ପୂଜା ଓ ପ୍ରଦୂଷଣ

0

ନିକୁଞ୍ଜ ବିହାରୀ ସାହୁ

ଏବେ ପାର୍ବଣର ଋତୁ। ସମୟ ବଦଳିବା ସହିତ ଏବର ପୂଜା ପଦ୍ଧତିରେ ଅନେକ ପରିବର୍ତ୍ତନ ଘଟିଛି। ଆକର୍ଷଣୀୟ ପୂଜା ମଞ୍ଚ, ଉଜ୍ଜ୍ୱଳ ରଙ୍ଗରେ ରଞ୍ଜିତ ଦେବ ଦେବୀ ମୂର୍ତ୍ତି, ବର୍ଣ୍ଣାଢ଼୍ୟ ରୋଶଣି, ବିଳାସପୂର୍ଣ୍ଣ ମୂର୍ତ୍ତି ବିସର୍ଜନ, ଆଡମ୍ବରପୂର୍ଣ୍ଣ ଆତସବାଜି ପ୍ରଦର୍ଶନ ଏବଂ ଡାକବାଜି ଯନ୍ତ୍ରରେ ଉଚ୍ଚ ସ୍ୱରରେ ଆଧୁନିକ ସଂଗୀତର ମୂର୍ଚ୍ଛନା ଇତ୍ୟାଦି ସତେ ଯେପରି ଏବେକାର ଫେସନ ପାଲଟି ଯାଇଛି। ଏସବୁ ଲୋକଙ୍କ ମନରେ ଭକ୍ତି ଭାବନା କେତେ ଦୃଢ଼ କରୁଛି, ତାହା ଭିନ୍ନକଥା; ମାତ୍ର ଏହାଦ୍ୱାରା ପରିବେଶର ଅଶେଷ କ୍ଷତି ଘଟୁଛି।
ପୂଜା ମଞ୍ଚରେ ଅଧିକ କ୍ଷମତାସଂପନ୍ନ ଉଜ୍ଜ୍ୱଳ ଆଲୋକବତି ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍ ଶକ୍ତିର ଘୋର ଅପଚୟ ଘଟୁଛି। ଆମ ଦେଶରେ ଉପଲବ୍ଧ ଅଧିକାଂଶ ବିଦ୍ୟୁତ୍ ଶକ୍ତି କୋଇଲାଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ରରୁ ଆହରିତ ହୋଇଥାଏ। ପୂଜାରେ ମାତ୍ରାଧିକ କ୍ଷମତା ସମ୍ପନ୍ନ ଆଲୋକବତିର ବ୍ୟବହାର ଦ୍ୱାରା ଆବଶ୍ୟକୀୟ ବିଦ୍ୟୁତ ଚାହିଦା ପୂରଣ ନିମନ୍ତେ ଦୂରସ୍ଥ ତାପଜ କେନ୍ଦ୍ରଠାରେ ଅଧିକ କୋଇଲା ଇନ୍ଧନର ଦହନ ଘଟୁଛି। ଏହି ପ୍ରକ୍ରିୟାରେ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦ୍ୱାରା ବିଶ୍ୱ ତାପନ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସାଙ୍ଗକୁ ଧୂଆଁରେ ନିର୍ଗତ ଗୁଣ୍ଡ ପଦାର୍ଥ ଦ୍ୱାରା ଶ୍ୱାସରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟାମାନ ସୃଷ୍ଟି ହେଉଛି।
ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଛି। ରାସାୟନିକ ରଙ୍ଗ ପ୍ରସ୍ତୁତିରେ ସାଧାରଣତଃ ଅନେକ ଭାରି ଧାତୁ, ଯଥା- ସୀସା, ପାରଦ, ଜିଙ୍କ୍, ମାଙ୍ଗାନିଜ୍ ଏବଂ କ୍ରୋମିୟମ୍ ଇତ୍ୟାଦି ବ୍ୟବହାର କରାଯାଏ। ଏସବୁ ପଦାର୍ଥ ବାସ୍ତବ କ୍ଷେତ୍ରରେ ବିଷାକ୍ତ, ସ୍ୱାସ୍ଥ୍ୟ ପାଇଁ ଘୋର କ୍ଷତିକାରକ ଏବଂ ଏସବୁର ସଂସ୍ପର୍ଶରେ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ଜଳରେ ମୂର୍ତ୍ତି ବିସର୍ଜନ ଦ୍ୱାରା ରଙ୍ଗରେ ଥିବା ଏହି ଉପାଦାନ ସବୁ ଜଳୀୟ ପରିସଂସ୍ଥାକୁ ପ୍ରଦୂଷିତ କରିବା ସହିତ ଜଳୀୟ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରିଥାନ୍ତି। ଏସବୁ କ୍ରମଶଃ ଖାଦ୍ୟ ଶୃଙ୍ଖଳରେ ଶୀର୍ଷଭାଗକୁ ସ୍ଥାନାନ୍ତରିତ ହୋଇ ମନୁଷ୍ୟ ଶରୀରରେ ପ୍ରବେଶ କରିବାର ସମ୍ଭାବନା ସୃଷ୍ଟି ହେଉଛି।
ମୂର୍ତ୍ତି ବିସର୍ଜନ ସମୟରେ ଟନ୍‌ଟନ୍‌ ଓଜନର ଫୁଲ, ପତ୍ର, ଭୋଗ, କର୍ପୂର, ଧୂପକାଠି ଇତ୍ୟାଦି ଜୈବିକ ପଦାର୍ଥ ଜଳରେ ମିଶିଥାଏ। ଫଳରେ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରି ବିଘଟନ କରୁଥିବା ବ୍ୟାକ୍ଟେରିଆ ଭଳି ଅଣୁଜୀବମାନଙ୍କ ସଂଖ୍ୟା ଜଳ ମାଧ୍ୟମରେ ଅାଶାତୀତ ବୃଦ୍ଧିପାଏ। ସେମାନେ ଜଳୀୟ ପରିସଂସ୍ଥାରୁ ଅଧିକାଂଶ ଦ୍ରବୀଭୂତ ଅମ୍ଳଜାନ ଶୋଷି ନିଅନ୍ତି ଏବଂ ମାଛ ଭଳି ଅନ୍ୟ ଦରକାରୀ ଜଳଚର ଜୀବଙ୍କ ପାଇଁ ଦ୍ରବୀଭୂତ ଅମ୍ଳଜାନର ଘୋର ଅଭାବ ପଡେ। ଏହା ଦ୍ୱାରା ସମଗ୍ର ଜଳୀୟ ପରିସଂସ୍ଥାରେ ଜୀବନ ବଞ୍ଚିବାର ସମ୍ଭାବନା ଉପରେ ଆଶଙ୍କା ସୃଷ୍ଟି ହୋଇଥାଏ।
ସେହିପରି, ମୂର୍ତ୍ତି ପ୍ରସ୍ତୁତିରେ ବ୍ୟବହୃତ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍, ପୂଜା ସାମଗ୍ରୀ ରୂପେ ବ୍ୟବହୃତ ଥର୍ମୋକଲ୍, ପ୍ଲାଷ୍ଟିକ୍ ଫୁଲ, ଜରି ଏବଂ ଦେବମୂର୍ତ୍ତିଙ୍କ ଅଙ୍ଗ ବସ୍ତ୍ର ତିଆରିରେ ବ୍ୟବହୃତ ସଂଶ୍ଲେଷିତ ତନ୍ତୁ (ଯଥା ନାଇଲନ୍, ଟେରିଲିନ୍ ଇତ୍ୟାଦି)ରୁ ପ୍ରସ୍ତୁତ କପଡା ଭଳି ଅଜୈବିକ ପଦାର୍ଥ ବିଘଟିତ ହୋଇ ସଙ୍ଗେସଙ୍ଗେ ଜଳୀୟ ମାଧ୍ୟମରେ ମିଶୁ ନଥିବାରୁ ସେଗୁଡିକ କ୍ରମାଗତ ପରିସଂସ୍ଥାରେ ଜମା ହୋଇ ଆବର୍ଜନା ସୃଷ୍ଟି କରୁଛନ୍ତି।
ମୂର୍ତ୍ତି ବିସର୍ଜନ ସମୟରେ ଫୁଟା ଯାଉଥିବା ବାଣ ଓ ଆତସବାଜିରୁ ଅନେକ ବିଷାକ୍ତ ଗ୍ୟାସ, ଯଥା- ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, କାର୍ବନ୍ ମନୋକ୍ସାଇଡ୍ ଇତ୍ୟାଦି ନିର୍ଗତ ହୋଇଥାଏ ଯାହା ବାୟୁ ପ୍ରଦୂଷଣ କରିବା ସଙ୍ଗେସଙ୍ଗେ ବିଭିନ୍ନ ଶ୍ୱାସରୋଗ, ଯଥା- ଆଜମା ଏବଂ ବ୍ରୋଙ୍କାଇଟିସ୍ ଇତ୍ୟାଦି ସୃଷ୍ଟି କରିଥାଏ ।
ପୂଜା ମଞ୍ଚ, ପୂଜା ଅବସରରେ ଆୟୋଜିତ ମେଲୋଡି, ଭସାଣି ସମୟରେ କୋଳାହଳ ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବିଭିନ୍ନ ଶବ୍ଦ ଉତ୍ସ, ଯଥା- ମାଇକ୍, ଲାଉଡ୍ ସ୍ପିକର୍, ଡିଜେ ଇତ୍ୟାଦିର ବ୍ୟବହାର ଆଜିକାଲି ପୂଜାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଗଲାଣି। ଏସବୁ ଅଧିକ ଡେସିବେଲ୍ (ଶବ୍ଦ ତୀବ୍ରତାର ପରିମାପକ) ଯୁକ୍ତ ଧ୍ୱନିି ନିର୍ଗତ କରିଥାନ୍ତି ଯାହା ଶ୍ରବଣଶକ୍ତିର ଅବକ୍ଷୟ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ, ଅନିଦ୍ରା ଏବଂ ମାନସିକ ଅବସାଦ ଇତ୍ୟାଦି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ପୂଜା ସମୟରେ କୋଳାହଳର ସର୍ବୋଚ୍ଚ ସୀମାକୁ ୬୫ ଡେସିବେଲ୍ ମାତ୍ରାରେ ସୀମିତ ରଖାଯାଇଥିଲେ ସୁଦ୍ଧା କେତେକ କ୍ଷେତ୍ରରେ ଭସାଣି ସମୟରେ ଏହା ୧୦୦ ଡେସିବେଲ୍ ଟପି ଯାଉଥିବାର ଦୃଷ୍ଟାନ୍ତ ରହିଛି।
ମୂର୍ତ୍ତି ପ୍ରସ୍ତୁତିରେ ରାସାୟନିକ ରଙ୍ଗ ପରିବର୍ତ୍ତେ ଦ୍ରୁତ-ବିଘଟନଶୀଳ କିମ୍ବା ପ୍ରାକୃତିକ ଉତ୍ସରୁ ସଂଗୃହୀତ ରଙ୍ଗ (ଯଥା ୱାଟର୍ କଲର୍, ଖାଦ୍ୟରେ ବ୍ୟବହୃତ ରଙ୍ଗ, ହର୍ବାଲ୍ ରଙ୍ଗ, ଇତ୍ୟାଦି) ବ୍ୟବହାର କରିବା ଉଚିତ। ମୂର୍ତ୍ତି ଗଠନରେ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ପରିବର୍ତ୍ତେ ମାଟି ବ୍ୟବହାର କରାଯିବା ଉଚିତ। ମଞ୍ଚସଜ୍ଜାରେ ଥର୍ମୋକଲ୍ ପରିବର୍ତ୍ତେ ପ୍ରାକୃତିକ ଉତ୍ସରୁ ସଂଗୃହୀତ ସୋଲ ବ୍ୟବହାର କରିବା ଆବଶ୍ୟକ। ସେହିପରି, ମୂର୍ତ୍ତିର ଅଙ୍ଗ ବସ୍ତ୍ର ରୂପେ ବ୍ୟବହୃତ ସଂଶ୍ଲେଷିତ ତନ୍ତୁ ପରିବର୍ତ୍ତେ ପ୍ରାକୃତିକ ତନ୍ତୁ, ଯଥା ତୁଳା କିମ୍ବା ସିଲ୍କରେ ନିର୍ମିତ ପରିଧାନ ପ୍ରୟୋଗ କରାଯିବା ଉଚିତ। ଭୋଗ ପରଷିବା ପାଇଁ ପ୍ଲାଷ୍ଟିକ ପ୍ଲେଟ୍ ପରିବର୍ତ୍ତେ ମାଟି ପାତ୍ର, ଶାଳପତ୍ର କିମ୍ବା କଦଳୀପତ୍ରରେ ତିଆରି ଥାଳି ବ୍ୟବହାର କରାଯିବା ଦରକାର। ପୂଜାରୁ ଉତ୍ପନ୍ନ କଠିନ ଆବର୍ଜନାକୁ ନ ପୋଡି ପ୍ରଦୂଷଣ ବୋର୍ଡର ମାର୍ଗ ନିର୍ଦେଶିକା ଅନୁସାରେ ବିନିଯୋଗ କରାଯିବା ବିଧେୟ। ଜଳ ପ୍ରଦୂଷଣ ରୋକିବା ନିମନ୍ତେ ମୂର୍ତ୍ତିକୁ ନଦୀ ଭଳି ପ୍ରବହମାନ ଜଳଧାରାରେ ବିସର୍ଜନ ନକରି ପୋଖରୀ, ଜଳାଶୟ ଭଳି ଆବଦ୍ଧ ଜଳକ୍ଷେତ୍ର ମଧ୍ୟରେ ନିମଜ୍ଜନ କରିବା ଉଚିତ। ବିଦ୍ୟୁତ ଶକ୍ତିର ଅପଚୟକୁ ହ୍ରାସ କରିବା ନିମନ୍ତେ ପାରମ୍ପାରିକ ବିଜୁଳୀବତି ପରିବର୍ତ୍ତେ ଅଧିକ ଦକ୍ଷତାସମ୍ପନ୍ନ ଏଲ.ଇ.ଡି. ବତି କିମ୍ବା ସୌର ଚାଳିତ ବତି ବ୍ୟବହାର କରାଯିବା ଉଚିତ। ଶବ୍ଦ ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱଳ୍ପ ଡେସିବେଲ୍ ଯୁକ୍ତ ଶବ୍ଦ ଉତ୍ସ, ଯଥା- ଡିଜେ ପରିବର୍ତ୍ତେ ପାରମ୍ପାରିକ ବ୍ୟାଣ୍ଡ୍, ମେଲୋଡି ପରିବର୍ତ୍ତେ ଭଜନ ସମାରୋହ ଇତ୍ୟାଦି ଆୟୋଜନ କରାଯିବା ଉଚିତ। ମୂର୍ତ୍ତି ଜଳରେ ନିମଜ୍ଜନ ପୂର୍ବରୁ ଫୁଲ, ପତ୍ର ଭଳି ଜୈବିକ ଆବର୍ଜନାକୁ ଅଲଗା କରି ବିସର୍ଜନ କରିବା ଉଚିତ କିମ୍ବା ବିସର୍ଜନ ପରେ ତୁରନ୍ତ ସେଗୁଡିକୁ ଜଳ ଉତ୍ସରୁ କାଢି ନେବା ଆବଶ୍ୟକ।
ଏଜୁକେସନ୍ ଅଫିସର, ଢ଼େଙ୍କାନାଳ ବିଜ୍ଞାନ କେନ୍ଦ୍ର
ଢ଼େଙ୍କାନାଳ

Leave A Reply