ପୁଅଠାରୁ ଦୈନିକ ରକ୍ତ ଟାଣୁଥିବା ନର୍ସଙ୍କୁ କାରାଦଣ୍ଡ

0

ହର୍ଣ୍ଣିଂ : ଡେନ୍‌ମାର୍କର ପଶ୍ଚିମାଞ୍ଚଳ ସହର ହର୍ଣ୍ଣିଂଠାରେ ଜଣେ ୩୬ବର୍ଷୀୟା ନର୍ସ ନିଜ ପୁଅ ଶରୀରରୁ ପାଞ୍ଚ ବର୍ଷ ଧରି ନିୟମିତ ସିରିଞ୍ଜ୍‌ରେ ରକ୍ତ ଟାଣିବା ଭଳି ଖବର ରୋମାଞ୍ଚ ସୃଷ୍ଟି କରିଛି। ଏହି ଅପରାଧରେ ଡେନିସ୍‌ ଜିଲା ଅଦାଲତ ସମ୍ପୃକ୍ତ ପିଶାଚୀ ନର୍ସଙ୍କୁ ୪ବର୍ଷ କାରଦଣ୍ଡ ଦେଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ପୁଅଟି ଏବେ ଜୀବତ ଓ ତାକୁ ୭ବର୍ଷ। ସେ ନିଜ ବାପାଙ୍କ ପଖରେ ରହୁଛି।
ସୂଚନାନୁଯାୟୀ, ସମ୍ପୃକ୍ତ ନର୍ସ ପୁଅକୁ ମାତ୍ର ୧୧ମାସ ହୋଇଥିଲାବେଳେ ତା’ଶରୀରୁ ରକ୍ତ ଟାଣିବା ଆରମ୍ଭ କରିଥିଲେ। ପ୍ରତି ସପ୍ତାହରେ ଅଧା ଲିଟର ଲେଖାଏଁ ରକ୍ତ ସେ ନିୟମିତ ଟାଣୁଥିଲେ। ଦୀର୍ଘ ୫ବର୍ଷ ପର୍ଯ୍ୟନ୍ତ ସେ ରକ୍ତ ଟାଣିବା ଜାରି ରଖିଥିଲେ। ଏହି ରକ୍ତକୁ ସେ ପାଇଖାନାରେ ଢ଼ାଳିଦେବା ସହ ସିରିଞ୍ଜ୍‌କୁ ଅଳିଆଗଦାରେ ଫିଙ୍ଗି ଦେଉଥିଲେ। ଅବଚେତନ ମନରେ, କୌଣସି ଏକ ଝୁଙ୍କ୍‌ରେ ସେ ରକ୍ତ ଟାଣୁଥିଲେ ଓ ଏହାର କିଛି କାରଣ ନ ଥିଲା। କେବେଠାରୁ ଏମିତି ରକ୍ତ ଟାଣୁଥିଲେ ତାହା ମଧ୍ୟ କହିପାରିବେ ନାହିଁ ବୋଲି ନର୍ସ କହିଛନ୍ତି। ଥରେ ପୁଅର ପେଟ ଗଣ୍ଡଗୋଳ ହୋଇଥିଲା। ତାକୁ ଚିକିତ୍ସା ପାଇଁ ନେବାରେ ତା’ଶରୀରରେ ରକ୍ତହୀନତା ଲକ୍ଷ୍ୟ କରିଥିଲେ ଡାକ୍ତର। ଏହାର କାରଣ କିଛି ଜଣାପଡ଼ିଲା ନାହିଁ; କିନ୍ତୁ ଚିକିତ୍ସା ସ୍ବରୂପ ତାକୁ ନିୟମିତ ରକ୍ତ ଦିଆଚାଲିଲା। ଏମିତି ଭାବେ ଡାକ୍ତର ତାକୁ ନିୟମିତ ଚିକିତ୍ସାକ୍ରମେ ୧୧୦ବୋତଲ ରକ୍ତ ଦେଲେ।
ଆଶ୍ଚର୍ଯ୍ୟର ବିଷୟ ହେଉଛି; ସାମାଜିକ ଗଣମାଧ୍ୟମରେ ସେ ନିଜକୁ ଏକୁଟିଆ ମା’ ଭାବେ ଦର୍ଶାଇ ଏକମାତ୍ର ଶିଶୁ ପୁତ୍ରର ଚିକିତ୍ସା ପାଇଁ ରକ୍ତ ସନ୍ଧାନରେ ଲାଗିଥିଲେ। ନର୍ସର ଆଚରଣରେ ଥରେ ସନ୍ଦେହ ହେବାରୁ ଡାକ୍ତର ପୁଲିସକୁ ଖବର ଦେଇଥିଲେ। ତଦନ୍ତରୁ ଜଣାପଡ଼ିଲା ଯେ ନର୍ସ ପୁଅ ଦେହରୁ ନିୟମିତ ରକ୍ତ ବାହାର କରୁଛନ୍ତି। ଏହା ପରେ ପୁଲିସ ୨୦୧୭ ସେପ୍ଟେମ୍ବରରେ ପିଶାଚୀ ନର୍ସଙ୍କୁ ଗିରଫ କଲେ। ସେତେବେଳେ ତାଙ୍କଠାରୁ ଗୋଟିଏ ବ୍ୟାଗ୍‌ ରକ୍ତ ଜବତ ମଧ୍ୟ କରାଗଲା। ପରେ ନର୍ସଙ୍କ ବିରୋଧରେ ବିଚାର ଚାଲିଲା; ଯାହାର ରାୟ ଗୁରୁବାର ପ୍ରକାଶ ପାଇଛି। ଆହୁରି ଗୁୁତ୍ବପୂର୍ଣ୍ଣ ହେଉଛି, ଏହି ରାୟ ବିରୋଧରେ ଉପର ଅଦାଲତ ଯିବାକୁ ମନା କରିଛନ୍ତି ସମ୍ପୃକ୍ତ ନର୍ସ। ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ ଏହା ହେଉଛଛି ଏକପ୍ରକାର ବ୍ୟାଧି; ଯାହାକୁ ‘ମଞ୍ଚାଉସେନ୍‌ ସିଣ୍ଡ୍ରମ୍‌’ ବୋଲି କୁହାଯାଏ। ଏହି ରୋଗର ଲକ୍ଷ୍ୟଣରେ ବିଶେଷ ଭାବେ ମା’ମାନେ ପିଶାଚୀ ପାଲଟି ଯାଆନ୍ତି ଓ ମିଛ ରୋଗ ବା ଚିକିତ୍ସା ଆଳରେ ନିଜ ପିଲାଙ୍କୁ ଶୋଷଣ କରନ୍ତି।

Leave A Reply