ଅଜ୍ଞାନତାର ଅନ୍ତ ନାହିଁ!

0

ହରିହର ତ୍ରିପାଠୀ

ସମସ୍ତ ଜ୍ଞାନଗରିମା ସତ୍ତ୍ୱେ ବି ମଣିଷ ବହୁ ସମୟରେ ଅନ୍ଧବିଶ୍ୱାସ, ଅମୂଳକ ଭାବନା ଜାଲରୁ ମୁକୁଳି ପାରେନା । ଅଦୃଶ୍ୟ ଶକ୍ତିମାନଙ୍କ ସମ୍ବନ୍ଧରେ ନାନା ଭ୍ରମାତ୍ମକ ଧାରଣା ବହୁ ବିଜ୍ଞ, ଶିକ୍ଷିତ ବ୍ୟକ୍ତିମାନଙ୍କୁ ପଥଭ୍ରଷ୍ଟ କରେ । ସେଇଥିପାଇଁ ଏମିତି ଦେଖାଯାଇଛି ବିଜ୍ଞାନୀଟିଏ ବି ଯାଇ ବସିପଡୁଛି ଜଣେ ଅର୍ଦ୍ଧଶିକ୍ଷିତ ବାବାଙ୍କ ପାଦତଳେ । ଅଦୃଶ୍ୟ ଶକ୍ତିମାନଙ୍କ ବିଷୟରେ କିମ୍ଭୂତକିମାକାର ଧାରଣା ନିମନ୍ତେ ପ୍ରଥା ପରମ୍ପରା ବିରୁଦ୍ଧରେ ଯିବାକୁ ମଣିଷ ଭୟକରେ । ନିକଟରେ ଘଟିଥିବା କେରଳର ପ୍ରଳୟଙ୍କରୀ ବନ୍ୟା ପ୍ରସଙ୍ଗରେ ସେମିତି ଏକ ବିବାଦୀୟ ପ୍ରସଙ୍ଗ ଦେଖିବାକୁ ମିଳିଛି । କେରଳର ଏହି ହୃଦୟବିଦାରକ ଘଟଣାକୁ ଏକ ପ୍ରଥା ବା ପରମ୍ପରା ସହିତ ଯୋଡିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ନବନିଯୁକ୍ତ ନିର୍ଦେଶକ ତଥା ଆରଏସ୍ଏସ୍ ବିଚାରଧାର‌ାରେ ବିଶ୍ୱାସୀ ଏସ୍. ଗୁରୁମୂର୍ତ୍ତି । କେରଳର ସୁପ୍ରସିଦ୍ଧ ଶବରୀମାଲ ଆୟପ୍ପାନ ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ବହୁକାଳରୁ ନିଷେଧ ଥିବାବେଳେ କିଛିଦିନ ପୂର୍ବେ ସୁପ୍ରିମକୋର୍ଟ ଏ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ମନ୍ଦିର ଭିତରେ ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏବେ କେରଳରେ ଘଟିଯାଇଛି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ଏହି ପ୍ରସଙ୍ଗରେ ଗୁରୁମୂର୍ତ୍ତି ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ଶବରୀମାଲ ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ବନ୍ଧୀୟ ମାମଲା ଏବଂ ଉକ୍ତ ସ୍ଥାନରେ ବିଗତ ଦିନରେ ଯାହା ଘଟିଗଲା ସେଥିରେ କି ସମ୍ବନ୍ଧ ରହିଛି ତାହା ଉପରେ ସୁପ୍ରିମକୋର୍ଟ ବିଚାର କରିବା ଉଚିତ । ଏପରିକି ସୁପ୍ରିମକୋର୍ଟଙ୍କ ରାୟ କାରଣରୁ ମନ୍ଦିର ଜଳାର୍ଣ୍ଣବ ହୋଇଥିବା ଦର୍ଶାଇ ସେ ପୁଣି ଏକ ଟ୍ୱିଟ୍ ବି କରିଥିଲେ । ସଂପୂର୍ଣ୍ଣ ସ୍ପଷ୍ଟ ନହେଲେ ବି ଗୁରୁମୂର୍ତ୍ତିଙ୍କ ଟ୍ୱିଟ୍ ଏହା ଦର୍ଶାଉଛି ଯେ ପରମ୍ପରା ଭଙ୍ଗ ହେବାରୁ କେରଳରେ ଏଭଳି ବିପର୍ଯ୍ୟୟ ଘଟିଗଲା !!
ଜଣେ ସଚେତନ ବୁଦ୍ଧିଜୀବୀଙ୍କର ଏଭଳି ସନ୍ଦେହ ଆମର ମୁକ୍ତ ବିଜ୍ଞାନସମ୍ମତ ବିଚାରଧାରା ଉପରେ ପ୍ରଶ୍ନଚିହ୍ନ ଲଗାଉ ନାହିଁକି ? ଆମେ କ’ଣ ଶିଖୁଛେ ? ବିଜ୍ଞାନ କଥା ଦୂରେ ଥାଉ ଆମର ଆଧ୍ୟାତ୍ମିକ ଜ୍ଞାନ, ବେଦ, ବେଦାନ୍ତ କ’ଣ ଏଭଳି କିଛି କଥା ଆମକୁ ଶିକ୍ଷା ଦେଉଛି କି ? ମହିଳାମାନେ କ’ଣ ମଣିଷ ନୁହନ୍ତି ? ଯଦି ମଣିଷ ତେବେ ସେମାନଙ୍କୁ ନାନା ପ୍ରକାରର ବାରଣ କାହିଁକି ? ଶବରୀମାଲ ମନ୍ଦିର ହେଉ କି ଶନି ସିଂଗନାପୁର ମନ୍ଦିର, ସବୁଠାରେ ମହିଳାମାନଙ୍କ ଲାଗି ରହିଥିବା ବାରଣକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଆସୁଥିବାବେଳେ ଯଦି ମାନ୍ୟବର କୋର୍ଟ ତହିଁରେ ଏକ ବିରାମ ଲଗାଇ ମହିଳାମାନଙ୍କୁ ସ୍ୱତନ୍ତ୍ରଭାବେ ଅଧିକାର ପ୍ରଦାନ କରିଛନ୍ତି ତାକୁ ନେଇ କେରଳର ସମ୍ବେଦନଶୀଳ ଘଟଣା ସହ ଯୋଡିବା କି ପ୍ରକାର ମାନସିକତା । ଏହି ପ୍ରସଙ୍ଗରେ ଶବରୀମାଲ ବିଷୟରେ ସାମାନ୍ୟ ଆଲୋଚନା ଉଚିତ ମନେହୁଏ ।
ଦକ୍ଷିଣଭାରତର ଏକ ଅତ୍ୟନ୍ତ ପ୍ରସିଦ୍ଧ ସ୍ଥାନ ହେଉଛି ଶବରୀମାଲ ମନ୍ଦିର । କେରଳର ରାଜଧାନୀ ତିରୁଅନନ୍ତପୁରମଠାରୁ ୧୦୦କିମି ଦୂର ପାଥାନାମଥିଟ୍ଟାଇ ଜିଲାର ପାମ୍ବାରେଠାରେ ଅବସ୍ଥିତ ଏହି ମନ୍ଦିର ପଶ୍ଚିମଘାଟ ପର୍ବତମାଳାର ପେରିୟାର ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ନିକଟରେ। ଘଞ୍ଚବନାନୀ ପରିବେଷ୍ଟିତ ଶବରୀମାଲ ହେଉଛି ହିନ୍ଦୁଙ୍କ ନିମନ୍ତେ ଏକ ପବିତ୍ରତମ ସ୍ଥାନ । ଏଠାରେ ପୂଜା ପାଉଛନ୍ତି ଭଗବାନ ଆୟାପ୍ପାନ । ଭୟଙ୍କର ରାକ୍ଷସ ମହିଷୀକୁ ହତ୍ୟା କରିବା ପରେ ଆୟାପ୍ପାନ ଏହି ସ୍ଥାନରେ ଧ୍ୟାନମଗ୍ନ ହୋଇ ତପସ୍ୟା କରିଥିଲେ ବୋଲି କୁହାଯାଏ । ଏଠାରେ ଥିବା ଆୟାପ୍ପାନଙ୍କ ମନ୍ଦିର ସମୁଦ୍ରପତ୍ତନ ଠାରୁ ୧୫୩୫ ଫୁଟ୍ ଉଚ୍ଚରେ ଅବସ୍ଥିତ ୧୮ଟି ପାହାଡ଼ ମଝିରେ ସବୁଜିମାରଘେରା ପରିବେଶ ଭିତରେ ଅବସ୍ଥିତ ଥିବା ବେଳେ ଏହାର ପ୍ରାକୃତିକ ଶୋଭା ଅବର୍ଣ୍ଣନୀୟ । ସ୍ଥାନଟିର ନାମ ଶବରୀମାଲ ହେବାନେଇ ରାମାୟଣରୁ କିମ୍ବଦନ୍ତୀ ରହିଛି । ଭଗବାନ ଶ୍ରୀରାମ, ଭ୍ରାତା ଲକ୍ଷ୍ମଣଙ୍କ ସହିତ ଏହିଠାରେ ହିଁ ଭକ୍ତା ଶବରୀଙ୍କୁ ଭେଟିଥିଲେ ଓ ତାଙ୍କଠାରୁ ଫଳମୂଳ ଓ କୋଳି ଖାଇଥିଲେ । ଶବରୀ ନିଜେ ଚାଖି କୋଳିସବୁ ପ୍ରଭୁଙ୍କୁ ପ୍ରଦାନ କରିଥିଲେ ଓ ଶ୍ରୀରାମ ସେସବୁକୁ ନିର୍ବିକାର ଚିତ୍ତରେ ଆନନ୍ଦର ସହିତ ଭକ୍ଷଣ କରିଥିଲେ । ଏହି ସମୟରେ ଶ୍ରୀରାମ ଦେଖିଲେ ଜଣେ ଅତ୍ୟନ୍ତ ଋଷିପ୍ରତିମ ବ୍ୟକ୍ତି ତପସ୍ୟା କରୁଛନ୍ତି । ଉକ୍ତ ବ୍ୟକ୍ତିଙ୍କ ପରିଚୟ ପଚାରନ୍ତେ ଶବରୀ କହିଥିଲେ ସେ ହେଉଛନ୍ତି ଷଷ୍ଠ। ଶ୍ରୀରାମ ଷଷ୍ଠଙ୍କ ନିକଟକୁ ଯିବା ପରେ ଷଷ୍ଠ ତାଙ୍କୁ ଅଭିବାଦନ କରିଥିଲେ । କୁହାଯାଏ ଷଷ୍ଠ ହେଉଛନ୍ତି ଆୟାପ୍ପାନଙ୍କ ଅବତାର । ଶ୍ରୀରାମଙ୍କ ସହିତ ଷଷ୍ଠଙ୍କର ଏହି ମିଳନଦିବସ ଥିଲା ମକର ସଂକ୍ରାନ୍ତି । ତେଣୁ ମକର ସଂକ୍ରାନ୍ତି ଦିନ ଏଠାରେ “ମକର ବିଲାକୁ’ ପାଳନ କରାଯାଏ ଓ ଭକ୍ତମାନେ ଧର୍ମଷଷ୍ଠଙ୍କ ଆଶୀର୍ବାଦ ନିଅନ୍ତି । ଏହି ମନ୍ଦିର ସବୁବେଳେ ଭକ୍ତମାନଙ୍କ ଲାଗି ଖୋଲାନଥାଏ । ବର୍ଷରେ ନଭେମ୍ବର ୧୫ରୁ ଡିସେମ୍ବର ୨୬ ମଣ୍ଡଳ ପୂଜା ଲାଗି, ମକର ସଂକ୍ରାନ୍ତି ଦିନ ମକର ବିକାଲୁ ପର୍ବ ଲାଗି ଏବଂ ମହାବିଷୁବ ସଂକ୍ରାନ୍ତି ଦିନ ଏହି ମନ୍ଦିର ଖୋଲା ରହିଥାଏ ଏହା ବ୍ୟତୀତ ପ୍ରତ୍ୟେକ ମାଲାୟାଲମ ମାସର ପ୍ରଥମ ପାଞ୍ଚଦିନ ଖୋଲା ରୁହେ । ଶବରୀମାଲର ଭକ୍ତମାନଙ୍କୁ ସହଜରେ ଚିହ୍ନିହୁଏ, କାରଣ ଏଠାରେ ଭକ୍ତମାନେ ନିର୍ଦିଷ୍ଟ ନୀଳ ଓ କଳାରଙ୍ଗର ପୋଷାକରେ ଆସିଥାନ୍ତି । ସେମାନେ ଦାଢ଼ି କାଟି ନଥାନ୍ତି ଓ ମୁଣ୍ଡରେ ଚନ୍ଦନ ବା ବିଭୂତି ଲେପନ କରିଥାନ୍ତି । ଭକ୍ତମାନେ ମନ୍ଦିରକୁ ଆସିବା ପୂର୍ବରୁ ୪୧ ଦିନ କାଳ ବ୍ରତ ରଖିଥାନ୍ତି । ଏହି ବ୍ରତ ସମୟରେ ସେମାନେ ନିରାମିଷ ଭୋଜନ ସହିତ ସବୁ ପ୍ରକାର ସଂଯମ ଆଚରଣ କରିଥାନ୍ତି ।
ତେବେ ଏହି ମନ୍ଦିର ସବୁବେଳେ ମହିଳା ଭକ୍ତଙ୍କ ପ୍ରବେଶକୁ ନେଇ ଚର୍ଚ୍ଚାରେ ରହିଆସିଛି । କାରଣ ମନ୍ଦିର ଭିତରକୁ ପ୍ରାପ୍ତବୟସ୍କ ମହିଳାମାନଙ୍କ ବାରଣ କରାଯାଇଥାଏ। ଭଗବାନ ଆୟାପ୍ପାନ ବ୍ରହ୍ମଚାରୀ ହୋଇଥିବାରୁ ଋତୁମତୀ ମହିଳାମାନଙ୍କୁ ଏହି ମନ୍ଦିର ମଧ୍ୟକୁ ପ୍ରବେଶମନା । ଉଲ୍ଲେଖଯୋଗ୍ୟ କେରଳ ହେଉଛି ଦେଶର ସବୁଠାରୁ ଶିକ୍ଷିତ ଲୋକଙ୍କ ରାଜ୍ୟ । ଏହା ପୁଣି ଦୀର୍ଘବର୍ଷ ଧରି ବାମପନ୍ଥୀ ସରକାରଙ୍କ ଦ୍ୱାରା ଶାସିତ ହୋଇ ଆସିଛି । ତଥାପି ମଧ୍ୟ ଶବରୀମାଲରେ ମହିଳାମାନଙ୍କୁ ନେଇ ଏ ପ୍ରକାର ବିଭେଦ ରହିଆସିଛି! ଏବେ ସୁପ୍ରିମ୍ କୋର୍ଟ ଏହି ଘଟଣାରେ ପୂର୍ଣ୍ଣଚ୍ଛେଦ ଟାଣିବା ପରେ ଗୁରୁମୂର୍ତ୍ତିଙ୍କ ଭଳି ବୁଦ୍ଧିଜୀବୀ ପୁଣି ଏହାକୁ ନେଇ ସନ୍ଦେହ ପ୍ରକଟ କରିବା ଗୋଟିଏ କଥା ସ୍ପଷ୍ଟ କରୁଛି ଯେ ଆମ ଅଜ୍ଞାନତାର ଅନ୍ତ ନାହିଁ !!
ବଡବେତରା, କୁଦାନଗରୀ, କେନ୍ଦ୍ରାପଡା

Leave A Reply