୨୬/୧୧ ଆକ୍ରମଣକୁ ୧୦ ବର୍ଷ ; ତଦନ୍ତ ପ୍ରକ୍ରିୟାରେ ପାକିସ୍ତାନର ଅସହଯୋଗ : ଉଜ୍ଜ୍ୱଳ ନିକମ୍‍

0

ମୁମ୍ବଇ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଘଟଣାର ବିଚାର ପ୍ରକ୍ରିୟାରେ ପାକିସ୍ତାନ ସରକାର ଅଯଥାରେ ବିଳମ୍ବ କରୁଛନ୍ତି। ଏହି ମାମଲା ପରିଚାଳନାରେ ସହଯୋଗ କରୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ନିକମ୍‍ କହିଛନ୍ତି, ପାକିସ୍ତାନ ସରକାର ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରମୁଖ ଷଡ଼ଯନ୍ତ୍ରକାରୀମାନଙ୍କର ବିଚାର ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି। ଆସନ୍ତାକାଲି ୨୬/୧୧ ଆକ୍ରମଣର ୧୦ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀ ନିକମ୍‍ କହିଛନ୍ତି, ଇସ୍‍ଲାମାବାଦ ସମ୍ପୃକ୍ତ ଷଡ଼ଯନ୍ତ୍ରକାରୀ ତଥା ଆକ୍ରମଣକାରୀମାନଙ୍କୁ ଆଶ୍ରୟ ଯୋଗାଇ ଦେଇଥିବା ଅଭିଯୋଗ କରିଛନ୍ତି । ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଲସ୍କର-ଇ-ତେଏବାର ପ୍ରତିଷ୍ଠାତା ହାପିଜ ସୟିଦ ଓ ଜାକିଉର ରେହମାନ ଲକଭୀଙ୍କୁ ପ୍ରଦାନ କରାଯାଇଥିବା ଜାମିନ  ଆବେଦନକୁ ରଦ୍ଦ କରିବା ପାଇଁ ପାକିସ୍ତାନ ସରକାର ପ୍ରୟାସ କରିବା ଦରକାର ବୋଲି ଶ୍ରୀ ନିକମ୍‍ କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ଲସ୍କର-ଇ-ତେଏବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥଦେଇ କରାଚୀରୁ ମୁମ୍ବଇ ଆସିଥିଲେ ଏବଂ ସେମାନଙ୍କ ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ହେବା ସହିତ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ପୁଲିସ୍‍ ଗୁଳିରେ ୯ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଏକମାତ୍ର ଧରାପଡ଼ିଥିବା ଆତଙ୍କବାଦୀ ଅଜମଲ୍‍ କସବକୁ ଉଚ୍ଚନ୍ୟାୟାଳୟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ପରେ ତାକୁ ଫାଶୀ ଦିଆଯାଇଥିଲା।
ଭଦୋଦରାଠାରେ ଆୟୋଜିତ ଏକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନିକମ୍‍ କହିଛନ୍ତି, ଘଟଣାର ୧୦ ବର୍ଷ ବିତିଥିଲେ ମଧ୍ୟ ପାକିସ୍ତାନ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ନାହିଁ ।

Leave A Reply