ମହାଷ୍ଟମୀ ପାଇଁ ପୁଲିସ୍‍ର କଡ଼ା ସୁରକ୍ଷା ବ୍ୟବସ୍ଥା

0

କଟକ : ପାର୍ବଣ ପାଇଁ ସହର ଉତ୍ସବମୁଖର ହୋଇଉଠିଛି। ରଙ୍ଗବେରଙ୍ଗର ଆଲୋକ ସାଙ୍ଗକୁ ପୂଜା ମଣ୍ଡପଗୁଡିକରେ ଆକର୍ଷଣୀୟ ସାଜସଜ୍ଜା ସହରକୁ ନବବଧୂରୂପ ଦେଇଛି। ବିଭିନ୍ନ ପୂଜା ମଣ୍ଡପରେ ମା’ଦୁର୍ଗା ଓ ହରପାର୍ବତୀଙ୍କ ମୃଣ୍ମୟମୂର୍ତ୍ତି ପୂଜା ପାଉଛନ୍ତି। ପାର୍ବଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡାକବାଜିଯନ୍ତ୍ର ଓ ବାଜାବାଣ ଉପରେ କଟକଣା ଜାରି କରାଯାଇଛି। ଆସନ୍ତାକାଲି ମଣ୍ଡପରେ ମହାଷ୍ଟମୀ। ପାର୍ବଣ ପାଇଁ ୧୫ତାରିଖଠାରୁ ଅପରାହ୍ଣ ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି। ୱାନୱେ ଟ୍ରାଫିକ ନିୟମ କଡାକଡିଭାବେ ପାଳନ କରାଯାଉଛି।
ଚଳିତବର୍ଷ ସହରରେ ମୋଟ ୧୬୦ଟି ମଣ୍ଡପରେ ମା’ ଦୁର୍ଗା ଓ ହରପାର୍ବତୀଙ୍କ ମୃଣ୍ମୟମୂର୍ତ୍ତି ପୂଜା ପାଉଛନ୍ତି। ମା’ଙ୍କ ପୂଜା ଆକର୍ଷଣୀୟ କରିବା ପାଇଁ ଅଧିକାଂଶ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ସହରର ୨୪ଟି ପୂଜା କମିଟି ଚାନ୍ଦିମେଢ ନିର୍ମାଣ କରିଛନ୍ତି। ସେହିପରି ସୁୁନା ମୁକୁଟ ପ୍ରତିଯୋଗିତାରେ ଏଥର ଖାନନଗର ପୂଜା କମିଟି ସାମିଲ ହୋଇଥିବାରୁ ସଂଖ୍ୟା ୭ରେ ପହଞ୍ଚିଛି। ଚାନ୍ଦିମେଢ ସହିତ ଆକର୍ଷଣୀୟ ତୋରଣ ତିଆରି କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ଅନେକ ପୂଜା କମିଟି ଏଥର ପ୍ରଚେଷ୍ଟା କରିଛନ୍ତି। ଖାନନଗର, ବାଦାମବାଡି, ଚାଉଳିଆଗଞ୍ଜ, କଲେଜଛକ, ଯୋବ୍ରା, ମାଲଗୋଦାମ ପୂଜା କମିଟି ପକ୍ଷରୁ ନିର୍ମିତ ତୋରଣ ଏଥର ମଧ୍ୟ ବେଶ ଆକର୍ଷଣୀୟ ହୋଇଛି।
ପୂଜାରେ ମୋଟ ୬୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଚାନ୍ଦିମେଢ ମଣ୍ଡପ ନିକଟରେ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ସେଠାରେ ବନ୍ଧୁକଧାରୀ ପୁଲିସଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ଓ ଶାନ୍ତିଶୃଙ୍ଖଳାରେ ପାର୍ବଣ ସମାପନ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୨୮ଟି ଅସ୍ଥାୟୀ ଟ୍ରାଫିକ ପୋଷ୍ଟ ନିର୍ମାଣ କରାଯାଇଛି। ଏହିସବୁ ଟ୍ରାଫିକ ପୋଷ୍ଟକୁ ୮ଟି ସେକ୍ଟର ଓ ୪ଟି ଜୋନରେ ଭାଗ କରାଯାଇଛି। ଏଥିସହିତ ସୁରକ୍ଷା ଦାୟିତ୍ୱରେ ଅତିରିକ୍ତ ପାହ୍ୟାର ଡିସିପଙ୍କଠାରୁ ଆରମ୍ଭ କରି ୩୯ଜଣ ଏସିପି, ୫୫ଜଣ ଇନ୍ସପେକ୍ଟର, ୩୫୦ଜଣ ସବଇନ୍ସପେକ୍ଟର, ୫୫ଜଣ ହାବିଲଦାର, ୫୫୦ଜଣ କନଷ୍ଟେବଳ ଓ ୬୦୦ଗୃହରକ୍ଷୀ ନିୟୋଜିତ ହୋଇଛନ୍ତି। କୁଇକଆକ୍ସନ ଟିମ, ବନ୍ଧୁକଧାରୀ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ଆଣ୍ଟି ଟେରରିଷ୍ଟ ଓ ଆଣ୍ଟି ଲିକର ସ୍କ୍ୱାଡ ଗଠିତ ହୋଇଛି। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୁଲିସ ପକ୍ଷରୁ ୨୨ଟି ସିସିଟିଭି ଲଗାଯାଇଛି।

Leave A Reply