ସହରାଞ୍ଚଳ ଯୋଜନା ଓ ସହର ବିକାଶ

0

ଲକ୍ଷ୍ମୀନୃସିଂହ ପ୍ରସାଦ ମହାନ୍ତି

ଇତିହାସ ଆରମ୍ଭରୁ ସବୁ ସମୟରେ ସହରଗୁଡ଼ିକ ସଭ୍ୟତା ଓ ସଂସ୍କୃତି ଉତ୍କର୍ଷ କେନ୍ଦ୍ର ହିସାବରେ ବିବେଚିତ ହୋଇ ଆସିଛନ୍ତି, କିନ୍ତୁ ଶିଳ୍ପ ବିପ୍ଳବ ଆବିର୍ଭାବର ପରବର୍ତ୍ତୀ ସମୟରେ ସେମାନଙ୍କ ଅର୍ଥନୈତିକ ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ ହୋଇଛି। ଜନବହୁଳ ବ୍ୟବସ୍ଥା ସହର ପରିବେଶର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟ ଘଟାଇବା ସଙ୍ଗେସଙ୍ଗେ ସେବା ପ୍ରଦାନ ଓ ପରିଚାଳନା କ୍ଷେତ୍ରରେ ବିଶେଷ ଚାପ ପକାଉଛି। ଏହା ସତ୍ତ୍ବେ ମଧ୍ୟ ସହରଗୁଡ଼ିକ ପ୍ରାଚୁର୍ଯ୍ୟ ଓ ପ୍ରଚୁରତାର ମୁଖ୍ୟ ଉତ୍ପାଦନ କେନ୍ଦ୍ର ହିସାବରେ ପରିଗଣିତ ହେଉଛନ୍ତି, କିନ୍ତୁ ଯେଉଁ ସହରରେ ଆର୍ଥିକ ସମ୍ବଳ ଓ ସମ୍ପଦ ସୃଷ୍ଟି ହେଉଛି, ପ୍ରାପ୍ତବ୍ୟ ଅର୍ଥ ଅଭାବରୁ ସେଠାରେ ଆଶାନୁରୂପ ଭିତ୍ତିଭୂମି ବିକାଶ ଓ ଉନ୍ନତି ​‌େ‌ହାଇ ପାରୁନାହିଁ। ଏହା ତୃତୀୟ ବିଶ୍ବ ରାଷ୍ଟ୍ରମାନଙ୍କ ପାଇଁ ପ୍ରୟୋଗଯୋଗ୍ୟ। ପରିସ୍ଥିତିର ମୁଖ୍ୟ ଖଳନାୟକ ହେଉଛି ‘ଜମିର ମୂଲ୍ୟ’। ଯୁକ୍ତରାଷ୍ଟ୍ର ଆମେରିକାର ବିଶିଷ୍ଟ ଐତିହାସିକ, ଦାର୍ଶନିକ ଓ ସମାଜ ବିଜ୍ଞାନୀ ଲିୱିସ ମସ୍‌ଫୋର୍ଡଙ୍କ ମତରେ, ‘ଜମି ଅନ୍ୟାନ୍ୟ ପଣ୍ୟଦ୍ରବ୍ୟ ଭଳି କ୍ରୟବିକ୍ରୟ ପ୍ରକ୍ରିୟାରେ ଜଡ଼ିତ ରହି ମଧ୍ୟଯୁଗୀୟ ସହରର ଗୋଷ୍ଠୀଗତ ଆନୁଷ୍ଠାନିକ ବିନାଶ ଘଟାଇଛି।’ ଆଜି ପର୍ଯ୍ୟନ୍ତ ଏହା ବଳବତ୍ତର ରହିଛି, କାରଣ ଜମିର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଏକ ମୁଖ୍ୟ ଉପାଦାନ ହିସାବରେ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଓ ଯୋଜନା ପରିକଳ୍ପନାକୁ ନିୟନ୍ତ୍ରଣ କରୁଅଛି। ପରିଣାମ ସ୍ବରୂପ ସ୍ଥାନୀୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ସହର ବିକାଶ ଉଦ୍ୟମରେ ବିଶେଷ ବାଧା ସୃଷ୍ଟି ହେଉଛି।
ଜମି ମାଲିକମାନଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ବାରା ଜମିର ବିକାଶ ଓ ବିକଶିତ ଜମିକୁ ବାସଗୃହ ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହାର, ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଯାହାକୁ ତ୍ବରାନ୍ବିତ କରିବା ସ୍ଥାନୀୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଆଜି ଏକ ଆହ୍ବାନ ରୂପେ ଦେଖାଦେଇଛି। ‘ଲ୍ୟାଣ୍ଡ ପୁଲିଂ ଓ ରିଆଡ଼ଜଷ୍ଟମେଣ୍ଟ (ସାମୂହିକ ଭାବେ ଭାଗରେ ବ୍ୟବହାର କରିବା ଓ ପୁନଃ ଉପଯୋଗ) ପଦ୍ଧତି ଦ୍ବାରା ଏହା ବିଶ୍ବର କେତେକ ରାଷ୍ଟ୍ର ଓ ଆମ ଦେଶର ଓଡ଼ିଶା ରାଜ୍ୟ ସମେତ ଅନ୍ୟ କେତେକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ସହରାଞ୍ଚଳ ଯୋଜନା ସ୍କିମ୍‌ (ଟାଉନ୍‌ ପ୍ଲାନିଂ ସ୍କିମ୍‌- ଟିପି ସ୍କିମ୍‌) ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଯାଉଛି। ବ୍ରିଟିଶ ରାଜତ୍ବ କାଳରେ ଆମ ଦେଶରେ ପ୍ରବର୍ତ୍ତିତ ହୋଇଥିବା ‘ସହର ଓ ଗ୍ରାମ ଯୋଜନା ଆଇନ୍‌ ୧୯୦୯’ ଓ ଶତାବ୍ଦୀବ୍ୟାପୀ ତାହାର କ୍ରମୋନ୍ନତି ସଫଳତା ହେଉଛି ଆଜିର ପ୍ରକୃତ କ୍ରିୟାଶୀଳ ଏହି ‘ଟିପି ଆଇନ୍‌’। ଭାରତୀୟ ଆଇନ୍‌ରେ ପ୍ରଥମେ ‘ବମ୍ବେ ଟିପି ଆଇନ୍‌ ୧୯୧୫ରେ ଏହା ପ୍ରଚଳିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ବହୁ ଭାବରେ ସଂଶୋଧିତ ଓ ସଂଯୋଜିତ ହୋଇଥିଲେ ମଧ୍ୟ ମୂଳ ଢାଞ୍ଚା ଓ ଆଧାର ବହୁମାତ୍ରାରେ ଅପରିବର୍ତ୍ତିତ ରହିଛି। ବମ୍ବେ ଟିପି ଆଇନ୍‌ ଓ ପରବର୍ତ୍ତୀ ସମୟରେ ପ୍ରଚଳିତ ହୋଇଥିବା ‘ମହାରାଷ୍ଟ୍ର ଆଞ୍ଚଳିକ ଟିପି ଆଇନ ୧୯୬୬; ଗୁଜରାଟ ଟିପି ଓ ସହରାଞ୍ଚଳ ଉନ୍ନୟନ ଆଇନ୧୯୭୬ ଓ ଆନ୍ଧ୍ର ପ୍ରଦେଶ ଓଡ଼ିଶା ଭଳି କେତେକ ରାଜ୍ୟରେ ପ୍ରଚଳିତ ଆଇନ୍‌ ହେଉଛି ଏକ ଯୁଗ୍ମ ଭୂ-ଉନ୍ନୟନ ପ୍ରକଳ୍ପ, ଯାହା ନିଜର ଓ ଅନ୍ୟମାନଙ୍କର ସଂଲଗ୍ନ ଜମିମାଲିକମାନେ ପରସ୍ପର ସମ୍ମତିରେ ସ୍ବଇଚ୍ଛାରେ ସାମୂହିକ ବ୍ୟବହାର ପାଇଁ ଏବଂ ଜମିକୁ ସେମାନଙ୍କ ମଧ୍ୟରେ ଯଥାର୍ଥ ଭାବରେ ସୁବଣ୍ଟନ ନିମନ୍ତେ ରାଜି ହୋଇଥାଆନ୍ତି। ସେମାନେ ମଧ୍ୟ ଉନ୍ନୟନ ଖର୍ଚ୍ଚ ଉକ୍ତ ପଦ୍ଧତି ଦ୍ବାରା ଭାଗ କରିଥାଆନ୍ତି ସ୍ଥାନୀୟ ଉନ୍ନୟନ କର୍ତ୍ତୃପକ୍ଷ ଜମି ମାଲିକମାନଙ୍କ ପ୍ରତିନିଧି ଭାବେ ସେଥିରେ ହସ୍ତକ୍ଷେପ କରିଥାଆନ୍ତି, କାରଣ ସ୍ବତଃପ୍ରବୃତ୍ତ ଭାବେ ସେମାନଙ୍କୁ ଏକତ୍ର କରିବା ବାସ୍ତବ ଭାବରେ ସମ୍ଭବ ହୋଇନଥାଏ। ଏଥିରୁ ଉନ୍ନୟନ କର୍ତ୍ତୃପକ୍ଷ ଏକ ଟଙ୍କା ମଧ୍ୟ ଲାଭ ଉଠାଇ ନଥାଆନ୍ତି। ଏହା ପ୍ରକୃତରେ ସ୍ବ-ଆର୍ଥିକ ବ୍ୟବସ୍ଥା ମାଧ୍ୟମରେ ସହର ବିକାଶ ନିମନ୍ତେ ଏକ ସୁସଙ୍ଗତ ସରଳ ସମାଧାନ ଉଦ୍ୟମ। ଏହି ଟିପି ସ୍କିମ୍‌ ଜାପାନ, କୋରିଆ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ରମାନଙ୍କରେ ପ୍ରଚଳନ କରାଯାଇଛି।
ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ୍‌ ୧୯୮୨ର ୨୧ ଧାରା ଅନୁସାରେ, କର୍ତ୍ତୃପକ୍ଷ ତାଙ୍କ ଅଧୀନରେ ଥିବା ଯେକୌଣସି ଅଞ୍ଚଳ କିମ୍ବା ଅଞ୍ଚଳ ବାହାରେ ବାସକରୁଥିବା ଅଧିବାସୀଙ୍କ ଉପଯୋଗିତା ଓ ସୁବିଧାସୁଯୋଗ ଯୋଗାଇବା ନିମନ୍ତେ ବିକାଶ କାର୍ଯ୍ୟ କରିପାରି​‌େ​‌ବ। ସରକାର, ସ୍ଥାନୀୟ ସଂସ୍ଥା ଓ ସମବାୟ ସଂସ୍ଥାଙ୍କ ଅନୁମୋଦନ କ୍ରମେ ସେମାନଙ୍କ ଅଧୀନରେ ଥିବା ଜମିରେ ଉନ୍ନୟନ କର୍ତ୍ତୃପକ୍ଷ ବିକାଶ କାର୍ଯ୍ୟ କରିପାରିବେ। ଉପରୋକ୍ତ ସଂସ୍ଥାଙ୍କ ଅଧୀନରେ ନଥିବା ଜମିରେ ବିକାଶ ଯୋଜନା ସଫଳ କାର୍ଯ୍ୟକାରିତା ନିମନ୍ତେ ସରକାର ‘ଲ୍ୟାଣ୍ଡ ପୁଲିଂ ସ୍କିମ୍‌’ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମାବଳୀ ପ୍ରଣୟନ କରିପାରିବେ। ଏଥିରେ ଉକ୍ତ ସ୍କିମ୍‌ ସମ୍ପର୍କରେ ଇଚ୍ଛାପ୍ରକଟ ଘୋଷଣା, ସଂରକ୍ଷଣ ବ୍ୟବସ୍ଥା, ଜମିର ବଣ୍ଟନ ସମ୍ପର୍କିତ ବିଷୟ, ଜମି ସମ୍ପର୍କିତ ଦଲିଲର ଏକତ୍ରୀକରଣ ପଦ୍ଧତି, ବିବାଦୀୟ ମାଲିକାନା ସମ୍ପର୍କିତ ବ୍ୟବସ୍ଥା, ଉକ୍ତ ସ୍କିମ୍‌ ପ୍ରସ୍ତୁତିର ପଦ୍ଧତି ଓ ଶୈଳୀ ନିର୍ଦ୍ଧାରଣ କରାଯିବ। ଏହି ଲ୍ୟାଣ୍ଡ ପୁଲିଂ ସ୍କିିମ୍‌ କାର୍ଯ୍ୟକାରୀ କରିବା ନିମନ୍ତେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ତରଫରୁ ଯେକୌଣସି ନିର୍ମାଣ ସଂସ୍ଥାକୁ ମଧ୍ୟ ଲାଇସେନ୍ସ୍‌ ପ୍ରଦାନ କରାଯାଇ ପାରିବ। ପ୍ରାରମ୍ଭରୁ ଲ୍ୟାଣ୍ଡ୍‌ ପୁଲିଂ ସମ୍ପର୍କିତ ଆଇନ୍‌ରେ ଅନ୍ତର୍ଭୁକ୍ତ ହୋଇ ନଥିବା ଧାରା, ଅକ୍ଟୋବର ୬,୨୦୧୫ର ଏକ ସ୍ବତନ୍ତ୍ର ଗେଜେଟ୍‌ ବିଜ୍ଞପ୍ତି ମାଧ୍ୟମରେ ଉନ୍ନୟନ କର୍ତ୍ତୃପକ୍ଷ ଆଇନ୍‌ରେ ସଂଯୁକ୍ତ ହୋଇଛି।
ଉପରୋକ୍ତ ଆଇନ୍‌ର ଧାରା ୨୨ ଅନୁସାରେ ଉନ୍ନୟନ କର୍ତ୍ତୃପକ୍ଷ ଏହା ଅଧୀନରେ ଥିବା ଅଞ୍ଚଳ କିମ୍ବା ଏହାର କିଛି ଅଂଶ କିମ୍ବା ଅଞ୍ଚଳ ବାହାରେ ମଧ୍ୟ ଏକ ବା ତତୋଽଧିକ ସହରାଞ୍ଚଳ ଯୋଜନା ସ୍କିମ୍‌- ଟିପି ସ୍କିମ୍‌ ପ୍ରସ୍ତୁତ କରିପାରିବ। ଏହି ଟିପି ସ୍କିମ୍‌, ଅଞ୍ଚଳରେ ଥିବା ଖାଲି ଜମିରେ ଯାହା କୋଠାବାଡ଼ି ନିର୍ମାଣ କରିବା ନିମନ୍ତେ ବ୍ୟବହୃତ ହେବ, କିମ୍ବା ନିର୍ମାଣ କରାଯାଇଥିବା କୋଠାବାଡ଼ି ପରିପୂର୍ଣ୍ଣ ଅଞ୍ଚଳରେ ପ୍ରସ୍ତୁତ କରାଯିବ। ଏକ ଟିିପି ସ୍କିମ୍‌ରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ହେବ: ୧- ସବୁ ଜମି କିମ୍ବା ନିର୍ମିତ ହୋଇଥିବା ଜମିର ପ୍ରଦର୍ଶନ। ୨- ଉଚ୍ଚ- ଖାଲ ଜମିର ସମତଳ। ୩- ନୂତନ ରାସ୍ତା ନିର୍ମାଣ। ୪- କୋଠାବାଡ଼ି ଓ ପୋଲ ନିର୍ମାଣ। ୫- ସ୍କିମ୍‌ରେ ଅନ୍ତର୍ଭୁକ୍ତ ହୋଇଥିବା ଜମିମାଲିକମାନଙ୍କ ମଧ୍ୟରେ ଜମିର ପୁନଃ ବଣ୍ଟନ। ୬- ରାସ୍ତା, ଖୋଲା ଜାଗା, ଉଦ୍ୟାନ, ଆମୋଦପ୍ରମୋଦ କେନ୍ଦ୍ର, ସ୍କୁଲ, ମାର୍କେଟ, ସବୁଜ ବଳୟ, ଗମନାଗମନ ସୁବିଧା ଓ ଜନସାଧାରଣଙ୍କ ସମସ୍ତ ବ୍ୟବହାର ପାଇଁ ଜମିର ବଣ୍ଟନ କିମ୍ବା ସଂରକ୍ଷଣ। ୭- ସମସ୍ତ ଆର୍ଥିକ ଶ୍ରେଣୀର ବ୍ୟକ୍ତିଙ୍କ ନିମନ୍ତେ ବାସଗୃହ ନିର୍ମାଣ। ବାଣିଜ୍ୟଭିତ୍ତିକ ଓ ଉଦ୍ୟୋଗଭିତ୍ତିକ ଅଞ୍ଚଳର ବିକାଶ। ୮- ନାଳ ନର୍ଦମା, ସ୍ବରେଜ, ଜଳ​‌େ​‌ଯାଗାଣ ଓ ଗ୍ୟାସ ଯୋଗାଣ ବ୍ୟବସ୍ଥା କରିବା ଇତ୍ୟାଦି।
ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ୍‌ ଧାରା ୨୩ ଅନୁସାରେ, ଉନ୍ନୟନ କର୍ତ୍ତୃପକ୍ଷ କୌଣସି ଅଞ୍ଚଳର ଟିପି ସ୍କିମ୍‌ ପ୍ରସ୍ତୁତ କରିବା ପୂର୍ବରୁ କେଉଁ ମୌଜାରେ କେତେ ଏକର ଜାଗାରେ ଏହା ପ୍ରସ୍ତୁତ କରିବ, ସେ ସମ୍ପର୍କରେ ଏକ ଆନୁଷ୍ଠାନିକ ପ୍ରସ୍ତାବ ମାଧ୍ୟମରେ ଇଚ୍ଛା ପ୍ରକଟ କରିବା ଆବଶ୍ୟକ। ଉନ୍ନୟନ କର୍ତ୍ତୃପକ୍ଷ ପ୍ରଥମେ ଏକ ଡ୍ରାଫ୍ଟ ଟିପି ସ୍କିମ୍‌, ତା’ପରେ ଏକ ପ୍ରାରମ୍ଭିକ ଟିପି ସ୍କିମ୍‌, ଓ ଶେଷରେ ଏକ ଅନ୍ତିମ ଟିପି ସ୍କିମ୍‌ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ନିମନ୍ତେ ଦାଖଲ କରିବେ। ଏକ ଡ୍ରାଫ୍ଟ ଟିପି ସ୍କିମ୍‌ରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ହେବ। ୧- ପ୍ରତି ମୂଳ ଜମିର ମାଲିକାନା, କ୍ଷେତ୍ର, ଅଧିକାରର ସମୟକାଳ। ୨- ବିଭିନ୍ନ ବିଷୟ ପାଇଁ ବ୍ୟବହାର ହେବାକୁ ଥିବା ଜମି ସମ୍ପର୍କିତ ସୂଚନା। ୩- ସ୍କିମ୍‌ରେ ହେବାକୁ ଥିବା ଖର୍ଚ୍ଚର ଆନୁମାନିକ ମୂଲ୍ୟ ଓ କର୍ତ୍ତୃପକ୍ଷଙ୍କ ତରଫରୁ ହେବାକୁ ଥିବା ଖର୍ଚ୍ଚର ମୂଲ୍ୟ। ୪- ଉଚ୍ଚାଖାଲ ଜାଗାକୁ ସମତଳ କରିବା ଇତ୍ୟାଦି।
ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଇତି ମଧ୍ୟରେ ୫୮ଟି ଗ୍ରାମର ୯୬୨୩.୨୮ ଏକର ଅଞ୍ଚଳରେ ୪୫ଟି ଟିପି ସ୍କିମ୍‌ କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ସେଥିମଧ୍ୟରୁ ନିର୍ଦ୍ଧାରିତ ରିଂ ରୋଡ଼ ସଂଲଗ୍ନ ୮ଟି ଟିପି ସ୍କିମ୍‌ କାର୍ଯ୍ୟକାରୀ କରିବା ନିମନ୍ତେ ଇଚ୍ଛାପ୍ରକଟ କରିଛି। ତନ୍ମଧ୍ୟରୁ ୪ଟି ଡ୍ରାଫ୍ଟ ସ୍କିମ୍‌ ସରକାରଙ୍କ ଅନୁମୋଦନ ଲାଭ କରିଛି। ସେଗୁଡ଼ିକ ହେଲା: ଟିପି ସ୍କିମ୍‌ – ୧- ସାହାଜପୁର, ନରଗୋବା, ସିଜିପୁର, ଓ ପାଇକରାପୁର, ୭୪୬.୭୦ ଏକର; ଟିପି ସ୍କିମ୍‌ -୨- ଟମାଣ୍ଡୋ, ବିଜିପୁର, ୧୯୯.୭୨ ଏକର; ଟିପିସ୍କିମ୍‌ ୩- ପାଇକରାପୁର, ନୂଆଗାଁ, ୨୮୦.୩୨ ଏକର; ଟିପି ସ୍କିମ୍‌ ୪- ଶ୍ୟାମସୁନ୍ଦରପୁର, ୩୬୭.୦୭ ଏକର। ନିମ୍ନଲିଖିତ ସଂଶୋଧନ ସହ ଏହି ସ୍କିମ୍‌ଗୁଡ଼ିକ ସରକାରଙ୍କ ଅନୁମୋଦନ ଲାଭ କରିଛି। (କ) ଯେହେତୁ ଏହା ସବୁଜ କ୍ଷେତ୍ର ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଯାଉଛି, ଭିତ୍ତିଭୂମି ବିକାଶ ମୁଖ୍ୟତଃ ରାସ୍ତା ଭିତ୍ତିଭୂମିର ସୀମିତ ରହି ପ୍ରାରମ୍ଭରେ କେବଳ ମଧ୍ୟବର୍ତ୍ତୀ ରାସ୍ତାଗୁଡ଼ିକର ବିକାଶ କରାଯିବ; (ଖ)ଏହାର ଖର୍ଚ୍ଚ ହିତାଧିକାରୀଙ୍କଠାରୁ ଅର୍ଥଦାନ, କର୍ତ୍ତୃପକ୍ଷଙ୍କ ନିଜସ୍ବ ପାଣ୍ଠି ଓ ବିସ୍ତୃତ ବିକାଶ ଯୋଜନା ପାଣ୍ଠିରୁ (ସିଡିପି) ହେବ; (ଗ) ନିଯୁକ୍ତି ପାଇଥିବା ମୂଲ୍ୟାୟନ ଅଧିକାରୀ ଏହି ଟିପି ସ୍କିମ୍‌କୁ ବିଚାରକୁ ନେଇ ପ୍ରାରମ୍ଭିକ ଟିପି ସ୍କିମ୍‌ ପ୍ରସ୍ତୁତ କରି ତାହା ସରକାରଙ୍କ ଅନୁମୋଦନ ନିମନ୍ତେ ପଠେଇବେ।
ଆମ ରାଜ୍ୟରେ ସର୍ବପ୍ରଥମେ କାର୍ଯ୍ୟକାରୀ ହେଉଥିବା ଟିପି ସ୍କିମ୍‌ ୧, ଭୁବନେଶ୍ବର ସହରାଞ୍ଚଳର ସାହାଜପୁର, ନରଗୋଦା, ସିଜିପୁର ଓ ପାଇକରାପୁର ଅଞ୍ଚଳରେ ଥିବା ୭୪୬.୬୦ ଏକର ଜମିରେ ଥିବା ବ୍ୟକ୍ତିଗତ ପ୍ଲଟଗୁଡ଼ିକ ନିୟମ ମୁତାବକ ଉନ୍ନତ ପ୍ଲଟରେ ପରିଣତ କରାଯିବ। ଏଠାରେ ଥିବା ସମୁଦାୟ ଜମିରେ ୨୫୦୦ଟି ପ୍ଲଟିଂ କରାଯିବ। ଏହାଦ୍ବାରା ୩୦୦୦ ପରିବାର ପ୍ରତ୍ୟକ୍ଷ ଭାବେ ଓ ହଜାରହଜାର ନାଗରିକ ପରୋକ୍ଷ ଭାବେ ଉପକୃତ ହେବେ। ଏଠାରେ ଏକ ନୂତନ ସହର ଗଢ଼ି ଉଠିବ ଯେଉଁଠାରେ ପ୍ରାୟ ଦେଢ଼ ଲକ୍ଷ ଲୋକ ବସବାସ କରିବେ। ଉଦ୍ଦେଶ୍ୟ ହେଉଛି ସେଠାକାର ଚାଷ ଓ ଗୋଚର ଜମିକୁ ଉନ୍ନୟନ କର୍ତ୍ତୃପକ୍ଷ ଜମିମାଲିକଙ୍କଠାରୁ ନେଇ ଭିତ୍ତିଭୂମି ନିର୍ମାଣ କରି​‌େ​‌ବ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏଥିଲାଗି ଜମିମାଲିକଙ୍କୁ ସେମାନଙ୍କ ୬୦ ପ୍ରତିଶତ ଜମି ଫେରସ୍ତ ଦିଆଯିବ ଓ ବାକି ୪୦ ପ୍ରତିଶତ ଭିତ୍ତିଭୂମି ନିର୍ମାଣ ପାଇଁ ବିନିଯୋଗ ହେବ। ଟିପି ସ୍କିମ୍‌ ୧ ପାଇଁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୬୦ ପ୍ରତିଶତ ଅଞ୍ଚଳ ହିତାଧିକାରୀଙ୍କ ନିମନ୍ତେ ଆବାସିକ ଅଞ୍ଚଳ ରହିବ। ୨୭.୮୭ ପ୍ରତିଶତ ଅଞ୍ଚଳରେ ରାସ୍ତା ନିର୍ମାଣ କରାଯିବ। ୩.୦୫ ପ୍ରତିଶତ ଅଞ୍ଚଳ ବାଣିଜ୍ୟ ଭିତ୍ତିକ ଓ ୨.୯୧ ପ୍ରତିଶତ ଅଞ୍ଚଳ ଆବାସିକ ଗୃହ ପାଇଁ ବିକ୍ରି କରାଯିବ। ୨.୮୭ ପ୍ରତିଶତ ଜମି ସର୍ବସାଧାରଣଙ୍କ ସମ୍ପୂର୍ଣ୍ଣ ଓ ଆଂଶିକ ବ୍ୟବହାର ପାଇଁ ଉପଯୋଗ ହେବ। ୧.୪୧ ପ୍ରତିଶତ ଜମି ପାର୍କିଂ ଓ ଖେଳପଡ଼ିଆ ପାଇଁ, ୦.୧୭ ପ୍ରତିଶତ ମୁକ୍ତ ବ୍ୟାବସାୟିକ ବ୍ୟବହାର ପାଇଁ, ୦.୩୫ ପ୍ରତିଶତ ଖୋଲା ସ୍ଥାନ, ୦.୮୪ ପ୍ରତିଶତ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ନିମନ୍ତେ ବାସଗୃହ ନିର୍ମାଣ ଓ ୦.୪୯ ପ୍ରତିଶତ ନାଳନର୍ଦମା ନିର୍ମାଣ ପାଇଁ ବ୍ୟବହାର କରାଯିବ।
ଉଲ୍ଲେଖଯୋଗ୍ୟ, ଜୁଲାଇ ୯, ୨୦୧୮ ଦିନ କେନ୍ଦ୍ର ସରକାର ଭୁବନେଶ୍ବର ସମେତ ଦଶର ୨୫ଟି ସହର ବିକାଶ ନିମନ୍ତେ ସହରାଞ୍ଚଳ ଯୋଜନା ସ୍କିମ୍‌ ପାଇଁ ଅନୁଦାନ ଘୋଷଣା କରିଛନ୍ତି। ଯେଉଁ ସହରତଳି ଅଞ୍ଚଳରେ ବିକାଶର ଅସମାନତା ରହିଛି ସେଠାରେ ସହରାଞ୍ଚଳ ଯୋଜନା ସ୍କିମ୍‌ ଅନୁଯାୟୀ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ସହରାଞ୍ଚଳ ଆବଶ୍ୟକତାକୁ ପୂରଣ କରାଯିବ।
ସହର ବିକାଶର ଏକ ମାଇଲ ଖୁଣ୍ଟଭାବେ ବିବେଚନା କରାଯାଉଥିବା ବହୁ ପ୍ରତୀକ୍ଷିତ ସହରାଞ୍ଚଳ ଯୋଜନା ସ୍କିମ୍‌ ମାଧ୍ୟମରେ ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବାକୁ ଥିବା ସୁପରିକଳ୍ପିତ ତଥା ଅତ୍ୟାଧୁନିକ ସହରର ସଫଳତା ରାଜ୍ୟର ଅନ୍ୟାନ୍ୟ ମୁଖ୍ୟ ସହରାଞ୍ଚଳ ପାଇଁ ଏକ ଦିଗଦର୍ଶନ ହେବ ନିଶ୍ଚୟ। ବିନା ଜମି ଅଧିଗ୍ରହଣ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ଏହି ଯୋଜନା ଜମିମାଲିକମାନଙ୍କ ପାଇଁ ଅଧିକ ଫଳପ୍ରଦ ହେବବୋଲି ଆଶା କରାଯାଏ। ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ନିମନ୍ତେ ବାସଗୃହ ନିର୍ମାଣ ଯୋଜନାରେ ଗରିବ ଲୋକମାନେ ଅଧିକ ଉପକୃତ ହେବେ। ଲ୍ୟାଣ୍ଡ ପୁଲିଂ ମାଧ୍ୟମରେ ବେସରକାରୀ ସଂସ୍ଥାମାନଙ୍କୁ ସମ୍ପୃକ୍ତ କରି ପ୍ରଣୀତ ହୋଇଥିବା ଏହି ଟିପି ଆଇନ୍‌ ଦେଶର ଅନ୍ୟାନ୍ୟ ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ହେବା ଆବଶ୍ୟକ।

Leave A Reply