କେରଳର ବିରଳ ସମସ୍ୟା

0

ଦେବୀପ୍ରସନ୍ନ ପଟ୍ଟନାୟକ

ଦେବ ଭୂମିରେ ଜଳ ପ୍ରଳୟ- ‘ସମାଜ’ ୧୯ ଅଗଷ୍ଟ, ୧ମ ପୃଷ୍ଠାର ଶୀର୍ଷକ। ମୃତ୍ୟୁ ସଂଖ୍ୟା ପ୍ରାୟ ୫ଶହ ପାଖାପାଖି ହୋଇଥିଲାବେଳେ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାସଚ୍ୟୁତ ହୋଇଛନ୍ତି। ରିଲିଫ୍‌ ଶିବିରରେ ୭ ଲକ୍ଷ ଅଛନ୍ତି। କେତେ ଭୂସ୍ଖଳନ ହୋଇଛି, କେତେ ଗଛ ପଡ଼ିଛି, କେତେ ଜାଗାରେ ବିଦ୍ୟୁତ୍‌ ଲାଇନ୍‌ ଛିଣ୍ଡିଛି, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି, କେତେ ଜାଗାରେ ପାଣି ପାଇପ ବିପର୍ଯ୍ୟସ୍ତ ହୋଇଛି, ଏହି ସବୁ ତଦାରଖ କରିବାକୁ ବର୍ଷା ବନ୍ଦ ହେଲା ପରେ ଅନ୍ତତଃ ୭ ଦିନରୁ ୧୦ ଦିନ ଲାଗିବ। ତାହାପରେ ଯାହା ଦରକାର ଟଙ୍କା ନୁହେଁ, ତାହା ହେଉଛି କାମ କରିବା ଲୋକ। ରାସ୍ତାଘାଟ ସଫା କରିବା ଲୋକ, ଇଲେକ୍‌ଟ୍ରିକ୍‌ ମିସ୍ତ୍ରି, ପାଣି ପାଇପ ମିସ୍ତ୍ରି, ରାଜମିସ୍ତ୍ରି, ଡାକ୍ତର, ନର୍ସ ଆଉ ଶ୍ରମଜୀବୀ। କେରଳରେ ସାଧାରଣ ଜୀବନରେ ଟଙ୍କାର ଅଭାବ ନାହିଁ। ସେଠି ପ୍ରଶିକ୍ଷିତ ମାନବସମ୍ବଳ ପାଇଁ ଅନ୍ୟ ଅଞ୍ଚଳ ଅପେକ୍ଷା ଦୁଇ ତିନି ଗୁଣ ଅଧିକ ଟଙ୍କା ଦେବାକୁ ଲୋକେ ଆଗେଇ ଆସିବେ। ବର୍ତ୍ତମାନ ଏହାହିଁ ସବୁଠାରୁ ବଡ଼ ଆବଶ୍ୟକତା।
ଏହି ଜଳ ପ୍ରଳୟ କଥା କେରଳ ସରକାରଙ୍କୁ ଜଣାଥିଲା। କେରଳର ସବୁ ରାଜନୈତିକ ଦଳଙ୍କୁ ମଧ୍ୟ ଜଣାଥିଲା। ବର୍ତ୍ତମାନର ପୂର୍ବ ସରକାର ପଶ୍ଚିମ ଘାଟରେ ଅଗଣିତ ଗଛକଟା, ପାହାଡ଼ରୁ ଚୋରି ପଥର କଟା, ବେନିୟମ ପଥର ଭଙ୍ଗା ଖଣି, ନଦୀରୁ ବାଲି ଚୋରି ଆଦି ବିଷୟରେ ଅନୁସନ୍ଧାନ କରିବା ପାଇଁ ବିଶିଷ୍ଟ ପରିବେଶବିତ୍‌ ମାଧବ ଗାଡ଼ଗିଲ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। ମାଧବ ଗାଡ଼ଗିଲ ୨୦୦୦ ପୃଷ୍ଠାର ଏକ ରିପୋର୍ଟ କେରଳ ସରକାରଙ୍କୁ ଦେଇଥିଲେ। ସେଥିରେ ସେ ଦେଖେଇଥିଲେ ଯେ ନଈ ଗର୍ଭରୁ ବାଲି ନେଇଗଲେ ଅକଳ୍ପିତ ବନ୍ୟା ହେବ। ବେନିୟମ ପଥର କଟା ଓ ପଥର ଖଣି ବନ୍ଦ ନକଲେ ଭୂସ୍ଖଳନ ହେବ ଏବଂ ପଶ୍ଚିମ ଘାଟରୁ ଅଗଣିତ ଗଛ କଟା ବର୍ଷାକୁ ପ୍ରଭାବିତ କରିବ। ଏହା ସାଙ୍ଗକୁ ବଡ଼ବଡ଼ ଉଚ୍ଚ କୋଠା ନିର୍ମାଣ ମଧ୍ୟ ସହର ପାଇଁ ବିପଦ ସୃଷ୍ଟି କରିବ। ମୋଟ୍‌ ଉପରେ ଭୂମିକମ୍ପ ସମ୍ଭାବନା ବଢ଼ିଯିବ ଏବଂ ବନ୍ୟା ସାଙ୍ଗେସାଙ୍ଗେ ଅକଳ୍ପନୀୟ ପରିବେଶ ପରିବର୍ତ୍ତନ ହେବ। ତୁରନ୍ତ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ସୁପାରିସ କରିଥିଲେ। ସରକାର ତୁରନ୍ତ ପଦକ୍ଷେପ ନେଲେ। ମାଧବ ଗାଡ଼ଗିଲଙ୍କୁ ନିନ୍ଦିତ, ନିର୍ଯାତିତ କରି ଚାକିରି ଛାଡ଼ିବାକୁ କୁହାଗଲା। ମାଧବ ଗଲେ, କିନ୍ତୁ ତାଙ୍କ ରିପୋର୍ଟକୁ ଉପେକ୍ଷା କରିବାର ପରିଣାମ ଆଜି କେବଳ ଭୋଗୁଛି।
ଏଥିରୁ ଓଡ଼ିଶା ଅନେକ କିଛି ଶିଖିବାର ଅଛି। ନଈରୁ ବାଲି ଚୋରି, ବେନିୟମ ପଥର କଟା ଓ ପଥର ଖଣି, ଗଛକଟା ଓ ସରକାରୀ ଜମିକୁ ଜବରଦଖଲ କରି ଓ ପୋଖରୀ ପୋତି ଉଚ୍ଚ କୋଠାଘର ତିଆରି ଫଳରେ ସ୍ବାଭାବିକ ପାଣି ରାସ୍ତା ବନ୍ଦ ହେବାରୁ ଅଳ୍ପ ବର୍ଷାରେ ଭୁବନେଶ୍ବର, କଟକ, ପୁରୀରେ ରାସ୍ତା ପାଣି ଘରେ ପଶୁଛି। କୋଣାର୍କ ମନ୍ଦିର, ଲୋକନାଥ ମନ୍ଦିର, କେଦାରଗୌରୀ ପରି ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ମନ୍ଦିର ଜଳବନ୍ଦୀ ହୋଇଛି। ବଢ଼ି ଫଳରେ ବନ୍ଧ ଭାଙ୍ଗି ଘାଇ ହେଉଛି। ସ୍ବାଭାବିକ ପାଣି ଯିବା ନାଳ ଜବରଦଖଲ ହେତୁ ସଂକୁଚିତ ହେବା ଫଳରେ ବିଭିନ୍ନ ଅଞ୍ଚଳ ପାଣିରେ ବୁଡ଼ି ରହୁଛି। ଫଳରେ ସେଠାରେ ପରିଷ୍କାର ପିଇବା ପାଣି ମିଳୁନାହିଁ ଏବଂ ସଂକ୍ରାମକ ରୋଗ ବ୍ୟାପୁଛି। ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳରେ ପ୍ରଭାବିତ ବର୍ଷା ହେତୁ କ୍ଷୟକ୍ଷତିର ସମନ୍ବିତ ଅଟକଳ ଏ ପର୍ଯ୍ୟନ୍ତ ମୋ ଆଖିରେ ପଡ଼ିନି। ​‌େ​‌ଘାର ବର୍ଷା ହେତୁ ହିମାଳୟ ଉପତ୍ୟକାରେ ଗଙ୍ଗାର ଗୋଟିଏ ଶାଖା ନଦୀ ପ୍ଲାଷ୍ଟିକ ନଦୀ ହୋଇଯାଇଥିବା ସମ୍ବାଦ ଆମ ବୁଦ୍ଧିଜୀବୀଙ୍କ ଆଖିରେ ପଡ଼ିବା ପରି ମୋର ମନେ ହେଉନାହିଁ।
କେରଳ ଆମ ପାଇଁ ପାଠଶାଳା ହୋଇଛି। ପଢ଼ିବା ନପଢ଼ିବା ଆମ ରାଜନେତା, ବୁଦ୍ଧିଜୀବୀ ଓ ପ୍ରଶାସକଙ୍କ ହାତରେ। ଗଣମାଧ୍ୟମ ଆଗରେ ଏହା ଏକ ଆହ୍ବାନ।

Leave A Reply