ଜ୍ଞାନ ଓ ବଜାରର ଯୁଗଳବନ୍ଦୀ

0

ଶୈଳେନ୍ଦ୍ର ଦ୍ବିବେଦୀ

ଅକ୍ଟୋବର ୮, ୨୦୧୮ରେ ରୟାଲ ସ୍ବିଡିଶ୍ ଏକାଡେମୀ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା କରିଛି। ଏଥର ଯୋଗ୍ୟ ବିବେଚିତ ହୋଇଛନ୍ତି ୟେଲ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର ୱିଲିୟମ ଡ. ନରଡସ୍‌ ଏବଂ ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ପ୍ର.ପଲ୍‌.ଏମ. ରୋମର। ଏକାଡେମୀ ଉଲ୍ଲେଖ କରିଛି, ଉଭୟ ଅର୍ଥନୀତିଜ୍ଞ ଆମ ସମୟର କିଛି ମୌଳିକ ତଥା ଗୁୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ଯାହା ପରିପୋଷଣୀୟ ଏବଂ ଦୀର୍ଘକାଳୀନ ଅର୍ଥନୈତିକ ଅଭିବୃଦ୍ଧିକୁ ସାମର୍ଥ୍ୟ ଯୋଗେଇବ। କହିରଖେ ଯେ ୱିଲିୟମ୍‌ଙ୍କୁ ପୁରସ୍କାର ମିଳିଛି ଜଳବାୟୁ ପରିବର୍ତ୍ତନକୁ ଅର୍ଥନୈତିକ ବ୍ୟବସ୍ଥା ସହିତ ବୃହତ୍ତର ଅର୍ଥରେ ଯୋଡ଼ିବା ପାଇଁ। ତାଙ୍କର ନମୁନା ସୂଚେଇ ସାରିଛି, ଉଭୟ ପରସ୍ପର ସମ୍ପର୍କିତ। ଅନ୍ୟପକ୍ଷରେ ରୋମରଙ୍କ ଅଧ୍ୟୟନ ଆପାତତଃ ପ୍ରମାଣିତ କରିଛି, ବଜାର ଅର୍ଥନୀତି ସହିତ ଜ୍ଞାନ, ବିଶେଷ ଭାବରେ ପ୍ରଯୁକ୍ତି ବିଜ୍ଞାନର ମଧୁର ସମ୍ପର୍କ ରହିଛି। କେବଳ ମଧୁର ନୁହେଁ, ମଜବୁତ୍‌ ବି।
ଏଥର ଆମ ଆଲୋଚନା ରୋମରଙ୍କ ତତ୍ତ୍ବକୁ ନେଇ। ଆପଣ ଜାଣନ୍ତି, ମଣିଷ ଜାତି ପାଇଁ ସମ୍ବଳ/ସଂପଦ ଅସରନ୍ତି ବା ଅଖଣ୍ଡ ନୁହେଁ। ଅର୍ଥନୀତିର ଲକ୍ଷ୍ୟ (ଏକ ବିଜ୍ଞାନ ଭାବରେ) କେମିତି ସୀମିତ ସମ୍ବଳକୁ ଭିତ୍ତିକରି ଅର୍ଥନୈତିକ ଅଭିବୃଦ୍ଧିକୁ ଓ ସେଇ ମର୍ମରେ ଜୀବନର ଗୁଣାତ୍ମକମାନକୁ ବଢ଼େଇ ହେବ। ରୋମରଙ୍କ ୪୦ ବର୍ଷର ଗବେଷଣା ଅର୍ଥନୀତିର ଅସଲ ଉଦ୍ଦେଶ୍ୟକୁ ସେଇ ଅର୍ଥରେ ସହାୟତା ଯୋଗେଇଛି। ଉଲ୍ଲେଖଯୋଗ୍ୟ ଯେ, ତାଙ୍କର ଯେଉଁ ତତ୍ତ୍ବ/ସିଦ୍ଧାନ୍ତ ଜ୍ଞାନ ଓ ବଜାରର ଯୁଗଳବନ୍ଦୀକୁ ଗୁରୁତ୍ବ ଦେଇଛି, ତାହା ହେଉଛି ‘ଏଣ୍ଡୋଜେନସ୍‌ ଗ୍ରୋଥ ଥିଓରି’। ସେ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରିବା ଆଗରୁ କହିରଖେ ଯେ ୧୯୮୭ରେ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ରୋବର୍ଟ ସୋଲୋଙ୍କ ସିଦ୍ଧାନ୍ତ ବିରୋଧରେ ସାମ୍‌ନାକୁ ଆସିଥିଲା ରୋମରଙ୍କ ଅନୁଶୀଳନ। ସୋଲୋଙ୍କ ନମୁନା ଅନୁସାରେ, ଏକ ଅର୍ଥନୀତିର ଅଭିବୃଦ୍ଧି ଦୁଇଟି ଉପାଦାନ ଉପରେ ନିର୍ଭରଶୀଳ: (୧) ଜନସଂଖ୍ୟା ବୃଦ୍ଧି (ହାର) (୨) ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି/ ଅଭିବୃଦ୍ଧି (ହାର)। ୧୯୫୬ ମସିହାରେ ସୋଲୋ ଏବଂ ଟ୍ରେଭର ସ୍ବାନଙ୍କ ଦ୍ବାରା ପ୍ରସ୍ତାବିତ ସିଦ୍ଧାନ୍ତ ମୁତାବକ ଜିଡିପି ବା ମୋଟ ଘରୋଇ ଉତ୍ପାଦନର ତିନିଟି ଅଂଗ ରହିଛି: ଶ୍ରମଶକ୍ତି, ପୁଞ୍ଜି ଏବଂ ଜ୍ଞାନ। ସିଦ୍ଧାନ୍ତଟି ସ୍ପଷ୍ଟ କରିଥିଲା, ଜିଡିପି (ମୁଣ୍ଡପିଛା) ଧାରାବାହିକ ଭାବରେ ବଢ଼ି ଚାଲିବ ଏବଂ ଅର୍ଥନୈତିକ ଅଭିବୃଦ୍ଧି/ସମୃଦ୍ଧିର ମଂଗ ଧରିବ ଏବଂ ବାହ୍ୟ ବ୍ୟବସ୍ଥା- ବଜାରର ଆଭ୍ୟନ୍ତରୀଣ ପରିବେଶ ନୁହେଁ। ଆଉ ରୋମରଙ୍କ ମତ ହେଉଛି, ଜ୍ଞାନ/ପ୍ରଯୁକ୍ତି ବିଦ୍ୟାର ଉତ୍କର୍ଷ ଯେତିକି ବାହ୍ୟ ଉପାଦାନ ହୋଇଆସିବ ନାହିଁ, ସେତିକି ଆସିବ ବଜାରର ନିଜସ୍ବ ବୃତ୍ତି ଭିତରୁ। ଅର୍ଥାତ୍‌ ବଜାରର ବ୍ୟବହାର, ପୁଞ୍ଜିନିବେଶ, ସରକାରୀ ପ୍ରୋତ୍ସାହନ- ଏସବୁ ମଧ୍ୟ ଜରୁରୀ। ଏଇଠି କହିରଖେ, ​‌େ​‌ସାଲୋ-ସ୍ବାନଙ୍କ ନିଷ୍କର୍ଷ ବେଶ୍‌ କିଛି ‘ନିଅଣ୍ଟିଆ’ ବୋଲି କେବଳ ରୋମରଙ୍କୁ ଲାଗି ନଥିଲା, ସେଇ ଯୁକ୍ତିରେ ଥିଲେ କେନେଥ୍‌ ଆରୋ, ହିରୋଫୁମି ଉଜାୱା, ରବର୍ଟ ଲୁକାସ ଏବଂ ରି​‌େ​‌ବଲୋ। ଏମାନଙ୍କ ମତ ଥିଲା, ଶ୍ରମଶକ୍ତି, ପୁଞ୍ଜି, ପ୍ରଯୁକ୍ତି ବିଦ୍ୟାର ଅର୍ଥନୈତିକ ଅଭିବୃଦ୍ଧି (ଧାରାବାହିକ) ନିମନ୍ତେ ପର୍ଯ୍ୟାପ୍ତ ନୁହନ୍ତି। ସେଇ କ୍ରମରେ ଗୁରୁତ୍ବପୂର୍ଣ୍ଣ, ‘ହ୍ୟୁମାନ୍‌ କ୍ୟାପିଟାଲ’, ବା ‘ମାନବପୁଞ୍ଜି’। ବଜାରରେ ଆଧିପତ୍ୟ ବିସ୍ତାର କରିସାରିଥିବା ​‌େ​‌ଢର ସଂସ୍ଥା/ବ୍ୟବସାୟ ଅଛନ୍ତି ଏବଂ ଏମାନେ ନିଜ ବ୍ୟବସାୟଲାଭ ବଢ଼େଇବା ପାଇଁ ଗବେଷଣାରେ ଖର୍ଚ୍ଚ କରୁଛନ୍ତି। ଅନ୍ୟ ଅର୍ଥରେ, ଏମାନେ ଜ୍ଞାନ-ବିଜ୍ଞାନକୁ, ମାନବପୁଞ୍ଜିକୁ ପ୍ରୋତ୍ସାହିତ କରୁଛନ୍ତି।
ରୋମରଙ୍କ ବ୍ୟାଖ୍ୟା ଅନୁସାରେ, ଯଦି ଏକ ନିର୍ଦି​‌ଷ୍ଟ ଅର୍ଥନୀତିର ଅଭିବୃଦ୍ଧି (ମୁଣ୍ଡପିଛା ଜିଡିପି) ବାର୍ଷିକ ୪ ପ୍ରତିଶତ ହୁଏ, ତେବେ ସେହି ହାରରେ ୪୦ ବର୍ଷରେ ସଂପୃକ୍ତ ଅର୍ଥନୀତି ପାଞ୍ଚଗୁଣ ବଢ଼ିସାରିଥିବ, କିନ୍ତୁ ଯଦି ଅଭିବୃଦ୍ଧି ହାର ୨ ପ୍ରତିଶତ ହୁଏ, ତେବେ ଜାତୀୟ ଆୟ ୪୦ ବର୍ଷରେ ୨ଗୁଣ ହିଁ ବଢ଼ିବ। ଦୀର୍ଘ ୩୦ ବର୍ଷର ଅଧ୍ୟୟନ କ୍ରମରେ ରୋମର ଜାଣିବା ପାଇଁ ଚେଷ୍ଟା କରିଥିଲେ, ଅବିକଳ କ’ଣ ପାଇଁ କିଛି ଅର୍ଥନୀତିର ଆକର୍ଷଣୀୟ ଅଭିବୃଦ୍ଧି ଜାରି ରହିଥିବାବେଳେ ଆଉ କିଛି ଅର୍ଥନୀତି ପଛୁଆ ହୋଇ ପଡ଼ିରହିଛନ୍ତି। ସେ ଜାଣିପାରିଥିଲେ, ଯଦିଓ ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉଲ୍ଲେଖନୀୟ ଭୂମିକା ନେଇଛନ୍ତି, ତେବେ ସେଇ ଅର୍ଥନୀତି ସବୁ ‘ଖାସ୍‌’ ପ୍ରଗତି କରିଛନ୍ତି ଯେଉଁଠି ବଜାର ବ୍ୟବସ୍ଥା, ସୁଚିନ୍ତିତ ନୀତିନିୟମ ଏବଂ ରାଷ୍ଟ୍ରୀୟ ପ୍ରୋତ୍ସାହନ ଗବେଷଣାକୁ ସୁସଂହତ କରିଛି। ନୂଆ ଆବିଷ୍କାର, ସାମଗ୍ରୀ, ଜ୍ଞାନକୌଶଳ ଏକ ପରିପୋଷଣୀୟ ବଜାର ବ୍ୟବସ୍ଥା ଭିତରୁ ହିଁ ଆସିଛି। ବଜାର ହିଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ମାନବ ପୁଞ୍ଜିକୁ ଅଗ୍ରାଧିକାର ଦେଇଛି ଏଇ ଆଭ୍ୟନ୍ତରୀଣ ପରିବେଶ।
ରୋମରଙ୍କ ମତ, ଶାରୀରିକ ଅର୍ଥରେ ସାମଗ୍ରୀ ଏବଂ ସୂକ୍ଷ୍ମ ଅର୍ଥରେ ମାନବ ପୁଞ୍ଜି, ଯେ କୌଣସି ଅର୍ଥନୀତିରେ ଉଭୟର ‘ପ୍ରତିଦ୍ବନ୍ଦ୍ବୀ’ ଭାବରେ ଉପସ୍ଥିତ। ପାଠକେ, ଏବେ ଗୁଣାତ୍ମକ ତଫାତ୍‌ ଦେଖନ୍ତୁ। ଏକ ନିର୍ଦିଷ୍ଟ ଯନ୍ତ୍ର ବା ଏକ ନିର୍ଦିଷ୍ଟ ଯନ୍ତ୍ରୀଙ୍କୁ ଗୋଟିଏ କାରଖାନା ବା ୟୁନିଟ୍‌ରେ ଆପଣ କାମରେ ଲଗେଇ ପାରିବେ। କୌଣସି ସ୍ଥିତିରେ ଏକା ସମୟରେ ସେମାନଙ୍କୁ ଦୁଇଟି ଜାଗାରେ ଉପଯୋଗ କରାଯାଇ ପାରିବ ନାହିଁ। ଅନ୍ୟ ପକ୍ଷରେ, ଏକ ନୂଆ କାର୍ଯ୍ୟଶୈଳୀ/ ନିର୍ମାଣ ପ୍ରଣାଳୀକୁ ଏକା ସମୟରେ ଭିନ୍ନଭିନ୍ନ ଜାଗାରେ ଉପଯୋଗ କରାଯାଇ ପାରିବ। ଗୋଟିଏ ମୃଦୁ ପାନୀୟ କ୍ୟାନ, ଟେଲିଭିଜନ, ସେଟ୍‌, ଗଭୀର ସମୁଦ୍ରରେ ମାଛ- ଏ ସମସ୍ତ ପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ। ସେମିତି ଉଦାହରଣ ଭାବରେ ବେତାର କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ଉଦ୍ଦିଷ୍ଟ ଏକ ଉପଗ୍ରହ, କମ୍ପ୍ୟୁଟର ସଫ୍ଟ​‌େ​‌ୱୟାର, ଗବେଷଣା ବା ଜ୍ୟାମିତିର ପିଥାଗୋରାସ୍‌ ଉପପାଦ୍ୟ- ଏସବୁ ‘ଅଣପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ। ରୋମରଙ୍କ ମତ ହେଉଛି, ପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ ଓ ଅଣ-ପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ ଭିତରେ ନିରନ୍ତର ପ୍ରତିଯୋଗିତା ହିଁ ଅର୍ଥନୀତିର ଅଭିବୃଦ୍ଧିକୁ ନିର୍ଣ୍ଣାୟକ ଭାବରେ ପ୍ରଭାବିତ କରିଥାଏ। ଏକ ସଫଳ ଅର୍ଥନୀତିର ସହାୟକ ହୋଇଥାନ୍ତି ଅଣପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ, ଯାହା ଜ୍ଞାନକୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର କମାଲ୍‌। ଆସନ୍ତୁ ଦେଖିବା କେମିତି।
ଗୋଟିଏ ମୃଦୁ ପାନୀୟର ସାଧାରଣ ଫର୍ମୁଲା ବ୍ୟବହାର କରିଛି ଯେ କୌଣସି କମ୍ପାନୀ ଏହା ପ୍ରସ୍ତୁତ କରିପାରିବ। ଫ୍ରାଏଡ଼ ଚିକେନ୍‌ ପ୍ରସ୍ତୁତି ମଧ୍ୟ ଜଟିଳ ନୁହେଁ। ଉପରୋକ୍ତ ଦୁଇଟି ସାମଗ୍ରୀ ପ୍ରତିଦ୍ବନ୍ଦ୍ବୀ ବର୍ଗର ହୋଇଥିବାବେଳେ ବିଶେଷ ତଥା ଗୋପନୀୟ ଫର୍ମୁଲାରେ ପ୍ରସ୍ତୁତ ‘କୋକାକୋଲା’ ଏବଂ ‘କେଣ୍ଟୁକି ଫ୍ରାଏଡ ଚିକେନ୍‌’ ବା ‘କେ.ଏଫ.ସି’ କଥା ନିଆରା। ଉଭୟଙ୍କ କ୍ଷେତ୍ରରେ ସ୍ବତନ୍ତ୍ର ଫର୍ମୁଲା (ମସଲା) ହେଉଛି ଅଣପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ। ସବୁ ଚାନେଲ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ଉପଗ୍ରହର ଆଶ୍ରୟ ନେଇଥା’ନ୍ତି। କିଛି ଟି.ଭି. କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣ ଡିକୋଡ୍‌ର ବ୍ୟବହାର କରିବା ଆବଶ୍ୟକ ନାହିଁ, କିନ୍ତୁ ଯଦି ‘ଡିସକଭରି’ ବା ‘ନ୍ୟାସନାଲ ଜିଓଗ୍ରାଫିକ୍‌’ ଟେଲିଭିଜନ ସେଟ୍‌ରେ ଦେଖିବା ପାଇଁ ଚାହିଁବେ, ତେବେ ଡିକୋଡିଂ କରୁଥିବା ସେଟ୍‌ ଟପ୍‌ ବକ୍ସ ପ୍ରୟୋଜନ। ଟେଲିଭିଜନ ସେଟ୍‌ ଏ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ, କିନ୍ତୁ ନିର୍ଦିଷ୍ଟ ଚାନେଲର କାର୍ଯ୍ୟକ୍ରମ ଡିକୋଡିଂ ଅଣପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ। କେବଳ ଗୋଟିଏ କମ୍ପ୍ୟୁଟରରେ ପଞ୍ଜିକୃତ ହୋଇଥିବା ସଫ୍ଟୱେୟାର ଅନ୍ୟ କୌଣସି ସିଷ୍ଟମରେ ବ୍ୟବହାର ହୋଇପାରିବ ନାହିଁ। ଏହା ଅଣପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ। ରୋମମର କହିଛନ୍ତି ଯେ ଅଣପ୍ରତିଦ୍ବନ୍ଦ୍ବୀ ସାମଗ୍ରୀର ଚାହିଦା ମୁଖ୍ୟତଃ ମାନବ ପୁଞ୍ଜି ବିକାଶ ସହିତ ସମ୍ବନ୍ଧିତ ଏବଂ ଏଇ ମର୍ମରେ ବଜାରକୁ ଅଧିକ ସକ୍ରିୟ ରଖିବା ପାଇଁ ଗବେଷଣା, କୌଶଳ ବିକାଶ ସହିତ ଲୋଡ଼ା ସରକାର ବା ବ୍ୟବସ୍ଥାର ସକାରାତ୍ମକ ଯୋଗଦାନ।
ନିଜ ଅର୍ଥନୀତିର ବିକାଶ ପାଇଁ ସରକାର ନିୟନ୍ତ୍ରଣ ଆଣନ୍ତି, ପେଟେଣ୍ଟ ଦିଅନ୍ତି, ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ଦିଅନ୍ତି। ବେଆଇନ କାରବାର ରୋକନ୍ତି, ରିଆତି ଦିଅନ୍ତି ଓ ଗବେଷଣାକୁ ରୀତିମତ ପ୍ରୋତ୍ସାହନ ଦିଅନ୍ତି। ଆପଣ ଏମିତି ମଧ୍ୟ କହିପାରନ୍ତି। ସୁରକ୍ଷା ସହିତ ଆପଣା ଅର୍ଥନୀତିର ଏକଲାପଣକୁ ବା ଖାସ୍‌ପଣିଆକୁ ମଧ୍ୟ ପ୍ରୋତ୍ସାହନ ଦିଅନ୍ତି। ଏଥ​ିରେ ଅସଂଗତି ନାହିଁ, ଯେ ଯାଏଁ ବଜାରରେ ପ୍ରତିଯୋଗିତା ସୁସ୍ଥ ରହିଛି। ରୋମରଙ୍କ ମତ, ପ୍ରତିଦ୍ବନ୍ଦ୍ବୀ ସାମଗ୍ରୀର ରଂଗ, ରୂପ, ସଂସ୍କରଣ ବଦଳୁ ଥାଏ, କିନ୍ତୁୁ ଗବେଷଣାଗାରରେ ଅଣପ୍ରତିଦ୍ବନ୍ଦ୍ବୀ ସାମଗ୍ରୀ, ମେଧା/ସୃଜନଶୀଳତା ଅବଲମ୍ବନରେ ଆପଣା ଅସ୍ତ୍ରଶସ୍ତ୍ର ଧାର କରିବାରେ ଲାଗିଥା’ନ୍ତି। ବସ୍ତୁସର୍ବସ୍ବ, ପୁଞ୍ଜିଭିତ୍ତିକ ବଜାରର ବିଲୟ ରହିଛି, କ୍ଷୟ ରହିଛି, କିନ୍ତୁ ନୂଆ କଳ୍ପନା, ଅବଧାରଣା ବା ନୂଆ ଜ୍ଞାନ କୌଶଳକୁ ଭିତ୍ତି କରିଥିବା ବଜାର ବା ଅର୍ଥନୀତିର ଖଣ୍ଡଗ୍ରାସ ନାହିଁ। ଏଠି ଅଭିବୃଦ୍ଧି ଦୀର୍ଘକାଳୀନ। ଅର୍ଥାତ୍‌, ଯାହା ପ୍ରକୃତରେ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହ୍ୟୁମାନ୍‌ କ୍ୟାପିଟାଲ ବା ମାନବ ପୁଞ୍ଜି। ରୋମର୍‌ ମହାଶୟ ଭାରି ସ୍ପଷ୍ଟ ଭାବରେ ସେଇକଥା ହିଁ କହିଥାନ୍ତି।
ଅର୍ଥନୀତିଜ୍ଞମାନଙ୍କ ବିଚାର ହେଉଛି, ରୋମରଙ୍କ ସିଦ୍ଧାନ୍ତ ଆଗକୁ ହୁଏତ ବଦଳିଯାଇପାରେ, ତେବେ ବଜାରର ବ୍ୟବହାର ବୁଝିବାପାଇଁ ଏହା ଆମକୁ ଅଲବତ୍‌ ସାହାଯ୍ୟ କରିବ।

Leave A Reply