ମା’ କଟକ ଚଣ୍ଡୀ

0

ବିଦ୍ୟାଧରପୁରରୁ ହଂସନାଥ ପଣ୍ଡା ସପରିବାର ଆସି କଟକ ମାନସିଂପାଟଣାରେ ଆସି ରହିଲେ। କନିକା ରାଜାଙ୍କର ସେ ଥିଲେ ଚଣ୍ଡୀ ପୂଜକ ଓ ସନ୍ଧ୍ୟାରେ ରାଜାଙ୍କ ସହ ରୋଜ୍‍ ପଶା ଖେଳୁଥିଲେ। ତାଙ୍କର ଥିଲା ଗୋଠେ ଗାଈ ଓ ସେ ନିଜେ ଗାଈ ଚରାନ୍ତି। ଏବର ଚଣ୍ଡୀଛକ ସେବେ ଥିଲା ଅରମା ଜଙ୍ଗଲ; ଇଏ ଅଢ଼େଇଶହ ବର୍ଷ ତଳର କଥା। ସେଠି ଗାଈ ଚରାଉଥିବା ବେଳେ ଏକ ମାଟି କୁଦ ଉପରେ କ୍ଳାନ୍ତ ହୋଇ ବସିବାପରେ ହଂସନାଥଙ୍କ ଭିତରେ ଭିନ୍ନ ଅନୁଭବ ଆସିଥିଲା ଏବଂ ରାଜାଙ୍କୁ କହି ଏହି ଚଣ୍ଡୀ ସାଧକ ସେଠାରେ ମାଟି ଖୋଳାଇ ଥିଲେ। କୁହାଯାଏ ସେହି କୁଦ ତଳୁ ୪୦ ଓଦର ସିନ୍ଦୂର ବାହାରିବା ପରେ ଭୁବନେଶ୍ୱରୀଙ୍କ ଚତୁର୍ଦ୍ଧା ମୂରତି ଉଦ୍ଧାର ହୋଇଥିଲା। ସେଠି ଏକ ବଉଳ ଗଛ ମୂଳେ ଠାକୁରାଣୀଙ୍କ ସ୍ଥାପନା କରି ହଂସନାଥ ତାଙ୍କ ପୂଜାର୍ଚ୍ଚନା କଲେ। ଭୁୁବନେଶ୍ୱରୀ ମନ୍ତ୍ରରେ ଦେବୀଙ୍କ ଆରାଧନା କରାଯାଉଥିଲେ ମଧ୍ୟ ସେ କଟକ ଚଣ୍ଡୀ ନାମରେ ଆଦୃତ।
ହଂସନାଥଙ୍କ ପୁତ୍ର ଲକ୍ଷ୍ମଣ ପଣ୍ଡା ସେ ପୂଜା ରୀତି ହାତକୁ ନେବାପରେ ଦେବୀଙ୍କ ଦେଉଳଟିଏ ତିଆରି ହେଲା ଏବଂ ଦଶହରାକୁ ସେ ଶକ୍ତିପୀଠରେ ଦେବୀଙ୍କ ମହାପୂଜା କରାଯାଇ ଷୋଡ଼ଶ ଉପଚାର ଆରମ୍ଭ ହେଲା। ଦେବୀଙ୍କ ଷୋଳବେଶ ମଧ୍ୟ ସେବେଠାରୁ ହୋଇଆସୁଛି। ଲକ୍ଷ୍ମଣଙ୍କ ପୁତ୍ର ଦୟାନିଧି, ଦୟାନିଧିଙ୍କ ଛଅ ପୁତ୍ର ନାରାୟଣ, ନରହରି, ସୋମନାଥ, ଚକ୍ରଧର, ଲୋକନାଥ, ରତ୍ନାକର। ଏହି ଛଅ ଭାଇଙ୍କ ୧୮ଜଣ ପୁତ୍ର ପ୍ରପୌତ୍ର ଏବେ କଟକଚଣ୍ଡୀଙ୍କ ସେବାରେ। ପ୍ରତିମାରେ ଦେବୀ ଦଣ୍ଡାୟମାନ ଏବଂ ପାଶ, ଅଙ୍କୁଶ, ଅସ୍ତ୍ର ଧାରଣରେ ସେ ଅଭୟଦାତ୍ରୀ। ଚଣ୍ଡୀଙ୍କ ନାମରେ ଭୁବନେଶ୍ୱରୀ କଟକ ସହରର ଇଷ୍ଟଦେବୀ ରୂପେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି।
ମା’ କଟକଚଣ୍ଡୀ ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତା। ସେ ଚତୁର୍ଭୁଜା; ଦୁଇ ଊଦ୍ଧ୍ୱର୍ ହସ୍ତରେ ପାଶ ଓ ଅଙ୍କୁଶ ଏବଂ ନିମ୍ନ ହସ୍ତ ଦ୍ୱୟରେ ରହିଛି ଅଭୟ ଓ ବର ପ୍ରଦାନର ମୁଦ୍ରା। ପ୍ରତ୍ୟହ ପଞ୍ଚ(ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ଉପଚାରରେ ତାଙ୍କୁ ପୂଜା କରାଯାଇଥାଏ। ପ୍ରତ୍ୟୁଷ ପାଞ୍ଚଟାରେ ମନ୍ଦିର ଖୋଲି ମଙ୍ଗଳ ଆଳତି ହୁଏ। ପରଦା ପକାଇ ସ୍ନାନ ମାର୍ଜନା କରାଯାଏ। ପାଦଘଷା କରାଇ ଶ୍ରୀଅଙ୍ଗ ମର୍ଦନ ପରେ ବେଲ କାଠି ଓ ଚନ୍ଦନରେ ଦାନ୍ତଘଷା ହୁଏ ଏବଂ ଚାନ୍ଦିର ଛେଲାରେ ଜିଭ ସଫା କରାଯାଏ। ଚୁଆ ମାଲିସ କରାଯାଇ ପାରମ୍ପରିକ ରୀତିରେ ସ୍ନାନ ସମ୍ପନ୍ନ ହୁଏ। ସ୍ନାନ ପରେ ବସ୍ତ୍ର, ଆଭୂଷଣ, ପାଦରେ ଚନ୍ଦନ ଓ ମସ୍ତକରେ ମୁକୁଟ ଧାରଣ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ପରଦା ଖୋଲାଯାଏ। ସାଢ଼େ ଆଠରୁ ନଅଟା ଭିତରେ ସକାଳ ପୂଜାରେ ଆଳତି କରାଯାଇ ବାଳଭୋଗରେ ଦହି ଓ ବିଭିନ୍ନ ଫଳ ଅର୍ପଣ କରାଯାଇଥାଏ। ନିତ୍ୟପୂଜା ପରେ ଦିନ ସାଢ଼େ ବାରଟାରୁ ଗୋଟାଏ ମଧ୍ୟରେ ଅନ୍ନଭୋଗ, କୋଠ ଭୋଗ ଅର୍ପଣ କରାଯାଏ। ରାଜଭୋଗରେ ନଅ ପ୍ରକାର ପରଷା ରହିଛି; ଅନ୍ନ, କାନିକା, ଦହିଭାତ, ଡାଲି, ଶାଗ, ଭଜା, ଖଟା, କ୍ଷିରୀ ଓ ଛଙ୍କା। ପ୍ରତ୍ୟେକ ମଙ୍ଗଳ ଓ ଶନିବାର ଦେବୀଙ୍କ ପାଖରେ ଆମିଷ ବା ମାଛ ଭୋଗ ହୋଇଥାଏ। ଏହାଛଡ଼ା ଭକ୍ତଙ୍କ ବରାଦ ଅନୁଯାୟୀ ଅନ୍ୟାନ୍ୟ ଯେ କୌଣସି ବାର ବା ଦିନରେ ମଧ୍ୟ ମାଛଭୋଗ ଲାଗି ହୋଇଥାଏ। ଅପରାହ୍ଣ ଦୁଇଟାରେ ମନ୍ଦିର ବନ୍ଦ ହୋଇ ଚାରିଟାରେ ଖୋଲେ। ସନ୍ଧ୍ୟା ସାତଟାରେ ସଞ୍ଜଆଳତି ହୋଇ ବାଳଭୋଗରେ ରାବିଡ଼ି, ମିଠା, ପଇଡ଼ ଓ ଫଳ ଅର୍ପଣ କରାଯାଏ। ରାତି ସାଢ଼େ ଆଠଟାରୁ ନଅଟା ଭିତରେ ଅନ୍ନଭୋଗ ବା ରାତ୍ରିଭୋଗ ଲାଗି ହେବା ପରେ ସାଢ଼େ ଦଶଟାରେ ମା’ଙ୍କ ପହୁଡ଼ ସଜ କରାଯାଇ ମନ୍ଦିର ବନ୍ଦ ହୁଏ। ଗୁରୁବାର କିମ୍ବା ଅନ୍ୟ ପର୍ବପର୍ବାଣି ବା ବିଶେଷ ଦିନରେ ଏହି ନୀତିନିର୍ଘଣ୍ଟରେ କିଛିଟା ପରିବର୍ତ୍ତନ ହୋଇଥାଏ।
ପ୍ରତ୍ୟେକ ସଂକ୍ରାନ୍ତିରେ ଦେବୀଙ୍କ ସମ୍ମୁଖରେ କାହିଁ କେଉଁକାଳରୁ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି; ମାତ୍ର ମକର ସଂକ୍ରାନ୍ତିକୁ ସାତ ଦିନ ଥାଇ ସପ୍ତଦିନବ୍ୟାପୀ ଅଖଣ୍ଡ ଯଜ୍ଞ ହେବାପରେ ସଂକ୍ରାନ୍ତିରେ ପୂର୍ଣ୍ଣାହୁତି ହୁଏ। ଏବେ ପ୍ରତ୍ୟେକ ସଂକ୍ରାନ୍ତି ସନ୍ଧ୍ୟାଆଳତିରେ ଏକ ଖେଚୁଡ଼ି ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି।
ଦୁର୍ଗାପୂଜାରେ – ବସନ୍ତକାଳୀନ ଦୁର୍ଗାପୂଜାରେ ନଅ ଦିନ ଏବଂ ଶରତକାଳୀନ ଦୁର୍ଗାପୂଜାରେ ୧୬ ଦିନ ବିଶେଷ ଉପଚାର(ଷୋଡ଼ଶ ଉପଚାର) ସହ ଦେବୀଙ୍କ ପୂଜାପର୍ବ ପାଳିତ ହୋଇଥାଏ। ରାଧାଷ୍ଟମୀ ଦିନ ମା’ଙ୍କ ନିକଟରେ ପାରମ୍ପରିକ ଶୟନ ଉତ୍ସବ ପାଳନ କରାଯାଏ। ଦେବୀ ନିଦ୍ରା ଯାଆନ୍ତି। ପରବର୍ତ୍ତୀ ମୂଳାଷ୍ଟମୀ ଦିନ ମା’ଙ୍କଠାରେ ସହସ୍ର କୁମ୍ଭାଭିଷେକ ହୋଇଥାଏ। ଅର୍ଥାତ୍‍ ସହସ୍ର କୁମ୍ଭରେ ଅଭିଷେକ କରାଯାଇ ଦେବୀଙ୍କୁ ନିଦ୍ରାରୁ ଜାଗ୍ରତ କରାଯାଇଥାଏ। ସେହି ଦିନ ସନ୍ଧ୍ୟାରେ ଗଡ଼ଗଡ଼େଶ୍ୱର ଘାଟରୁ ଘଟରେ ମା’ଙ୍କୁ ଆବାହନ କରି ଆଣିବା ପରେ ମନ୍ଦିର ମଧ୍ୟରେ ସ୍ଥାପନ କରାଯାଇ ଆରମ୍ଭ ହୁଏ ଶରତକାଳୀନ ୧୬ଦିନାତ୍ମକ ଷୋଡ଼ଶ ଉପଚାର ପୂଜା। ଏହି ଉପଚାର ବା କୁମ୍ଭାଭିଷେକ ପୂର୍ବରୁ ସେବାୟତମାନଙ୍କ ପାଇଁ କଠୋର ନୀତିନିୟମ ଲାଗୁ ହୋଇଥାଏ। ସେବାୟତ ପରିବାରର କୌଣସି ସଦସ୍ୟ ଉପଚାର ସରିବା ପର୍ଯ୍ୟନ୍ତ ଖିଅର ହେବେ ନାହିଁ, ସେମାନେ କିମ୍ବା ଘରର କୌଣସି ମହିଳା ନଖ କାଟିବେ ନାହିଁ। ଅନ୍ୟର ପାକ ଦ୍ରବ୍ୟ ଖାଇବେ ନାହିଁ। ଘରେ କିଛି ପୋଡ଼ାପୋଡ଼ି ହେବ ନାହିଁ। ଲୁଗା ରଜକ ପାଖକୁ ଯିବ ନାହିଁ। ଏହାଛଡ଼ା କୁମ୍ଭାଭିଷେକ ପୂର୍ବରୁ ପ୍ରତ୍ୟେକ ସେବାୟତ ପଞ୍ଚଗବ୍ୟ (ଗୋବର, ଗୋମୂତ୍ର, କ୍ଷୀର, ଦହି ଓ ଘିଅ) ପାନ କରିବେ ଓ ପଇତା ବଦଳାଇ ପଞ୍ଚାମୃତ ସେବନ କରିବେ। ଏହାପରେ ଯାଇ ଶୁଦ୍ଧପୂତ ଭାବେ ସେବାୟତମାନେ ମା’ଙ୍କୁ ଧରାବତରଣ ପାଇଁ ଆବାହନ କରିଥାଆନ୍ତି। ଷୋହଳ ଦିନରେ ମା’ଙ୍କ ଷୋ’ଳ ବେଶ ହୋଇଥାଏ। ପ୍ରତ୍ୟେକ ଅପରାହ୍ଣରେ ଦେବୀଙ୍କ ବେଶ ପରିବର୍ତ୍ତନ ହୁଏ। ତେବେ ମହାଷ୍ଟମୀ ରାତି ସାଢ଼େ ନଅଟାରେ ପରଦା ପକାଇ ବିଶେଷ ରୀତିରେ ମା’ଙ୍କ ବେଶ ବଦଳା ଯାଇଥାଏ। ସେଇଠି ହୋଇଥାଏ ‘ଗୁପ୍ତ ପୂଜା’; ଏହାକୁ ସନ୍ଧି ପୂଜା କୁହାଯାଏ।
ଗୁପ୍ତ ପୂଜା ଓ ବଳି – ମହାଷ୍ଟମୀ ରାତିରେ ପରଦା ପକାଇ ମା’ଙ୍କ ମହାସ୍ନାନ ଅନୁଷ୍ଠିତ ହୁଏ। ସ୍ନାନ ପରେ ମା’ଙ୍କୁ କାଳୀବେଶରେ ସଜ୍ଜିତ କରାଯାଏ। ଏହି ବେଶରେ ଦେବୀଙ୍କ ଶରୀରରେ କେବଳ ଆଭୂଷଣ ହିଁ ରହିଥାଏ। ଏହି ସନ୍ଧି ବା ଗୁପ୍ତ ପୂଜା ଚାଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ। ଏହି ପୂଜାର ଏକ ବିଶେଷ ଅଂଶ ହେଉଛି ବଳି। କାହି କେଉଁ କାଳରୁ ଦେବୀଙ୍କ ନିକଟରେ ଛାଗ ବଳି ପଡ଼ିଆସୁଥିଲା। ୧୯୮୨ଠାରୁ ତାହା ବନ୍ଦ ରହିଛି। ସେବେଠାରୁ ଦିଆଯାଉଛି ମାଗୁର ମାଛର ବଳି। ତେବେ ବଳିର ସେହି ପ୍ରାଚୀନ ଖଡ୍‍ଗ ରହିଛି, ଯେଉଁଥିରେ ଛାଗଛେଦନ ହେଉଥିଲା। ଗୁପ୍ତ ପୂଜା ସମୟରେ ସେହି ଖଡ୍‍ଗରେ ଏବେ ଦୁଇଟି ମାଗୁର ମାଛ ଛେଦନ ହେଉଛି।
ମା’ଙ୍କ ବେଶ – ଦୁର୍ଗାପୂଜା ବାଦ୍‍ ଅନ୍ୟାନ୍ୟ ବିଶେଷ ଦିନ ବା ପର୍ବପର୍ବାଣିରେ କଟକ ଚଣ୍ଡୀ ବିଭିନ୍ନ ବେଶ ଧାରଣ କରିଥାଆନ୍ତି ଏବଂ ସେ ସମସ୍ତ ଦିନରେ ମା’ଙ୍କର ଷୋଡ଼ଷ ଉପଚାର ପୂଜା କରାଯାଇଥାଏ। ଶ୍ରୀପଞ୍ଚମୀରେ ଦେବୀଙ୍କୁ ସରସ୍ୱତୀ ବେଶ କରାଯାଏ। ବସନ୍ତକାଳୀନ ଦୁର୍ଗାପୂଜାର ସପ୍ତମୀ, ଅଷ୍ଟମୀ ଓ ନବମୀ ଦିନ ଦେବୀ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବେଶ ଧାରଣ କରନ୍ତି। ଅକ୍ଷୟ ତୃତୀୟାରେ ମା’ ଚନ୍ଦନ ବେଶ ହୁଅନ୍ତି; ଦୁଇବେଳା ସ୍ନାନ ପରେ ଉତ୍କଳଭଉଁରି ପର୍ଯ୍ୟନ୍ତ ୨୧ ଦିନ ଯାଏ ଦେବୀ ଚନ୍ଦନ ବେଶରେ ସଜ୍ଜିତା ହୁଅନ୍ତି। ଏହାଛଡ଼ା ଦୀପାବଳି ଅମାବାସ୍ୟା ନିଶାର୍ଦ୍ଧରେ ଦେବୀ ଶ୍ୟାମାକାଳୀ ବେଶ ହୁଅନ୍ତି। ମାଣବସା ଗୁରୁବାରରେ ହୁଅନ୍ତି ଗଜଲକ୍ଷ୍ମୀ ବେଶ। ତେବେ କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟୁଷରୁ କଟକଚଣ୍ଡୀ ଧାରଣ କରନ୍ତି ମା’ଅନ୍ନପୂର୍ଣ୍ଣା ବେଶ। ଦେବୀଙ୍କ ସମ୍ମୁଖରେ ମହାଦେବ ଭିକ୍ଷାଥାଳ ଧରି ଛିଡ଼ା ହୋଇଥାଆନ୍ତି (ଅନ୍ନପୂର୍ଣ୍ଣେ ସଦାପୂର୍ଣ୍ଣେ ଶଙ୍କର ପ୍ରାଣବଲ୍ଲଭୀ; ଜ୍ଞାନ ବୈରାଗ୍ୟ ସିଦ୍ଧ୍ୟାର୍ଥମ୍‍, ଭିକ୍ଷାଂ ଦେହି ଚ ପାର୍ବତୀ) ଏବଂ ଦେବୀ ଅନ୍ନ ବାଢ଼ି ଦେଉଥିବାର ଦୃଶ୍ୟ ଥାଏ ଅତ୍ୟନ୍ତ ମନୋରମ।
“ଓଁ ଉଷସୀ ମାଗଦ ମଙ୍ଗଳଦାୟିନୀ, ଝର୍ଝଟି ଜାଗୃହି ଜାଗୃହି ଜାଗୃହି; ଅତି କୃପାଦ୍ର କଟାକ୍ଷ ନିରୀକ୍ଷଣି ଜଗଦିବମ୍‍, ଜଗଦମ୍ବମ୍‍ ସୁଖୀଂ କୁରୁଂ।” ମନମଧ୍ୟରେ ଏହାର ଉଚ୍ଚାରଣ ଭିନ୍ନ ଏକ ପୁଲକ ସୃଷ୍ଟିକରିଥାଏ। ଚଣ୍ଡୀ ମନ୍ଦିରର ରୀତିନୀତି ଓ ପୂଜା ବିଧି ଆଦିରେ ରହିଆସିଥିବା ଶୃଙ୍ଖଳାକୁ ସେ ଦେବୀଙ୍କ କୃପା ବୋଲି କହନ୍ତି।
ସୌଜନ୍ୟ – ସତ୍ୟବାଦୀ ଡ଼େସ୍କ

Comments
Loading...