ସୁନା ନୁହେଁ, ରୁଟି

0

ଯେଉଁଠି କର୍ମ ଉପରେ ଅହଂକାରରୂପୀ ବୋଝ ନଥାଏ ତାହା ସାତ୍ତ୍ବିକ କର୍ମ। ଏହା ସୁଖ, ଆନନ୍ଦ, ଜ୍ଞାନ ଓ ପ୍ରକାଶର ମାଧ୍ୟମ। ରାଜସିକ କର୍ମ ଲୋଭକୁ ହିଁ ଜନ୍ମ ଦେଇଥାଏ। ଏହା ଅହଂକାରରୁ ହିଁ ଉତ୍ପନ୍ନ ହୋଇଥାଏ। ଯେଉଁଠି ଅହଂକାର ଅଛି ସେଠି ମହଦାକାଙ୍‌କ୍ଷା ରହିଛି, ଯେଉଁଠି ମହଦାକାଙ୍‌କ୍ଷା ରହିଛି ସେଠି ଅଧିକରୁ ଅଧିକ ଲାଭ କରିବାର କାମନାବାସନା ରହିଛି। ଏଭଳି କର୍ମ କାହାରିକୁ କେବେ ବି ତୁଷ୍ଟ କରିପାରି ନଥାଏ। ଅସରନ୍ତି କାମନାର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇ ଆଉ ଏଥିରୁ ବାହାରି ନପାରିବା ହିଁ ସାର ହୋଇଥାଏ।
ବିଶ୍ବବିଜୟୀ ସିକନ୍ଦରଙ୍କ ଜୀବନର ଏହିଭଳି ଏକ ଘଟଣା। ପ୍ରଥମ ପର୍ଯ୍ୟାୟରେ ଭାରତ ଆକ୍ରମଣ କରି ସିକନ୍ଦରଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା। ଏହି ଯୁଦ୍ଧରେ ତାଙ୍କର ଅର୍ଦ୍ଧାଧିକ ସୈନ୍ୟ ଶୋଚନୀୟ ମୃତ୍ୟୁବରଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ସିକନ୍ଦର ନିଜର ସ୍ବଳ୍ପସଂଖ୍ୟକ ସୈନ୍ୟଙ୍କୁ ନେଇ ଫେରିଯିବା ପାଇଁ ବାଧ୍ୟ ହୋଇଥିଲେ। ପ୍ରତ୍ୟାବର୍ତ୍ତନ ଯାତ୍ରା ଅତି କଷ୍ଟପ୍ରଦ, ଯନ୍ତ୍ରଣାଦାୟକ ଥିଲା। ସୈନିକମାନେ ଖାଦ୍ୟପାନୀୟ ପାଇନଥିଲେ। ଭୋକଶୋଷରେ ଅନେକ ପଥ ମଧ୍ୟରେ ମରିଯାଇଥିଲେ। ଫେରନ୍ତା ଯାତ୍ରା ପଥରେ ସିକନ୍ଦର ଭେଟିଥିଲେ ଜଣେ ବୃଦ୍ଧାଙ୍କୁ। କ୍ଷୁଧାତୃଷାରେ ଅବସନ୍ନ ସିକନ୍ଦର ବୃଦ୍ଧାଙ୍କ ନିକଟକୁ ଯାଇ ଖାଦ୍ୟ ମାଗିଥିଲେ। ସିକନ୍ଦରଙ୍କ ଦୟନୀୟ ସ୍ଥିତି ଦେଖି ବୃଦ୍ଧାଙ୍କର ଦୟା ହୋଇଥିଲା। ସେ ଖାଦ୍ୟ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ସେ ପର୍ଯ୍ୟନ୍ତ ବୃଦ୍ଧା ଜାଣି ନଥିଲେ ଯେ ସେ ଯାହାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଅତି ଆଗ୍ରହରେ, ସେ ଜଣେ ବର୍ବର, କ୍ଷମତାନ୍ଧ, କ୍ରୂର ଶାସକ; ହତ୍ୟା, ଲୁଣ୍ଠନ, ଆତଙ୍କର ବିଭୀଷିକା ଖେଳାଇବା ଯାହାର ଧର୍ମ।
ଖାଦ୍ୟ ପରିବେଷଣ ସମୟରେ ବୃଦ୍ଧା ଜାଣିବାକୁ ପାଇଲେ ଯେ ତାଙ୍କ ସମ୍ମୁଖରେ ଯିଏ ବସିଛନ୍ତି ସେ ହେଉଛନ୍ତି ସେହି ରକ୍ତପିପାସୁ ଶାସକ। ଏହା ଜାଣିବା ମାତ୍ରେ ସେ ତାଙ୍କ ସମ୍ମୁଖରୁ ରୁଟିଥିବା ଥାଳିଟି ହଟାଇ ନେଇଥିଲେ। ସିକନ୍ଦର ମନେମନେ ଭାବିଥିଲେ ବୃଦ୍ଧା ବୋଧହୁଏ ଅଧିକ କିଛି ଭଲ ଜିନିଷ ଆଣିବା ନିମନ୍ତେ ରୁଟିଥିବା ଥାଳିଟି ସମ୍ମୁଖରୁ ନେଇଗଲେ। କିଛି ସମୟ ପରେ ବୃଦ୍ଧା ଯେତେବେଳେ କିଛି ସ୍ବର୍ଣ୍ଣମୁଦ୍ରା ଥିବା ଥାଳିକୁ ସିକନ୍ଦରଙ୍କ ସମ୍ମୁଖରେ ରଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ- ମା’ ଏ କ’ଣ? ମୁଁ ଭୋକିଲା ଅଛି, ରୁଟି ଦରକାର ଖାଇବା ପାଇଁ। ବୃଦ୍ଧାଙ୍କ ଉତ୍ତର ଥିଲା- ‘ଯଦି ରୁଟିରେ ତୋର ପେଟ ଭରିଯାଉଥାନ୍ତା ତା’ହେଲେ ଏଇ ରୁଟିଟୁକୁଡ଼ା ଲାଗି ତୁ କାହିଁକି ଅନେକ ଆଡ଼େ ଘୂରିଘୂରି ଖାଲି ହତ୍ୟା, ଲୁଣ୍ଠନ ରକ୍ତପାତର ବିଭୀଷିକା ଖେଳାଉଥାନ୍ତୁ । ତୋ ନିଜ ଦେଶରେ ତ ତୋତେ ରୁଟି ମିଳିବ।’ ଏହାର ଯଥାର୍ଥ ଉତ୍ତର ଦେବାପାଇଁ ସିକନ୍ଦରଙ୍କ ମୁହଁରେ ଭାଷା ନଥିଲା।
ଏହି ଦୌଡ଼ (କାମନାର) କେବେ ବି ତୃପ୍ତି ଦେଇନଥାଏ କି ଶେଷ ହୋଇନଥାଏ। ଅହଂକାର ମଦମତ୍ତ ହୋଇ ନିଜକୁ ପ୍ରତିପତ୍ତିଶାଳୀ ଦେଖାଇବା ଓ କାମନାର ପୂର୍ତ୍ତି ଭିତରେ ଅଣନିଃଶ୍ବାସୀ ହୋଇ କ୍ରୂର, ବର୍ବର ରୂପ ଧାରଣ କରୁଥିବା ମଣିଷଟିକୁ ବି ଖାଲି ହାତରେ ଏଠୁ ଫେରିଯିବାକୁ ହୋଇଥାଏ। ଏହା ଧ୍ରୁବସତ୍ୟ।

Leave A Reply