ଶିଶୁ କାହିଁକି ବୋଝ?

0

ବ୍ରହ୍ମଚାରୀ ସତ୍ୟଚୈତନ୍ୟ

ଜନ୍ମଦାତ୍ରୀଙ୍କ ବ୍ୟତୀତ ପିତାଙ୍କର ଅନ୍ୟ ପତ୍ନୀଙ୍କୁ ସାବତ ମାଆ କୁହାଯାଏ । ବେଳେବେଳେ ପିଲାର ଦୁଷ୍ଟାମିରେ ଅତିଷ୍ଠ ହେଇ ମାଆ ଆକଟ କରେ, ମାରଧର କରେ । ଶିଶୁର କାନ୍ଦ ଦେଖି ଅନ୍ୟମାନେ କହନ୍ତି- ‘ସାବତ ମାଆ ନା କ’ଣ ? ପିଲାର ଦୁଷ୍ଟାମିକୁ ସହିପାରୁନୁ, କି ମାଆ ହେଇଚୁ?’ ଏଥିରୁ ଜଣାପଡ଼େ ମାଆଠାରୁ ସାବତମାଆ କିଛି ଗୁଣରେ ଊଣା । ଅବଶ୍ୟ ବେଳେବେଳେ ସାବତ ମାଆ ଜନ୍ମଦାତ୍ରୀଠାରୁ ବି ଅଧିକ ହୁଏ। ଏହାର ଦୃଷ୍ଟାନ୍ତ ଖୁବ୍ କମ୍। ସନ୍ତାନର ସେବା କଲାବେଳେ ମାଆର ସ୍ନେହ, ପ୍ରେମ, ଶ୍ରଦ୍ଧା, ଆନ୍ତରିକତା ଜଡ଼ିତ ଥାଏ, କିନ୍ତୁ ସାବତ ମାଆର ସେବାରେ ଥାଏ କର୍ତ୍ତବ୍ୟ ଓ ଦାୟିତ୍ୱର ହିସାବ। ମାଆ ପାଖରେ ବିରକ୍ତି କମ୍ ଓ ବୁଝାମଣା ବେଶି। ସାବତ ମାଆର ବୁଝାମଣା କମ୍, ବିରକ୍ତି ବେଶି । ପରିସ୍ଥିତିରେ ପଡ଼ି ମାଆ କେବେ ରାଗିଲେ ତା’ର ରାଗକୁ ବସ୍ତୁ ଉପରେ ଶୁଝାଏ । ସେହି ସ୍ଥିତିରେ ସାବତ ମାଆ ରାଗକୁ ସନ୍ତାନ ଉପରେ ସାରେ। ମାଆ ସନ୍ତାନକୁ ନିଜର ଗର୍ବ, ଗୌରବ ଓ ମାତୃତ୍ୱର ଚିହ୍ନ ବୋଲି ଭାବିଲାବେଳେ ସାବତ ମାଆ ସେହି ସନ୍ତାନକୁ ଉପଦ୍ରବର ଉପକରଣ ଭାବିନିଏ । ତା’ ସ୍ୱାର୍ଥରେ ବାଧା ଦେଉଥିବା ଅଲୋଡ଼ା ସନ୍ତାନଟିଏ ବିଚାରିଥାଏ । ମାଆ ସନ୍ତାନକୁ ପାଖରେ ପାଇବାକୁ ଚେଷ୍ଟାକରେ । ସାବତ ମାଆ ଦୂରେଇ ଦେଇ ଖୁସିହୁଏ । ମାଆ ଓ ସାବତମାଆ ଭିତରେ ଅନେକ ଗୁଣଗତ ଅନ୍ତର ଅଛି । ତଥାପି ମୁଖ୍ୟ ପାର୍ଥକ୍ୟଟିହେଲା- ମାଆ ମାତୃତ୍ୱକୁ ଅଙ୍ଗେଅଙ୍ଗେ ଅନୁଭବ କରିଥାଏ, ସାବତମାଆ ପାଖରେ ତାହା ଊଣା ଥାଏ ।
ଏବେ ପରିସ୍ଥିତି ବଦଳିଚି। ଛୋଟ ପରିବାରକୁ ପସନ୍ଦ କଲେଣି । ତେଣୁ ପରିବାରରେ ସାବତ ମାଆ ପ୍ରାୟ ନାହାନ୍ତି କହିଲେ ଚଳେ, କିନ୍ତୁ ଏବର ଅଧିକାଂଶ ଜନ୍ମଦାତ୍ରୀଙ୍କ ଆଚରଣ ସାବତମାଆ ଭଳି ଲାଗେ । ମାଆ ଶିଶୁର ମନକୁ ବୁଝେ । ତା’ପରେ ନିଜର ବିଚାରକୁ ସାବ୍ୟସ୍ତ କରେ । ଅନେକ ମାଆ ଶିଶୁର ମାନସିକତାକୁ ସହଜରେ ବୁଝନ୍ତିନି । ନିଜ ବିଚାରର ବୋଝ ତା’ଉପରେ ଲଦିଦିଅନ୍ତି। ଫଳରେ ଶିଶୁଟି ମାନସିକ ସ୍ତରରେ ଅସହାୟ ହେଇଯାଏ । ବାପାମାଆଙ୍କ ବ୍ୟବହାରକୁ ଦେଖିଲେ ମନେହୁଏ ଶିଶୁ ଯେମିତି ସେମାନଙ୍କ ସମସ୍ୟାର କାରଣ ହେଇ ଠିଆ ହେଇଚି । କାର୍‌ରେ ଗଲାବେଳେ ବାପା ଗାଡ଼ି ଚଳଉଥିଲେ ଆଗରେ ମାଆ ବସିଥାଏ । କୋଳରେ ଥାଏ କୁକୁର । ପଛରେ ପିଲା ଏକା ବସିଥାଏ । ମାଆବାପାଙ୍କ ପାଖକୁ ଯିବାକୁ ଅଳି କଲେ ମାଡ଼ ବସେ । କୋଉଠି ବାପାମାଆ ଏକାଠି ବସିବାକୁ ଚାହୁଁଥିଲେ, ନିରୋଳାରେ କଥା ହବାକୁ ଚାହୁଁଥିଲେ, ଶିଶୁଟି ସେମାନଙ୍କ ପାଇଁ କଣ୍ଟା ହେଇ ଠିଆହୁଏ । ମାଆବାପା ଚାହାନ୍ତି ସନ୍ତାନକୁ ଦୂରେଇ ଦବାକୁ । କେବେ ଶିଶୁଟି ମାଆର ପ୍ରସାଧନକୁ ଅଡ଼ୁଆତଡ଼ୁଆ କରିଦେଲେ ବିଧା ଚାପୁଡ଼ା ଖାଇବାରୁ ବାଦ୍ ପଡ଼େନା । ଶିଶୁକୁ କୋଳେଇକାଖେଇ ନେବାରେ ଦମ୍ପତିଙ୍କର ସମସ୍ୟାହୁଏ। ଶିଶୁଟି କଷ୍ଟ ଯନ୍ତ୍ରଣାରେ କାନ୍ଦିକାନ୍ଦି ଚାଲୁଥାଏ । ମାଆବାପା ଶିଶୁର ଦୁଷ୍ଟାମିକୁ ଲୋପ କରିବାକୁ ସମ୍ପୂର୍ଣ୍ଣ ଯୋଜନା କରନ୍ତି । ମନେହୁଏ ବସ୍ତୁକୁ ଉପଯୋଗ କଲାଭଳି ଏମାନେ ଶିଶୁକୁ ବି ଉପଯୋଗ କରିବାକୁ ଚେଷ୍ଟା କରନ୍ତି। ଟଙ୍କାକୁ ବାଜି ଲଗେଇଲା ପରି ସନ୍ତାନଙ୍କୁ ପ୍ରତିଯୋଗିତାରେ ବାଜି ଲଗଉଚନ୍ତି । ବାପାମାଆଙ୍କର ଯାହା ଇଚ୍ଛା ଶିଶୁକୁ ତାହା କରିବାକୁ ହୁଏ। ସେ ଖେଳବେଳେ ପଢ଼ିବ, ଶୋଇବା ବେଳେ ବି ପଢ଼ିବ । ଏମାନେ ସନ୍ତାନକୁ ଉପଦ୍ରବର ସାମଗ୍ରୀ ଭାବିନିଅନ୍ତି । ପ୍ରଶ୍ନ ଉଠେ, ଦେଶର ଭବିଷ୍ୟତ ଶୈଶବରୁ କାହିଁକି ଏତେ ଯନ୍ତ୍ରଣାଜର୍ଜରିତ ? କି ଦୋଷ ତା’ର ??
ଏହାର ମୁଖ୍ୟ କାରଣଟି ହେଲା ଏ ସନ୍ତାନଟି ପତି-ପତ୍ନୀଙ୍କର ସାମୟିକ ସୁଖର ପ୍ରତିଫଳନ । ଏ ଆସିବା ପଛରେ ତପସ୍ୟା ନଥିଲା । ଉଭୟଙ୍କ ଅନିଚ୍ଛାରେ ବୋଧହୁଏ ଧସେଇ ପଶିଆସିଚି । ଏହାଦ୍ୱାରା ପିତାର ଧନ ହାନି ଓ ମାଆର ସୌନ୍ଦର୍ଯ୍ୟ ନଷ୍ଟ ହେବାର ଭୟ । ସନ୍ତାନକୁ ଆଣିବା ପଛରେ ଅନେକ ମତାନ୍ତର-ମନାନ୍ତର ବି ଘଟିଥିବ । ଗର୍ଭରୁ ହତ୍ୟା କରିବାକୁ କେତେ ଯୋଜନା ବି ହେଇଥିବ। ବିନା ନିମନ୍ତ୍ରଣରେ ଅତିଥିଙ୍କୁ ଭଲରେ ଆତିଥ୍ୟ ଦିଆଯାଏନା, ବରଂ ସ୍ୱାର୍ଥ ହାସଲ ପାଇଁ ଲଗେଇ ଦିଆଯାଏ। ସେମିତି ଅଯାଚିତ ଭାବରେ ଆସିଥିବା ସନ୍ତାନର ସ୍ଥିତି କେବଳ ପ୍ରତିଯୋଗିତା ପାଇଁ । ସେ ଧନ ରୋଜଗାରର ମାଧ୍ୟମ ଓ ମାଆବାପାଙ୍କ କ୍ରୋଧର ଶିକାର ହେବାକୁ ବୋଧହୁଏ ଆସିଚି ।
ସନ୍ତାନଟିଏ ପିତାମାତାଙ୍କୁ ପରିଚୟ ଦିଏ । ସୌନ୍ଦର୍ଯ୍ୟ କେବେ କାହାକୁ ପିତାମାତାର ପରିଚୟ ଦେଇନି । ଯୋଉ ବାପାମାଆ ସନ୍ତାନ ପାଇଁ ତପସ୍ୟା କରନ୍ତି, ଈଶ୍ୱରଙ୍କୁ ପ୍ରାର୍ଥନା କରିଥାଆନ୍ତି, ସନ୍ତାନ ପାଇଁ ଅପେକ୍ଷା କରିଥାଆନ୍ତି ସେମାନେ ଏପରି ବ୍ୟବହାର କରନ୍ତିନି । ମନେ ରଖିବାକୁ ହେବ ସନ୍ତାନମାନଙ୍କୁ ପାଠ, କଳା, କ୍ରୀଡ଼ା କ୍ଷେତ୍ରରେ ଆଗୁଆ ହେବା ପାଇଁ ଉତ୍ସାହ ଦେବା ଠିକ୍, କିନ୍ତୁ ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ବୋଝ ଲଦିଦେବା ଠିକ୍ ନୁହେଁ। ଦୋଷ ତା’ର ନୁହେଁ; ଦମ୍ପତିଙ୍କର। ସ୍ନେହ, ପ୍ରେମ, ଶ୍ରଦ୍ଧାର ଜଳ ଲୋଡ଼ୁଥିବା ଚାରା ମୂଳରେ କ୍ରୋଧ, ସ୍ୱାର୍ଥପରତାର ନିଅାଁ ଜଳାନଯାଉ। ମାନସିକ ସ୍ତରରେ ନିଜେ ଥରେ ଶିଶୁ ଅବସ୍ଥାକୁ ଆସନ୍ତୁ। ସହଜରେ ତା’ର ମନକୁ ପଢ଼ିପାରିବେ। ସେ ପରା କଞ୍ଚାମାଟି । ବାପାମାଆ ଶିଳ୍ପୀ । ତାକୁ ରୂପ, ରଙ୍ଗରେ ରଙ୍ଗେଇ ସୁନ୍ଦର କରି ସଂସାର ହାଟକୁ ଛାଡ଼ିବା ଦାୟିତ୍ୱ ବାପାମାଆଙ୍କର । ତାକୁ ଉତ୍ସାହ, ପ୍ରେରଣା ଦିଆଯାଉ । ସାବତ ମାଆପରି ତାଡ଼ନା ଦିଆନଯାଉ ।
‘ଅସୀମାଲୋକ’ , ଚହଟା, ବିଡ଼ାନାସୀ, କଟକ

Leave A Reply