କାର୍ଟର: ଆଉ ଜଣେ ଗାନ୍ଧୀଜନ

0

ପଦ୍ମଚରଣ ନାୟକ

ତେୟାନବେ ବର୍ଷ ବୟସରେ ସେ ହାତକରତ ଓ କଟାଳି ଛାଡ଼ିନାହାନ୍ତି, କିନ୍ତୁ ପୂର୍ବଭଳି ହାତୁଡିକୁ ଖେଳ ଜିନିଷ ଭଳି ଚଳାଇ ପାରୁନାହାନ୍ତି। ତରୁଣ ବୟସରୁ କାଠ ସରଂଜାମ ଗଢିବାରେ ସିଦ୍ଧହସ୍ତ ଶ୍ରୀଯୁକ୍ତ କାର୍ଟର କୌଳିକ ବୃତ୍ତିରେ କିନ୍ତୁ ବଢେଇ ନୁହନ୍ତି । ରାଷ୍ଟ୍ରପତି ଥିଲାବେଳେ, ସମୟ ବାହାର କରି ସେ କିଛି କାଠର ଆସବାବ ବା ଫୁଲ ଗଢି ଉପହାର ଦିଅନ୍ତି। ଗତ ଅଗଷ୍ଟ ମାସର ଶେଷଆଡକୁ ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଡିଆନାରେ ଗୋଟିଏ ଘର ତିଆରି ଶେଷ କରିବାକୁ ଲାଗି ପଡିଥିଲେ । ତାଙ୍କ ସହିତ ଅଳ୍ପ କେତେ ଲୋକ ମିଶି ଅଭାବୀ ଲୋକଙ୍କୁ ଘର ତିଆରିକରି ଦାନ କରିବା ନିଶା ଛାଡିନାହାନ୍ତି। ସଂସ୍ଥାର ନାଁ ‘ହାବିଟାଟ୍ ଫର ହ୍ୟୁମାନିଟି’, କାରଣ କାର୍ଟରଙ୍କ ବିଚାରରେ ଘରଟିଏ ମଣିଷ ପାଇଁ ଏକ ଅପରିହାର୍ଯ୍ୟ ବସ୍ତୁ । ରାଷ୍ଟ୍ରପତି ପଦ ଛାଡିବା ପରେ ସେ ଓ ତାଙ୍କ ସହଧର୍ମିଣୀ ଅନ୍ୟାନ୍ୟ କାମ ଭିତରେ ଏଇ କାମଟି ଚଳାଇ ରଖିଛନ୍ତି । ୧୯୬୧ ମସିହାରେ ନିଜେ ଗଢିଥିବା ଦୁଇବଖରିଆ ଘରେ ଏବେ ବି ରହୁଛନ୍ତି । ତାଙ୍କୁ ଦେଖିଲେ କିଏ କାହିଁକି ଭାବିବ ଏଇଟି ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବାସଭବନ? (ଆମ ଦେଶର ରାଷ୍ଟ୍ରପତିମାନେ ସଂଭ୍ରମର ସହ ରହିବା ଲାଗି ରୁଚିପୂର୍ଣ୍ଣ ପ୍ରାସାଦ ସହ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି ।) ସେମାନେ ନିଜେ ରୋଷେଇକରି ଖାଆନ୍ତି। ରବିବାର ଦିନ ପାଖ ଚର୍ଚ୍ଚକୁ ଯାଇ ପିଲାମାନଙ୍କୁ ପଢାନ୍ତି। ଉଲ୍ଲେଖନୀୟ ଯେ ସେହି ସ୍ତରର ବ୍ୟକ୍ତିମାନେ ସେଦିନ ଇନଭେଷ୍ଟମେଣ୍ଟ ବ୍ୟାଙ୍କକୁ ଯାଇ ଭାଷଣ ଦେଇ ଲକ୍ଷଲକ୍ଷ ଡଲାର ପାଇଥାନ୍ତି । ତାଙ୍କରି ପ୍ରଚେଷ୍ଟାରେ ‘ସାଉଥ ବେଣ୍ଡ୍’ର ସହରତଳି ଖାଲି ପଡିଥିବା ଅଂଚଳରେ କାର୍ଟର ଦମ୍ପତି ୨୩ଟି ବାସଗୃହର ବସ୍ତିଟିଏ ଗଢିଛନ୍ତି । ଏବେ ଯେଉଁ ଘରଟି କାମରେ ଲାଗିଛନ୍ତି ତାହା ପିତୃବିଚ୍ଛିନ୍ନ ଚାରିପିଲାଙ୍କ ମା’ କ୍ଳଓରା ଟେଲରଙ୍କ ପାଇଁ । ସେ ବିନା ସୁଧରେ ସେ ବାବଦ ମୂଲ୍ୟ ପରିଶୋଧ କରିବେ । କାର୍ଟର କହନ୍ତି ଆମେ ଖ୍ରୀଷ୍ଟିୟାନମାନେ ଯେଉଁ ଧର୍ମର ମହତ୍ତ୍ବକଥା କହୁଛୁ ତାକୁ କାମରେ ଦେଖାଇବାର ସୁଯୋଗ ନେବା । ଆମେ ସ୍ୱଚ୍ଛଳବର୍ଗ ସେହି ଘରଟିଏର ମହତ୍ତ୍ବ ବୁଝିପାରିବା ନାହିଁ । ଯେଉଁମାନେ ନିଜର ସମ୍ପତ୍ତି ବଢେଇ ଚାଲିଛନ୍ତି ସେମାନଙ୍କ ଲାଗି କାର୍ଟରଙ୍କ ଆଦର୍ଶ ଗୋଟିଏଗୋଟିଏ ଛାଟପରି । ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ଲୋକଙ୍କ ଆୟର ଗଭୀର ତାରତମ୍ୟରେ ସେ ବ୍ୟଥିତ।
ଯେଉଁସବୁ କାରସାଦି କରି ରାଜନୀତିକ କାର୍ଯ୍ୟକୁ ବ୍ୟୟସାପେକ୍ଷ କରାଯାଉଛି ଓ ଭୋଟକୁ ନିୟନ୍ତ୍ରଣ କରାଯାଉଛି ସେଥିରେ ସେ ବ୍ୟଥିତ। ଏ ଦିଗରେ ସୁପ୍ରିମକୋର୍ଟର କାର୍ଯ୍ୟକୁ ବି ସେ ନିନ୍ଦା କରନ୍ତି । କାର୍ଟର ଦମ୍ପତି ଗଲା ୩୫ ବର୍ଷଧରି ଏଭଳି ଘର ତିଆରି କରିଚାଲିଛନ୍ତି । ସେ କହନ୍ତି ଯେତେକାଳ ସେ ସକ୍ଷମ ଥିବେ, ସେ ପର୍ଯ୍ୟନ୍ତ ସେ ଏହି କାମ ଚଳାଇ ରଖିବେ। ୨୦୧୫ରେ ତାଙ୍କଠାରେ କର୍କଟ ରୋଗର ଲକ୍ଷଣ ଦେଖାଯାଇଥିଲା । ସେ ସେଥିରୁ ଆରୋଗ୍ୟ ଲାଭ କରୁଛନ୍ତି । ଶ୍ରୀମତୀ କାର୍ଟର (ରୋଜାଲିନ୍)ଙ୍କୁ ଏବେ ୯୧ ବର୍ଷ । କିଛି କାରଣରୁ ଅସ୍ତ୍ରୋପଚାର ପରେ ସେ ଏକ ବେତବାଡିଧରି ଚାଲନ୍ତି। ଏହି ଘର ତିଆରି ନିଶାରେ ସେମାନେ ୧୪ଟି ଦେଶର ୨୧ଟି ରାଜ୍ୟକୁ ଯାଇଛନ୍ତି । ୨୦୧୮ରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଡିଆନା ଭଳି ଅଞ୍ଚଳକୁ ଯାଇଛନ୍ତି ଯେଉଁଟି ଅପେକ୍ଷାକୃତ ଅନୁନ୍ନତ। ସେଇଟି ହେଉଛି ତାଙ୍କ ଆର୍କିଟେକ୍ଟ୍ ୮୦ ବର୍ଷ ବୟସ୍କ ଟ୍ରୟେରଙ୍କ ବାସସ୍ଥାନ ଯେ କି ୩୩ ବର୍ଷ ହେଲା ତାଙ୍କ ଅଞ୍ଚଳରେ ଏହି କାମଟି ଚଳାଇଛନ୍ତି ।
କାର୍ଟର ବାସଗୃହକୁ ଗୁରୁତ୍ୱ ଦେବାର କାରଣ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ୩ କୋଟି ୮୦ ଲକ୍ଷ ପରିବାରଙ୍କ ଆୟର ୩୦ ଶତାଂଶ ଘରଭଡାରେ ହିଁ ଯାଏ । ପ୍ରାୟ ୧ କୋଟି ୯୦ ଲକ୍ଷ ପରିବାର ଘରଭଡାରେ ଆୟରୁ ଅଧା ବ୍ୟୟ କରନ୍ତି । ଏଣୁ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟର ତାରତମ୍ୟ ବଢିଚାଲିଛି । କାମଟି କିଭଳି ଭଲଭାବରେ ଅଳ୍ପସମୟ ମଧ୍ୟରେ ହୋଇପାରିବ, ତାହାର ଉଦାହରଣ ସେ ନିଜେ ।
ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ ଓ କାର୍ଟରଙ୍କୁ ତୁଳନାକଲେ ଆକାଶପାତାଳ ପ୍ରଭେଦ ଦେଖିବାକୁ ମିଳେ । ଜଣେ ସବୁ ଦିଗରୁ ନୁଙ୍ଗୁରା ହୋଇଥିବା ବେଳେ ଅନ୍ୟଜଣେ ସବୁଥିରେ ଖାଲି ତ୍ରୁଟିହୀନ ନୁହନ୍ତି; ସମାଜରେ ଅବହେଳିତଙ୍କ ଉନ୍ନତି ଲାଗି ବ୍ୟଗ୍ର । ନିଜ ଦେଶର ସମସ୍ୟା ଛଡା ରାଷ୍ଟ୍ରପତି ଦାୟିତ୍ୱ ଛାଡିବାପରେ ପୃଥିବୀର ନାନା ଦେଶ ମଧ୍ୟରେ ଚାଲିଥିବା ଦୀର୍ଘକାଳୀନ ବିବାଦ ଦୂର କରିବାଲାଗି ସେ ଲାଗିପଡି ବେଶ ସଫଳ ହୋଇଥିଲେ । ସେଥିଲାଗି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା ।
ସିନେଟର ଜନ୍ ମାକେନଙ୍କ ତିରୋଧାନ ପରେ ତାଙ୍କ ‘ହାବିଟାଟ୍’ ପରିସର ମଧ୍ୟରେ ପତାକା ଅର୍ଦ୍ଧନମିତ ହୋଇଥିଲା । ସେ କହନ୍ତି ମାକେନ୍ ହେଉଛନ୍ତି ତାଙ୍କର ‘ହିରୋ’ । ସେ ରିପବ୍ଲିକାନ ଦଳର ଉଭୟ ଯୁକ୍ତରାଷ୍ଟ୍ର ଆମେରିକାର ନାଭାଲ ଏକାଡେମୀର ଛାତ୍ର, ଯଦିଓ ମାକେନ୍ ତାଙ୍କଠାରୁ ବାରବର୍ଷ ପରେ ସେଠାରେ ଅଧ୍ୟୟନ କରିଥିଲେ । ଉଭୟଙ୍କ ସତ୍ୟପ୍ରତି ନିଷ୍ଠା ଛଡା ମାକେନ୍‌ଙ୍କ ବୀରତ୍ୱ ଓ ଚାରିତ୍ରିକ ନିଷ୍ଠାର ସେ ଜଣେ ଗଭୀର ପ୍ରଶଂସକ ଯାହାକି ଏବର ପ୍ରେସିଡେଣ୍ଟ ଟ୍ରମ୍ପଙ୍କଠାରେ ଦେଖାଯାଏନା।
କାମ ଚାଲିଥିଲାବେଳେ ସେଠାରେ ସମସ୍ତଙ୍କ ପାଇଁ ଥିବା ମେସରେ ଉଭୟ ସ୍ୱାମୀସ୍ତ୍ରୀ ମଧ୍ୟାହ୍ନ ଭୋଜନ କରନ୍ତି । ସେମାନେ ପହଞ୍ଚିଲା ବେଳକୁ ଭଲ ଜିନିଷଗୁଡିକ ଅନ୍ୟମାନେ ନେଇଯାଇଥାନ୍ତି। ଯାହା ବହକି ପଡିଥାଏ, ସେଇଆକୁ ଅତି ଆଗ୍ରହ ସହ ଏମାନେ ଖାଇଥାନ୍ତି । ସେହି ମଧ୍ୟାହ୍ନ ଭୋଜନ କାଳର କଥାବାର୍ତ୍ତାରେ ସେ କହିଥାନ୍ତି ଯିଏ ଯାହା କହନ୍ତୁ ସାମ୍ୟ ଓ ଭାଇଚାରା ହିଁ ଆମ ଆମେରିକାର ଅବିଚ୍ଛେଦ୍ୟ ବୈଶିଷ୍ଟ୍ୟ । ସେ କହନ୍ତି ଏବେ ଯାହା ଚାଲିଛି ତାହାର ପରିବର୍ତ୍ତନ ନିଶ୍ଚୟ ହେବ, ଏ ବିଶ୍ୱାସ ମୋର ଅଛି । ଏହାପରେ ସେ କାମରେ ଲାଗିପଡନ୍ତି । ସେହି ସମୟରେ କଥାବାର୍ତ୍ତା ମଧ୍ୟରେ ସେ କହନ୍ତି ‘ମୋତେ ଲୋକେ ପଚାରନ୍ତି କେଉଁଥିପାଇଁ ମୋତେ ଲୋକେ ମନେ ରଖିବେ? ମୁଁ କହେ ଶାନ୍ତି ଓ ମାନବିକ ଅଧିକାର ଲାଗି ମୋର ପ୍ରଚେଷ୍ଟା ଲାଗି ।’ ସେ କହନ୍ତି ମଣିଷର ଘରଟିଏ ନିଶ୍ଚୟ ଦରକାର ଓ ତା’ରି ସାଥିରେ ଶିକ୍ଷା ଓ ସ୍ୱାସ୍ଥ୍ୟରକ୍ଷାର ସୁଯୋଗଥିବା ଦରକାର;ଯାହା ଫଳରେ ସେ ଈଶ୍ୱର ପ୍ରଦତ୍ତ ସାମର୍ଥ୍ୟକୁ ସାର୍ଥକ ଭାବରେ ଫୁଟାଇପାରିବ ।
ଏହା ତ ଅତି ଏକ ସରଳ ଧାର୍ମିକ ତତ୍ତ୍ୱ; ହେଲେ ଏହାକୁ ଉତ୍ସର୍ଗୀକୃତ ଭାବରେ କରିପାରିଲେ ତାହା ହୋଇଯିବ ମୈାଳିକ ବିଭାବ । ଟେଲର୍ ତାଙ୍କ ଘରଟି ପାଇଁ କେତେ ଶହଟଙ୍କା, ପରିଶ୍ରମ ଲବ୍ଧ ଅର୍ଥ ତାଙ୍କ ପକ୍ଷରୁ ଇକୁଇଟି ଭାବରେ ବିନିଯୋଗ କରିଛନ୍ତି, ସେ କାର୍ଟରଙ୍କୁ ବେଳେବେଳେ ଅବାକ୍ ହୋଇ ଚାହିଁ ରହନ୍ତି; କହନ୍ତି ଏହା ପରେ ତାଙ୍କୁ ବର୍ଦ୍ଧିତ ଘରଭଡା ଦେବାକୁ ହେବନାହିଁ, ଚାରିପିଲାଙ୍କୁ ନେଇ ଖୁନ୍ଦିଖାନ୍ଦି ହୋଇ ରହିବାକୁ ପଡିବ ନାହିଁ । ଏକ ସୁଦୃଢ ଭିତ୍ତିଭୂମିରେ ତାଙ୍କ ତିନିପିଢି ରହିପାରିବେ। ଟେଲର କହନ୍ତି କାର୍ଟରଙ୍କୁ ଭଗବାନ୍ ପଠାଇଛନ୍ତି, ସେ ହିଁ ତାଙ୍କ ଭିତରେ ରହି ଏସବୁ କରୁଛନ୍ତି । ଈଶ୍ୱର ତାଙ୍କୁ ଏଭଳି ମହତ କାମ କରିବାକୁ ବଞ୍ଚାଇ ରଖିଛନ୍ତି । ଏହି ଆଦର୍ଶ ଅନ୍ୟମାନଙ୍କୁ ଏଭଳି ମହତ୍ କାମ ଲାଗି ପ୍ରରୋଚନା ଯୋଗାଇବ ନିଶ୍ଚୟ !

Leave A Reply