ତାମିଲନାଡ଼ୁରେ ‘ଗଜ’ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି

0

ଚେନ୍ନଇ : ବାତ୍ୟା ‘ଗଜ’ ତାମିଲନାଡ଼ୁରେ ନାହିଁ ନ ଥିବା କ୍ଷତି ଘଟାଇଛି। ଶୁକ୍ରବାର ଏହା ଉପକୂଳ ଛୁଇଁବା ପରଠାରୁ ଏଜନିତ ମୃତ୍ୟୁ ସଂଖ୍ୟା ୩୩ରେ ପହଞ୍ଚିଛି। ଅପରପକ୍ଷରେ ଏହା ଅବପାତର ରୂପ ନେଇ ଦକ୍ଷିଣ-ପୂର୍ବ ଆରବ ସାଗର ଅତିକ୍ରମ କରିଛି। ଏହା ଫଳରେ ଲାକ୍ଷାଦ୍ୱୀପରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ପ୍ରଭାବରେ ତାମିଲନାଡୁର ନାଗାପଟ୍ଟିନମ, ପୁଡୁକୋଟ୍ଟାଇ, ରାମନାଥପୁରମ୍‍ ଓ ତିରୁଭାରୁର ସମେତ ୬ଟି ଜିଲାରେ ପ୍ରବଳ କ୍ଷତି ଘଟିଛି। ସରକାର ୮୨ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ସହ ୪୭୧ଟି ଶିବିରରେ ଥଇଥାନ କରିଛନ୍ତି। ମୃତକଙ୍କ ପିଛା ସେମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ପାଇଁ ଘୋଷଣା କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଚଳାଇଛନ୍ତି। କେନ୍ଦ୍ର ସରକାର ଅଦ୍ୟାବଧି କୌଣସି ସହାୟତା ପ୍ରଦାନ ନ କରିବା ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ଆବଶ୍ୟକ ସମସ୍ତ ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply