ପର୍ଦାଫାସ ହୋଇଗଲା’ ଇତ୍ୟାଦି। ମନେହେଉଛି ଦର୍ଶକମାନେ ଆଜିକାଲି ଆଉ ନୃତ୍ୟଗୀତରେ ବିଭୋର କି ବିମୋହିତ କି ମନ୍ତ୍ରମୁଗ୍ଧ ହେଉନାହାନ୍ତି, କେବଳ ଝୁମୁଛନ୍ତି। ପୁଲିସ ଅନୁସନ୍ଧାନ ନ କରି ଛାନ୍‌ବିନ୍‌ କରୁଛି। ଲୁଣ୍ଠନ ବା ବାଟମାରଣା ନହୋଇ ଛିନତାଇ ହେଉଛି, ସରକାରୀ ଅର୍ଥ ଆତ୍ମସାତ୍‌ ନହୋଇ ହଡ଼ପ ହେଉଛି। ରାଜନୈତିକ ଦଳଗୁଡ଼ିକ କୌଣସି ପ୍ରସଙ୍ଗକୁ ନେଇ ବା ପ୍ରଶ୍ନକୁ ନେଇ ଲଢ଼ୁନାହାନ୍ତି, ​‌େ‌କୗଣସି ମୁଦ୍ଦାକୁ ନେଇ ଲଢ଼ୁଛନ୍ତି। ସରକାର ଉଚିତ କି ଉପଯୁକ୍ତ ପଦକ୍ଷେପ ନନେଇ ଠୋସ୍‌ କଦମ୍‌ ଉଠାଉଛନ୍ତି। ଭାଷାର ଏପରି ବ୍ୟବହାର ବଡ଼ ଅସ୍ବସ୍ତିକର। ସାହିିତ୍ୟିକମାନେ ବି ଚମତ୍କାରିତା ସୃଷ୍ଟି ହେବ ଭାବି ଏପରି ହିନ୍ଦୀ ଶବ୍ଦଗୁଡ଼ିକର ବ୍ୟବହାର ଆରମ୍ଭ କରିଦେଲେଣି। ସାମ୍ବାଦିକମାନେ ବି ଚମତ୍କାରିତା ସୃଷ୍ଟି କରିବାକୁ ଏ ଶବ୍ଦସବୁ ବ୍ୟବହାର କରୁଛନ୍ତି। ଆମ ଭାଷା ଗୋଟିଏ ଖେଚୁଡ଼ିଭାଷାରେ ପରିଣତ ହୋଇଗଲେ, ତା’ର ସାବଲୀଳତା କେବଳ ନଷ୍ଟ ହେବନାହିଁ, ସମ୍ମାନ ମଧ୍ୟ ରହିବ ନାହିଁ। ହିନ୍ଦୀର ଶବ୍ଦ ଅପଶବ୍ଦଗୁଡ଼ିକ କିପରି ଆମର ଅର୍ଥପୂର୍ଣ୍ଣ ଶ୍ରୁତିମଧୁର ଶବ୍ଦଗୁଡ଼ିକ ଆମ ଭାଷାଭଣ୍ଡାରରୁ ଲୋପ କରିଦେବାକୁ ବସିଛି ତା’ର କେତୋଟି ଉଦାହରଣ ଦିଆଯାଉଛି। ଟକ୍କର (ପ୍ରତିଦ୍ବନ୍ଦ୍ବିତା), ମାହୋଲ (ପରିବେଶ, ବାତାବରଣ), ଅଧୁରା (ଅସଂପୂର୍ଣ୍ଣ), ଝଟକା (ଆଘାତ), ବେସାହାରା (ନିରାଶ୍ରୟ), ଦବ୍‌ଦବା (ପ୍ରଭାବ), ନଜରଅନ୍ଦାଜ (ଅବହେଳା), ଦାଓପେଞ୍ଚ (ଦୁରଭିସନ୍ଧି, ଷଡ଼ଯନ୍ତ୍ର),ବାଜିମାତ୍‌ (ବିଜୟ, ପ୍ରାଧାନ୍ୟ, ଶ୍ରେଷ୍ଠତ୍ବଲାଭ), ତାରିଫ (ପ୍ରଶଂସା), ଖୁଦ୍‌ଗର୍ଜ (ସ୍ବାର୍ଥପର), ତମନ୍ନା (ଇଚ୍ଛା, ଅଭିଳାଷ), ପକ୍କଡ (ପ୍ରଭାବ), ଧମାକା (ଆନନ୍ଦ ଉତ୍ସବ), କାରନାମା (କରିତ୍‌କର୍ମାପଣ) ପର୍ଦାଫାସ୍‌ (ରହସ୍ୟ ଉନ୍ମୋଚନ), ବହୁମତ (ସଂଖ୍ୟାଗରିଷ୍ଠତା), ମାହିର (ମୁଖ୍ୟ, ନାୟକ), ତରିକା (ପଦ୍ଧତି, କୌଶଳ), ଖୁଲାସା (ସତ୍ୟଉନ୍ମୋଚନ,ସ୍ପଷ୍ଟ, ପ୍ରକାଶ), ତାଜୁବ (ବିସ୍ମିତ, ଆଶ୍ଚର୍ଯ୍ୟାନ୍ବିତ), ହଙ୍ଗାମା (ଗଣ୍ଡଗୋଳ, ପାଟିତୁଣ୍ଡ), ନାରା (ଧ୍ବନି), ନାରାବାଜି (ଧ୍ବନିଦେବା), ଲୁଟେରା (ଡାକୁ, ଡକାୟତ), ଠିକ୍‌ସେ (ଠିକ୍‌ରୂପେ, ଠିକ୍‌ ଭାବେ), ପତ୍ତାଲଗାଇବା (ଖୋଜିବା, ଅନୁସନ୍ଧାନ କରିବା), ମଜା ଉଠାଇବା (ମଜା କରିବା), ଉତ୍ସବ, ଜନ୍ମଦିନ, ଖୁସି ଆଦି ମନାଇବା (ପାଳନ କରିବା), କ୍ଷତି ପହଞ୍ଚାଇବା (କ୍ଷତିକରିବା), ​‌େ​‌ଢର ସାରା, ବହୁତସାରା ( ​‌େ​‌ଢର, ବହୁତ) ଇତ୍ୟାଦି। ଆମ ଭାଷାର ଶବ୍ଦଭଣ୍ଡାରରେ ସୁନ୍ଦର, ଅର୍ଥପୂର୍ଣ୍ଣ, ଶ୍ରୁତିମଧୁର ଶବ୍ଦର ଅଭାବ ନଥିବାବେଳେ ଆମେ କାହିଁକି ଅନ୍ୟର ଶ୍ରୁତିକଟୁ ଶବ୍ଦ ଅପଶବ୍ଦଗୁଡ଼ିକୁ ଆଣି ଆମ ନିଜସ୍ବ ଶବ୍ଦଗୁଡ଼ିକୁ ସମାଧି ଦେବା? ଏପରି ପ୍ରକ୍ରିୟା ଅନ୍ୟ କୌଣସି ରାଜ୍ୟରେ ଅଛିକି? ଆମ ଭାଷାକୁ ରକ୍ଷା କରିବାର ପ୍ରଥମ ଦାୟିତ୍ବ ଉଭୟ ସମ୍ବାଦପତ୍ର ଏବଂ ଟିଭି ସାମ୍ବାଦିକମାନଙ୍କର। ଯେଉଁମାନେ ଭାଷାକୁ ବିକୃତ କରୁଛନ୍ତି, ସେମାନଙ୍କୁ ସଚେତନ କରାନ୍ତୁ। ଆମ ଭାଷା ଆଉ ଅଧିକ ବିପର୍ଯ୍ୟୟର ସମ୍ମୁଖୀନ ନହେଉ।
ସାହିତ୍ୟ ଭାଷାକୁ ସ୍ଥାୟିତ୍ବ ଦିଏ, ତାକୁ ବିକଶିତ କରାଏ। ପାଠକମାନଙ୍କ ଅନାଗ୍ରହ ଯୋଗୁଁ ଯଦି ପୁସ୍ତକ ପ୍ରକାଶନ ବନ୍ଦ ହୋଇଯାଏ, ଆମ ସାହିତ୍ୟ ପ୍ରସାର ଲାଭ କରିବ କିପରି? ଶେଷରେ ଆମର ପ୍ରାଚୀନ, ସମୃଦ୍ଧ ଭାଷା କ’ଣ ଗୋଟିଏ କଥିତ ଭାଷା ଭାବେ ପରିଗଣିତ ହେବ? ଆମର ଜାତୀୟପ୍ରୀତି ଜାଗ୍ରତ ହେଉ, ଏପରି ସମ୍ଭାବ୍ୟ ବିପଦଗୁଡ଼ିକୁ ପ୍ରତିହତ କରିବାକୁ ଆମେ ସକ୍ଷମ ହେଉ।

Leave A Reply