ଦଇତାପତି ନିଯୋଗ ନିର୍ବାଚନ ; କାର୍ଯ୍ୟକାରୀ କମିଟିକୁ ୧୫ ନିର୍ବାଚିତ

0

ପୁରୀ : ଶ୍ରୀମନ୍ଦିର ଦଇତାପତି ନିଯୋଗ କର୍ମକର୍ତ୍ତା ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଛି। କାର୍ଯ୍ୟକାରୀ କମିଟିକୁ ୧୫ଜଣ ନିର୍ବାଚିତ ହୋଇଛନ୍ତି। ୧୨୦ ଭୋଟରଙ୍କ ମଧ୍ୟରୁ ୧୦୫ଜଣ ମତଦାନ କରିଛନ୍ତି। ସେଥିରୁ ୫ଟି ଭୋଟ ନାକଚ ହୋଇଥିବା ଜଣାପଡ଼ିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ନିର୍ବାଚନ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମତଦାନ କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ୨ଜଣ ଅଫିସରଙ୍କୁ ପର୍ଯ୍ୟବେକ୍ଷକ ଏବଂ ମାଜିଷ୍ଟ୍ରେଟ୍‌ଭାବେ ଅବସ୍ଥାପିତ କରାଯାଇଥିଲା। ସର୍ବାଧିକ ୯୨ଭୋଟ ଦୁର୍ଗାପ୍ରସାଦ ଦାସମହାପାତ୍ରଙ୍କୁ ମିଳିଛି। ଗଣପତି ଦାସମହାପାତ୍ର ୮୮ଭୋଟ ପାଇଥିବା ବେଳେ ସୂର୍ଯ୍ୟନାରାୟଣ ସ୍ବାଇଁ ମହାପାତ୍ରଙ୍କୁ ୮୧ଖଣ୍ଡ ଭୋଟ ମିଳିଛି। ଗଣେଶ ଦାସମହାପାତ୍ର ୭୧ ଏବଂ ଚନ୍ଦ୍ରଶେଖର ଦାସମହାପାତ୍ର ୬୯ ଭୋଟ ପାଇଛନ୍ତି। ରବୀନ୍ଦ୍ର ଦାସମହାପାତ୍ରଙ୍କୁ ୬୮, ରଘୁନାଥ ଦାସମହାପାତ୍ର ୬୭, ଶ୍ୟାମା ପ୍ରସାଦ ଦାସମହାପାତ୍ର ୬୬, ଦେବୀପ୍ରସାଦ ଦାସମହାପାତ୍ର ୬୫, ରାମକୃଷ୍ଣ ଦାସମହାପାତ୍ର ୬୪ ଭୋଟ ପାଇଛନ୍ତି। ସେହିପରି ଅମିତ ଦାସମହାପାତ୍ର ୬୩, ଦୀନବନ୍ଧୁ ଦାସମହାପାତ୍ର ୬୦, ଜିତେନ୍ଦ୍ର ଦାସମହାପାତ୍ର ୫୭, କୀର୍ତ୍ତିପ୍ରସାଦ ଦାସମହାପାତ୍ର ୫୨, ସଞ୍ଜୟ ଦାସମହାପାତ୍ର ୫୦ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ଅନ୍ନଦା ଶଙ୍କର ଜେନା ନିର୍ବାଚନ ପରିଚାଳନା କରିଥିଲେ।
ଦଇତାପତି ନିଯୋଗର ପଞ୍ଜିକୃତ ବାଇଲ ଅନୁଯାୟୀ ନିର୍ବାଚିତ କାର୍ଯ୍ୟକାରୀ ସଭ୍ୟଙ୍କ ମଧ୍ୟରୁ ସଭାପତି, ଉପସଭାପତି, ସମ୍ପାଦକ, ସହସମ୍ପାଦକ ଏବଂ କୋଷାଧ୍ୟକ୍ଷ ନିର୍ବାଚନ କରାଯିବ। ପ୍ରାୟ ୨୫ବର୍ଷ ପରେ ଦଇତାପତି ନିଯୋଗର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଗତ ୧୯ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ୧୫ଟି ପଦପାଇଁ ୩୨ଜଣ ନାମାଙ୍କନ ଦାଖଲ କରିଥିଲେ। ୨୦ତାରିଖରେ ସେଥିରୁ ୬ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ବେଳେ ୨ଜଣଙ୍କ ନାମାଙ୍କନ ନାକଚ ହୋଇଥିଲା। ନିଯୋଗ କର୍ମକର୍ତ୍ତା ନିର୍ବାଚନକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଅର୍ଦ୍ଧାଧିକ ସଭ୍ୟ ନିର୍ବାଚନ ପାଇଁ ଦାବିକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ନିର୍ବାଚନ ସମୟରେ ପୁଲିସ, ମାଜିଷ୍ଟ୍ରେଟ୍‌ ଏବଂ ପର୍ଯ୍ୟବେକ୍ଷକ ନିଯୁକ୍ତି ପାଇଁ ନିଯୋଗ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଯୁବଗୋଷ୍ଠୀ ଦାୟିତ୍ବ ନେଲେ ନିଯୋଗ ଅଧିକ ସୁଦୃଢ଼ ଏବଂ ସକ୍ରିୟ ହେବବୋଲି ସହସମ୍ପାଦକ ବିନାୟକ ଦାସମହାପାତ୍ର ସୋମବାର ଗଣମାଧ୍ୟମକୁ କହିଛନ୍ତି।
ନିର୍ବାଚନ ପାଇଁ ଅନ୍ୟ ନିଯୋଗକୁ ନିର୍ଦେଶ ଦିଆଯିବ: ମୁଖ୍ୟ ପ୍ରଶାସକ
ପୁରୀ : ନୂଆ କର୍ମକର୍ତ୍ତା ନିର୍ବାଚନ ପାଇଁ ଅନ୍ୟ ସେବକ ନିଯୋଗଗୁଡ଼ିକୁ ଖୁବ୍‌ଶୀଘ୍ର ନିର୍ଦେଶ ଦିଆଯିବ। ୩ମାସ ଭିତରେ ନିର୍ବାଚନ ଶେଷ ନକଲେ ପ୍ରାପ୍ୟପାଉଣା ନିଯୋଗ ପରିବର୍ତ୍ତେ ସେବକଙ୍କୁ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।
ସେ କହିଲେ ସେବକ ନିଯୋଗଗୁଡ଼ିକୁ ନିୟନ୍ତ୍ରଣ କରିବା ପ୍ରଶାସନର କ୍ଷମତା ରହିଛି। ତେବେ କୌଣସି ନିଯୋଗରେ ବର୍ଷ ବର୍ଷ ଧରି କର୍ମକର୍ତ୍ତା ନିର୍ବାଚନ କରାଯାଉ ନାହିଁ। ଦଇତାପତି ନିଯୋଗ ନିର୍ବାଚନ ପରେ ଅନ୍ୟ ନିଯୋଗଗୁଡ଼ିକ ପାଇଁ ବାଟ ଫିଟିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ନିମନ୍ତେ ଅନ୍ୟ ନିଯୋଗଗୁଡ଼ିକୁ ନୋଟିସ ଜାରି କରାଯିବ। ୩୬ ନିଯୋଗ ମଧ୍ୟରୁ ୨୪ଟି ନିଯୋଗ ବର୍ତ୍ତମାନ ସକ୍ରିୟ ରହିଛି। ସେଥିରୁ ସୁଆର ମହାସୁଆର, ଦଇତାପତି, ପୁଷ୍ପାଳକ, ପ୍ରତିହାରୀ, ବିମାନବଡୁ ଏବଂ ମହାଜନ ସେବକ ନିଯୋଗରେ ସଭ୍ୟ ସଂଖ୍ୟା ଅଧିକ ରହିଛନ୍ତି। ସେବକ ନିଯୋଗଗୁଡ଼ିକର କର୍ମକର୍ତ୍ତା ନିର୍ବାଚନ ପାଇଁ କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମ ମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲେ। ତେବେ ଏଥିପାଇଁ ନିର୍ଦେଶ ଦେବାକୁ ଶ୍ରୀମନ୍ଦିର ପ୍ରଶାସନର ସମ୍ପୂର୍ଣ୍ଣ କ୍ଷମତା ରହିଥିବା ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ସୋମବାର ଗଣମାଧ୍ୟମକୁ କହିଛନ୍ତି। କେବଳ ସେତିକି ନୁହେଁ, ଆବଶ୍ୟକ ପଡ଼ିଲେ ନିଯୋଗ ଗୁଡ଼ିକର ଅର୍ଥ କାରବାର ସମ୍ପର୍କରେ ପ୍ରଶାସନ ହସ୍ତକ୍ଷେପ କରିବ। ଗଣତାନ୍ତ୍ରିକ ପଦ୍ଧତିରେ ସେବକ ନିଯୋଗଗୁଡ଼ିକ ପରିଚାଳିତ ହେବା ପ୍ରଶାସନ ଚାହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply