ବିକାଶ ଆସୁଛି, ବିକାଶ

0

ଗୋବିନ୍ଦଚନ୍ଦ୍ର ତ୍ରିପାଠୀ

ଚାରିଆଡ଼େ ହୁରି ପଡ଼ିଛି ‘ବିକାଶ ଆସୁଛି, ବିକାଶ।’ ସିଏ ଆସିଲା କ୍ଷଣି କୁଆଡ଼େ ପରା ସୁଧୁରିଯିବ ସମସ୍ତଙ୍କ ଭାଗ୍ୟ ଆଉ ଭବିଷ୍ୟତ। ତେଣୁ ତା ଆସିବା ବାଟକୁ ଅନେଇ ରହିଛନ୍ତି କୋଉ ଅନାଦି କାଳରୁ ଦୁଃଖ ଭୋଗୁଥିବା କୂର୍ମପୃଷ୍ଠ ମଣିଷସବୁ। ହେଲେ ଏଇ ବିକାଶଟା ଦେଖିବାକୁ କେମିତି କଳା ନା ଗୋରା? ମୁଣ୍ଡର ବାଳ କୁଞ୍ଚୁକୁଞ୍ଚିଆ ନା ପୂରାପୂରି ସଳଖ? ଜିରାଫ୍‌ ପରି ଉଚ୍ଚା ନା ଠେକୁଆ ପରି ଛୋଟ। ହାତୀ ପରି ମୋଟାସୋଟା ନା ବୁଲା କୁକୁର ପରି ଲହଲହକା? କେମିତିକେମିତି ଜୀବଟିଏ ଏଇ ବିକାଶ? ଚାରିଗୋଡ଼ ବିଶିଷ୍ଟ ପଶୁପରି ନା ଦୁଇଗୋଡ଼ ବିଶିଷ୍ଟ ମଣିଷ ପରି କୌଣସି ଏକ ଜୀବ ସେ? ଅଥବା ଝରଜଳ ପରି ସରଳ, ତରଳ, ଶୁଦ୍ଧ ନିର୍ମଳ, ଚଳଚଞ୍ଚଳ ନା ନର୍ଦମା ପାଣି ପରି କିଟିକିଟି କାଳିଆ, ଦୁର୍ଗନ୍ଧିଆ ? ପ୍ରକୃତରେ ଏଇ ବିକାଶଟା ଦେଖିବାକୁ କେମିତି? ତା’ର ଆକାର ପ୍ରକାର ଆଉ ସ୍ବରୂପଟା କେମିତି? ଏପର୍ଯ୍ୟନ୍ତ ଆମ ସମସ୍ତଙ୍କ ଭିତରୁ କେହିଜଣେ ତାକୁ ଦେଖିଛନ୍ତି କି ନା ସନ୍ଦେହ? କେଜାଣି, କାଳେ ତାକୁ ଦେଖିଥିଲେ ଦେଖିଥାଇ ପାରନ୍ତି କୋଉ ବଡ଼ବଡ଼ ନେତା କି ତାଙ୍କ ଆତ୍ମୀୟସ୍ବଜନ, କୋଉ ଶିଳ୍ପପତି କି ଚୋରା ବେପାରୀ, ଖଣି ମାଫିଆ କି କଳାବଜାରୀ ଅଥବା ତାକୁ ଦେଖିଥିଲେ ଦେଖିଥାଇ ପାରନ୍ତି କୋଉ ବ୍ୟାଙ୍କ ଘୋଟାଲାକାରୀ କି ଟିକସଚୋର। ତଥାପି ଏବେ ଚାରିଆଡ଼େ ଶୁଭୁଛି ‘ବିକାଶ ଆସୁଛି, ବିକାଶ।’
ବିକାଶ ଆସିବ ବୋଲି ଏଇ କେଇବର୍ଷ ହେଲା ଘରେଘରେ ଲାଗିରହିଛି ଉତ୍ସାହ। ଭୋକିଲା ପେଟରେ ଓଦାକନା ଦେଇ ତା’ ଆସିବା ବାଟକୁ ଅପଲକ ନୟନରେ ଅନେଇ ରହିଛନ୍ତି ନିରନ୍ନ ମଣିଷମାନେ । ଆଶା, ବିକାଶ ଆସିଲେ ତାଙ୍କ ଭୋକିଲା ପେଟପାଇଁ ସାଙ୍ଗରେ ନେଇ ଆସିଥିବ ମହଣମହଣ ଦାନା। ଖାଲିପେଟରେ ନଳକୂଅର ପାଣି ପିଇ ଆଉ ଭୋକରେ ରହିବାକୁ ପଡ଼ିବ ନାହିଁ ତାଙ୍କୁ। ମାଛ ମହୁର ନହେଲା ନାହିଁ, କିିଛି ନହେଲେ ଶାଗପଖାଳ ତ ଖାଇବାକୁ ମିଳିବ ନିତିଦିନ। ହେଲେ ବିକାଶ କାହିଁ? ତା’ ଆସିବା ବାଟକୁ ଚାହିଁଚାହିଁ ପଥୁରେଇ ଗଲାଣି ଆଖି। ନଇଁ ଗଲାଣି ଅଣ୍ଟା। ଦେହ ବି ହେଲାଣି କଣ୍ଟା। ଅଥଚ ବିକାଶର ଦେଖାନାହିଁ। ତା’ ଆସିବାର ସାମାନ୍ୟତମ ସୂଚନା ବି ଦେଇପାରୁ ନାହାନ୍ତି ଅନାଗତ ଭବିଷ୍ୟତକୁ ତର୍ଜମା କରି ଅନର୍ଗଳ ଭାଷଣ ଝାଡ଼ି ପାରୁଥିବା ପାଣିପାଗର ଭାଷ୍ୟକାରମାନେ ମଧ୍ୟ। ଏମିତିକି ତା ଆସିବାର କୌଣସି ଏକ ନିର୍ଦିଷ୍ଟ ସମୟ ନିର୍ଘଣ୍ଟ ସ୍ଥିର କରିପାରୁ ନାହାନ୍ତି ସେଇ ଭବିଷ୍ୟତ ପ୍ରବକ୍ତା ପଣ୍ଡିତମାନେ, ଯେଉଁମାନେ ନିରନ୍ତର ଦାବି କରନ୍ତି; ଗ୍ରହ ଆଉ ରାଶିମାନଙ୍କ ଚଳନକୁ ଗଣନାକରି ଠିକ୍‌ଭାବେ ନିର୍ଣ୍ଣୟ କରିପାରନ୍ତି ମଣିଷର ଭାଗ୍ୟ ଆଉ ଭବିଷ୍ୟତ।
‘ବିକାଶ ଆସୁଛି, ବିକାଶ’। ଏକ ମନ, ଏକ ଧ୍ୟାନରେ ତା ଆସିବା ବାଟକୁ ଚାହିଁ ବସିଛି କିଶୋରୀ କନ୍ୟା। ବିକାଶ ଆସିଲେ ତା ପାଇଁ ଆଣିଦେବ ତା ମନଲାଖି ଜାମା। ଖାଇବାକୁ ଦେବ ଜାତିଜାତିକା ମିଷ୍ଟାନ୍ନ। ଏଇ ବିକାଶକୁ ନେଇ ଆଖିରେ ତା’ର ଆଖିଏ ସ୍ବପ୍ନ। ବିକାଶ ଆସିଲେ ଯାଇ ଘଟିବ ତା’ର ଶ୍ରୀବୃଦ୍ଧି। ଆନନ୍ଦରେ ଅଧରାତିରେ ବି ଏକାଏକା ଚଳପ୍ରଚଳ କରିପାରିବ ସେ ରାଜଦାଣ୍ଡରେ। ଏକାଏକା ନିର୍ବିଘ୍ନରେ ଯାଇପାରିବ ପୋଖରୀ ପାଣି। ସ୍କୁଲ କଲେଜ ଯାଇ ପଢ଼ିପାରିବ ପାଠ। କରିପାରିବ ଚାକିରି। କିଛି ନହେଲେ, ତା ପାଇଁ ସୁରକ୍ଷା କବଚ ହୋଇ ତା’ପଛେପଛେ ପ୍ରତିଟି କ୍ଷେତ୍ରରେ ଉଭା ହେଉଥିବ ତ ଏଇ ବିକାଶ। ହେଲେ କାହିଁ? କୁଆଡ଼େ ଗଲା ବିକାଶ? କେବେ ଆସିବ ସେ? ଏବେ ଚାରିଆଡ଼େ ତ ଖାଲି ବିଲୁଆ ଶାଗୁଣାଙ୍କ ଭିଡ଼। ଯାହାଙ୍କ ଭିଡ଼ଚିରି ରାଜଦାଣ୍ଡକୁ ଅନେଇବାକୁ ବି ଭୟ କରୁଛି ଅନୂଢ଼ା କିଶୋରୀ। ତଥାପି ଆଶା ତା’ର ମରିନାହିଁ। ବିକାଶ ଆସିବ। ଆଜି ନହେଲେ କାଲି, ଜରୁର୍‌ ଆସିବ। ତା’ ଆସିବା ବାଟକୁ ଚାହିଁଚାହିଁ ପାଷାଣ ପ୍ରତିମା ହୋଇଗଲାଣି କିଶୋରୀ। ତଥାପି ବିକାଶର ଦେଖାନାହିଁ। ତା ଆସିବାର ସୂଚନା ମଧ୍ୟ ମିଳିପାରୁନି ତାକୁ।
ବିକାଶର ଆସିବା ବାଟକୁ ଅନେଇ ଅନେଇ ବୁଢ଼ା ହୋଇଗଲେଣି ଚାକିରି ଆଶାୟୀ ଯୁବକ ସବୁ। ଅଶରୀରୀ ହୋଇଗଲେଣି ସାହାଯ୍ୟ ଆଶାୟୀ ବୁଢ଼ାବୁଢ଼ୀ, ଅସହାୟ ବିଧବା ଆଉ ଦିବ୍ୟାଙ୍ଗମାନେ। ବିଲରେ ଖଟୁଖଟୁ କଇଁଛ ପାଲଟି ଗଲେଣି ଚାଷୀ। ଇଟାଭାଟିରେ ମାଟି ହୋଇ ଗଲେଣି ଦାଦନ ଶ୍ରମିକ। ଦାରିଦ୍ର୍ୟ ଯୋଗୁଁ ଉଜୁଡ଼ି ଗଲାଣି କେତେକେତେ ଘର, ପରିବାର। ନିଜ ଭଙ୍ଗା ଚାଳିଆର ଛପର ତଳୁ ଅନାୟାସରେ ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଦେଖିପାରୁଥିବା ଅସହାୟା ସ୍ତ୍ରୀ ଲୋକଟି ଯାହା କେବେ କେମିତି ଘର ଭିତରୁ ରାସ୍ତା ଉପରକୁ ବାହାରି ଆସି ଦୂର ଦିଗ୍‌ବଳୟ ପର୍ଯ୍ୟନ୍ତ ଶୂନ୍ୟଦୃଷ୍ଟିରେ ଅନେଇ ରହୁଛି ବିକାଶର ଆସିବା ବାଟକୁ ଚାହିଁ। ହେଲେ ବିକାଶ କାହିଁ? କୋଉଠି ରହିଗଲା ସେ ଏତେବେଳ ପର୍ଯ୍ୟନ୍ତ?
ସେଦିନ ଗୋଟିଏ ଭରାସଭା ମଧ୍ୟରେ ବିକାଶର ରଙ୍ଗିନ୍‌ ଚିତ୍ର ଦେଖାଉଥିଲେ ଜନୈକ ନେତା। ‘‘ଏଇ ବିକାଶଟା ଏକ ଅଲୌକିକ ଈଶ୍ବର। ହାଡ଼ଭଙ୍ଗା ଶୀତରେ ସୁଖ ଆଉ ସମୃଦ୍ଧିର ବାର୍ତ୍ତାନେଇ ଧରାକୁ ଏକାଏକା ଓହ୍ଲେଇ ଆସୁଥିବା ଦେବଦୂତ ସାନ୍ତାକ୍ଲଜ୍‌ ସେ। ସିଏ ଆସିଲେ ମେଘରୁ ବର୍ଷିବ ମହୁ। ବିଲରେ ଫଳିବ ସୁନା। ଗଛରୁ ଝଡ଼ିବ ଅମୃତ ଫଳ। ଘୃତ ପ୍ରବାହିନୀ ହେବେ ନଈ ଆଉ ଝରଣା। ସମସ୍ତଙ୍କୁ ମିଳିବ ଚାକିରି। କେହି ରହିବେନି ବେକାର। କେହି ରହିବେନି ଭୋକିଲା। ଘିଅ ଖାଇ କ୍ଷୀରରେ କୁଳି କରିବେ ଲୋକେ। ପକ୍କା ସଡ଼କ, ଡାକ୍ତରଖାନା, ସ୍କୁଲ, କଲେଜ୍‌, କୌଣସିର ଅଭାବ ରହିବନି ଆଉ। ଦିଲ୍ଲୀରୁ ପଲ୍ଲୀ କାହିଁ ହେଲେ ଦାରିଦ୍ର୍ୟ ଦେଖେଇ ପାରିବନି ଭାଉ। ଗାଆଁରେ ଗାଅାଁରେ ଗଢ଼ାହେବ କଳକାରଖାନା। କେହି ବୁଲିବେନି ହେଇ ବାନା। ଏଇ ବିକାଶ ଆସିବା ମାତ୍ରେ, ମାଳମାଳ କାମଥିବ ସମସ୍ତଙ୍କ ହାତେ। ପେଟକୁ ମିଳିବ ଭାତ। ମୁଣ୍ଡକୁ ମିଳିବ ଛାତ। ଦେହକୁ ମିଳିବ ଲୁଗା। ପାଦକୁ ମିଳିବ ଜୋତା। ଦେଶରେ ଆଉ କେହି ରହିବେନି ଅସହାୟ, ନିଃସହାୟ, ଗରିବ କି ବେକାର। ଖାଲି ଧୈର୍ଯ୍ୟଧରି ଟିକେ ଅପେକ୍ଷା କର। ଅପେକ୍ଷା କର ଏଇ ବିକାଶ ଯେତେବେଳେ ଆମ ଦେଶକୁ ଆସିବ ଦିନରାତି ସବୁଠି ଖାଲି ଲାଗି ରହିଥିବ ଆନନ୍ଦର ମହୋତ୍ସବ।’’ ବଡ଼ ଆଗ୍ରହରେ ଓଟପରି ମୁଣ୍ଡଟେକି ନେତାଙ୍କ କଥାକୁ ପିଇ ଯାଉଥିଲେ ଲୋକେ। ସ୍ବପ୍ନ, ଦିବାସ୍ବପ୍ନ, ବିକାଶର ସ୍ବପ୍ନ ଦେଖିବାକୁ ଆରମ୍ଭିଥିଲେ ଥୋକେ।
ଭାରତୀ କୁଟୀର, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର
tgovindachandra@gmail.com

Leave A Reply