ପ୍ରେରଣା ଓ ପ୍ରାର୍ଥନା

0

ଉତ୍କର୍ଷର ୯୯ ବର୍ଷ ପୂର୍ଣ୍ଣ କରିଛି ‘ସମାଜ’। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ଏହି ପ୍ରକାଶନ ଏକ ଖବରକାଗଜ ମାତ୍ର ନୁହେଁ। ଏହି ବିଶାଳ ଅନୁଷ୍ଠାନ ଆଜି ଶତାବ୍ଦୀ ବର୍ଷର ଯାତ୍ରାରମ୍ଭ କଲାବେଳେ ସ୍ୱତଃ କୋଟିକୋଟି ଓଡ଼ିଆଙ୍କ ପ୍ରାଣରେ ଏକ ସ୍ୱତନ୍ତ୍ର ସ୍ପନ୍ଦନ ଓ ଶିହରଣ ସୃଷ୍ଟି ହେଉଛି। ଅଧିକନ୍ତୁ, ଏହା ଆମ ସମଗ୍ର ଭାରତବର୍ଷର ସମ୍ବାଦପତ୍ର କ୍ଷେତ୍ରରେ ଅନନ୍ୟ ଗୌରବର ସ୍ୱାକ୍ଷର ବହନ କରୁଛି।
ଏକ ସମ୍ବାଦପତ୍ରର ସବୁଠାରୁ ବଡ଼ ସମ୍ପଦ ହେଲେ ଏହାର ପାଠକପାଠିକା। ‘ସମାଜ’ ଖବରକାଗଜ ସାଧାରଣ ପାଠକୀୟତାଠାରୁ ଯଥେଷ୍ଟ ଊର୍ଦ୍ଧ୍ବରେ। ପାଠକପାଠିକା ହେଲେ ‘ସମାଜ’ ପରିବାରର ସଦସ୍ୟ। ସେଥିପାଇଁ ଏହି ଖବରକାଗଜର ବିଶ୍ୱସନୀୟତାର ପଟାନ୍ତର ଅତି ବିରଳ। ଆଜି ୯୯ ବର୍ଷ ପଛକୁ ଚାହିଁଲା ବେଳକୁ ଏକ ପ୍ରଶ୍ନ ସ୍ୱାଭାବିକ ଭାବରେ ମନକୁ ଆସୁଛି ପଣ୍ଡିତ ଗୋପବନ୍ଧୁ ଦାସ ଯଦି ‘ସମାଜ’ ପ୍ରତିଷ୍ଠା କରି ନଥାନ୍ତେ ତା’ ହେଲେ ଓଡ଼ିଶାର କେତେ ବଡ଼ କ୍ଷତି ହୋଇଥାନ୍ତା! ଆମ ପ୍ରଦେଶ ଭାରତବର୍ଷ ଅଥବା ଦେଶ ଦୁନିଆର ଖବର ପରିବେଷଣ କ୍ଷେତ୍ରରେ ଏହାର ଅଗ୍ରଣୀ ଭୂମିକା ଅନସ୍ୱୀକାର୍ଯ୍ୟ। କେବଳ ସେତକ ହୋଇଥିଲେ ‘ସମାଜ’ ବିଭିନ୍ନ ଘଟଣାବଳୀର ମୂକସାକ୍ଷୀ ମାତ୍ର ହୋଇ ରହିଥାନ୍ତା; କିନ୍ତୁ ସ୍ୱାଧୀନତା ସଂଗ୍ରାମ ହେଉ ଅଥବା ବିଶ୍ୱଯୁଦ୍ଧ ହେଉ, ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ ଅଥବା ଗଡ଼ଜାତ ଆନ୍ଦୋଳନ କିମ୍ବା ନୂତନ ଓଡ଼ିଶାର ନିର୍ମାଣ ଇତ୍ୟାଦି ପ୍ରତି କ୍ଷେତ୍ରରେ ଏହାର ଓଡ଼ିଶାର ଅଦମ୍ୟ ସ୍ୱର ଭାବରେ ସାବ୍ୟସ୍ତ ହୋଇଛି। ଅନେକେ ଏ ସମ୍ବାଦପତ୍ରକୁ ଓଡ଼ିଶାର ନବଜାଗରଣର ପ୍ରାଣ ବୋଲି ମତବ୍ୟକ୍ତ କରିଛନ୍ତି। ଏଭଳି ସଫଳତା କ୍ୱଚିତ୍‌ କୌଣସି ସମ୍ବାଦପତ୍ର ଭାଗ୍ୟରେ ଘଟିଥାଏ।
ଆମର ଜାତୀୟ ଜୀବନକୁ ପରିପୁଷ୍ଟ କରିବା ସଙ୍ଗେସଙ୍ଗେ ‘ସମାଜ’ର ଭୂମିକାକୁ ଭିନ୍ନ ଏକ ଦୃଷ୍ଟିରେ ଦେଖାଯାଇପାରିବ। ଏହା ଗତ ୯୯ ବର୍ଷ ମଧ୍ୟରେ କୋଟିକୋଟି ଓଡ଼ିଆଙ୍କୁ ଗଢ଼ି ତୋଳିଛି। ସେମାନଙ୍କ ପାଠପଢ଼ା ସମୟରୁ ସେମାନଙ୍କୁ ଉଚିତ୍‌ ମାର୍ଗ ଦେଖାଇଛି। ନିଜ ମାତୃଭାଷା ଶିଖାଇଛି। ଇତିମଧ୍ୟରେ ପୁରୁଣା ପୃଷ୍ଠା ଅବଲୋକନ କଲାବେଳେ ଦେଖାଯାଏ ଯେଏକ ଛୋଟ ଖବରଟିଏ ପ୍ରକାଶ ପାଇଥିଲା। ‘ସମାଜ’ର ଏକ ସଂଖ୍ୟାରେ ୪୦ ଦଶକରେ ଜଣେ ଓଡ଼ିଆ ଯୁବକଙ୍କ କୃତିତ୍ୱ ସମ୍ପର୍କରେ ଛୋଟ ଖବରଟିଏ ପ୍ରକାଶ ପାଇଥିଲା। ସେଦିନ ପାଇଲଟ ହୋଇଥିବା ସେ ଯୁବକ ଥିଲେ ବିଜୁ ପଟ୍ଟନାୟକ। ପରବର୍ତ୍ତୀ ଅବସ୍ଥାରେ ସେ ଜଣେ ଜନନେତା ଭାବରେ ସୁପରିଚିତ ହୋଇଛନ୍ତି। ଏହା ଏକ ଉଦାହରଣ ମାତ୍ର। ଏଭଳି ଅନେକ ବ୍ୟକ୍ତି ବିଶେଷଙ୍କ ଜୀବନକୁ ‘ସମାଜ’ ପ୍ରଭାବିତ କରିଛି। ଶେଷ ପର୍ଯ୍ୟନ୍ତ ସେମାନଙ୍କ କାହାଣୀ ଖବରକାଗଜରେ ପ୍ରକାଶ ପାଇଛି। ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବହୁ ବ୍ୟକ୍ତିଙ୍କ କାନମୋଡ଼ି ମାର୍ଗଦର୍ଶନ କରିଛି।
ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ ‘ସମାଜ’ର ପ୍ରଭାବ ସାଙ୍ଗକୁ ଓଡ଼ିଆମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ହେଲା ‘ସମାଜ’ କେବଳ ବଡ଼ ମଣିଷ ନୁହେଁ, କୋଟି ସଂଖ୍ୟାରେ ଭଲ ମଣିଷ ଗଢ଼ିଛି। କାରଣ ଏହା ନିଜର ନୀତି, ଆଦର୍ଶରୁ ବିଚ୍ୟୁତ ହୁଏ ନାହିଁ। ସତ୍ୟ, ସେବା ଓ ସ୍ୱାଭିମାନ ଏହି ଖବରକାଗଜର ମୂଳ ଲକ୍ଷ୍ୟ ହୋଇଛି। ଏହା ମାଧ୍ୟମରେ ବହୁ ଲୋକ ସତ୍‌ମାର୍ଗରେ ପ୍ରେରିତ ହୋଇଛନ୍ତି।
ଅକ୍ଟୋବର ୧୯୧୯, ‘ସମାଜ’ ଖବରକାଗଜର ପ୍ରଥମ ସମ୍ପାଦକୀୟରେ ଏହି ମହତ୍‌ ପ୍ରକାଶନର ଉଦ୍ଦେଶ୍ୟ ଅତି ସ୍ପଷ୍ଟ କରାଯାଇଥିଲା। ସେତେବେଳେ ଓଡ଼ିଶା ଘୋର ଦୁର୍ଦିନର କାଳରାତ୍ରିରେ କବଳିତ ଥିଲା। ସେହି ଅମା ଅନ୍ଧକାର ମଧ୍ୟରୁ ‘ସମାଜ’ ଆଲୋକବର୍ତ୍ତିକା ହୋଇ ଉଭା ହେଲା। କୋଟି ଓଡ଼ିଆ ସେତେବେଳେ ଅନାହାର, ବ୍ୟାଧି, ଅତ୍ୟାଚାର ପ୍ରଭୃତିରେ ନିଷ୍ପେଷିତ ହୋଇ ରହିଥିଲେ। ସେତେବେଳେ କାହାରି ପାଟି ଫିଟୁ ନଥିଲା। ତେଣୁ ସମ୍ପାଦକୀୟରେ ଲେଖା ଥିଲା – “ସମାଜର ତଳଆଡ଼ୁ ‘ସମାଜ’ର କାର୍ଯ୍ୟ”। ସେଭଳି ଦୀନଜନଙ୍କ ସେବାରେ ଆଜି ମଧ୍ୟ ଏହି ଅନୁଷ୍ଠାନ ଉତ୍ସର୍ଗୀକୃତ। ସେଥିରେ ପୁନଶ୍ଚ ଉଲ୍ଲେଖ ଅଛି : “ଯେତେବେଳେ ଦୁଃଖ ଖୁବ୍‌ ବେଶି, ତାହା ହିଁ କାର୍ଯ୍ୟ ନିମନ୍ତେ ପ୍ରକୃଷ୍ଟ ସମୟ।”
ଇତିମଧ୍ୟରେ ଗଣମାଧ୍ୟମ ଜଗତରେ ଅନେକ ଉତ୍ତରଣ ଘଟିଛି। ବହୁ ଖବରକାଗଜ ନିଜକୁ ସୁପ୍ରତିଷ୍ଠିତ କରିଛନ୍ତି। ଭାରତ ଭଳି ସର୍ବବୃହତ୍‌ ଗଣତନ୍ତ୍ରରେ ଏହା ଏକ ଶୁଭ ଲକ୍ଷଣ। ଏହା ମଧ୍ୟରେ ‘ସମାଜ’ ଭଳି ଖବରକାଗଜର ସ୍ଥାନ ଅତି ସ୍ୱତନ୍ତ୍ର। ଏହି ଅନୁଷ୍ଠାନ କୌଣସି ବ୍ୟାବସାୟିକ ଓ ରାଜନୀତିକ ବାଧ୍ୟବାଧକତାରେ ମୁଣ୍ଡ ନୁଆଁଇ ନାହିଁ। ବିଶେଷତଃ ଯେତେବେଳେ ବାକ୍‌ ସ୍ୱାଧୀନତା ବିପନ୍ନ ହୋଇଛି ଏହି ଖବରକାଗଜ ଲୋକଙ୍କ ସ୍ୱର ପାଲଟିଛି। ଲୋକସେବକ ମଣ୍ଡଳ ଆନୁକୂଲ୍ୟରେ ପରିଚାଳିତ ଏହି ଖବରକାଗଜ କୌଣସି ବ୍ୟକ୍ତିଗତ ମାଲିକାନା ଅଥବା ବ୍ୟବସାୟିକ ପ୍ରତିଷ୍ଠା ଦ୍ୱାରା ପ୍ରକାଶିତ ନୁହେଁ। ବସ୍ତୁତଃ ଓଡ଼ିଶାବାସୀ ହିଁ ଏହି ଅନୁଷ୍ଠାନର ପ୍ରକୃତ ମାଲିକ।
ଆଜି ଶହେ ବର୍ଷ ଆଡ଼କୁ ଅଗ୍ରସର ହେବା ବେଳକୁ ପ୍ରତି ଓଡ଼ିଆଙ୍କୁ ଆମେ ବିନମ୍ର ନିବେଦନ କରୁଛୁ – ଆସନ୍ତା ୨୦୧୯ରେ ଶତାବ୍ଦୀ ବର୍ଷ ପୂର୍ତ୍ତି ସହିତ ଏକ ନୂତନ ଶତାବ୍ଦୀର ଯାତ୍ରା ଆରମ୍ଭ କରିବ ଏହି ଅନୁଷ୍ଠାନ। ଆଗାମୀ ପିଢ଼ିକୁ ଏଥି ପାଇଁ ପ୍ରସ୍ତୁତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଆଜି ଛାତ୍ରଛାତ୍ରୀମାନଙ୍କ ଆଗରେ ଏହାର ଉଦାହରଣ ରଖିବାକୁ ପଡ଼ିବ ଯେ ଏକ ଅନୁଷ୍ଠାନ କିଭଳି ଶତାବ୍ଦୀର ଗୌରବାବହ ଯାତ୍ରା ଆସନ୍ତା ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଉଛି। କ୍ରିକେଟ ମୈଦାନରେ ଦୁଇ ଶତକ, ତ୍ରି ଶତକ ହାସଲ କରିବା ଅପେକ୍ଷା ଏ ଜାତି ‘ସମାଜ’ ମାଧ୍ୟମରେ କେଉଁ ପ୍ରକାର ଏକ ବଡ଼ ଧରଣର ଶତକ ହାସଲ କରିବାକୁ ଯାଉଛି – ସେହି ଗାଥା ସେମାନେ ଜାଣିବା ଉଚିତ୍‌। ଆଶା କରୁ ଆମେ ସମସ୍ତେ ଏ କ୍ଷେତ୍ରରେ ଏଥିପାଇଁ ବ୍ରତୀ ହେବା। ଆମ ଜେଜେ ବାପା, ବାପା, ଆମକୁ ରିଲେ ଦୌଡ଼ର ‘ସମାଜ’ ବ୍ୟାଟେନ୍‌ଟିକୁ ଆମ ହାତକୁ ବଢ଼ାଇଛନ୍ତି। ଆମେ ଆଗାମୀ ପିଢ଼ି ହାତରେ ଏହି ବ୍ୟାଟେନ ଦେଇପାରିଲେ ଆଗାମୀ ଶତାବ୍ଦୀର ଯାତ୍ରା ଆଗକୁ ଆଗକୁ ବଢ଼ିପାରିବ। ଆମ ଓଡ଼ିଶା ପାଇଁ ଏହି ଅନନ୍ୟ ଅନୁଷ୍ଠାନର ଆବଶ୍ୟକତା ଅତି ଜରୁରୀ। ଆଜିର ଏହି ସ୍ୱନକ୍ଷତ୍ର ଦିବସରେ ଆମେ ପାଠକପାଠିକାଙ୍କର ଆଶୀର୍ବାଦ ପ୍ରାର୍ଥନା କରୁଛୁ।

Leave A Reply