ବାପା କାନ୍ଧରେ ଗଲା ପୁଅର ଶବ

0

ଢେଙ୍କାନାଳ:  ଶବକୁ କେବେ କାନ୍ଧରେ ତ କେବେ ସାଇକେଲରେ ବୁହା ହେବା ଭଳି ଘଟଣା ପ୍ରାୟତଃ ରାଜ୍ୟରେ ଘଟୁଛି। ଏହା ରାଜ୍ୟରେ ଏକ ସାଧାରଣ ବିଷୟ ପାଲଟିଗଲାଣି। ଅନୁରୂପ ଏକ ଘଟଣା ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଶୁକ୍ରବାର ଘଟିଛି। ବ୍ୟବଚ୍ଛେଦ ପାଇଁ ବାପା କନ୍ଧରେ ପୁଅର ଶବ ବୁହା ହେଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ କାମାକ୍ଷାନଗର ସନ୍ନିକଟ ଏକତାଳି ଗ୍ରାମର କ୍ରସରରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିବା ଜଗା ମୁଣ୍ଡାଙ୍କ ୮ ବର୍ଷର ପୁଅ ସୁମନ୍ତ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡିଥିଲା। ତୁରନ୍ତ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇ ଯାଇଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାତିରେ କାର୍ୟ୍ୟରତ ଥିବା ଡାକ୍ତର ଦିଗମ୍ବର ସାହୁ ଶବବ୍ୟବଛେଦ ପାଇ ପରାମର୍ଶ ଦେଇଥିଲେ । କିନ୍ତୁ ପରିବାର ଲୋକେ ସୁମନ୍ତର ମୃତଦେହ ଧରି ରାତି ୨ଟାରେ ଘରକୁ ପଳେଇଥିଲେ ।

ସାପ କାମୁଡାରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ରାଶି ମିଳିବ ଏବଂ ଏଥିପାଇଁ ବ୍ୟବଚ୍ଛେଦ ରିପୋର୍ଟ ଆବଶ୍ୟକ । ଏନେଇ ଆଶାକର୍ମୀଙ୍କ ଠାରୁ ଜାଣିଲା ପରେ ମୃତକଙ୍କ ସମ୍ପର୍କୀୟ ଶବ ବ୍ୟବଚ୍ଛେଦ ପାଇଁ ପୁଣି ଡାକ୍ତଖାନା ନେଇଥିଲେ । ଗାଡି ନ ମିଳିବାରୁ ପରିବାର ଲୋକ ଶେଷରେ ଶବକୁ ବାଧ୍ୟ ହୋଇ କାନ୍ଧରେ ବୋହି ନେଇଥିଲେ । ଅପରପକ୍ଷରେ ଡାକ୍ତର କହିଛନ୍ତି ଯେ, ଶବ ବ୍ୟବଚଚ୍ଛେଦ ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ମୃତକଙ୍କ ପରିବାର ଶବକୁ ନେଇ ଘରକୁ ଚାଲି ଯାଇଥିଲେ । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply