ଭାରତ ଓ ଚୀନର ଆର୍ଥିକ ସମୃଦ୍ଧି: ଏକ ତୁଳନା

0

ବଳରାମ ମିଶ୍ର

ଆର୍ଥିକ ପରିବର୍ତ୍ତନକୁ ଆଧାର କରି ଚୀନ ଓ ଭାରତର ଅର୍ଥନୈତିକ ଆଚରଣ ବିଶ୍ଳେଷଣ କରିବା ଓ କେଉଁ ପ୍ରେରଣା, ପ୍ରଯତ୍ନ ଓ ଦକ୍ଷତା ଗୋଟିଏ ଦେଶକୁ ଗତିଶୀଳ ଓ ଶକ୍ତିଶାଳୀ କରେ ତାହା ଉପରେ ନିଜସ୍ୱ ମତ ପୋଷଣ କରିବା ଏହି ଲେଖାଟିର ଉଦ୍ଦେଶ୍ୟ। ବିଭିନ୍ନ ଦେଶ ସମୟର ବିଭିନ୍ନ ପର୍ଯ୍ୟାୟରେ ଆର୍ଥିକ ସଂକଟ, ଆର୍ଥିକ ସଂଘର୍ଷ, ବିରୋଧାଭାସ ଭଳି ପରିସ୍ଥିତି ସାମ୍ନା କରିଥାଆନ୍ତି ଏବଂ ନିଜ ଦକ୍ଷତା ଅନୁସାରେ କଳ, କୌଶଳ ଆଦି ପ୍ରୟୋଗ କରି ବ୍ୟବସ୍ଥାର ସମେଳ ଆଣନ୍ତି। ଚୀନ ଓ ଭାରତ କେତେବେଳେ ରାଜବଂଶୀୟ ନିରଙ୍କୁଶ ଶାସନ ତ’ କେତେବେଳେ ବାହ୍ୟ ସାମ୍ରାଜ୍ୟବାଦୀଙ୍କ ଦ୍ୱାରା ଶାସିତ ହୋଇଛନ୍ତି। ଶାଙ୍ଗ୍, ଝାଉ, ହାନ, ସଙ୍ଗ୍ ଓ ଶେଷରେ କୁଇଙ୍ଗ୍ ଭଳି ଦେଶୀୟ ରାଜବଂଶୀୟ ଶାସନର ଅବସାନ ପରେ ଓ ଦୀର୍ଘବର୍ଷ ଅନ୍ତର୍ବିପ୍ଳବ, ଗୃହ ବିବାଦରୁ ନିସ୍ତାର ପାଇ ଚୀନଦେଶ ୧୯୪୯ ମସିହାରେ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବାରେ ସଫଳ ହେଲା। ଭାରତ ଓ ଚୀନ ଉଭୟ ଦେଶର ସମୃଦ୍ଧି କାହାଣୀର ପୃଷ୍ଠଭୂମି ଅତ୍ୟନ୍ତ ପୁରାତନ। ଖ୍ରୀଷ୍ଟପୂର୍ବ ୧୬୦୦ରୁ ୧୯୪୯ ମସିହା ପ୍ରଜାତନ୍ତ୍ର ପ୍ରତିଷ୍ଠା ପର୍ଯ୍ୟନ୍ତ ଗଡ଼ିଥିବା ବିଶାଳ ସମୟ ମଧ୍ୟରେ ଚୀନଦେଶ କେବଳ କୃଷି ଓ କୃଷକଙ୍କୁ ନେଇ ଗତିଶୀଳ। ଊନବିଂଶ ଶତାବ୍ଦୀରେ ଇଂରେଜ ଓ ଫରାସୀମାନଙ୍କ ସହ ଦୁଇଦୁଇଟି ଅଫିମ ଯୁଦ୍ଧରେ ପରାସ୍ତ ହୋଇ ସାଂଘାଇ ସହ ଅନ୍ୟ ଚାରୋଟି ସାମୁଦ୍ରିକ ବନ୍ଦର ଉପରେ କର୍ତ୍ତୃତ୍ବ ହରାଇ ଚୀନବାସୀ ଇଂରେଜମାନଙ୍କ ଦ୍ୱାରା ଯେ କେବଳ ଭୟଙ୍କର ନିର୍ଯାତନା ସହିଛନ୍ତି ତା’ନୁହେଁ, ବରଂ ପରବର୍ତ୍ତୀ ପର୍ଯ୍ୟାୟରେ ଯୁଦ୍ଧଖୋର, ଜିଦ୍‌ଖୋର ଓ ବିଦେଶୀମାନଙ୍କ ପ୍ରତି ଭୟଙ୍କର ବିକାରର ଶିକାର ହୋଇଛନ୍ତି। ସମୟର ଏହି ପର୍ଯ୍ୟାୟରେ ଏହି ବନ୍ଦରଗୁଡ଼ିକ ଶିଳ୍ପ ଓ ବାଣିଜ୍ୟରେ ଅତ୍ୟନ୍ତ କ୍ରିୟାଶୀଳ ଓ ବିକାଶର କେନ୍ଦ୍ରବିନ୍ଦୁ। ଦୀର୍ଘବର୍ଷ ନିବୁଜ ଅର୍ଥବ୍ୟବସ୍ଥା ଭିତରେ ଚୀନଦେଶ ସାରାବିଶ୍ୱରୁ ନିଜକୁ ପୃଥକ୍ ରଖି ଆତ୍ମନିର୍ଭରଶୀଳତା ଶିଖିଛି।
୧୦୦୦ଖ୍ରୀଷ୍ଟାବ୍ଦରୁ ୧୭୦୦ ଖ୍ରୀଷ୍ଟାବ୍ଦ ଭିତରେ ଉଭୟ ଦେଶର ସମୁଦାୟ ଉତ୍ପାଦନ ସାରା ବିଶ୍ୱର ସମୁଦାୟ ଉତ୍ପାଦନର ଅଧରୁ ଅଧିକ ଥିଲା। ଏପରିକି ୧୭୦୦ ଖ୍ରୀଷ୍ଟାବ୍ଦରେ ଭାରତର ସମୁଦାୟ ଉତ୍ପାଦନ ବିଶ୍ୱ ଉତ୍ପାଦନର ୨୪.୪ ପ୍ରତିଶତଥିଲା ଯାହା ସମୁଦାୟ ୟୁରୋପର ଉତ୍ପାଦନ ଠାରୁ ଅଧିକ। ସାରା ବିଶ୍ୱର ଚୀନ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ଥିଲେ। ଦୁଃଖର କଥା ଏହି ଯେ ଇଂରେଜ ଶାସନ କାଳରେ ଭାରତର ଅଂଶ ୨୪.୪ପ୍ରତିଶତରୁ କ୍ରମାଗତ ହ୍ରାସପାଇ ୧୯୪୭ ମସିହା ବେଳକୁ ୩ ପ୍ରତିଶତରେ ପହଞ୍ଚି ଯାଇଥିଲା। ୧୮୯୦ ମସିହା ପରଠାରୁ ଆମେରିକାର ଆର୍ଥିକ ଅଭ୍ୟୁଦୟ ଘଟେ, ଯେଉଁଥିପାଇଁ ୧୮୯୦ ମସିହାର ଆମେରିକା ସର୍ବବୃହତ୍ ଅର୍ଥବ୍ୟବସ୍ଥାର ମାନ୍ୟତା ପାଏ ଓ ଚୀନ ଦ୍ୱିତୀୟ। ଭାରତ ତା’ର ଗରିମାକୁ ସୁରକ୍ଷିତ ରଖିନପାରି ଷଷ୍ଠ ସ୍ଥାନକୁ ଖସି ଆସିଛି।
୧୯୫୦ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ଚୀନ ଓ ଭାରତ ଉଭୟ ଦେଶର ଆର୍ଥିକ ସ୍ଥିତି ପ୍ରାୟତଃ ଏକାଭଳି ଥିଲାବେଳେ ୧୯୮୦ ମସିହାଠାରୁ ଉଭୟ ଦେଶ ମଧ୍ୟରେ ଆର୍ଥିକ ଦୂରତା ବୃଦ୍ଧି ପାଇଛି । ୧୯୪୯ ମସିହାରୁ ୧୯୭୬ ମସିହା, ଅର୍ଥାତ୍ ମାଓଙ୍କ ପ୍ରତିପତ୍ତି କାଳରେ ସମୂହବାଦୀ ଅର୍ଥବ୍ୟବସ୍ଥା, କମ୍ୟୁନ୍ ଭଳି କଠିନ ବାମପନ୍ଥୀ ଚିନ୍ତା ଫଳରେ ଉଭୟ କୃଷି ଓ କୃଷକ କ୍ଷତିଗ୍ରସ୍ତ ହେଲେ। ପରିସଂଖ୍ୟାନରୁ ଜଣାଯାଏ ଯେ ଚୀନ ୧୯୮୦ ମସିହାରେ ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାର ମାନ୍ୟତା ମଧ୍ୟ ହରାଇ ବସିଲା। ୧୯୫୦ ମସିହାରୁ ୧୯୭୦ ମସିହା ଭିତରେ ଅନେକ ବର୍ଷରେ ଚୀନର ମୁଣ୍ଡପିଛା ଉତ୍ପାଦ ଭାରତଠାରୁ କମ୍ ବା ସମାନ ଥିଲା। ୧୯୫୨ ମସିହାରୁ ୧୯୭୮ ମସିହା ମଧ୍ୟରେ ଚୀନର ମୁଣ୍ଡ ପିଛା ଆୟର ଅଭିବୃଦ୍ଧି ହାର ମାତ୍ର ୨.୯୭ ପ୍ରତିଶତ ଥିବା ଲକ୍ଷ୍ୟ କରାଯାଏ। ଏହି ସମୟ ମଧ୍ୟରେ ଚୀନର ଆର୍ଥିକ ଅଭିବୃଦ୍ଧି ହାର ଭାରତର ଅଭିବୃଦ୍ଧି ହାରର ଅନୁରୂପ। ଆଧୁନିକ ଚୀନର ନିର୍ମାତା କୁହାଯାଉଥିବା ଚୀନ ଶାସନର ପ୍ରଭାବଶାଳୀ କମ୍ୟୁନିଷ୍ଟ ନେତା ଡେଙ୍ଗ୍ସିଆଓ ଫିଙ୍ଗ୍ ୧୯୭୮ ମସିହାରେ ଚୀନର ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାର ପରିବର୍ତ୍ତନ ଆଣି ବିଶ୍ୱକୁ ଚକିତ କଲେ। ଗୋଟିଏ ପଟେ ଦୃଢ ଇଚ୍ଛାଶକ୍ତି, ନିର୍ଣ୍ଣୟ, ନିଷ୍ପତ୍ତିର କେନ୍ଦ୍ରୀକରଣ ଅପରପକ୍ଷେ ନିଜକୁ ବିଶ୍ୱରୁ ପୃଥକକରି ଚାଲିଥିବା ନିବୁଜ ଅର୍ଥ ବ୍ୟବସ୍ଥାର ବାଦଶାହା ଦେଶକୁ ପୁଞ୍ଜିକରଣ କରିବା ପାଇଁ ମୁକ୍ତଦ୍ୱାର ନୀତି ଆପଣେଇବା ଏକ ବିରୋଧାଭାସ। ଡେଙ୍ଗ୍ ସମୂହବାଦୀ ଅର୍ଥ ବ୍ୟବସ୍ଥାକୁ ବଜାରଭିତ୍ତିକ ମୁକ୍ତ ଅର୍ଥ ବ୍ୟବସ୍ଥାକୁ ରୂପାନ୍ତରିତ କରି ୧୯୭୮ ମସିହାରୁ ଆର୍ଥିକ ସଂସ୍କାର ତ୍ୱରାନ୍ୱିତ କଲେ ଯାହା ପରବର୍ତ୍ତୀ ସମୟରେ ଭାରତ କାହିଁକି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରେ। ଯଥାର୍ଥରେ କୁହାଯାଇପାରେ ଯେ ଡେଙ୍ଗ୍ ଜଣେ ବାସ୍ତବବାଦୀ ଅର୍ଥଶାସ୍ତ୍ରୀ, କାରଣ ଭାରତର ଯଥେଷ୍ଟ ପୂର୍ବରୁ ଫଳପ୍ରସୂ ସଂସ୍କାର ଆଣି ସେ ଚୀନର ଭାଗ୍ୟ ପରିବର୍ତ୍ତନ କଲେ ଓ ଅନ୍ୟ ପକ୍ଷରେ ସେ ଓ ଲି ପେଙ୍ଗ ଦୁହେଁ ତିଆନାନ୍‌ମେନ ଛକରେ ଗଣତନ୍ତ୍ର , ବ୍ୟକ୍ତି ସ୍ୱାଧୀନତା ପ୍ରତିଷ୍ଠା ପାଇଁ ସ୍ୱର ଉତ୍ତୋଳନ କରୁଥିବା ଅଗଣିତ ଅସହାୟ ଜନସାଧାରଣଙ୍କ ସମୂହ ହତ୍ୟା କରି ପୀଡ଼କ ଓ ନିଷ୍ଠୁର ନେତା ଭାବେ ଇତିହାସରେ ଲିପିବଦ୍ଧ ହେଲେ।
୧୯୮୦ ମସିହାରୁ ଅଦ୍ୟାବଧି ଚୀନ ଦେଶର ବୈଦେଶିକ ବାଣିଜ୍ୟ ଭାରତର ୬ଗୁଣ । ସେମାନଙ୍କର ରପ୍ତାନୀ ଆୟ ଜାତୀୟ ଆୟର ଏକ ପ୍ରମୁଖ ଅଂଶ। ଜଣେ ସାଧାରଣ ଭାରତୀୟ ୧୦୦ଟଙ୍କାରୁ ୬୦ରୁ ୬୫ଟଙ୍କା ଖାଇବା ପିଇବାରେ ଖର୍ଚ୍ଚ କରୁଥିବାବେଳେ ଚୀନ ଦେଶର ସାଧାରଣ ପରିବାରଟିଏ ୪୦ରୁ ୪୫ଟଙ୍କା ଖର୍ଚ୍ଚ କରନ୍ତି; ତେଣୁ ସେ’ ଦେଶର ସଞ୍ଚୟ ହାର ୪୮ ପ୍ରତିଶତ ଯାହା ଭାରତଠାରୁ ଯଥେଷ୍ଟ ଅଧିକ। ଚୀନ ଦେଶର ରପ୍ତାନୀ ତାଙ୍କ ଦେଶର ମୋଟ ଘରୋଇ ଉତ୍ପାଦର ୧୯ରୁ ୨୦ ପ୍ରତିଶତ ହୋଇଥିବାବେଳେ ଆମର ୧୦.୫ରୁ ୧୧.୫ ପ୍ରତିଶତ। ୧୯୬୦ ମସିହାରୁ ଅଦ୍ୟାବଧି ଆମ ମୁଣ୍ଡପିଛା ଆୟ ୨୧ ଗୁଣ ବଢିଥିବା ବେଳେ ସେମାନଙ୍କର ୫୬ ଗୁଣ ବଢିଛି। ୧୯୭୮ ମସିହାରୁ ୧୯୯୮ ମସିହା, ୨୦ ବର୍ଷ ମଧ୍ୟରେ ଚୀନର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧ଟ୍ରିଲିଅନ୍ (୧ଟ୍ରିଲିଅନ୍ = ୧୦୦୦ ବିଲିୟନ୍, ଏକ ବିଲିୟନ୍ = ୧୦୦କୋଟି) ଡଲାର ହୋଇଥିବା ବେଳେ ୨୦୦୭-୦୮ ମସିହାରେ (୧୯୭୮ ମସିହାରୁ ୩୦ବର୍ଷ ପରେ) ଆମ ମୋଟ ଘରୋଇ ଉତ୍ପାଦ ୧ଟ୍ରିଲିଅନ୍ ଡ଼ଲାର ହେଲା। ୨୦୧୪-୧୫ ମସିହାରେ ଆମେ ୨ ଟ୍ରିଲିଅନ ଡ଼ଲାରରେ ପହଞ୍ଚିବାବେଳେ ଚୀନ ୧୦ ଟ୍ରିଲିଅନ୍ ଅତିକ୍ରମ କଲା। ଇତି ମଧ୍ୟରେ ଚୀନର ମୁଣ୍ଡପିଛା ଆୟ ଅାମ ମୁଣ୍ଡପିଛା ଆୟର ୪.୬୬ଗୁଣ। ୧୯୮୦ ମସିହାରୁ ୨୦୧୫ ମସିହା ଭିତରେ ଚୀନର ହାରାହାରି ଅଭିବୃଦ୍ଧି ହାର ୯.୮ ପ୍ରତିଶତ ଥିଲାବେଳେ ଆମର ହାରାହାରି ଅଭିବୃଦ୍ଧି ହାର ଏହି ସମୟ ମଧ୍ୟରେ ୬.୨୩ ପ୍ରତିଶତ। ପିଛିଲା ୩୫ ବର୍ଷ ମଧ୍ୟରୁ ୧୬ବର୍ଷ ଚୀନର ଆର୍ଥିକ ଅଭିବୃଦ୍ଧି ହାର ୧୦ ପ୍ରତିଶତରୁ ଅଧିକ ହୋଇଥିବା ବେଳେ ଭାରତର ଅଭିବୃଦ୍ଧି ହାର ମାତ୍ର ଥରେ (୨୦୧୦ ମସିହାରେ) ୧୦ ପ୍ରତିଶତରୁ ଅଧିକ ଥିଲା । ୧୯୯୬ ମସିହାରେ ଆମେ ୪ଟଙ୍କା ୨୩ ପଇସା ଦେଇ ଚୀନର ଗୋଟିଏ ୟୁଆନ (ୟୁଆନ୍ ଚୀନ ଦେଶର ମୁଦ୍ରା) ପାଉଥିଲା ବେଳେ ୨୦୧୫ ମସିହାରେ ଗୋଟିଏ ୟୁଆନ ବଦଳରେ ଆମକୁ ୧୦ଟଙ୍କା ୧୮ପଇସା ଦେବାକୁ ପଡ଼ୁଛି ଯାହା ଆମ ମୁଦ୍ରାର ଅବମୂଲ୍ୟାୟନ ସୂଚାଏ। ଚୀନର ମୋଟ ଘରୋଇ ଉତ୍ପାଦ ଆମ ମୋଟ ଘରୋଇ ଉତ୍ପାଦର ପାଖାପାଖି ୫ଗୁଣ। ୨୦୧୭ ମସିହାରେ ଆମର ମୁଣ୍ଡପିଛା ଉତ୍ପାଦ ୨୧୦୩ ଡଲାର ଥିବା ସ୍ଥଳେ ଚୀନର ଏହା ୯୨୫୯ ଡଲାର। ବର୍ତ୍ତମାନ ଚୀନର ଜିଡିପି ବିଶ୍ୱ ଜିଡିପିର ୧୫ ପ୍ରତିଶତରୁ ଊର୍ଦ୍ଧ୍ବ ହୋଇଥିଲାବେଳେ ଆମର ୩.୦ରୁ ୩.୫ ପ୍ରତିଶତରେ ସୀମିତ। ବିଦେଶୀ ପୁଞ୍ଜିନିବେଶ, ଗଚ୍ଛିତ ବିଦେଶୀ ମୁଦ୍ରା, ରପ୍ତାନୀ, ସଞ୍ଚୟ, ନିବେଶ, କ୍ଷେତ୍ରୀୟ ଉନ୍ନୟନ ଆଦି ସବୁକ୍ଷେତ୍ରରେ ଚୀନ ଆମ ଆଗରେ । ଆୟତନରେ ଚୀନ ଦେଶଟି ଆମ ଦେଶର ପ୍ରାୟ ତିନିଗୁଣ ଓ ତନ୍ମଧ୍ୟରୁ ଆମର କୃଷି ଉପଯୋଗୀ ଜମି ୬୦.୫ ପ୍ରତିଶତ ଓ ଚୀନର ୫୪.୭ ପ୍ରତିଶତ। ସ୍ଥଳଭାଗ ଆୟତନର ବିଶାଳତା ହେତୁ ସେମାନଙ୍କର ଚାଷ ଉପଯୋଗୀ ଜମିର ପରିମାଣ ଆମ ପରିମାଣର ପାଖାପାଖି ଅଢେଇଗୁଣ। ଆମଠାରୁ ତେରବର୍ଷ ଆଗରୁ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଥିବା ଚୀନ କେବଳ କୃଷିକ୍ଷେତ୍ରର ସଂସ୍କାର ଆଣି ୧୯୮୦ରୁ ୧୯୮୫ ମସିହା ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ଦେଶର ୬୦ ପ୍ରତିଶତ ଦାରିଦ୍ର୍ୟ ଦୂରକରିବାରେ ସକ୍ଷମ ହୋଇପାରିଲା ଯାହା ବିଶ୍ୱରେ ଅନନ୍ୟ। ୨୦୧୮ ମସିହା ଆକଳନ ଅନୁସାରେ ଚୀନ ଦେଶର ଜିଡ଼ିପି ୧୩.୨୦ଟ୍ରିଲିଅନ୍ ଓ ଭାରତର ଜିଡ଼ିପି ୨.୬ ଟ୍ରିଲିଅନ୍ ହେବ। ହିସାବରେ ଚୀନଦେଶର ଦାରିଦ୍ର୍ୟ ହାର ୬.୫ ମଧ୍ୟରେ ସୀମିତ ଥିଲାବେଳେ ଭାରତର ଏହିହାର ୨୧.୨ ପ୍ରତିଶତ।
ପ୍ରତ୍ୟେକ ରାଜନୈତିକ ବ୍ୟବସ୍ଥା ସହ ଗୋଟିଏ ଅର୍ଥ ବ୍ୟବସ୍ଥା ଯୋଡ଼ି ହୋଇଥାଏ। ବ୍ୟବସ୍ଥାରେ ଥିବା ଅନୁଷ୍ଠାନଗୁଡ଼ିକର ସ୍ୱଚ୍ଛତା, ନିରପେକ୍ଷତା ଓ ଦକ୍ଷତା ରାଷ୍ଟ୍ରକୁ ବିକଶିତ, ଗତିଶୀଳ ଓ ଉଚ୍ଚତର ଆର୍ଥିକ ଲକ୍ଷ୍ୟସାଧନକୁ ସହଜ ସୁଗମ କରେ। ଗବେଷଣାରୁ ଜଣାଯାଏ ଯେ ଗୋଟିଏ ଦୃଢ, ମଧ୍ୟବିତ୍ତ ଶ୍ରେଣୀର ଚାହିଦା ଗୋଟିଏ ଦେଶର ଆର୍ଥିକ ପ୍ରଗତିର ଅମୋଘ ଅସ୍ତ୍ର। ଚୀନ ଦେଶର ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ଆକାର ଆମ ଉଚ୍ଚମଧ୍ୟବିତ୍ତ ଶ୍ରେଣୀ ଆକାରର ଛଅଗୁଣ। ଚୀନ ଦେଶରେ ଏହି ଶ୍ରେଣୀର ସଂଖ୍ୟା ସେମାନଙ୍କର ସମୁଦାୟ ଲୋକସଂଖ୍ୟାର ୨୨ ରୁ ୨୪ ପ୍ରତିଶତ ହୋଇଥିଲାବେଳେ ଆମର ୮ରୁ ୯ ପ୍ରତିଶତ। ଆମର ସମୁଦାୟ ମଧ୍ୟବିତ୍ତ ଶ୍ରେଣୀର ୮୧.୬୭ ପ୍ରତିଶତ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ । ତେଣୁ ଭାରତର ବିକାଶ ଦିଗରେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଉତ୍ଥାନ ଜରୁରୀ।
୧୯୭୮ ମସିହାରୁ ଗୋଟିଏ ନିବୁଜ ଆତ୍ମନିର୍ଭର ଅର୍ଥତନ୍ତ୍ରକୁ ବିଦାୟଦେଇ ଉଦାରବାଦୀ ମୁକ୍ତ ଅର୍ଥ ବ୍ୟବସ୍ଥା ଆପଣେଇ ଚୀନ ଦେଶ ପିଛିଲା ୩୭-୩୮ ବର୍ଷ ଭିତରେ ଯେଉଁ ସ୍ତରରେ ଅଛି ସେ ସ୍ତରକୁ ଛୁଇଁବା ଆମ ପକ୍ଷରେ ସମ୍ଭବ ନୁହେଁ। ହେଲେ ପୁରାତନ ଐତିହ୍ୟକୁ ଦୋହରାଇ ଆମେ ୨୦୫୦ ମସିହା ବେଳକୁ ଆମେରିକାକୁ ପଛରେ ପକାଇ ଚୀନ ପଛରେ ରହି ଦ୍ୱିତୀୟ ସ୍ଥାନରେ ଅଧିଷ୍ଠିତ ହେବା ଆକଳନରୁ ଜଣାପଡ଼େ। ଆମେ ଯେତେବେଳେ ଧର୍ମ-ଦେବତାଙ୍କୁ ନେଇ ଅନ୍ତର୍ଦ୍ବନ୍ଦ୍ବରେ ଲିପ୍ତ ଚୀନ ସେତେବେଳେ ସଂସ୍କାର ଖସଡ଼ା ପ୍ରସ୍ତୁତ କରିବାରେ ବ୍ୟସ୍ତ। ଆମେ ଯେତେବେଳେ ପିଲାଜନ୍ମ କରିବାରେ ବ୍ୟସ୍ତ, ଚୀନ ସେତେବେଳେ ଗୋଟିଏ ପିଲା ନିୟମ କାର୍ଯ୍ୟକାରୀ କରେ। ଆମେ ଯେତେବେଳେ ସାର୍ବଜନୀନ ମୌଳିକ ଶିକ୍ଷାପାଇଁ ପ୍ରବଳ ଉଦ୍ୟମ ଓ ଅର୍ଥ ଯୋଗାଡ଼ ପାଇଁ ସଂଗ୍ରାମ କରୁ, ଚୀନ ସେତେବେଳେ ଉଚ୍ଚତର ଶିଳ୍ପ ଓ କାରିଗରି କୌଶଳ ଶିକ୍ଷାଦେବାରେ ବ୍ୟସ୍ତ। ଆମେ ଯେତେବେଳେ କାମ ଓ ସ୍ଥାନ ସଂରକ୍ଷଣରେ ମାତୁ ଚୀନ ସେତେବେଳେ କାମ ପାଇଁ ଯୋଗ୍ୟ ଲୋକ ବାଛିବାରେ ବ୍ୟସ୍ତ। ଆମେ ଯେତେବେଳେ ଇଂରାଜୀ ଶିକ୍ଷା ଦେବାପାଇଁ ବ୍ୟସ୍ତ ଚୀନ ସେତେବେଳେ ନିଜ ଭାଷାରେ ଶାସ୍ତ୍ର ପ୍ରସ୍ତୁତ କରେ ଓ କାର୍ଯ୍ୟରେ ଲଗାଏ। ଆମେ ଯେତେବେଳେ ଲାଇସେନ୍ସ ରାଜକୁ କଡ଼ାକଡ଼ି ଭାବେ ଜାବୁଡୁଁ ଚୀନ ସେତେବେଳେ ମୁକ୍ତ ବାଣିଜ୍ୟ, ବିଦେଶୀ ପୁଞ୍ଜିନିବେଶ, ରପ୍ତାନୀ ବୃଦ୍ଧିକୁ ନେଇ ଅଙ୍କକଷେ। ପ୍ରତିଭାବାନ ଭାରତୀୟ ଯୁବକ-ଯୁବତୀ ସେବାକ୍ଷେତ୍ରରେ ଆମେରିକାର ବିକାଶ ପାଇଁ ଯେତେବେଳେ କାର୍ଯ୍ୟବ୍ୟସ୍ତ, ଚୀନ ସେତେବେଳେ ନିଜର ମାନବ ପୁଞ୍ଜିକୁ ଅନ୍ୟ ଦେଶରୁ ଫେରାଇଆଣି ଶିଳ୍ପ ଓ ବିନିର୍ମାଣ କ୍ଷେତ୍ରକୁ କ୍ରିୟାଶୀଳତାର କେନ୍ଦ୍ର କରିବାରେ ତତ୍ପର। ଚୀନର ଅର୍ଥ ବ୍ୟବସ୍ଥା ଏବେ ଗୋଟିଏ ପାୱାର ହାଉସରେ ପରିଣତ ହୋଇ ସାରିଛି । ଭାରତର ଆଥିିକ ଅଭିବୃଦ୍ଧି ହାର ଏବେଏବେ ଚୀନଠାରୁ ଅଧିକ ଯେତେବେଳେ ଚୀନ ଦେଶର ଅର୍ଥ ବ୍ୟବସ୍ଥା ସାରା ବିଶ୍ୱରେ ଶକ୍ତିଶାଳୀ ଓ ପରିପକ୍ୱ ଅର୍ଥ ବ୍ୟବସ୍ଥାର ମାନ୍ୟତା ପାଇସାରିଛି ।

Leave A Reply