କାହା ସ୍ବାର୍ଥରେ ‘ଜନଆନ୍ଦୋଳନ’?

0

ରାଜେନ୍ଦ୍ରନାରାୟଣ ଦାସ

ଆନ୍ଦୋଳନ କେବେହେଲେ ଅର୍ଥହୀନ ନୁହେଁ। ଏହା ମଧ୍ୟ ସତ୍ୟ ଯେ ଯେଉଁମାନେ କ୍ଷମତାରେ ଥାଆନ୍ତି ସେଇମାନଙ୍କ ବିରୁଦ୍ଧରେ ହିଁ ଆନ୍ଦୋଳନ କରାଯାଏ। ଯିଏ କ୍ଷମତାରେ ଥାଏ, ସିଏ କିନ୍ତୁ ଆନ୍ଦୋଳନକୁ ଅର୍ଥହୀନ ବୋଲି କହେ। କାରଣ ସିଏ ସବୁ କିଛି ଠିକ୍ ଅଛି ବୋଲି ଭାବୁଥାଏ ଓ ସେ ନିଜ ବ୍ୟତୀତ ଆଉ କିଛି ଦେଖିପାରୁନଥାଏ।
ଆମ ଓଡ଼ିଶାରେ ଅନେକ ଆନ୍ଦୋଳନ ଚାଲିଛି। ଏଇ ଯେମିତି ଚାଷୀ ଆନ୍ଦୋଳନ, ଶିକ୍ଷକ ଆନ୍ଦୋଳନ, ଚିଟ୍‌ଫଣ୍ଡ୍ ଆନ୍ଦୋଳନ, ଭାଷା ଆନ୍ଦୋଳନ ଓ ଏମିତି କେତେ। ଏଇ ଅବକାଶରେ କେତେକେତେ ବନ୍ଦ୍ ଓ ହରତାଳ ତାହା ତ ଆଜିକାଲି ଏକ ନିତିଦିନିଆ କଥା ହୋଇଗଲାଣି। ଏଇ ଆନ୍ଦୋଳନଗୁଡ଼ାକ କ’ଣ ଅର୍ଥହୀନ? କଦାପି ନୁହେଁ। ମଣିଷମାନେ ଯେତେ ସଚେତନ ହେଉଛନ୍ତି, ସେତିକି ପରିମାଣରେ ସେମାନଙ୍କ ଉପରେ ଜାରି ହୋଇ ରହିଥିବା ଅନ୍ୟାୟ, ଅସନ୍ତୋଷ ଓ ଅସୁନ୍ଦରତାଗୁଡ଼ିକୁ ଆବିଷ୍କାର କରିବାକୁ ସେମାନେ ସମର୍ଥ ହେଉଛନ୍ତି। ତେଣୁ ଆନ୍ଦୋଳନ ସବୁ ଜନ୍ମଲାଭ କରୁଛି, ଏଥିରେ ଦ୍ୱିମତ ନାହିଁ।
କ୍ଷମତାରେ ଥିବା ଶାସକଗୋଷ୍ଠୀ ଆନ୍ଦୋନକାରୀମାନଙ୍କୁ ଦମନ କରିବାକୁ ପୁଲିସର ସାହାଯ୍ୟ ନେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଶାସକମାନଙ୍କୁ ଓଡ଼ିଶା ନାମକ ଭୂଇଁଟି ଯେତେ ଆପଣାର ମନେ ହେଉଥିଲେ ହେଁ ଓଡ଼ିଶା ଭିତରେ ଅନେକଗୁଡ଼ିଏ ସମସ୍ୟା ଭର୍ତ୍ତି ହୋଇଗଲାଣି। ଏଇ ସମସ୍ୟାଗୁଡ଼ିକ ସାଧାରଣ ସମସ୍ୟା ନୁହେଁ ଯାହାକୁ ଜଣେ ସାଧାରଣ ମାମୁଲି ମଣିଷ ସହିଯାଇପାରିବ। ତେଣୁ ଏଇ ସମସ୍ୟାଗୁଡ଼ିକ ବିରୁଦ୍ଧରେ ଆନ୍ଦୋଳନ ହେବ ହିଁ ହେବ।
ଆଜିର ଶାସକମାନେ ମଣିଷମାନଙ୍କୁ ଦେଖନ୍ତି ନାହିଁ। ସେମାନେ କେବଳ ନିଜର ପ୍ରତିପତ୍ତିକୁ ଦେଖନ୍ତି। କିପରି ଭୋଟ ପାଇବେ ତାହା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ। ଦେଶ ପଛେ ନର୍କକୁ ଯାଉ। ସେମାନେ ଚିରଦିନ ପାଇଁ ଆକାଶରେ ଧ୍ରୁବତାରା ହୋଇ ରହିବାକୁ ସଦାସର୍ବଦା ଚେଷ୍ଟିତ। ସେଥିପାଇଁ ଆଇନଗୁଡ଼ାକ ଅଧ୍ୟାଦେଶରେ ପରିଣତ ହୁଏ। ଆନ୍ଦୋଳନ ହୁଏ, ବାଟ ଫିଟିବାର ଉଦ୍ୟମ ହୁଏ। ଯେତେବେଳେ ଆଇନ ଭାଙ୍ଗିଲେ ଦଣ୍ଡ ମିଳେନାହିଁ, ସେତେବେଳେ ଆଇନ ଭାଙ୍ଗିବା ଏକ ଫେସନରେ ପରିଣତ ହୋଇଯାଏ। ଏପରି ପରିସ୍ଥିତି ଆଜିକାଲି ଦେହଘଷା ହୋଇଯାଇଛି। ଆଜିର ଦୁନିଆରେ ଏପରି ପ୍ରତିବାଦର କ’ଣ ପ୍ରଭାବ ଅଛି ଓ କାହା ସ୍ୱାର୍ଥରେ ଆଜି ଆନ୍ଦୋଳନଗୁଡ଼ିକ ଜନ୍ମ ନେଉଛି, ଏ ବିଷୟରେ ସାମାନ୍ୟ କିଛି ଆଲୋଚନା କରିବା ହେଉଛି ଏହି ପ୍ରବନ୍ଧର ବିଷୟବସ୍ତୁ।
ମନେ ପଡ଼ିଯାଏ ଗତବର୍ଷ ୧୯ ଜୁନର କଥା। ଗୋଟିଏ ଅଗ୍ରଣୀ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ପଢ଼ିଥିଲି: ‘‘ରଜଛୁଟି ସରିଗଲା ପରେ ନୂଆ ସପ୍ତାହ ଆରମ୍ଭ ହେଲା। ସେଦିନ ଆମ ରାଜ୍ୟରେ ତିନି ତିନିଟା ଦଳ ପ୍ରତିବାଦର ସଭା ଏବଂ ଶୋଭାଯାତ୍ରା ଆରମ୍ଭ କରିଦେଲେ। ଫଳ ହେଲା ରାଜଧାନୀରେ ଓ କେତେକ ଜିଲାର ସଦର ମହକୁମାରେ ଜନଜୀବନ ଅସ୍ତବ୍ୟସ୍ତ ହେଲା। ଶାସକ ବିଜୁ ଜନତା ଦଳ(ବିଜେଡ଼ି)ର ଯୁବ ଓ ଛାତ୍ର ବାହିନୀ ଛତିଶଗଡ଼ ସହ ମହାନଦୀ ଜଳ ବିବାଦର ସମାଧାନ ତଥା ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦିଆଯାଉ ଦାବି ଉପରେ, କଂଗ୍ରେସ କର୍ମୀମାନେ ଢେଙ୍କାନାଳ କଙ୍କଡ଼ାହାଡ଼ ଗାଁର ଜଣେ ବିଧବା ଉପରେ ହୋଇଥିବା ବଳାତ୍କାର ଓ ହତ୍ୟା ପାଇଁ ନ୍ୟାୟ ଦାବି କରି ତଥା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଙ୍ଗିନ ହେଉଥିବାରୁ ତାହାର ପ୍ରତିବାଦ କରି ଏବଂ ଭାରତୀୟ ଜନତା ପାର୍ଟି (​ବି‌େଜପି)ର ଯୁବମୋର୍ଚ୍ଚା ରାଜ୍ୟ-ପ୍ରଶାସନରେ ଚାଲିଥିବା ଭ୍ରଷ୍ଟାଚାର ବିଶେଷତଃ ପିସି ଆଦାୟ ବିରୋଧରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରତିବାଦ ସଭା ସହ ଶୋଭାଯାତ୍ରା କରିଥିଲେ।”
ଏଇ ଗୋଟିଏ ଉଦାହରଣ ଅନେକ କଥା କହେ। ତିନୋଟିଯାକ ମୁଖ୍ୟ ରାଜନୈତିକ ଦଳ କେବଳ ନିଜ ଦଳର ସ୍ୱାର୍ଥ ହାସଲ ପାଇଁ ଏଇ ଆନ୍ଦୋଳନର ଡାକରା ଦେଇଛନ୍ତି। ଆନ୍ତର୍ଜାତିକ କ୍ଷେତ୍ରରେ ଆମର ରାଜନେତାମାନଙ୍କର ବଦନାମ ବିଷୟରେ ଆଲୋଚନା କରିବା ନିଷ୍ପ୍ରୟୋଜନ। ସମୟାନୁଯାୟୀ ଏମାନେ ନିଜର ରୂପଭେକ ବଦଳାନ୍ତି। ଏଇ ଆନ୍ଦୋଳନଗୁଡ଼ିକ ମାଧ୍ୟମରେ ସାଧାରଣ ଓ ନିରୀହ ଲୋକମାନଙ୍କୁ ଯନ୍ତ୍ର ପରି ବ୍ୟବହାର କରିବାର ଶୈଳୀ ଓ କଳାକୌଶଳ ସେମାନଙ୍କୁ ଭଲ ଭାବରେ ଜଣା। ନିଜର ସ୍ୱାର୍ଥସିଦ୍ଧି ବା ଲକ୍ଷ୍ୟଭେଦର ଯଜ୍ଞରେ ଆମର ରାଜନେତାମାନେ ସମସ୍ତଙ୍କୁ ବଳି ପକାଇ ଦେଇପାରନ୍ତି। ଦେଶସେବା ବା ମାନବସେବା ଇତ୍ୟାଦି ଶବ୍ଦ ଏମାନଙ୍କର କେବଳ କଥାରେ, କାର୍ଯ୍ୟରେ କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଯେନତେନ ପ୍ରକାରେ, ଛଳେବଳେ, କୌଶଳେ, ପାହାଚପାହାଚ ଚଢ଼ି ନିଜେ ଉପରକୁ ଚଢ଼ିଯିବା ଏମାନଙ୍କର ଜୀବନର ଏକମାତ୍ର ଲକ୍ଷ୍ୟ। କୃତଜ୍ଞତାବୋଧ, କର୍ତ୍ତବ୍ୟବୋଧ, ନୀତି, ଆତ୍ମସମୀକ୍ଷା, ଅନୁଶୋଚନା, ପ୍ରେମପ୍ରୀତି ଇତ୍ୟାଦି ନୀତିଶବ୍ଦକୁ ଏମାନେ ଗୋଇଠାମାରି ଦୂରକୁ ଠେଲି ଦେଇପାରନ୍ତି। ତେଣୁ ଆମର ଗଣତନ୍ତ୍ର ଆଜି ବିପନ୍ନ। ଆମର ଗଣତନ୍ତ୍ର ଆଜି ଏକ ଭାଣ୍ଡ ଗଣତନ୍ତ୍ରରେ ପରିଣତ ହୋଇଯାଇଛି।
ନିଜକୁ ପ୍ରଶ୍ନ କରିବା, ବର୍ଷବର୍ଷ ଧରି ଅନେକ ଆନ୍ଦୋଳନ ସତ୍ତ୍ୱେ ଆମ ଓଡ଼ିଶାରେ ଆଜି କାହିଁକି ବିପ୍ଳବର ବ୍ୟର୍ଥତା? କାହିଁକି ଆନ୍ଦୋଳନଗୁଡ଼ିକର ମହାଯାତ୍ରା ହେଉଛି? ଏଇ ପ୍ରଶ୍ନଗୁଡ଼ିକ ଅନେକ ସଚେତନ ନାଗରିକଙ୍କ ପରି ମୋ ଭଳି ଜଣେ ପ୍ରବାସୀ ଓଡ଼ିଆର ମନକୁ ବାରମ୍ବାର ଆନ୍ଦୋଳିତ କରେ। କାରଣ, ଜର୍ମାନୀରେ ଏହାର ଅବସ୍ଥା ବିପରୀତ।
ଆଜି ପରିଣତ ବୟସରେ ଏଇ ପରିସ୍ଥିତିକୁ ଦେଖିଲେ ଭୟ ଲାଗେ। ମୋର ମନେହୁଏ, ଆମ ଓଡ଼ିଶାରେ ବୋଧହୁଏ ବିପ୍ଳବୀମାନଙ୍କ ଗଛ ଉଧେଇ ପାରୁନାହିଁ। ଆମ ଆଖି ଆଗରେ କେତେକେତେ ସମସ୍ୟା ଜୀବନ୍ତ ହୋଇ ଠିଆ ହୋଇଛି। ଉଦାହରଣ ସ୍ୱରୂପ, ଦରବୃଦ୍ଧି, ବେକାରୀ, ଅକଳ୍ପନୀୟ ଭ୍ରଷ୍ଟାଚାର ଓ ତା’ ସାଙ୍ଗକୁ ଯୋଡ଼ି ହୋଇଛି ନାରୀ ନିର୍ଯାତନା ଓ ଚାଷୀ ଆତ୍ମହତ୍ୟା ଇତ୍ୟାଦି। ଭାବି ଦେଖିଲେ, ଆଜି ଆମ ଦେଶରେ ଏକପ୍ରକାର “ଅଘୋଷିତ ଜରୁରୀ ପରିସ୍ଥିତି”। ପ୍ରକୃତ ଆନ୍ଦୋଳନ କାହିଁ? ଏତେ ଛୋଟବଡ଼ ଆନ୍ଦୋଳନ, କିନ୍ତୁ ତା’ର ମିଶାଣଫଳ କଣ? ସତରେ କହିଲେ, ଆନ୍ଦୋଳନମାନଙ୍କର ଦିଗ୍‌ଦର୍ଶକମାନେ ଯଦି ଭୁଲ ଗୁଳାରେ ଯାଆନ୍ତି ତେବେ ଆନ୍ଦୋଳନର ଲକ୍ଷ୍ୟ କେବେହେଲେ ହାସଲ ହୁଏନାହିଁ। ବନ୍ଦ୍ ଓ ହରତାଳରୁ ମଧ୍ୟ ସୁଫଳ ମିଳେନାହିଁ। ଏହା କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ଅବସ୍ଥା ଏକାପରି।
ସମାଜର ଦୁଃଖବେଦନାକୁ ଆନ୍ଦୋଳନକାରୀମାନେ ଲୋକଙ୍କ ପାଖରେ ପହଞ୍ଚାଇ ପାରୁନାହାନ୍ତି ନା ନିଜେ ମଧ୍ୟ ମୂଳ ସମସ୍ୟା ପାଖରେ ପହଞ୍ଚି ପାରୁନାହାନ୍ତି ଏହା ମଧ୍ୟ ବିଚାରର ବିଷୟ। ସ୍ୱାଧୀନତା ପାଇବା ପରେ ସମସ୍ତେ ଦେଶକୁ ଗଢ଼ିବା ପାଇଁ ଲାଗି ପଡ଼ିଥିଲେ। ଆଉ ଦଳେ କ୍ଷମତାରେ ରହି ଲୁଚିଲୁଚି ଧନ ଅର୍ଜନ କରିବାରେ ମସ୍ତ ରହିଲେ। ସେମାନଙ୍କ ଭିତରୁ ଅନେକ ଆଜି କୋଟିପତି ବା ଅର୍ବୁଦପତି। ସେମାନେ ରାଜକୋଷକୁ ଲୁଟିଲେ, ଲୋକଙ୍କୁ ଠକିଲେ ଓ ନେତାମନ୍ତ୍ରୀ ହେଲେ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ସେଇ ଲୁଟିଆମାନେ କ୍ଷମତାକୁ ଜାବୁଡ଼ି ଧରିଛନ୍ତି। ସେଥିପାଇଁ ଆଜି ବି କୋଟିକୋଟି ଭାରତୀୟ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ। ଏକଥା କାହାକୁ ଅଛପା ଅଛି କି? ପୂର୍ବରୁ ଯେତେ ଆନ୍ଦୋଳନ ହୋଇଥିଲା ସେଗୁଡ଼ିକ ନିର୍ଦିଷ୍ଟ ଲକ୍ଷ୍ୟ ଓ ଆଦର୍ଶରେ ପରିଚାଳିତ ହୋଇଥିବାରୁ ସଫଳ ହୋଇଥିଲା।
ପୁଣି ମୂଳ ପ୍ରସଙ୍ଗକୁ ଆସିବା। ଆଜି ଓଡ଼ିଶାର ରାଜନୀତିକ ପରିବେଶ ଏକ ବିଚିତ୍ର ଅବସ୍ଥା ଦେଇ ଗତି କରୁଛି। ଜନମତର କୌଣସି ପ୍ରାସଙ୍ଗିକତା ନାହିଁ। ବର୍ତ୍ତମାନ ଏଠାରେ ସବୁପ୍ରକାର ପ୍ରତିବାଦ, ବିକ୍ଷୋଭ ପ୍ରଭାବଶୂନ୍ୟ ହୋଇଯାଇଛି। ବିରୋଧୀ ଦଳଗୁଡ଼ିକ ତଥାକଥିତ ଆନ୍ଦୋଳନ ମାଧ୍ୟମରେ ​‌େ​‌କବଳ ନିଜର ଶକ୍ତି ପ୍ରଦର୍ଶନକୁ ଗୁରୁତ୍ୱ ଦେଇ ବାହାବା’ ନେବାରେ ଗୁରୁତ୍ୱ ଦେଉଛନ୍ତି। କ୍ଷମତାସୀନ ସରକାର ମଧ୍ୟ “କେନ୍ଦ୍ରର ଅବହେଳା”ର ଦ୍ୱାହି ଦେଇ ଆନ୍ଦୋଳନର ଡାକରା ଦେବାକୁ ପଛାଉ ନାହିଁ। ଏହାଠାରୁ ହାସ୍ୟାସ୍ପଦ ଘଟଣା ଆଉ କ’ଣ ହୋଇପାରେ? ଏପରି ପରିସ୍ଥିତିରେ ଲୋକଙ୍କ ସମସ୍ୟା ସମାଧାନ ଉପରେ ତିଳେହେଲେ ଗୁରୁତ୍ୱ ଦିଆଯାଉନାହିଁ। ଅନେକ କ୍ଷେତ୍ରରେ ଯେଉଁ ଲୋକମାନେ ଆନ୍ଦୋଳନ ମାଧ୍ୟମରେ ବନ୍ଦ୍ ଡାକରାରେ ସାମିଲ ହେଉଛନ୍ତି ସେମାନେ କ’ଣ ସ୍ୱଇଚ୍ଛାରେ ସାମିଲ ହେଉଛନ୍ତି? େସମାନଙ୍କୁ ସଂପୃକ୍ତ ଦଳ ପକ୍ଷରୁ ଅଣାଯାଉଛି। ସେଥିପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଭଡ଼ାଟିଆ ଲୋକଙ୍କୁ, ଅବୋଧ ପିଲା ଓ ଦିନ ମଜୁରିଆ ନରନାରୀଙ୍କୁ ପାରିଶ୍ରମିକ ଦେଇ ପ୍ଲାକାର୍ଡ଼ ଧରି ଚାଲିବାର ଅଭିନୟରେ କ’ଣ ପ୍ରତିବାଦ ଶକ୍ତି ବଢ଼ିଯାଏ କି? ଏହାଦ୍ୱାରା କେବଳ ସମାଜ ଅଚଳ ହୁଏ ଓ ସାଧାରଣ ଲୋକଙ୍କ ଜୀବନଯାପନ ବ୍ୟାହତ ହୁଏ। ଏହା ନିଶ୍ଚିତ ଭାବେ ଏକ “ରାଜନୀତିକ ପ୍ରସଙ୍ଗ”, କେବେହେଲେ ଏକ ଆନ୍ଦୋଳନ ବା ବନ୍ଦ୍ ଡାକରା ନୁହେଁ।
ପ୍ରବନ୍ଧର ଶେଷରେ ନିଷ୍କର୍ଷରେ କୁହାଯାଇପାରେ ଯେ ଆଜିର ଅଧିକାଂଶ ଆନ୍ଦୋଳନ ଏକ ଆନ୍ଦୋଳନ ନୁହେଁ, ଗୋଟିଏ ଗୋଟିଏ “ରାଜନୀତିକ ମଇଦାନ”। ସ୍ୱାର୍ଥପର ରାଜନେତାମାନେ ଆନ୍ଦୋଳନର ମାର୍ଗଦର୍ଶକ ହେଲେ ସେମାନେ ବିଶ୍ୱାସଘାତକ ନହେଲେ ବି ଗୃହଶତ୍ରୁ ନିଶ୍ଚୟ ହେବେ। ଆମ ନେତାମାନେ ପ୍ରଚଣ୍ଡ ସୁବିଧାବାଦୀ, ଆଉ ମଧ୍ୟ ଅର୍ଥନୈତିକ ସୁବିଧାବାଦୀ। ନିର୍ବାଚନ ଋତୁରେ ଲୋକଙ୍କୁ ସ୍ୱର୍ଗରୁ ପାରିଜାତ ଆଣିଦେବା ଭଳି କେତେକେତେ ମୋହଗ୍ରସ୍ତ ପ୍ରତିଶ୍ରୁତି। ଭୋଟ ସରିଲେ ଏହାର ପରିଣତି କ’ଣ ହୁଏ ତାହା ଆମକୁ ଅଜଣା ଅଛି କି?
ସମୟର ପରିବର୍ତ୍ତନ ସହ ଏ ସଂସାରରେ ପ୍ରତ୍ୟେକ କଥା ଓ କାର୍ଯ୍ୟର ସଂଜ୍ଞା ବି ବଦଳେ। ଏହା ଦୁନିଆର ରୀତି। ପ୍ରାଚୀନ କାଳରେ ଉତ୍ପୀଡ଼କ ଶାସକଙ୍କ ବିରୋଧରେ ପ୍ରଜାମାନେ ଆନ୍ଦୋଳନ କରିବାର ଅନେକ ନଜିର ରହିଛି। ମଧ୍ୟଯୁଗରେ ତ ଏଭଳି ଆନ୍ଦୋଳନ ବିଶ୍ୱବ୍ୟାପୀ ଦେଖାଯାଇଥିଲା। ବିଂଶ ଶତାବ୍ଦୀ କିନ୍ତୁ ଆନ୍ଦୋଳନର ପରିଭାଷା ବଦଳାଇ ଦେଇଥିଲା। ଏହା କେବଳ ଅସ୍ତ୍ର ରୂପେ ବ୍ୟବହୃତ ହୋଇନଥିଲା ଏହାକୁ ମାଧ୍ୟମ କରି ଅନେକ ସ୍ୱାର୍ଥ ହାସଲ କରାଯିବାର ଏକ ନୂଆ ଓ ନିଆରା ପରମ୍ପରା ସୃଷ୍ଟି ହୋଇଥିଲା। ସମ୍ଭବତଃ ଏକବିଂଶ ଶତାବ୍ଦୀରେ ଆନ୍ଦୋଳନ ଏକ ନୂଆ ସଂଜ୍ଞା ସନ୍ଧାନରେ ରହିଛି। ହୋଇପାରେ ତାହା ‘ଗାନ୍ଧିଆନ ଭିଜନ ୱିଥ୍‌ ମାକିଆଭେଲିଆନ ମିଶନ’! ଗାନ୍ଧୀ, ମାଣ୍ଡେଲା କି ମାର୍ଟିନ ଲୁଥର କିଙ୍ଗ୍ ଜୁନିଅରମାନେ ଯଦି ଆସି ଏବେ ସଶରୀରେ ଆଜିର ଆନ୍ଦୋଳନ ଦେଖନ୍ତି ତେବେ ସେମାନେ ବି ସମୟର ଆବଶ୍ୟକତା ଦୃଷ୍ଟିରୁ କିଛି ଶିକ୍ଷାଲାଭ କରିବେ!
ଯଦୁମଣିଙ୍କ ଭାଷାରେ-“ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ”। ଏଇଥିପାଇଁ ବୋଧହୁଏ ଆନ୍ଦୋଳନ ନାମକ ଗଛଟିଏ ଓଡ଼ିଶା ଭୂଇଁରେ ଉଧଉନାହିଁ! ଏହାର କାରଣ ଯିଏ ଖୋଜିବେ ଖୋଜନ୍ତୁ।

Leave A Reply