ଯୁବକଙ୍କୁ ହତ୍ୟା ଅଭିଯୋଗ; ୩ ଅଟକ

0

ସମ୍ବଲପୁର: ସମ୍ବଲପୁର ଜିଲା ଧନୁପାଲୀ ଥାନା କ୍ଷେତ୍ର ଅର୍ନ୍ତଗତ ଖଇରପାଲି ଗ୍ରାମ ନିକଟରେ ରେଳ ଧାରଣ କଡରୁ ଜଣେ ଯୁବକଙ୍କର କ୍ଷତାକ୍ତ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର ହୋଇଛି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ ପାରିଶ୍ୱପାରିକ ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଛି। ଏନେଇ ଧନୁପାଲୀ ଥାନାରେ ୭୫/୨୦୧୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ପୁଲିସ ତାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୁଚନାନୁଯାୟୀ, ସମ୍ବଲପୁରର ଗୋବିନ୍ଦତୋଲାର ରୁସ୍ତମ ଖାନ (୧୯) ଜଣେ ଇଲେକଟ୍ରିକ ମେକାନିକ ଭାବରେ କାର୍ଯ୍ୟ କରନ୍ତି। ଗତ ୨୧ ତାରିଖ ରାତିରେ ଖଇରପାଲିର ଏକ ବାହାଘରକୁ ଇଲେକଟ୍ରିକ ସାଜସଜ୍ଜା ପାଇଁ ନିଜର ତିନି ଜଣ ସାଥିଙ୍କ ସହିତ ଯାଇଥିଲେ। ସମସ୍ତେ କାମ ସାରି ଶୋଇଥିବା ବେଳେ ଶୁକ୍ରବାର ସକାଳୁ ରୁସ୍ତମଙ୍କ ମୃତଦେହ ଖଇରପାଲି ରେଳ ଧାରଣା ନିକଟରେ ପଡିଥିବା ଅବସ୍ଥାରେ ମିଳିଥିଲା। ରୁସ୍ତମର ମୁଣ୍ଡରେ ଅଘାତ ଲାଗିଥିବା ବେଳେ କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ସଦର ଏସଡିପିଓ ଭବାନୀ ଶଙ୍କର ଉଦଗାତା ସୂଚନା ଦେଇଛନ୍ତି। ଏହା ସହ ଘଟଣାସ୍ଥଳରୁ ଏକ ମୋବାଇଲ ଫୋନ ଜବତ ହୋଇଛି। ଏହି ଘଟଣାରେ ପୁଲିସ ରୁସ୍ତମ ଙ୍କ ସହିତ କାମ କରିବାକୁ ଯାଇଥିବା ତିନି ଜଣ ଯୁବକ ଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ପ୍ରକାଶ ଥାଉ ଯେ, ସମ୍ବଲପୁର ସହରରେ ଦିନ କୁ ଦିନ ନିଶା କାରବାର ବଢ଼ୁଥିବା ବେଳେ ନିଶାର ବସବର୍ତ୍ତି ହୋଇ ଯୁବପିଢ଼ି ଲକ୍ଷ୍ୟ ଭ୍ରଷ୍ଟ ହେବାରେ ଲାଗିଛନ୍ତି। ସାମନ୍ୟ ଘଟଣାକୁ ନେଇ ସେମାନେ ଉତ୍ତେଜିତ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ତେବେ ବିଗତ ଦିନଗୁଡିକରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ମୁଖ, ବୁଢ଼ାରଜା ସ୍କୁଲ ପଛପଟରେ, ଡିଅର ପାର୍କ ଅଞ୍ଚଳରେ ହତ୍ୟାକାଣ୍ଡ, ଫାର୍ମ ରୋଡ ଅଞ୍ଚଳରେ ଗୁଳିକାଣ୍ଡ ଘଟଣା ଆଦି ଘଟିଯାଇଛି। ତେବେ ଗତ କିଛି ଦିନ ହେବ ସମ୍ବଲପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଦିଲ୍ଲୀପ ସାହୁ (ଡିଲ) ହତ୍ୟାକାଣ୍ଡ ର ଅଭିଯୁକ୍ତ ମାନଙ୍କୁ ଏପର୍ଯ୍ୟନ୍ତ ପୁଲିସ ଧରି ପାରି ନ ଥିବା ବେଳେ ତଦନ୍ତ ଆଳ ଦେଖାଇ ହାତ ବାନ୍ଧି ବସି ରହିଛି। ଏଭଳି ବାରମ୍ବାର ଘଟଣା ଗୁଡିକ ଘଟି ଚାଲିଥିବା ବେଳେ ପୁଲିସ କୌଣସି ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଜନସାଧାରନ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।

Leave A Reply