‘ସମାଜ’ର ଆତ୍ମକଥା

0

ରାଧାନାଥ ରଥ

୧୯୧୯ ଅକ୍ଟୋବର ୪ ତାରିଖ ଶନିବାର ବିଜୟା ଦଶମୀ ଦଶହରା ଦିନ ସତ୍ୟବାଦୀର ଗୁପ୍ତ ବୃନ୍ଦାବନ ନାମରେ କଥିତ ଛୁରୀଅନା ଓ ବକୁଳ ବନର ସମ୍ମୁଖ ଦେଶରେ ଉଭା ହୋଇ ରହିଥିବା ଶ୍ରୀଶ୍ରୀ ସାକ୍ଷୀଗୋପୀନାଥ ମନ୍ଦିର ସମ୍ମୁଖରେ ଡାହାଣ ପଟରେ ଥିବା ଯାତ୍ରୀମାନଙ୍କର ରହିବାର ଚାଳଘରର ଗୋଟିଏ ବଖରା ଭିତରେ ‘ସମାଜ’ ନାମକ କ୍ରାଉନ ଚାରି ପୃଷ୍ଠା ସମ୍ବଳିତ ଗୋଟିଏ ସାପ୍ତାହିକ କ୍ଷୁଦ୍ର ଓଡ଼ିଆ ସମ୍ବାଦପତ୍ର ଗୋଟିଏ ପୁରୁଣା ହ୍ୟାଣ୍ଡ ପ୍ରେସରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ପାଦକତ୍ୱରେ ପ୍ରଥମେ ପ୍ରକାଶିତ ହେଲା। ବନ୍ଧୁ ଶ୍ରୀ ସତ୍ୟବାଦୀ ତ୍ରିପାଠୀ ପ୍ରାୟ ବର୍ଷେ ସତ୍ୟବାଦୀ ପ୍ରେସର ପରିଚାଳକ ଥିଲେ। ବର୍ତ୍ତମାନ ‘ସମାଜ’ର ସମ୍ପାଦକ ସେତେବେଳେ ଅକ୍ଟୋବର ଆରମ୍ଭରେ ସିଂହଭୂମରୁ ସରକାରୀ ଚାକିରିରୁ ଅବ୍ୟାହତି ନେଇ ପଣ୍ଡିତ ଗୋପବନ୍ଧୁଙ୍କ ଡାକରାରେ ସତ୍ୟବାଦୀରେ ସିଧା ଆସି ପହଞ୍ଚିଲେ ଏବଂ ତାଙ୍କୁ ଛାପାଖାନାର ଓ ଏ ସମ୍ବାଦପତ୍ରର ପରିଚାଳନା ଭାର ଦିଆଗଲା। ସତ୍ୟବାଦୀ ବାବୁ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକ କାର୍ଯ୍ୟ କରୁଥିଲେ। ସେତେବେଳେ ସିଂହଭୂମ ଜିଲା ଚାଇଁବସା ଠାରେ ବିହାର-ଓଡ଼ିଶା କାଉନ୍‍ସିଲ ସଭ୍ୟଥିବା ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ସ୍କୁଲ ପ୍ରତିଷ୍ଠା ସଂକ୍ରାନ୍ତରେ ସେଠାରେ ଓଡ଼ିଆମାନଙ୍କର ଅବସ୍ଥା ଅନୁସନ୍ଧାନ କରିବାପାଇଁ ସେଠାକୁ ଯାଇଥିଲେ। ସିଂହଭୂମରେ ଓଡ଼ିଆ ଶିକ୍ଷାର ବିସ୍ତାର ପାଇଁ ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଯେଉଁ ଓଡ଼ିଆ ହାଇସ୍କୁଲ ପ୍ରତିଷ୍ଠା କରାଇଥିଲେ, ପଣ୍ଡିତ ଗୋଦାବରୀଶ ମିଶ୍ର ସେଥିର ଦାୟିତ୍ୱ ନେଲେ। ସିଂହଭୂମ ଓ ବିଚ୍ଛିନ୍ନାଞ୍ଚଳରେ ଏ ଓଡ଼ିଆ ଭାଷା ଶିକ୍ଷା ଆନ୍ଦୋଳନ ଓ ଓଡ଼ିଶାରେ ବନ୍ୟା, ଦୁର୍ଭିକ୍ଷ ନିବାରଣ, ସମଗ୍ର ଓଡ଼ିଶାରେ ଜାତୀୟ ଶିକ୍ଷା ପ୍ରସାର ଓ ପ୍ରଚାର ପାଇଁ ସେ ୧୯୧୯ଠାରୁ ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ପ୍ରମୁଖ ସହକର୍ମୀଙ୍କ ସହିତ ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ, ସେ କାର୍ଯ୍ୟରେ ସାହାଯ୍ୟ କରିବା ସକାଶେ ଜନମତ ସୃଷ୍ଟି କରିବା ପାଇଁ ଏବଂ ସାଧାରଣ ଲୋକଶିକ୍ଷା ଏବଂ ଆପତ୍ତି ଅଭିଯୋଗର ନିର୍ଭୀକ ପ୍ରକାଶ ପାଇଁ ସେ ଅନେକ ଦିନରୁ ଖଣ୍ଡିଏ ସମ୍ବାଦପତ୍ର ପ୍ରକାଶର ଯେଉଁ ପରିକଳ୍ପନା କରିଥିଲେ ତାହା ଏହି ୧୯୧୯ ଅକ୍ଟୋବର ୪ ତାରିଖ ବିଜୟା ଦଶମୀ ଦିନ ଚରିତାର୍ଥ ହେଲା। କଟକ ଚନ୍ଦ୍ରୋଦୟ ପ୍ରେସରୁ ଶ୍ରୀ ବଳଦେବ ଲାଲା ନାମକ ଜଣେ ହାଣ୍ଡପ୍ରେସ ଛାପାକାର ଏବଂ ସ୍ଥାନୀୟ ଓ କଟକର କେତେଜଣ କମ୍ପୋଜିଟରଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରାଗଲା। ପୁରୀରେ ‘ନୀଳାଚଳ ସମାଚାର’ ନାମକ ଗୋଟିଏ ଛୋଟିଆ ପ୍ରେସ ଏମାରମଠ ମହନ୍ତ ଶ୍ରୀ ଗଦାଧର ରାମାନୁଜ ଦାସଙ୍କ ଠାରୁ ୧୨୫୦ ଟଙ୍କାରେ ଖରିଦ ସୂତ୍ରରେ ଅଣାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେତେବେଳେ କଲିକତାର ବିଖ୍ୟାତ ଜାର୍ମଲିନ କମ୍ପାନୀର ସ୍ୱତ୍ତ୍ୱାଧିକାରୀ ଗୋପବନ୍ଧୁଙ୍କର ପରମବନ୍ଧୁ ଖ୍ୟାତନାମା ଶ୍ରୀ ପଦ୍ମଲୋଚନ ମହାନ୍ତି (ଯାହାଙ୍କ ଘର ମେଦିନୀପୁର ଦାନ୍ତୁନ ନିକଟରେ) ସେ ହ୍ୟାଣ୍ଡପ୍ରେସରେ ପ୍ରଥମେ ଛାପାକାର୍ଯ୍ୟ ଆରମ୍ଭ ହେଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ହ୍ୟାଣ୍ଡପ୍ରେସଟି ସ୍ମୃତିଚିହ୍ନ ରୂପେ ରହିଛି। ସେତେବେଳେ ଏ ସାପ୍ତାହିକ ‘ସମାଜ’ର ମୂଲ୍ୟ ବର୍ଷକୁ ଦେଢ ଟଙ୍କା ରଖାଯାଇଥିଲା। ପଣ୍ଡିତ ଗୋପବନ୍ଧୁ ଏଥିର ପ୍ରଥମ ସମ୍ପାଦକ ଏବଂ ମୁଦ୍ରାକର ଓ ପ୍ରକାଶକ ଥିଲେ। ‘ସମାଜ’ର ପ୍ରଥମ ଭାଗ ପ୍ରଥମ ସଂଖ୍ୟାରେ ପଣ୍ଡିତ ଗୋପବନ୍ଧୁ ପ୍ରଥମ ପୃଷ୍ଠାର ପ୍ରଥମ ସମ୍ପାଦକୀୟରେ ଲେଖିଥିଲେ-
‘ଆଜି ବିଜୟା ଦଶମୀ, ଭାରତରେ ବହୁ ଯୁଗରୁ ଧାରାବାହିକ ପାଳିତ ହେଉଥିବା ଉତ୍ସବ ଦିବସ। ବର୍ତ୍ତମାନ ଏଠାରେ ଦୁର୍ଭିକ୍ଷ ଓ ଅନାହାର। ତଥାପି ପରମ୍ପରା ଅନୁସାରେ ଏହା ପାଳିତ ହେଉଛି। ମାତ୍ର ଏଥିରେ ଆଉ ଉତ୍ସାହ ଉନ୍ମାଦନା ନାହିଁ। ଆମ ଦେଶ ଏବେ ଚିରଦରିଦ୍ର। ଖାଇବାକୁ ନ ପାଇ ଯେଉଁ ଦେଶରେ ଲୋକେ ମରନ୍ତି, ସେଠାରେ ଆନନ୍ଦ ଉତ୍ସବ କାହୁଁ ଆସିବ? ମାଆ ମଲା ପିଲାର ଷଠୀଘର କ’ଣ? ଯାହାହେଉ ପରମ୍ପରା ଅନୁସାରେ ଭାରତର ଏହି ଜାତୀୟ ପର୍ବ ଦିବସରେ ଗୋଟିଏ କର୍ମ ଆରମ୍ଭ କରିଛୁ। ରାମ, ଯୁଧିଷ୍ଟିରଙ୍କ ପରି କେତେ ପୁଣ୍ୟକର୍ମା ଆଜି ଅନୁକୂଳ କରି ବହୁ ମହତ କାର୍ଯ୍ୟ କରିଛନ୍ତି। ଏହା ମନେ ପକାଇ ଆମ୍ଭେମାନେ ଭବିଷ୍ୟତ ଉପରେ ଆଶା ରଖିଛୁ କି ଆମ୍ଭମାନଙ୍କ ଜାତିର ଦୁର୍ଦ୍ଦିନ ସବୁକାଳେ ରହିବ ନାହିଁ। ବିଜୟା ଦଶମୀ ସବୁଦିନେ ଏହିପରି ନିରସ ହେବ ନାହିଁ। ମାଆ ଜଗଦମ୍ବା ଏ ଜାତିର ପ୍ରାଣରେ ଦିନେ ନା ଦିନେ ତେଜ, ବଳ, ଆଶା ଆଣିଦେବେ। ‘ସମାଜ’ର ଏହି ଦୃଢ଼ ଅଟଳ ବିଶ୍ୱାସ ରହିଛି। ସେହି ବିଶ୍ୱାସରେ ମାନବ ସମାଜର ସବୁ ଜାତି, ସବୁ ସମ୍ପ୍ରଦାୟର ସାନ ବଡ଼ ସକଳ ଶ୍ରେଣୀର ଲୋକଙ୍କୁ ଅନ୍ତରର ଗଭୀର ସ୍ନେହ ଏବଂ ପ୍ରୀତି ସହକାରେ ଆଲିଙ୍ଗନ କରି ଆମ୍ଭେମାନେ ମଙ୍ଗଳମୟଙ୍କ ନିର୍ଦ୍ଦେଶରେ ‘ସମାଜ’ର କାର୍ଯ୍ୟ ଆରମ୍ଭ କରୁଅଛୁ। ତାଙ୍କରି ମଙ୍ଗଳମୟୀ ଇଚ୍ଛା ପୂର୍ଣ୍ଣ ହେଉ।
‘ଅୟମାରମ୍ଭ ଶୁଭାୟ ଭବତୁ’।
ଯେତେବେଳେ କ୍ଷୁଦ୍ର ସାପ୍ତାହିକ ‘ସମାଜ’ ପ୍ରକାଶ ପାଇଲା ସେତେବେଳେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଓ ସରକାରୀ ବେସରକାରୀ ଲୋକଙ୍କ ପାଖକୁ ଡାକରେ ପଠାଯିବା ପାଇଁ କାଗଜରେ ଯେଉଁ ଠିକଣା ଲେଖିବାକୁ ପଡ଼ିଲା ସେ କାର୍ଯ୍ୟ ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ, ରାମଚନ୍ଦ୍ର ରଥ, ସତ୍ୟବାଦୀ ତ୍ରିପାଠୀ, ସେତେବେଳର ପରିଚାଳକ ଓ ବର୍ତ୍ତମାନର ସମ୍ପାଦକ ପ୍ରମୁଖ ସେଥିରେ ଲାଗିଯାନ୍ତି। ସତ୍ୟବାଦୀ ବିଦ୍ୟାଳୟର କେତେକ ଛାତ୍ର ଏଥିରେ ସାହାଯ୍ୟ କରୁଥାନ୍ତି। ପଣ୍ଡିତ ନୀଳକଣ୍ଠଙ୍କ ‘କୋଣାର୍କ’ କାବ୍ୟ ସେତେବେଳେ ପ୍ରଥମେ ଏ ପ୍ରେସ୍‍ରେ ଛପାଗଲା।
୧୯୨୦ରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା। ପଣ୍ଡିତ ଗୋପବନ୍ଧୁ ଓଡ଼ିଶାରେ ସେଥିର ନେତୃତ୍ୱ ନେଲେ। ସତ୍ୟବାଦୀ ବିଦ୍ୟାଳୟର ଓ ‘ସମାଜ’ର ସବୁ କର୍ମୀ ମଧ୍ୟ ସେଥିରେ ଝାସ ଦେଲେ। ପଣ୍ଡିତ ଗୋପବନ୍ଧୁଙ୍କ ବିରୋଧରେ ଓ ‘ସମାଜ’ ନାମରେ କେତେ ମାନହାନି ଓ ଅନ୍ୟାନ୍ୟ ମକଦ୍ଦମା ରୁଜୁ ହେଲା। ପୁରୀର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଗାଇସ୍‍ ସାହେବ ସରକାରଙ୍କ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଓ ‘ସମାଜ’ ବିରୋଧରେ ପ୍ରଥମ ମାନହାନି ମକଦ୍ଦମା ଖୋର୍ଦ୍ଦାରେ ଦାୟର କଲେ। ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଭାଇ ମାଜିଷ୍ଟ୍ରେଟ ସୁରେଶଚନ୍ଦ୍ର ବୋଷ ଏଥିର ବିଚାରପତି ଥିଲେ। ସେ ଗୋପବନ୍ଧୁଙ୍କୁ ଖଲାସ କରିଦେଲେ। ସରକାର ହାଇକୋର୍ଟରେ ଅପିଲ କଲେ। ମାତ୍ର ହାଇକୋର୍ଟ ଖଲାସ ରାୟକୁ କାଏମ କଲେ। ମାଜିଷ୍ଟ୍ରେଟ ସୁରେଶବାବୁ ଏହା ପରେ ପରେ ଚାକିରିରୁ ଇସ୍ତଫା ଦେଲେ। ୧୯୨୨ରେ ‘ସମାଜ’ ଓ ‘ଉତ୍କଳଦୀପିକା’ ବିରୋଧରେ କନିକା ଅତ୍ୟାଚାର ସମ୍ପର୍କରେ ମାନହାନି ମକଦ୍ଦମା ଦାଏର ହେଲା। ପଣ୍ଡିତ ଗୋପବନ୍ଧୁ, ଡାକ୍ତର ଅଟଳ ବିହାରୀ ଆଚାର୍ଯ୍ୟ ଓ ସନ୍ଥଚରଣ ବେହେରା ଏଥିରେ ଆସାମୀ ହେଲେ। ଏ ମକଦ୍ଦମା ପରିଚାଳନାରେ ବହୁ ବନ୍ଧୁ ସାହାଯ୍ୟ କରିଥିଲେ ସୁଦ୍ଧା ‘ସମାଜ’ ସର୍ବସ୍ୱାନ୍ତ ହୋଇଯାଇଥିଲା। ଶେଷରେ ସରକାର କୌଶଳ କରି ମକଦ୍ଦମା ଉଠାଇ ନେବାକୁ ବାଧ୍ୟ ହେଲେ। ପଣ୍ଡିତ ଗୋପବନ୍ଧୁ ଅସହଯୋଗ ଆନ୍ଦୋଳନ ହେତୁ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆଇନ ଅନୁସାରେ ୧୯୨୨ ରୁ ୧୯୨୪ ଜୁନ୍‍ ୨୪ ତାରିଖ ପର୍ଯ୍ୟନ୍ତ ହଜାରିବାଗ ଜେଲରେ ବନ୍ଦୀ ହୋଇ ରହିଲେ। ସେତେବେଳେ ଆଚାର୍ଯ୍ୟ ହରିହର ଦାସଙ୍କ ସମ୍ପାଦକତ୍ୱରେ କାଗଜ ଚାଲିଲା। ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ବର୍ତ୍ତମାନର ସମ୍ପାଦକ କାଗଜ ସମ୍ପାଦନାରେ ସାହାଯ୍ୟ କରୁଥିଲେ। ପଣ୍ଡିତ ଗୋପବନ୍ଧୁ ୧୯୨୪ରେ ଜେଲରୁ ଖଲାସ ହେବା ପରେ ୧୯୨୫ ଜାନୁୟାରୀ ୩ ତାରିଖରେ ଏ ଛାପାଖାନାକୁ ପୁରୀ ଦୈତାପଡ଼ା ସାହିକୁ ସତ୍ୟବାଦୀରୁ ଉଠାଇ ନିଆଗଲା। ସେଠାରୁ ମଧ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପାଦକତ୍ୱରେ ସେହି ସାପ୍ତାହିକ କାଗଜ ପ୍ରକାଶ ପାଉଥିଲା। ମାତ୍ର ସେତେବେଳେ ଏହାର ଆକାର ଡବଲକ୍ରାଉନ କରାଗଲା। ୧୯୧୯ରେ ଯେତେବେଳେ ‘ସମାଜ’ ଆରମ୍ଭ ହେଲା ସେତେବେଳେ ପୁରୀରେ ଘୋର ବନ୍ୟା ଓ ଦୁର୍ଭିକ୍ଷ ଏବଂ ସେହି ଦୁର୍ଭିକ୍ଷର ପ୍ରତିକାର କରିବା ଏ ‘ସମାଜ’ର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ୧୯୨୫ରେ ସେହିଭଳି ପୁରୀ କଟକରେ ଘୋର ବନ୍ୟା ଓ ଦୁର୍ଭିକ୍ଷ ହେଲା। ୧୯୨୫ରେ ଦୀନବନ୍ଧୁ ଆଣ୍ଡ୍ର୍ୟୁଜ, ଲାଲା ଲଜପତ୍‍ ରାୟ, ଭାରତ ସେବାଶ୍ରମ ସଂଘର ପରମହଂସ ସ୍ୱାମୀ ପ୍ରଣବାନନ୍ଦ ଏବଂ ସରକାରଙ୍କ ପକ୍ଷରୁ ସାର୍‍ ଲରୀ ହାମଣ୍ଡଙ୍କ ସହିତ ବନ୍ୟା ଓ ଦୁର୍ଭିକ୍ଷ ସମ୍ପର୍କରେ ‘ସମାଜ’ ଅନୁଷ୍ଠାନ ପକ୍ଷରୁ ଓ ସତ୍ୟବାଦୀ ବିଦ୍ୟାଳୟ କର୍ମୀମାନଙ୍କ ସହଯୋଗରେ ଓ ଜଗବନ୍ଧୁ ସିଂହ, ଗମେଇ ଦାସ ଓ ଶିରୀଶଚନ୍ଦ୍ର ବୋଷ, ଦିବ୍ୟସିଂହ ପାଣିଗ୍ରାହୀ, ଉପେନ୍ଦ୍ର ମୁକ୍ତାର, ଦିବାକର ଦାସ ଓ ସର୍ବୋପରି ଠକ୍‍କର ବାପାଙ୍କ ଓ ଲାଲା ମୋହନ ଲାଲଙ୍କ ସହଯୋଗରେ ସାହାଯ୍ୟ ଦାନ କାର୍ଯ୍ୟ କରାଯାଉଥିଲା। ୧୯୨୬ରେ ପଣ୍ଡିତ ଗୋପବନ୍ଧୁ ଲାଲାଜୀଙ୍କ ଅନୁରୋଧରେ ଲୋକସେବକ ମଣ୍ଡଳରେ ସଭ୍ୟ ରୂପେ ଯୋଗ ଦେଲେ ଓ ପରେ ଉପସଭାପତି ହେଲେ।
ମାତ୍ର ପୁରୀରେ ପ୍ରେସ୍‍ ଓ ସମ୍ବାଦପତ୍ର ଚଳାଇବା ଆର୍ଥିକ ଦୃଷ୍ଟିରୁ କଷ୍ଟକର ହେବାରୁ ୧୯୨୭ ଜୁନ୍‍ ୨୮ ତାରିଖରେ କଟକ ନିମିଚୌଡି ଛକ ଭଡା ଘରେ ପୁରୀରୁ ଛାପାଖାନା ଉଠିଆସି ସେହି ସାପ୍ତାହିକ ‘ସମାଜ’ ଏଠାରୁ ପ୍ରକାଶ ପାଇଲା। ୧୯୨୭ ପ୍ରବଳ ବୈତରଣୀ ବନ୍ୟା ବେଳେ ବନ୍ୟା ସାହାଯ୍ୟ କାର୍ଯ୍ୟ ଏହିଠାରୁ ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ ସହକର୍ମୀଙ୍କ ସାହାଯ୍ୟରେ ପରିଚାଳିତ ହେଉଥିଲା। ଘୋର ଆର୍ଥିକ ଅଭାବ ଅନଟନ ଭିତରେ ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଏହା ପରିଚାଳିତ ହେଉଥିଲା। ମାତ୍ର ଆର୍ଥିକ ଅବସ୍ଥା ଏପରି ହେଲା ଯେ ପ୍ରେସ୍‍ଟିକୁ ବିକି ଦେବାର ବିଚାର ହେଉଥିଲା। ଏହିପରି ସଂକଟ ସମୟରେ ୧୯୨୮ ଜୁନ୍‍ ୧୭ ତାରିଖ ପଣ୍ଡିତ ଗୋପବନ୍ଧୁଙ୍କ ମୃତ୍ୟୁରେ ‘ସମାଜ’ ଅନୁଷ୍ଠାନ ତଥା ଓଡ଼ିଶାର ଘୋର ଦୁର୍ଦ୍ଦିନ ଘଟିଲା। ସେତେବେଳେ ପଣ୍ଡିତ ଲିଙ୍ଗରାଜ ମିଶ୍ର ମଧ୍ୟ ଲୋକସେବକ ମଣ୍ଡଳର ସଭ୍ୟ ଥିଲେ। ପଣ୍ଡିତ ଗୋପବନ୍ଧୁଙ୍କ ମୃତ୍ୟୁକାଳୀନ ଶେଷ ଇଚ୍ଛାପତ୍ର ଅନୁସାରେ ‘ସମାଜ’ ଓ ସତ୍ୟବାଦୀ ପ୍ରେସ୍‍ ଲାଲାଜୀଙ୍କ ପରିଚାଳିତ ଉକ୍ତ ଲୋକସେବକ ମଣ୍ଡଳ ଦାୟିତ୍ୱରେ ଟ୍ରଷ୍ଟ ରୂପେ ଦିଆଗଲା। ସେହି ଇଚ୍ଛାପତ୍ର ଅନୁସାରେ ବର୍ତ୍ତମାନର ସମ୍ପାଦକ ଲୋକସେବକ ମଣ୍ଡଳର ମଧ୍ୟ ସଭ୍ୟ ହେଲେ। ତା’ପରେ ପଣ୍ଡିତ ନୀଳକଣ୍ଠ ଓ ତା’ପରେ ପଣ୍ଡିତ ଗୋଦାବରୀଶ ମିଶ୍ର କିଛି କାଳ ‘ସମାଜ’ର ସମ୍ପାଦକ ଥାଇ ଚାଲିଲା। ପରେ ପଣ୍ଡିତ ଲିଙ୍ଗରାଜ ସମ୍ପାଦକ ହେଲେ। ୧୯୩୦ ଗାନ୍ଧିଜୀଙ୍କ ଦାଣ୍ଡିଯାତ୍ରା ଦିନ ଏହାକୁ ଏକ ଦୈନିକ କାଗଜରେ ପରିଣତ କରାଗଲା। ପଣ୍ଡିତ ଆକୁଳି ମିଶ୍ରଙ୍କ ସାହାଯ୍ୟରେ ସେତେବେଳର ପରିଚାଳକ ଓ ବର୍ତ୍ତମାନ ସମ୍ପାଦକ ମିଳିତ ହାଣ୍ଡନୋଟରେ କଟକ ବ୍ୟାଙ୍କରୁ ଟଙ୍କା ଆଣି ଗୋଟିଏ ପୁରୁଣା ଫ୍ଲାଟବେଡ ମେସିନ କଲିକତାରୁ ଏଥିପାଇଁ କିଣିଲେ। ସେତେବେଳକୁ ଲାଲାଜୀଙ୍କର ମଧ୍ୟ ପରଲୋକ ହୋଇଯାଇଥିଲା (୧୭ା୧୧ା୨୮)। ସେତେବେଳେ ଲାହୋରରେ ରହୁଥିବା ଲୋକସେବକ ମଣ୍ଡଳର କର୍ତ୍ତୃପକ୍ଷ ଦେଶର ଆର୍ଥିକ ଦୁରବସ୍ଥା ଓ ଏଥିରୁ ସୁଦୂର ପରିଣତି ଦୃଷ୍ଟିରୁ ‘ସମାଜ’କୁ ଦୈନିକ କରିଦେବା ଉଦ୍ୟମକୁ ପସନ୍ଦ କରି ନ ଥିଲେ ସୁଦ୍ଧା ଏହାକୁ ଏକ ଦୁଃସାହସିକ ପଦକ୍ଷେପ ରୂପେ ଆରମ୍ଭ କରାଯାଇଥିଲା। ୧୯୩୦ ଠାରୁ ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ ୧୯୪୭ ଭିତରେ ସରକାରୀ ନିର୍ଯାତନା ଓ ଦମନ ଫଳରେ ‘ସମାଜ’ ଉପରେ ଯେ କେତେ ଦାଉଘାତ ପଡ଼ିଛି ତାର ଠିକଣା ନାହିଁ। ୧୯୩୨ ଜାନୁଆରୀ ୧୮ ତାରିଖରେ ଜାମିନ ତଲବ ହେବାରୁ ‘ସମାଜ’ ବନ୍ଦ ହୋଇଯାଇଥିଲା। ପଣ୍ଡିତ ଗୋଦାବରୀଶଙ୍କ ପରେ ପଣ୍ଡିତ ଲିଙ୍ଗରାଜ ମିଶ୍ର ସମ୍ପାଦକ ହୋଇଥିଲେ। ‘ସମାଜ’ର ପ୍ରକାଶକ, ସମ୍ପାଦକ ଓ ବର୍ତ୍ତମାନ ସମ୍ପାଦକ ମଧ୍ୟ ସ୍ୱାଧୀନତା ଆନ୍ଦୋଳନ ସଂକ୍ରାନ୍ତରେ ବନ୍ଦୀ ହୋଇଥିଲେ। ବହୁ ବାଧାବିଘ୍ନ ଭିତରେ ଏହା ଗତିକରି ଶ୍ରୀଯୁକ୍ତ ବିଶ୍ୱନାଥ ଦାଶ ୧୯୩୮-୩୯ରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିଲାବେଳେ ସରକାର ବକ୍ସିବଜାରରେ ଖଣ୍ଡିଏ ଜମି ପଟ୍ଟା ଦେଲେ। ଏଠାରେ ରାଜର୍ଷି ଟଣ୍ଡନଙ୍କ ନି​‌େ​‌ବଦନ ଫଳରେ ଗୋପବନ୍ଧୁ ଭବନ ନିର୍ମାଣ କରାଗଲା ଏବଂ କ୍ରମେ ‘ସମାଜ’ ଛାପାଖାନା ପାଇଁ ଘର ମଧ୍ୟ ତିଆରି କରାଗଲା। ଏ ଘର ତିଆରି ପରେ ‘ସମାଜ’ ମେସିନ ପ୍ରଭୃତି ସବୁ ବକ୍ସିବଜାର ଘରକୁ ୧୯୫୬ ଜୁଲାଇ ୮ ତାରିଖରେ ଉଠି ଆସିଲା। ଏଠାରେ ଟାଇପ ଫାଉଣ୍ଡରୀ ଏବଂ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ଗୋଟିଏ ଫ୍ଲାଟବେଡ ରୋଟାରୀ କିଣାଯାଇ ଏହାର କଳେବର ବୃଦ୍ଧ କରାଗଲା। ‘ସମାଜ’ ପ୍ରସାର ଲାଭ କରିବା ଫଳରେ ଓ କଳେବର ବୃଦ୍ଧ ଦୃଷ୍ଟିରୁ ୮ ଲକ୍ଷ ଟଙ୍କା ମୂଲ୍ୟରେ ଗୋଟିଏ ଆଧୁନିକ ରୋଟାରୀ ମେସିନ କ୍ରୟ କରାଗଲା। ଋଣ କରି ଏ ସବୁ ଟଙ୍କା ଖଟାଇବାକୁ ପଡ଼ିଲା। ଏ ରୋଟାରୀରେ ୧୯୬୫ ଜୁଲାଇ ମାସରୁ ‘ସମାଜ’ ଛପାଯାଉଛି।
ବର୍ତ୍ତମାନ ସେହି ରୋଟାରୀ ମେସିନରେ ନୂଆ ପ୍ରସ୍ଥ କାଗଜ ଛପା ହେଉଛି। ଏହା ଓଡ଼ିଶାରେ ସବୁଠାରୁ ବଳି ବଡ଼ ଆଧୁନିକ ରୋଟାରୀ ପ୍ରେସ୍‍। ଫଟୋ ଷ୍ଟୁଡ଼ିଓ, ପ୍ରସେସ୍‍ ବିଭାଗ ମଧ୍ୟ ସ୍ୱତନ୍ତ୍ର ଭାବରେ ଖୋଲାଗଲା।
କିନ୍ତୁ ଓଡ଼ିଆରେ ହାତ ମେସିନରେ ଓଡ଼ିଆ ଟାଇପ ଢାଳି ହାତ କମ୍ପୋଜରେ ବରାବର କାଗଜ ଏପର୍ଯ୍ୟନ୍ତ ଛାପିବାକୁ ପଡ଼ୁଛି। ଏଥିରେ ମାତ୍ରା ପ୍ରଭୃତି ଭାଙ୍ଗିଯାଉଛି ଏବଂ ଏଥିରେ ବହୁ କ୍ଷତିଗ୍ରସ୍ତ ହେବାକୁ ପଡ଼ୁଛି। ଏହାସତ୍ତ୍ବେ କୌଣସିମତେ ଏପର୍ଯ୍ୟନ୍ତ ଚାଲିଆସିଛି। ଏପର୍ଯ୍ୟନ୍ତ ଓଡ଼ିଆରେ ଲାଇନୋ ବା ମନୋ କି’ବୋର୍ଡ ହୋଇନଥିଲା, ଯାହାକି ଭାରତର ବିଭିନ୍ନ ଭାଷାରେ ବହୁ ପୂର୍ବରୁ ହୋଇଯାଇପାରିଛି। ଚାରିବର୍ଷ ପୂର୍ବେ ଓଡ଼ିଶାର କଂଗ୍ରେସ ସରକାର ‘ସମାଜ’ର ବର୍ତ୍ତମାନ ସମ୍ପାଦକଙ୍କ ଅଧ୍ୟକ୍ଷତାରେ ଗୋଟିଏ ଓଡ଼ିଆ ଲିପି ସଂସ୍କାର କମିଟି ବସାଇଥିଲେ।
ଡକ୍ଟର ପରିଜା ପ୍ରମୁଖ ବହୁ ବିଶେଷଜ୍ଞ ଏଥିରେ ସଭ୍ୟ ଥିଲେ। ଉକ୍ତ କମିଟି ସଂସ୍କାର ସୂତ୍ରରେ କେତେକ ବୈପ୍ଳବିକ ପରିବର୍ତ୍ତନ କରି ସରକାରଙ୍କୁ ନକ୍ସା ତିଆରି କରି ତାହା କାର୍ଯ୍ୟକାରୀ କରିବାକୁ ରିପୋର୍ଟ ଦେଇଥିଲେ। ଏହା ମନୋଲାଇନୋ କି’ବୋର୍ଡ ନକ୍ସା କରିବାରେ ସାହାଯ୍ୟ କରିଥାନ୍ତା। ଏଥିରେ ଅନ୍ୟ ବିଶିଷ୍ଟ ମୁଦ୍ରଣ ଶିଳ୍ପ ସଂସ୍ଥାର ଓ ବିଶ୍ୱବିଦ୍ୟାଳୟର କୁଳପତି ସଭ୍ୟ ଥିଲେ। ସରକାରୀ ଛାପାଖାନା ସୁପରିଣ୍ଟେଣ୍ଡେଣ୍ଟ ସେକ୍ରେଟାରୀ ଥିଲେ। କମିଟି ଲିପି ସଂସ୍କାରର ଯେଉଁ ରିପୋର୍ଟ ଦେଲେ ସେତେବେଳର ମୁଖ୍ୟମନ୍ତ୍ରୀ ଶ୍ରୀ ବୀରେନ ମିତ୍ର ଓ ଶିକ୍ଷାମନ୍ତ୍ରୀ ଶ୍ରୀ ସତ୍ୟପ୍ରିୟ ମହାନ୍ତି ତାକୁ ଅନୁମୋଦନ କରିଥିଲେ। କିନ୍ତୁ ଅନ୍ୟ ଆଡୁ କ’ଣ ବାଧା ଜନ୍ମିଲା କେଜାଣି ତାହା କାର୍ଯ୍ୟକାରୀ ହେଲାନାହିଁ। ତେଣୁ ଆମ୍ଭେମାନେ କେତେକ କଳାବିତ୍‍ କାରିଗର ଓ ବିଶେଷଜ୍ଞଙ୍କ ସାହାଯ୍ୟରେ କଲିକତା ମନୋ ଟାଇପ କର୍ପୋରେସନଙ୍କ ସହିତ ପରାମର୍ଶ କରି ନୂତନ ଲିପି ସଂସ୍କାର ସଙ୍ଗେ ସଙ୍ଗେ ମନୋ କି’ବୋର୍ଡ ତିଆରି କରାଇଲୁ ଏବଂ ଅକ୍ଷର କଳାକାରଙ୍କ ସାହାଯ୍ୟରେ ନୂଆ ଅକ୍ଷର ନକ୍ସା ତିଆରି କରାଇ ମନୋ ଟାଇପ କର୍ପୋରେସନ ଦ୍ୱାରା କି ବୋର୍ଡ ତିଆରି କରାଇଲୁ। ବର୍ତ୍ତମାନ ବିଲାତର ମନୋ ଟାଇପ୍‍ କର୍ପୋରେସନ୍‍ ଜରିଆରେ ବିଲାତରେ ଓଡ଼ିଆରେ କି ବୋର୍ଡ ଓ ମନୋ ଯନ୍ତ୍ର କମ୍ପୋଜ ଓ କାଷ୍ଟିଂ ଯନ୍ତ୍ର ତିଆରି ହୋଇପାରିଛି।
ଏବେ ‘ସମାଜ’ର ଆୟୁଷ ୫୦ ବର୍ଷ ପୂରଣ ବେଳକୁ ଓଡ଼ିଆ ମନୋଟାଇପ ମେସିନ ଆମ୍ଭେମାନେ ଖର୍ଦ୍ଦି ସୂତ୍ରରେ ଆଣି ବସାଇପାରି ଥିବାରୁ ଓ ‘ସମାଜ’ର ପଚାଶତମ ଜନ୍ମଦିବସ ବିଜୟା ଦଶମୀରେ ଏ ମନୋଟାଇପ ମେସିନର ଛାପା ସର୍ବପ୍ରଥମେ ପ୍ରକାଶ କରିପାରିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛୁ। ଯେଉଁ ଶିଳ୍ପୀ ଓ ବନ୍ଧୁମାନେ ଏଥିରେ ସହଯୋଗ କରିଛନ୍ତି ସେମାନଙ୍କୁ ଏବଂ ବିଶେଷରେ ମନୋଟାଇପ କର୍ପୋରେସନ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ଏହା ଓଡ଼ିଆ ମୁଦ୍ରଣ ଶିଳ୍ପରେ ଏକ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିଲା। ଆଶା କରାଯାଏ ଯେ ଏହାର ପ୍ରସାର ଫଳରେ ଓଡ଼ିଆ ପୁସ୍ତକ ଓ ସମ୍ବାଦପତ୍ରମାନ ନିର୍ଭୁଲ ଭାବରେ ପ୍ରକାଶ କରାଯାଇପାରିବ।
ପଣ୍ଡିତ ଗୋପବନ୍ଧୁଙ୍କ ସହକର୍ମୀ, ଖ୍ୟାତାନାମା ସାହିତ୍ୟିକ, ଦାର୍ଶନିକ ଓ ରାଜନୀତିଜ୍ଞ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବିୟୋଗ ପରେ ତାଙ୍କର ପୁତ୍ର ଡାକ୍ତର ବିକ୍ରମ ଦାସ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିଷ୍ଠିତ ‘ନବଭାରତ’ ପ୍ରେସ୍‍କୁ ଲୋକସେବକ ମଣ୍ଡଳ ହାତରେ ଦାନ କରିଛନ୍ତି। ଆମ୍ଭେମାନେ ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଚିତ୍ର ପ୍ରବନ୍ଧ ସମ୍ବଳିତ ସାପ୍ତାହିକ ‘ନବଭାରତ’ ପତ୍ରିକା ପ୍ରକାଶ କରିବାର ଯୋଜନା କରିଛୁ। ମାତ୍ର କାଗଜ ଓ ମୁଦ୍ରାଯନ୍ତ୍ରର ଅବସ୍ଥା ଦୃଷ୍ଟିରୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଓଡ଼ିଆ ଯାନ୍ତ୍ରିକ ମନୋଟାଇପରେ କମ୍ପୋଜ ହେବାର ବ୍ୟବସ୍ଥା ପୂରାପୂରି ହୋଇଯିବା ପରେ ଆସନ୍ତା ୧୯୬୦ ମସିହା ପଣା ସଂକ୍ରାନ୍ତିଠାରୁ ଏହି ସାପ୍ତାହିକ ପତ୍ରିକା ପ୍ରକାଶ କରିପାରିବୁ ବୋଲି ଆଶା କରୁଛୁ।
ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ‘ସମାଜ’ର ଆୟୁଷ ଆଜି ୫୦ ବର୍ଷ ପରିପୂର୍ଣ୍ଣ ହେଲା। ଆମ୍ଭେମାନେ ଏଥିର ପୃଷ୍ଠପୋଷକ, ପାଠକ, ଗ୍ରାହକ ବିଶେଷରେ ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଓ ସଭ୍ୟମାନଙ୍କୁ କୃତଜ୍ଞତା ଜଣାଉଛୁ। ଆମ୍ଭେମାନେ ଏତିକି କହିପାରୁ ଯେ ଏହା ବାହାରର କୌଣସି ଆର୍ଥିକ ସାହାଯ୍ୟ ଉପରେ କେବେ ନିର୍ଭର କରିନାହିଁ। କେବଳ ଗୋପବନ୍ଧୁ ଭବନ ନିର୍ମାଣ ପାଇଁ ୧୩ ହଜାର ଟଙ୍କା ସାଧାରଣରୁ ସାହାଯ୍ୟ ମିଳିଥିଲା। ଅନ୍ୟଥା ଏ ଅନୁଷ୍ଠାନ ନିଜ ଆୟକୁ ଆଶ୍ରୟ କରି ଏପର୍ଯ୍ୟନ୍ତ ଏ ଅଗ୍ରଗତି କରିପାରିଛି। ଏଥିପାଇଁ ପାଠକ, ଗ୍ରାହକ, ଶୁଭେଚ୍ଛୁଙ୍କର ଓ ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁ ଏବଂ ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ପୁରୁଷ ସିଂହ ଲାଲାଜୀଙ୍କର ଆଶୀର୍ବାଦ ଆମ୍ଭମାନଙ୍କୁ ବଳ ଓ ପ୍ରେରଣା ଦେଇଆସିଛି। ଯେଉଁମାନେ ସମ୍ପାଦନା ଓ ପରିଚାଳନା କାର୍ଯ୍ୟରେ ଏ ପର୍ଯ୍ୟନ୍ତ ସହଯୋଗ କରିଆସିଛନ୍ତି ଆମ୍ଭେମାନେ ସେମାନଙ୍କଠାରେ କୃତଜ୍ଞ। ସେମାନଙ୍କ ସହଯୋଗ ବିନା ଏହାର ଏ ଅଗ୍ରଗତି ହୋଇପାରିନଥାନ୍ତା। କେତେକ ଅଛନ୍ତି, ଯେଉଁମାନେ କି ତିନିପୁରୁଷ ଧରି ଏଠାରେ କାମ କଲେଣି ଏବଂ କେତେକ ଅଛନ୍ତି ୩୦/୪୦ ବର୍ଷ ଧରି କାମ କରି ଆସୁଛନ୍ତି। ବହୁ ସାମ୍ବାଦିକ ବନ୍ଧୁ, ସମ୍ବାଦଦାତା, ସମ୍ବାଦ ସରବରାହ ସଂସ୍ଥା ଓ ହିତୈଷୀଙ୍କ ସହଯୋଗରେ ଏପର୍ଯ୍ୟନ୍ତ ଏ କାଗଜ ଚାଲିଆସିଛି। ଆମ୍ଭେମାନେ ସେମାନଙ୍କଠାରେ ଚିର କୃତଜ୍ଞ।
ବାର୍ଷିକ ପ୍ରାୟ ଏ ଅନୁଷ୍ଠାନରୁ ୧୦ହଜାର ଟଙ୍କା ଛାତ୍ରବୃତ୍ତି, ବନ୍ୟା, ଦୁର୍ଭିକ୍ଷ ଓ ରୋଗୀମାନଙ୍କୁ ସାହାଯ୍ୟ ଦିଆଯାଏ। ନାନା ବାଧାବିଘ୍ନ ଓ ଦୁର୍ଦ୍ଦିନ ଭିତରେ ‘ସମାଜ’ ଏ ପର୍ଯ୍ୟନ୍ତ ବଞ୍ଚିରହିଛି। ଏ ‘ସମାଜ’ ପ୍ରତି ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଆଶୀର୍ବାଦ ଥିଲା। ଦେଶବାସୀଙ୍କ ଶୁଭେଚ୍ଛା, ସହଯୋଗ ଓ ପ୍ରତିଷ୍ଠାତାଙ୍କ ମୌଳିକ ପ୍ରେରଣାରେ ଏହା ବଞ୍ଚିରହୁ ଏବଂ ଦେଶବାସୀଙ୍କର ଅଧିକତର ସେବା କରିବାରେ ଅଧିକତର ସୁଯୋଗ ପାଉ ଏହା ହିଁ ଭଗବାନଙ୍କଠାରେ ନିବେଦନ।
ବର୍ତ୍ତମାନ ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ଛପାକାଗଜର ମୂଲ୍ୟ ଅସମ୍ଭବ ଭାବରେ ବଢ଼ୁଥିବାରୁ ଏବଂ ନିଉଜପ୍ରିଣ୍ଟ କାଗଜ ମିଳୁନଥିବାରୁ ଆମ୍ଭେମାନେ ‘ସମାଜ’ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଓ ମଣ୍ଡଳର ସଭାପତି ଶ୍ରୀ ବିଶ୍ୱନାଥ ଦାସଙ୍କ ପ୍ରେରଣାରେ ଯାହା କରିବୁ ବୋଲି ବିଚାରିଥିଲୁ ତାହା କରିପାରିଲୁ ନାହିଁ।

Leave A Reply