ଶିକ୍ଷକ ଆନ୍ଦୋଳନ କାହିଁକି?

0

ପ୍ରକାଶଚନ୍ଦ୍ର ମହାନ୍ତି

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ବାନ କ୍ରମେ ଏକ ନିର୍ଦିଷ୍ଟ ବର୍ଗର ଅର୍ଥାତ୍‌ ବ୍ଲକଗ୍ରାଣ୍ଟ ପାଉଥିବା ଶିକ୍ଷକ ଅଧ୍ୟାପକ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଛନ୍ତି। କେବଳ ଏଇ ବର୍ଷ ନୁହେଁ ୨୦୦୪ ମସିହାଠାରୁ ଏହି ବର୍ଗର ଶିକ୍ଷକମାନଙ୍କୁ କ୍ରମାଗତ ଭାବେ ଆନ୍ଦୋଳନ କରିବାକୁ ପଡ଼ୁଛି। ଏଥିପାଇଁ ବହୁ କାର୍ଯ୍ୟଦିବସ ନଷ୍ଟ ହେଉଛି। ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କର ଅପୂରଣୀୟ କ୍ଷତି ଘଟୁଛି। ଯେଉଁମାନେ ଆନ୍ଦୋଳନ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ସେହିମାନେ ହିଁ କେବଳ ଆନ୍ଦୋଳନର କାରଣ ସମ୍ପର୍କରେ ଜାଣୁଛନ୍ତି ଏବଂ ସେମାନଙ୍କର ଆନ୍ଦୋଳନ ପ୍ରତି ସମର୍ଥନ ରହୁଛି। ଅବଶିଷ୍ଟ ଲୋକେ ଏ ଆନ୍ଦୋଳନ ପ୍ରତି ନାସିକା କୁଞ୍ଚନ କରିବା ସହିତ କିଛି ଲଘୁ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ସେମାନଙ୍କ ମତରେ ଶିକ୍ଷକମାନେ ନିଜର ଦରମା ବଢ଼ାଇବାପାଇଁ ବାରମ୍ବାର ରାଜରାସ୍ତାକୁ ଆସନ୍ତି। ଯେତେ ଦରମା ଦେଲେ ମଧ୍ୟ ଏମା​‌େ​‌ନ ଅସନ୍ତୁଷ୍ଟ। ଆନ୍ଦୋଳନ କରିବା ସତେ ଯେମିତି ଏମାନଙ୍କର ଅଭ୍ୟାସରେ ପଡ଼ିଗଲାଣି। ଖାସ୍‌ ସେଇଥିପାଇଁ ତଥା ଓଡ଼ିଶାର ଜନସାଧାରଣଙ୍କର ଜାଣିବା ନିମ​‌ନ୍ତେ ବାସ୍ତବତାକୁ ପଦାକୁ ଆଣିବା ଲକ୍ଷ୍ୟରେ ଆଲେଖ୍ୟଟି ଉଦ୍ଦିଷ୍ଟ।
ଏହି ବର୍ଗର ଶିକ୍ଷକ ଅଧ୍ୟାପକମାନଙ୍କର ସଂଖ୍ୟା ଷାଠିଏ ହଜାରରୁ ଊର୍ଦ୍ଧ୍ବ। ଯେଉଁମାନଙ୍କ ଭିତରେ ଅଛନ୍ତି ୨୬୦୮ଟି ଉଚ୍ଚ ବିଦ୍ୟାଳୟ, ୯୧୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୩୮ଟି ମଦ୍ରାସା, ୪୧ଟି ସଂସ୍କୃତ ଟୋଲ, ୬୬୨ଟି ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ଏବଂ ୪୮୮ଟି+୩ କଲେଜ। ଏହି ସମସ୍ତ ସ୍କୁଲ ଓ କଲେଜରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ମୁଣ୍ଡାମୁଣ୍ଡି ଭାତିଆ (ବ୍ଲକଗ୍ରାଣ୍ଟ) ପାଆନ୍ତି। ଏଥିସହିତ ସାମିଲ ଅଛନ୍ତି ୩୦୦ରୁ ଊର୍ଦ୍ଧ୍ବ ସ୍କୁଲ ଓ କଲେଜ ଯେଉଁମାନେ ଆଦୌ ଅନୁଦାନ ପାଆନ୍ତି ନାହିଁ। ଏ ସମସ୍ତ ସ୍କୁଲ ଓ କଲେଜ ଓଡ଼ିଶାର ଶିକ୍ଷାପ୍ରେମୀ ଜନସାଧାରଣ ନିଜନିଜ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଜମି, ଅର୍ଥ, ନଡ଼ା, ବାଉଁଶ, ଇଟା ଓ ପଥର, ମାଛ, ଗଛକୁ ଦାନ କରି ତିଆରି କରିଛନ୍ତି। ବିଜ୍ଞାନାଗାର, ଖେଳପଡ଼ିଆ, ଆସବାବପତ୍ର ଓ ବହିପତ୍ର ମଧ୍ୟ ଯୋଗାଇ ଦେଇଛନ୍ତି। ରାଜନୈତିକ ଦଳର ବ୍ୟକ୍ତିବିଶେଷମାନେ ପ୍ରଚ୍ଛଦପଟ୍ଟରେ ଥାଇ ପ୍ରୋତ୍ସାହନ ଦେଇଛନ୍ତି ଏବଂ ସରକାରଙ୍କ ସ୍ବୀକୃତି ମିଳିବାରେ ସହାୟତା କରିଛନ୍ତି। ଅନୁମତି ଓ ସ୍ବୀକୃତି ମିଳିଗଲା ପରେ ସ୍କୁଲ ଓ କଲେଜ ଚାଲିଛି। ଲକ୍ଷଲକ୍ଷ ପିଲା ପ୍ରତିବର୍ଷ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଉଛନ୍ତି। ରାଜ୍ୟର ବହୁ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଉଚ୍ଚପଦସ୍ଥ ଅଫିସର ତଥା ରାଜନେତା ତିଆରି କରିବାରେ ଏ ସମସ୍ତ ଶିକ୍ଷାନୁଷ୍ଠାନ ପ୍ରମୁଖ ଦାୟିତ୍ବ ତୁଲାଇ ଆସିଛି।
କିନ୍ତୁ ‘ଦୁଃଖ ଜଣାଇବି କାହାକୁ’ ନ୍ୟାୟରେ ଏହି ବର୍ଗର ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀଙ୍କର ଦୁଃଖ, ମାନସିକ ଯନ୍ତ୍ରଣାକୁ କେବଳ ଅନୁଭବୀ ଛଡ଼ା ଆଉ କେହି ହୃଦୟଙ୍ଗମ କରିନାହାନ୍ତି କିମ୍ବା ଅନୁଭବ କରିପାରିବେ ନାହିଁ। ବିନା ଦରମାରେ ଏମାନଙ୍କୁ କୋଡ଼ିଏ ବର୍ଷ ଧରି କାମ କରିବାକୁ ପଡ଼ିଛି। ତା’ପରେ ଆଠବର୍ଷ ଧରି ମୁଣ୍ଡାମୁଣ୍ଡି ଦରମା, ଯାହା ଜଣେ ଦୈନିକ ଅଣକୁଶଳୀ ବ୍ୟକ୍ତିର ମଜୁରୀଠାରୁ ମଧ୍ୟ କମ୍‌, ତାକୁ ନେଇ ଶିକ୍ଷାଦାନ କରିବାକୁ ପଡ଼ିଛି। ଚାକିରି ସର୍ତ୍ତାବଳୀ ଏମାନଙ୍କୁ ଲାଗୁ ହୋଇନାହିଁ। ଅବସରକାଳୀନ ସୁବିଧାସୁଯୋଗ ଏମାନଙ୍କ ପାଇଁ ସାତ ସପନ। ଯିଏ ମରିଗଲା ସିଏ ହଜିଗଲା। ଏହି ଚରମ ଅନ୍ୟାୟର ପ୍ରତିବାଦରେ ଶିକ୍ଷକମାନଙ୍କୁ ଆଜକୁ ୧୪ବର୍ଷ ଧରି କ୍ରମାଗତ ଭାବେ ରାଜରାସ୍ତାକୁ ଆସିବାକୁ ପଡ଼ୁଛି। ଶିକ୍ଷକର ମର୍ଯ୍ୟାଦାହାନି ହେଉଛି। ଲୋକଙ୍କର ଟାହିଟାପରା ଶୁଣିବାକୁ ପଡ଼ୁଛି। କିନ୍ତୁ ଆନ୍ଦୋଳନ ନ କଲେ ଏ ରାଜ୍ୟରେ କିଛି ମିଳେନା। ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ପ୍ରତି ସରକାରଙ୍କର ଉଦାସୀନତା ବାଧ୍ୟ କରେ ଶିକ୍ଷକଙ୍କୁ ରାଜରାସ୍ତାକୁ ଆସିବାକୁ। ଅନିଚ୍ଛାକୃତ କ୍ଷତି ହୁଏ କୋମଳମତି ଛାତ୍ରଛାତ୍ରୀଙ୍କର। ଏ ଦିଗରେ ସରକାର କିମ୍ବା ପ୍ରଶାସନ କେହି ବି ଦୃଷ୍ଟି ଦିଅନ୍ତି ନାହିଁ। କାରଣ ପ୍ରଶାସନିକ ଅଧିକାରୀ, କୃଷକ, ମଧ୍ୟବିତ୍ତ ଶ୍ରେଣୀର ପିଲାମାନଙ୍କର ପାଠପଢ଼ା ହେଲେ କେତେ ନହେ​‌େ​‌ଲ କେତେ; ତାହା ଏମାନଙ୍କୁ ଫରକ୍‌ ପଡ଼େନା।
ଏହି ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଅଧ୍ୟାପକମାନେ ​‌ କେବଳ ହୀନମନ୍ୟତାର ଶିକାର ହୁଅନ୍ତି ତା ନୁହେଁ; ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ ପାଇଁ ସରକାରୀ ସହାୟତା ମଧ୍ୟ ମିଳେନାହିଁ। ୨୦୧୫ରେ ଆମର ଶିକ୍ଷକ ଆନ୍ଦୋଳନ ଫଳରେ ହାଇସ୍କୁଲକୁ ୧୦ଲକ୍ଷ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ୫ ଲକ୍ଷଟଙ୍କା ଦେବାପାଇଁ ସରକାର ନିୟମ କଲେ। କିନ୍ତୁ ଏକ ବର୍ଷ ପରେ ତାହା ବନ୍ଦ ହୋଇଗଲା। ୨୦୧୬-୧୭ ଓ ୨୦୧୭-୧୮ ବର୍ଷରେ ଏହି ଅନୁଦାନ କାହାକୁ ଦିଆଗଲା ନାହିଁ। ଏହି ସ୍କୁଲମାନଙ୍କରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ, ବହି, ପୋଷାକ, ସାଇକେଲ ମଧ୍ୟ ସରକାର ଦେଉ ନଥିଲେ। ଏଥିପାଇଁ ମଧ୍ୟ ଶିକ୍ଷକଙ୍କୁ ଆନ୍ଦୋଳନ କରିବାକୁ ପଡ଼ିଛି। ସରକାରୀ ସ୍କୁଲକଲେଜ ଭଳି ଅଦ୍ୟାବଧି ବିଜ୍ଞାନ ଉପକରଣ, କମ୍ପ୍ୟୁଟର, ବର୍ଷରେ ଥରେ ଭ୍ରମଣ ସୁବିଧା, ବିଦ୍ୟୁତ ​‌େ​‌ଦୟ କିମ୍ବା ଆସବାବପତ୍ର ଏହି ବର୍ଗର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳେ ନାହିଁ। ଅଥଚ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜ୍ୟର ସମାନ କରଦାତାମାନଙ୍କ ପୁତ୍ରକନ୍ୟା ଅଟନ୍ତି। ପରିତାପର ବିଷୟ ଆଗାମୀ ଦିନରେ ଏ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। କାରଣ, ଯେଉଁଠୁ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଅବସର ନେଇଯାଉଛନ୍ତି, ସେଠାରେ ନିଯୁକ୍ତିର କୌଣସି ସରକାରୀ ବ୍ୟବସ୍ଥା ନାହିଁ। ପଦ ଖାଲି ହୋଇଗଲେ ସେସବୁ ଆପଣାଛାଏଁ ବନ୍ଦ ହୋଇଯିବ। ଏସବୁ ମଧ୍ୟ ଏ ଆନ୍ଦୋଳନ ସହିତ ଜଡ଼ିତ।
ସମସ୍ୟା ଜର୍ଜରିତ ଶିକ୍ଷକ ଅଧ୍ୟାପକଙ୍କୁ ବାରମ୍ବାର ରାଜରାସ୍ତାକୁ ଆସିବା ପାଇଁ କିଏ ବାଧ୍ୟ କରୁଛି? ଏ ସବୁର ସମାଧାନ କାହାର ଦାୟିତ୍ବ? ସରକାରୀ ଶିକ୍ଷାବ୍ୟବସ୍ଥାକୁ ଧ୍ବଂସ କରି ଘରୋଇ ଶିକ୍ଷା ସପକ୍ଷରେ ଜନମତ ତିଆରି କରିବାପାଇଁ ଚକ୍ରାନ୍ତ ଚାଲିନାହିଁ ତ?
ସାଧାରଣ ସମ୍ପାଦକ, ଓଷ୍ଟା

Leave A Reply